ପ୍ରଦୀପ କୁମାର ରାୟଙ୍କ ଆଲେଖ୍ୟ : ଆଲିଭିୟା ପ୍ଲାଥ:ଏକ ଅନ୍ତହୀନ ଯାତ୍ରା
।। ଉପସ୍ଥାପନା : ତ୍ରିନାଥ ସିଂହ ।।
ସମ୍ପ୍ରତି ନିଲାମ ହେଲା ଷାଠିଏଦଶକର ବିଖ୍ୟାତ କବି, ପ୍ରାବନ୍ଧିକ ଓ କ୍ଷୁଦ୍ରଗଳ୍ପର ସ୍ରଷ୍ଟା ସିଲଭିୟା ପ୍ଲାଥଙ୍କ କିଛି ସ୍ମାରକ। ଏହି ନିଲାମର ଆୟୋଜନ କରିଥିଲେ ତାଙ୍କର ଏକମାତ୍ର କନ୍ୟା ଫ୍ରିଡ଼ା ହିଉଜ୍। ଫ୍ରିଡ଼ା ନିଜେ ମଧ୍ୟ ଜଣେ କବି ଏବଂ ଚିତ୍ରଶିଳ୍ପୀ।
ଖୁବ୍ ଅଳ୍ପବୟସରୁ ହିଁ ମାନସିକ-ଅବସାଦ ସିଲଭିୟା ପ୍ଲାଥଙ୍କର ନିତ୍ୟସାଥୀ । ଅବସାଦରୁ ରକ୍ଷା ପାଇବା ପାଇଁ ଗ୍ୟାସ-ବର୍ଣ୍ଣରର ନିଆଁରେ ମୁଣ୍ଡ ଚାପିଧରି ନିଜକୁ ନିଃଶେଷ କରିଦେବାକୁ ଚାହିଁଥିଲେ ସେ।
ସିଲଭିୟା ପ୍ଲାଥଙ୍କ ଜୀବନର ବହୁ ସ୍ମୃତି, ଅନେକ ସ୍ମାରକ ତାଙ୍କର କନ୍ୟା ଫ୍ରିଡ଼ାଙ୍କ ପାଖରେ ଏତେ ବର୍ଷ ଧରି ଯତ୍ନର ସହିତ ସଂରକ୍ଷିତ ହୋଇରହିଥିଲା। ଦୀର୍ଘବର୍ଷ ପରେ ସେ ସେସବୁକୁ ପ୍ରକାଶ୍ୟକୁ ଆଣିଲେ ଏବେ। ନିଲାମର ଶୀର୍ଷକ ରଖିଥିଲେ: your own Sylvia.
ଫ୍ରିଡ଼ା ନିଜେ ଜଣେ କବି ହେଲେ ମଧ୍ୟ ପ୍ରାୟ ତିନିଦଶକ ଧରି ବାପା ଟେଡ୍ ହିଉଜ୍ଙ୍କୁ ତାଙ୍କର କବିତା ରଚନା ସମ୍ପର୍କରେ କିଛି ବି କହିନଥିଲେ। ସେ କବିତା ଲେଖିସାରିବା ପରେ ସେଗୁଡ଼ିକୁ ଜୋତା-ବାକ୍ସ ଭିତରେ ଲୁଚାଇ ରଖୁଥିଲେ। ଦିନେ ସେ ବାପାଙ୍କୁ କହିଲେ , ଝିଅ ହିସାବରେ ନୁହେଁ, ଜଣେ କବି ହିସାବରେ କବିତାଗୁଡ଼ିକ ଦେଖିବ। ଟେଡ୍ ତାହା ହିଁ କରିଥିଲେ। ଫ୍ରିଡ଼ାଙ୍କ ମାଆ ସିଲଭିୟା ପ୍ଲାଥ ମଧ୍ୟ ଠିକ୍ ସେମିତି କରୁଥିଲେ। କୌଣସି ଦିନ କବିତା ଲେଖି ପ୍ରେମିକ-ସ୍ବାମୀ ଟେଡ୍ଙ୍କୁ ଦେଖାଉନଥିଲେ। ଲୁଚାଇ ରଖୁଥିଲେ।
