Home » Magazine » ବିପିନ୍ ନାୟକ : କବିତା : ଶବ୍ଦର ଅପସରୀ

ବିପିନ୍ ନାୟକ : କବିତା : ଶବ୍ଦର ଅପସରୀ

ପ୍ରତିଥର ଫେରିଯିବାକୁ ଇଚ୍ଛାହୁଏ
ତୋ’ ମୋହିନୀ ମାୟାର
କୁଞ୍ଜ ଭିତରକୁ,
ସ୍ପର୍ଶାତୁରତାର କୁହୁଡ଼ି ଭିତରେ ଲୁଚିଥିବା
ସୁକୁମାର ସ୍ନେହର ସୁଡ଼ଙ୍ଗକୁ ।

ପ୍ରତିଥର ଫେରିଯିବାକୁ ଇଚ୍ଛାହୁଏ
ପାରଦର ଢଳ ଢଳ ମାଛଟିଏ ହେଇ
ତୋ’ ନୀଳାଭ ଆଲିଙ୍ଗନର
ଗଭୀର ସମୁଦ୍ରକୁ,

ତୋ’ର ଭୂମି, ଭୂମା
ବରଣ, ବାରଣ
ଅଶ୍ରୁ, ଅସମ୍ମତିର
ବିଚିତ୍ର ଇନ୍ଦ୍ରଧନୁକୁ
ଆଉଁସି, ଅଣ୍ଡାଳି
ଛୁଇଁ, ଛେଚି, କଚାଡ଼ି
ଖଣ୍ଡଖଣ୍ଡ କରି ଭାଙ୍ଗିଦେବାର
ନପୁଂସକ ଚେଷ୍ଟାରେ
ନିଜକୁ ରକ୍ତାକ୍ତ କରିବାକୁ
ଇଚ୍ଛାହୁଏ ପ୍ରତିଥର,
ତୋ’ର ଦେହୀ, ବିଦେହୀର
ବିଡ଼ମିତ ବିପ୍ରଲମ୍ଭରେ
ମୁଁ ତ ପ୍ରତିଥର ଆକୁଳ
ପ୍ରତିଥର ଅସ୍ଥିର,

ତୋ’ଠାରୁ ମୋ’ର
ପ୍ରତିଟି ପ୍ରତ୍ୟାବର୍ତ୍ତନ ପରେ ତ
ଗର୍ଭବତୀ ହେଉଥାଏ
ଆଉ ଏକ ସାକ୍ଷାତର
ସହଜ ସୁନ୍ଦରୀ,
ତୁ ତ ମୋ’ର
ନିତ୍ୟ, ନିର୍ଲିପ୍ତ
ଆନନ୍ଦ ନିରାନନ୍ଦର
ନିର୍ବିକଳ୍ପ ନିଧୂବନ
ଶବ୍ଦର ଅପ୍‌ସରୀ ॥

There are 7 comments

    1. କବିଙ୍କ କବିତା ଯେପରି ମାର୍ମିକ, କବି ତ୍ରିଲୋଚନ ସ୍ବାଇଁଙ୍କ ଆବୃତ୍ତି ମଧ୍ୟ ସେହିପରି ଉତ୍ତୁଙ୍ଗ। ଉଭୟଙ୍କୁ ସମ୍ମାନ ଓ ଆପଣଙ୍କୁ ଧନ୍ୟବାଦ ଜଣାଉଛି ଚଉକାଠ।

  1. ଚମତ୍କାର କବିତା
    ବିପିନ୍ ସାର୍ ଙ୍କୁ ପ୍ରଣାମ
    ସୁନ୍ଦର ଆବୃତ୍ତି ପାଇଁ ତ୍ରିଲୋଚନ ଭାଇଙ୍କୁ ଅଶେଷ ଧନ୍ୟବାଦ

    1. କବି ବିପିନ୍ ନାୟକଙ୍କ କବିତା ଯେପରି ମାର୍ମିକ, କବି ତ୍ରିଲୋଚନ ସ୍ବାଇଁଙ୍କ ଆବୃତ୍ତି ମଧ୍ୟ ସେହିପରି ଉତ୍ତୁଙ୍ଗ। ଉଭୟଙ୍କୁ ସମ୍ମାନ ଓ ଆପଣଙ୍କୁ ଧନ୍ୟବାଦ ଜଣାଉଛି ଚଉକାଠ।

  2. ବିପିନ୍ ସାର୍ ମହୋଦୟଙ୍କ ପ୍ରେମରେ ବି ବିପ୍ଳବ…
    ବିପ୍ଳବରେ ମଧ୍ଯ ପ୍ରେମ ଲୁଚି ରହିଥାଏ ଯେମିତି…
    ପ୍ରଣାମ ସାର୍ 🙏💐💐
    ଚମତ୍କାର ଆବୃତ୍ତି ପାଇଁ ଅଭିନନ୍ଦନ 🙏💐

  3. ବିପିନ୍ ସାର୍ ଙ୍କ କବିତା ସବୁବେଳେ ଭଲ ଲାଗେ।🙏

    1. ଓଡ଼ିଆ କବିତାରେ ତାଙ୍କର ବିପିନୀୟ ଶୈଳୀ ଭିଡ଼ ଭିତରେ ବି ବାରି ହେଇପଡ଼େ। ତାଙ୍କର କହିବାର ଢଙ୍ଗ ଓ କବିତାର କାରୁକାର୍ଯ୍ୟ ଅନନ୍ୟ।
      ଆପଣଙ୍କ ମନ୍ତବ୍ୟ ପାଇଁ ଚଉକାଠର ସଧନ୍ୟବାଦ ଶୁଭକାମନା।

Leave a Reply

Your email address will not be published. Required fields are marked *