Home » Magazine » ପିନାକୀ ମିଶ୍ର : କବିତା : ପ୍ରେମ ପ୍ରସ୍ତୁତି

ପିନାକୀ ମିଶ୍ର : କବିତା : ପ୍ରେମ ପ୍ରସ୍ତୁତି

ଏତେ ଈର୍ଷା କାହିଁକି  ?

ଜାଣିନି
କିଏ ଦେଇଛି କବିତା କଳା
କୋଉଠୁ ଆସିଛି, କେତେକାଳ ରହିବ  ?

ଖସୁଛି- ବର୍ଷା ପରି, କନକକିରଣ ପରି
ଭ୍ରମର ଚୁମ୍ବନ,  ତୁଠ ତନୁ ପଖଳା,
ପଥରରେ ନିହାଣକାମ ସାରିଦେଇ ଫେରିଯିବ ସେ’
ହାତ ନଥିବ
କବିତା ଥିବ
ମାଟିଗର୍ଭରୁ ଦିନେ ତ ପ୍ରତିମା ଫୁଟି ବାହାରିବା ଥୟ ।

ମନେ ନାହିଁ
କେବେଠୁ  ଛାଁକୁ ଛାତିରେ ପଶିଛି,
ଭାବହଳଦୀ ବୋଳା ଛନ୍ଦର ସୂତା-
କିଏ ବେଢ଼େଇଦେଲା ମୋ’ ଦେହସାରା,
ପାଣି ଚହଲିଲା, ଢେଉ ଉଠିଲା, ଶାମୁକା ମିଳିଗଲା,
ଫୁଲ, ନଈ, ପଥର, ହସ, ରୋଷ, ବୟସ ସହ କବିତାର ଭେଟ ହେଲା,

ହାଣ ବାଜିଲାଠୁ ସିନା ଚନ୍ଦନ କାଠଖଣ୍ଡେ
ପାଇଲା ଦେଉଳଭାଗ୍ୟ, 
ଟୋପିଟୋପି କପାଳେ ଚନ୍ଦନ, ଦିଅଁ ଦିଶିଲେ ସୌମ୍ୟକାନ୍ତ।

କବିତା ଆସିଲା, ମୋତେ ଭିଡି ଧରିଲା, ଗହନକୁ ଡାକିନେଲା
ମୋ’ ଉଦବେଳନ ପରଖି ଆଉଁସିଦେଲା,
ମୁଁ କି ଥିଲି ମୋ ଆୟତ୍ତରେ ?

ମାଟି ଆଉ ଆକାଶ ବାହାରେ  କିଏ ତ ଜଣେ ଅଛି
ଯା’ ଇସାରାରେ ଏ  କବିତା ଖେଳ
ତା’ ପ୍ରେମ ପ୍ରସ୍ତୁତି ବୋଧେ ଦୁଃଖଶୋକର ନଗରରେ ।

ଅଦିନିଆ ଝଡବର୍ଷାରେ ବୁଢ଼ାଗଛର ଡାଳ ଭାଙ୍ଗିଗଲା
ଦୁଲ୍ ଦାଲ୍ ମାଟିରେ
ପକ୍ଷୀର ଘରଭଙ୍ଗା କରୁଣଗୀତ
କବିତା ଢେର୍  କାନ୍ଦିଛି  ମୋ ସହ ।

ମୁଁ କିଏ ଯେ’ ଦାବି କରିବି ?
କବିତା କଳ୍ପଲୋକରୁ ଭୂମିଲଗ୍ନା, ତା’କୁ ମରଣ ମନା,
ଶୀତରାତିରେ ଭୋକିଲା ଶୋଇଥିବା କୁକୁର
ସକାଳକୁ ଦ୍ରୋହ ବି କରେନି,
ବିସ୍ଥାପିତକୁ ନିଦ ନହେଲେ ବି  ତୁଣ୍ଡ ଖୋଲେନି,
ବନ୍ଧତଳେ ପଡିଥିବା ଝିଅର ମାଆ
ଅସ୍ୱୀକାର କରେ ଠାକୁର ଫୋଟକୁ ।