ଫ୍ରିଡ଼ା ଲେଖିଛନ୍ତି, I had a fear of similarity… I wanted to be judged by my own merits . ଫ୍ରିଡ଼ାଙ୍କ କବିତା ପଢ଼ିସାରିବା ପରେ ଗୋଟିଏ ବି କବିତା ସଂଶୋଧନ କରିବା ପାଇଁ କହିନଥିଲେ ଟେଡ୍ ହିଉଜ୍। ଫ୍ରିଡ଼ାଙ୍କର ଆହୁରି ଗୋଟିଏ ଭୟ ଥିଲା, ଯେ ତାଙ୍କ କବିତାରେ ଯେମିତି ତାଙ୍କ ବାପାମାଆଙ୍କର ପ୍ରଭାବ ନପଡ଼େ।
ସିଲଭିୟା ପ୍ଲାଥଙ୍କ ସହିତ ତାଙ୍କ ନିଜ ବାପାଙ୍କର ସମ୍ପର୍କ କିନ୍ତୁ ସେଭଳି ନଥିଲା। ନିହାତି ପିଲାଦିନରୁ ସେ ବାପାଙ୍କୁ ଭୟ କରୁଥିଲେ। ପିଲାଦିନରୁ ହିଁ ସିଲଭିୟା ତାଙ୍କ ବାପାଙ୍କୁ ଠିକ୍ ବୁଝିପାରୁନଥିଲେ। ସିଲଭିୟାଙ୍କ ବାପା ଥିଲେ, ଭୀଷଣ ରୁକ୍ଷ ଏବଂ ଜିଦ୍ଖୋର ପ୍ରକୃତିର ବ୍ୟକ୍ତି।
ସିଲଭିୟା ତାଙ୍କର Dady କବିତାରେ ତାଙ୍କ ବାପାଙ୍କୁ ହିଟଲର୍ଙ୍କ ସହିତ ତୁଳନା କରିଛନ୍ତି। କିନ୍ତୁ ଖୁବ୍ ଅଳ୍ପବୟସରେ ସେ ଦୁଇ ଦୁଇଟି ଛୋଟ ପୁଅଝିଅଙ୍କର ଦାୟିତ୍ଵ ମାଆଙ୍କୁ ଦେଇ ଚାଲିଯାଇଥିଲେ, ଡାଏବେଟିସ୍ରେ। ସେ ଶେଷବେଳକୁ ଡାକ୍ତର ଏବଂ ଆଧୁନିକ ଚିକିତ୍ସା ମଧ୍ୟ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏହିସବୁ ଘଟଣା ସିଲଭିୟାଙ୍କ ଜୀବନ ଉପରେ ମାରାତ୍ମକ ପ୍ରଭାବ ପକାଇଥିଲା। ଅନେକଙ୍କ ମତରେ, ପରବର୍ତ୍ତୀ ସମୟରେ ସିଲଭିୟାଙ୍କର ଆତ୍ମହତ୍ୟାର ଗୂଢ଼ କାରଣ, ତାଙ୍କ ପିତାଙ୍କ ସ୍ବଭାବ ଏବଂ ଅକାଳରେ ଚାଲିଯିବା ।
ସିଲଭିୟାଙ୍କ ବାପା ଯେତେବେଳେ ମୃତ୍ୟୁ ବରଣ କରନ୍ତି, ସେତେବେଳେ ସିଲଭିୟାଙ୍କ ବୟସ ସାଢ଼େଆଠବର୍ଷ। ସାନଭାଇର ବୟସ ଆହୁରି କମ୍। ବାପାଙ୍କ ମୃତ୍ୟୁ ପରେ ସିଲଭିୟା ମାଆ ଅରେଲିୟାଙ୍କୁ ଜାବୁଡ଼ି ଧରି ରହିବାକୁ ଚାହିଁଥିଲେ। କିନ୍ତୁ ଅରେଲିୟାଙ୍କ ଉପରେ ସେତେବେଳେ ଅନେକ ଦାୟିତ୍ଵ… ସାନ ସାନ ଦୁଇସନ୍ତାନଙ୍କୁ ମଣିଷ କରିବା, ସ୍ବାମୀଙ୍କ ଅବର୍ତ୍ତମାନରେ ସନ୍ତାନଙ୍କ ଭବିଷ୍ୟତ ସୁରକ୍ଷିତ କରିବା। ଏସବୁ ପାଇଁ ଅନେକ ଅର୍ଥ ଆବଶ୍ୟକ ଥିଲା। ତେଣୁ ସିଲଭିୟା ମାଆଙ୍କୁ ପାଖରେ ପାଇବା ପାଇଁ ବ୍ୟାକୁଳ ହେବା ବେଳକୁ ମାଆଙ୍କ ପାଖରେ ସମୟର ଅଭାବ। କେବଳ କର୍ତ୍ତବ୍ୟ, ଏବଂ ଦୁଇସନ୍ତାନଙ୍କୁ ନେଇ ଅନେକ ଅନେକ ସ୍ବପ୍ନ। ଅନେକଙ୍କ ମତରେ, ସେହି ପିଲାଦିନରୁ ହିଁ ସିଲଭିୟାଙ୍କ ମନରେ ଜଟିଳତା ବସା ବାନ୍ଧିଥିଲା। ରାତି ରାତି ସେ ଆଦୌ ଶୋଇପାରୁନଥିଲେ।
ସିଲଭିୟା ପ୍ଲାଥଙ୍କ ପରି ଜଣେ ବିଶିଷ୍ଟ କବିଙ୍କର ସ୍ମାରକ ଦେଖିବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ବି କୌତୁହଳ ଥିଲା। ସେହିକଥା ଚିନ୍ତା କରି ତାଙ୍କର କନ୍ୟା ଫ୍ରିଡ଼ା, ନିଲାମ ମାଧ୍ୟମରେ ସବୁକିଛି ବାଣ୍ଟିଦେଇଥିଲେ। ମୋଟ ୫୫ ଟି ସ୍ମାରକ ନେଇ ଫ୍ରିଡ଼ା ନିଲାମ କରିଥିଲେ ଏବଂ ଦଶଲକ୍ଷ ପାଉଣ୍ଡ ମୂଲ୍ୟରେ ସେ ସବୁ ନିଲାମ ହୋଇଥିଲା।
ସିଲଭିୟା ପ୍ଲାଥ ଯେତେବେଳେ ମୃତ୍ୟୁବରଣ କରନ୍ତି, ସେତେବେଳେ ତାଙ୍କର ବୟସ ମାତ୍ର ତିରିଶବର୍ଷ। ଗୋଟିଏ କନ୍ୟା ଏବଂ ଗୋଟିଏ ପୁତ୍ରକୁ ଛାଡ଼ି ସିଲଭିୟା ଆତ୍ମହତ୍ୟା କରନ୍ତି। ସେତେବେଳେ ଫ୍ରିଡ଼ାଙ୍କ ବୟସ ତିନିବର୍ଷ, ଭାଇ ନିକୋଲାସକୁ ମାତ୍ର ଏକବର୍ଷ। ଆତ୍ମହତ୍ୟା କରିଥିବା ଦିନ ସକାଳେ ଦୁଇ ସନ୍ତାନଙ୍କ ପାଇଁ ବ୍ରେକଫାଷ୍ଟ ତିଆରି କରି ରଖିଦେଇଥିଲେ ସିଲଭିୟା।
ନିଲାମ କରାଯାଇଥିବା ଜିନିଷପତ୍ର ଭିତରେ ସିଲଭିୟାଙ୍କର ଏକ ସମର୍ ଡ୍ରେସ୍ ଥିଲା। ତତ୍କାଳୀନ ସମୟରେ ତାହା ଥିଲା ସବୁଠାରୁ ଫେସନେବଲ୍ ଡ୍ରେସ୍ ଏବଂ ତାହା ୯୦୦ ପାଉଣ୍ଡରେ ନିଲାମ ହୋଇଥିଲା। ଆହୁରି ମଧ୍ୟ ଥିଲା ପ୍ରେମିକ ତଥା ସ୍ୱାମୀ ଟେଡ୍ ହିଉଜ୍ଙ୍କୁ ଲେଖିଥିବା ୧୬ ଖଣ୍ତ ଚିଠି। ସେ ସବୁ ଚିଠିରେ ସେମାନଙ୍କ ନବବିବାହିତ ପ୍ରେମମୟ ଜୀବନର ନାନା କଥା ଥିଲା ।
