




ତୁମେ ଦେଖି ପାରୁଛ ଦେବୀଦତ୍ତ !
ରାସ୍ତା କଡ଼ରୁ ଧାଡି ଧାଡ଼ି
ଅପେକ୍ଷାର ଗଛସବୁ
ତୁମକୁ ନପାଇ
କେମିତି ତଳକୁ ମୁଁହପୋତି
ଫେରିଯାଉଛନ୍ତି ପଛକୁ,
ଦେଖି ପାରୁଛ !
ସଞ୍ଜ ଅନ୍ଧାରରେ
ଗୋଟି ଗୋଟି ସ୍ଵପ୍ନର ତାରା ସବୁ
ତୁମକୁ ଝୁରି ଝୁରି
ନିଜ ଆଲୁଅର ମାୟା ଭୁଲି
କେମିତି ଆଉଜି ପଡୁଛନ୍ତି
ତୁମ ଚଲାବାଟକୁ
ତୁମେ କ’ଣ ଜମାରୁ ବୁଝିନ !
ତୁମ ଅବର୍ତ୍ତମାନର
ଲୁଣିଆ ଲୁହସବୁ ମୋ ପାଇଁ କେମିତି
ଗୋଟେ ଗୋଟେ ଦୁର୍ଭାଗ୍ୟର ଶୋଷ !
ତୁମ ବର୍ତ୍ତମାନର ଭାଗ ଭାଗ ଗୀତ
ମୋ ପାଇଁ କେବଳ ସୁଖର ସୌଭାଗ୍ୟ
ଏକଥା କହିବା କ’ଣ ନିହାତି ଜରୁରୀ
ତୁମ ବିନା ମୁଁ ଗୋଟେ କ୍ଳାନ୍ତ ଜହ୍ନରାତି ବୋଲି !
ଏଥର କୁହ ଦେବୀଦତ୍ତ !
କେମିତି ଅଛ ତୁମେ
କେମିତି ଅଛି
ତୁମ ପଢାଘରୁ ଛୁଟିଆସୁଥିବା
ପୁରୁଣା ରୁମାଲର ପ୍ରଖର ବାସ୍ନା,
ବାସି ଖବରକାଗଜରୁ ନିରୁଦ୍ଦିଷ୍ଟ
ବାଳିକାର ମୁହଁ ,
ଝାଳଭର୍ତ୍ତି ଟି-ସାର୍ଟରେ ଝୁଲୁଥିବା
କାହା ରାଣର କବଚ ,
କପାଳରୁ ଆସ୍ତେକରି ଓହ୍ଲେଇ ପଡ଼ୁଥିବା
ରଫଖାତାର ଖିଆଲି ପ୍ରେମ
ଆଉ ପ୍ରତିଶ୍ରୁତିର ପାପୁଲିଏ ଲାଜୁଆଶବ୍ଦ !
କୁହ
ଆମକୁ ଚିହ୍ନିଥିବା
କଚେରୀ ବଜାରର ହାଲଚାଲ୍, ଚାର୍ଟ ବିକୁଥିବା ଖନା ଟୋକାଟାର ଖବର , ନୂଆ ନୂଆ ଖୋଲିଥିବା ନେଳି ବିଲ୍ଡିଂରେ ଗୋଦାବରୀଶ ଲାଇବ୍ରେରୀ ଓ କୃଷ୍ଣଚୂଡ଼ା ଗଛ,
ମୁଁ ଉପହାରରେ ଦେଇଥିବା
କିଛି ଇଚ୍ଛାର ଆଲୁଅ,
ମାସଶେଷ ଶନିବାର ଶ୍ରାବଣ ସଞ୍ଜରେ
ପକ୍ଷୀ ଗାଉଥିବା ମେଘ ଗୀତ
ଆମକୁ ଝୁରୁଥିବା
ଗୋଟେ ମହାର୍ଘ ତାରିଖ ,
କେମିତି ଅଛନ୍ତି ଏମାନେ ଦେବୀଦତ୍ତ !
କହିବନି !
ଏବେ ଆଉ ଖୋଜୁଛି କି ନାହିଁ
ତୁମ ହାତ ଟାଇଟେନ୍ ଘଡ଼ି
ମୋ ହାତର ସ୍ପର୍ଶ !
ତୁମ ଛାତିରୁ ନିଗିଡ଼ି ପଡୁଥିବା
ପରାଜୟର ସବୁଠୁ ଦାମିକା ହସ,
ହେଲେ
କୁହ ତ ଥରେ ଦେବୀଦତ୍ତ !
ମୁଁ ରୁଷିଗଲେ
ଏବେ ଆଉ ଆଗ ଭଳି
ତୁମେ କହୁନ ତ ମୋତେ
‘କଥା ନହୁଅ ପଛେ ଏଇମିତି ଭଲପାଉଥାଅ ‘ !
There are 2 comments
ଚମତ୍କାର କବିତା
ଅଭିନନ୍ଦନ ମାମ୍
କିଛି କବିତାରେ ବଞ୍ଚିବାକୁ ଇଛାହୁଏ ସେଇ ମୁହୁର୍ତ୍ତ ମାନଙ୍କ ସହିତ… ଇଏ ଠିକ୍ ସେହିପରି କବିତାଟିଏ ।
କବିଙ୍କୁ ଆନ୍ତରିକ ଅଭିନନ୍ଦନ 🙏💐💐