କବି କଲମରୁ ଲୁହହୋଇ ଝରେ
ବାଧିଲା ଜାଣି କ୍ଷମା…..
ପୁଣି ବିଚ୍ଛେଦବେଦନା ଭୋଗି ବି –
ତଥାପି ପ୍ରିୟତମଙ୍କୁ ମଣେ କରୁଣାନିଧି  ।

କବିତା ସମ୍ଭବେନି
ଈର୍ଷାର ଅଳନ୍ଦୁ କୋଠରୀରେ,
କବିତା ଫୁଲମତୀ ସଜ ହୁଏନି
ବହପ ଜିଘାଂସର ହାତହଲାରେ,
କବିତା ପୀଢ଼ା ପକେଇ ବସେନି
ଛଳନାର ଚିପାହସ ଅଲଣା ପବନହାଟରେ ।

କବିତା ବାଛୁରୀଛୁଆର ଥନଝୁଣା ଅଝଟ
କବିତା ଦରଦୀବନ୍ଧୁର ଦୁଃଖରାତି ଗାଁ-ଚିନ୍ତା
କବିତା ପରାଚି ପାହାନ୍ତି ସବିତା
କବିତା ମୁକୁଳାହାତର କମଳ-ଆଉଁଶା
କବିତା ଧରଣୀପେନୁ ଲାଗି ବଣୁଆ ପୁଅର ଅରଣ୍ୟହୁଂକାର
କବିତା ଅଭିମାନିନୀର ଲାଜ ଲାଜ ପ୍ରଣୟ
କବିତା ଓଢ଼ଣାତଳ ସାଧବାଣୀ ସଞ୍ଜ-ସଳିତା
କବିତା ବାପାଙ୍କ ଭ୍ରମଣବେଳ ଟିପାଖାତା
କବିତା ଲେଖି ପାରିନଥିବା ପଦପଲ୍ଲବ ପୁଲକ

ଲାଭ କ’ଣ ଈର୍ଷା କରି ବନ୍ଧୁ
ଚିଲିକା ରୂପସୀ ବୋଲି ତ ଚାଲିଛି ପକ୍ଷୀରାସ
ଟାଙ୍ଗରା ଭୂଇଁ ନହେଉ ମନତଳର  ସୋରିଷକ୍ଷେତ
ଦେଖୁନ, ପବନରେ କେତେ ପୋଡ଼ାପାଉଁଶ ଓ ଧୂଳି  ।

ସରିସରି ଆସୁଛି ଜୀବନ ।

There are 2 comments

  1. ପିନାକୀ ଭାଇ ଚମତ୍କାର କବିତା “ଏତେ ଇର୍ଷା କାହିଁକି”
    ନମସ୍କାର
    ବହୁତ ଭଲ ଲାଗିଲା କବିତା,ଆବୃତ୍ତି ବି।
    ଚଉକାଠର ସମ୍ପାଦକ ଓ ପ୍ରକାଶକଙ୍କୁ ଅନ୍ତରରୁ ଧନ୍ୟବାଦ ସହ ନମସ୍କାର।।

    1. ଧନ୍ୟବାଦ ପ୍ରତାପବାବୁ।
      ପିନାକୀମିଶ୍ରଙ୍କ କବିତା ଖୁବ୍ ମର୍ମସ୍ପର୍ଶୀ। ଚଉକାଠ ଆପଣଙ୍କ ସହ ଏକମତ।
      ଏ ସଂଖ୍ୟାରେ ସ୍ଥାନିତ ଅନ୍ୟସବୁ କବିତା ବି ଉଚ୍ଚଶ୍ରେଣୀର। ଆଶା ରଖୁଛୁ, ସେଇ କବିତାଗୁଡ଼ିକ ଉପରେ ମଧ୍ୟ ଆପଣ ନିଜର ନିରପେକ୍ଷ ମତ ରଖିବେ।

      ଶୁଭେଚ୍ଛା ଓ ଅଭିନନ୍ଦନ।

Leave a Reply

Your email address will not be published. Required fields are marked *