ନିଲାମରେ ଥିଲା ସିଲଭିୟାଙ୍କର ଦୁଇଟି ଫଟୋଚିତ୍ର, ଯେଉଁ ଫଟୋ ଉଠାଇଥିଲେ ଏରିଖ ଷ୍ଟଲବର୍ଗ। ୧୯୫୫ ମସିହା ଫେବୃଆରୀ ମାସରେ ଇଂଲଣ୍ଡର ଗୋଟିଏ ଷ୍ଟୁଡିଓରେ ଫଟୋ ଦୁଇଟି ଉଠାଯାଇଥିଲା।
ଶୈଶବରୁ ମାନସିକ ଜଟିଳତା ଓ ନାନା ଅପ୍ରାପ୍ତି ହିଁ ସିଲଭିୟାଙ୍କୁ ଆତ୍ମହତ୍ୟାପ୍ରବଣ କରି ତୋଳିଥିଲା। ପୂର୍ବରୁ ମଧ୍ୟ ଥରେ ସେ ଆତ୍ମହତ୍ୟା କରିବାର ପ୍ରୟାସ କରିଥିଲେ ଏକ ପ୍ରତ୍ୟାଖ୍ୟାନ ହେତୁ। ବଷ୍ଟନରେ ଥିବା ସମୟରେ ସେ ହାର୍ଭାର୍ଡ ର ସମର ସ୍କୁଲରେ ଅନୁଷ୍ଠିତ ହେବାକୁ ଥିବା ଏକ କବିତା ପାଠୋତ୍ସବରେ ଅଂଶଗ୍ରହଣ କରିବା ପାଇଁ ଆବେଦନ କରନ୍ତି। ସ୍ବରଚିତ କିଛି କବିତା ଆବେଦନପତ୍ର ସହିତ ପଠାଇ ସିଲଭିୟା ନିଶ୍ଚିତ ଥିଲେ ଯେ, ତାଙ୍କର କବିତା ନିର୍ବାଚିତ ହେବ। କିନ୍ତୁ ହାର୍ଭାର୍ଡରୁ ଚିଠି ଆସିଥିଲା ଯେ ତାଙ୍କର କବିତା ମନୋନୀତ ହୋଇନାହିଁ।ସିଲଭିୟା ଜୀବନରେ କେବେହେଲେ ଏତେ ବଡ଼ ଆଘାତ ପାଇନଥିଲେ। ସିଲଭିୟାଙ୍କ ଜୀବନୀ ଲେଖକ ଏଡ଼ଓ୍ବାର୍ଡ ମୁଶାର ଲେଖିଛନ୍ତି: ଏହି ପ୍ରତ୍ୟାଖ୍ୟାନ ତାଙ୍କର ସବୁଠାରୁ ଦୁର୍ବଳ ସ୍ଥାନରେ ଆଘାତ ଦେଇଥିଲା। ଆହତ ହୋଇଥିଲା ତାଙ୍କର ଆତ୍ମସମ୍ମାନ। ନିଜର ପ୍ରତିଭା ଆଉ ତା’ର ମୂଲ୍ୟ ସମ୍ବନ୍ଧରେ ଯେଉଁ ସନ୍ଦେହ ତାଙ୍କ ମନରେ ଦାନା ବାନ୍ଧିଥିଲା, ତାହା ବହୁମାତ୍ରାରେ ବଢ଼ିଯାଇଥିଲା। ହାର୍ଭାର୍ଡରୁ ପ୍ରତ୍ୟାଖ୍ୟାନ ପତ୍ର ପାଇ ସର୍ବପ୍ରଥମେ ତାଙ୍କର ମନେ ହୋଇଥିଲା ଯେ ସେ ତାଙ୍କ ମାଆଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ସମର୍ଥ ହେଲେନାହିଁ। ତାପରେ ସେ ନିଜ ଡାଏରୀରେ ଲେଖିଥିଲେ, ମୋର ପ୍ରତ୍ୟାଖ୍ୟାନ ଭୀତି ଜଡ଼ିତ ହୋଇ ରହିଛି ମୋ ପାଇଁ ଭୟ ସାଥିରେ, ଏହି ପ୍ରତ୍ୟାଖ୍ୟାନ ଅସଲରେ ମୋ ମାଆଙ୍କ ପାଖରେ ପ୍ରତ୍ୟାଖ୍ୟାନ। ଜୀବନରେ ଅସଫଳ ହେବାର ଭୟ। ତେଣୁ ଏହି ଭୟ ଏତେ ଭୟଙ୍କର। ବାପା ଚାଲିଯିବା ପରେ ଦୁଇଟି ସନ୍ତାନଙ୍କୁ ମଣିଷ କରି ଗଢ଼ି ତୋଳିବା ପାଇଁ ମାଆଙ୍କ ଚେଷ୍ଟାର କୌଣସି ଅନ୍ତ ନଥିଲା। ତଥାପି ସେହି ଚାପ ସିଲଭିୟାଙ୍କ ପାଇଁ ମଝିରେ ମଝିରେ ଭୟାବହ ହୋଇଉଠୁଥିଲା।
ଫୁଲବ୍ରାଇଟ୍ ସ୍କଲରସିପ୍ ପାଇ ସିଲଭିୟା ଯେତେବେଳେ ବଷ୍ଟନରୁ ଇଂଲଣ୍ଡର କେମ୍ବ୍ରିଜକୁ ପଢ଼ିବା ପାଇଁ ଆସିଲେ, ସେତେବେଳେ ତାଙ୍କର ପ୍ରତିଦିନର ଘଟଣାବଳୀ ମାଆଙ୍କୁ ଚିଠିରେ ଲେଖୁଥିଲେ। ସିଲଭିୟା ଯେତେବେଳେ କେମ୍ବ୍ରିଜରେ ଇଂରାଜୀସାହିତ୍ୟର ଦ୍ବିତୀୟବର୍ଷର ଛାତ୍ରୀ, ଦିନେ କଲେଜ ପତ୍ରିକାରେ ଟେଡ୍ ହିଉଜଙ୍କର ଗୋଟିଏ କବିତା ଦେଖିଲେ। କବିତାଟି ପଢ଼ି ଏତେ ମାତ୍ରାରେ ବିଭୋର ହୋଇପଡ଼ିଲେ ଯେ, ମନେ ମନେ ହିଉଜ୍ଙ୍କୁ ଭେଟିବା ପାଇଁ ବ୍ୟାକୁଳ ହୋଇପଡ଼ିଥିଲେ । ପରଦିନ ଧାଇଁ ଯାଇଥିଲେ କବିଙ୍କୁ ଭେଟିବା ପାଇଁ। ବାକି ତ ଇତିହାସ।
ବିଂଶଶତକର ଇଂଲଣ୍ଡ ଏବଂ ଆମେରିକାର ସାହିତ୍ୟଜଗତରେ ସବୁଠାରୁ ଚର୍ଚ୍ଚିତ ପ୍ରେମକାହାଣୀ ପାଲଟି ଯାଇଥିଲା ହିଉଜ୍ ଏବଂ ସିଲଭିୟାଙ୍କ ପ୍ରେମ। ୧୯୫୬ ମସିହାରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି। ୧୯୬୦ ମସିହାରେ ସିଲଭିୟା ରଚନା କରନ୍ତି “ବେଲଜାର” ଭଳି ରକ୍ତାକ୍ତ ଉପନ୍ୟାସ। ଏହି ଉପନ୍ୟାସର କେନ୍ଦ୍ରୀୟ ଚରିତ୍ରର ମୁହଁର ଭାଷାରେ ସିଲଭିୟା ଲେଖିଥିଲେ, ନାରୀମାନଙ୍କର ଜୀବନଯାପନରେ ଯଦି ବିଦ୍ରୋହ ଥାଏ, ତାହାହେଲେ ସେହି ଦ୍ରୋହ ଯେ କୌଣସି ସୃଷ୍ଟିଶୀଳ ନାରୀର ମନରେ ମଧ୍ୟ ଅହରହ ଛାପ ପକାଇଥାଏ।” ଅନେକ ସମାଲୋଚକଙ୍କ ମତରେ, ବିଶ୍ବସାହିତ୍ୟରେ ସିଲଭିୟା ହିଁ ପ୍ରଥମଲେଖିକା ଯିଏ ନାରୀମାନଙ୍କ ସମ୍ପର୍କରେ ଏଭଳି ଅନୁଭବ କରିଥିଲେ।
କବି ଟେଡ୍ ହିଉଜ୍ଙ୍କୁ ବିବାହ କରିବା ପୂର୍ବରୁ ସିଲଭିୟା ଯଥେଷ୍ଟ ବିଖ୍ୟାତ ଥିଲେ, ବିଶେଷ ଭାବରେ ତାଙ୍କର “ବ୍ଲାକ ପୋଏମ୍” ତାଙ୍କ ପାଇଁ ଏଇ ଖ୍ୟାତି ଆଣି ଦେଇଥିଲା। ତାଙ୍କ କବିତାରେ ରୂପକର ଅପୂର୍ବ ପ୍ରୟୋଗ ପାଠକଙ୍କୁ ଚମତ୍କୃତ କରୁଥିଲା। ବିବାହର ମାତ୍ର ଅଳ୍ପ କିଛିବର୍ଷ ପରେ ସ୍ବାମୀ ଟେଡ୍ଙ୍କ ଜୀବନରେ ଅନ୍ୟ ନାରୀର ଉପସ୍ଥିତିକୁ ସେ ଆଦୌ ମାନିନେଇ ପାରିନଥିଲେ। ନିଜକୁ ତିଳ ତିଳ କରି ନିଃଶେଷ କରିଦେଇଥିଲେ।
ଯେଉଁ ମହିଳାଙ୍କ ପାଇଁ ଟେଡ୍ ହିଉଜ୍ ସିଲଭିୟାଙ୍କ ପ୍ରତି ବିଶ୍ଵାସଘାତକତା କରିଥିଲେ, ସେହି ମହିଳାଙ୍କ ନାମ ଥିଲା ଆସିୟା ଉଇଭିଲ୍। ଆସିୟାଙ୍କର ପୂର୍ବରୁ ଗୋଟିଏ ଝିଅ ଥିଲା। ସିଲଭିୟାଙ୍କ ସହିତ ବିଚ୍ଛେଦ ପରେ ଟେଡ୍ ହିଉଜ୍ ଲଣ୍ଡନରେ ବାସ କରୁଥିଲେ ଏବଂ ସେଠାରେ ଥିବା ସମୟରେ ସିଲଭିୟାଙ୍କ ଆତ୍ମହତ୍ୟାର ଖବର ପାଇଥିଲେ ।
ସିଲଭିୟାଙ୍କର ଆଲୋଡ଼ନ ସୃଷ୍ଟିକାରୀ ପୁସ୍ତକ “ଏରିୟେଲ୍” ତାଙ୍କ ମୃତ୍ୟୁର ଦୁଇବର୍ଷ ପରେ ପ୍ରକାଶ ପାଇଥିଲା। ଏହା ବ୍ୟତୀତ ତାଙ୍କର ଅଧିକାଂଶ ପୁସ୍ତକ ତାଙ୍କ ମୃତ୍ୟୁ ପରେ ହିଁ ପ୍ରକାଶିତ ହୋଇଥିଲା ଏବଂ ଅଧିକାଂଶ ବହିର ସମ୍ପାଦନା କରିଥିଲେ ନିଜେ ଟେଡ୍ ହିଉଜ୍।ବୋଧହୁଏ ଏସବୁ କରି ସିଲଭିୟାଙ୍କ ପ୍ରତି କରିଥିବା ଅନ୍ୟାୟର ପ୍ରାୟଶ୍ଚିତ କରିଥିଲେ ଟେଡ୍ ହିଉଜ୍।