Home » Magazine » ପଲ୍ଲବୀ ଦାସ : କବିତା : ପ୍ରିୟ ଦେବଦାସ

ପଲ୍ଲବୀ ଦାସ : କବିତା : ପ୍ରିୟ ଦେବଦାସ

ଦେବଦାସ, ଶୁଣ
ତମେ ଯାହା କୁହ ପଛେ
ଭଲପାଇବାର ପରିଭାଷା ଖୋଜନାହିଁ
ପରିଭାଷାକୁ ନେଇ ଜୀବନ ବଞ୍ଚିହୁଏ,
ପ୍ରେମ କରି ହୁଏନା।

ପର୍ବତ ଶିଖରକୁ ଛୁଉଁଥିବା ମେଘର ମଥାନ
ଟପ୍ ଟପ୍ ପକାଉଥାଏ ଅମୃତ କି ବିଷ
କେହି କେବେ ପ୍ରଶ୍ନ କରେନା।

ତମ ଚଉଡ଼ାଛାତିକୁ ନିରୀକ୍ଷଣ କରୁଥିବା
ଲାଜକୁଳୀ ମୁଁ ନୁହେଁ,
ଅଥଚ ସମ୍ବରଣ କରିପାରେନା ତମ ପୌରୁଷର ଆକର୍ଷଣ,
ବାହୁ ବନ୍ଧନର ଆତ୍ମିୟତା
ମୁଁ ପାଲଟି ଯାଏ
ଆଉଟା ଶେଯରେ
ଲୋଚାକୋଚା ସୁନାର ଚାଦର ।

ମୁଁ ଶୁଣିଥିଲି ଦେବଦାସ ନାଁ ରେ
ଅନେକ ପୁଅ ଅଛନ୍ତି
ଯୋଉମାନେ ମୋ କବିତା ପଢନ୍ତି,
ରାତିରେ ସ୍ବପ୍ନ ଦେଖନ୍ତି,
ଫେସବୁକରେ ଲମ୍ବା ଲମ୍ବା କମେଣ୍ଟ ଦିଅନ୍ତି
ସକାଳୁ ମେସେଞ୍ଜରରେ ପ୍ରେମ ନିବେଦନ କରନ୍ତି,
ବେଳେ ବେଳେ ଅଶ୍ଳୀଳତାର ସୀମା ଲଙ୍ଘିବାକୁ ବି ପଛାନ୍ତିନି।

ମୋ ଅଜାଣତରେ ତମ ପ୍ରତି ମୋର
ଏ କି ଦୁର୍ବଳତା?
ଚାଳିଶଟି ବସନ୍ତ ପାରି ହେଲାପରେ ବି
କୃଷ୍ଣଚୂଡ଼ାର ରଙ୍ଗ ତମ ନାମରେ ବୋଳିବାକୁ
କାହିଁକି ଏତେ ଇଚ୍ଛା ?
କହି ପାରିବ ?
ଜବାବ ଦେଇପାରିବ ?

ନା, ମୁଁ ଜାଣେ
ତମେ କିଛି କହି ପାରିବନି
ତମ ପ୍ରେମର ଜ୍ଵଳନରେ
ଧକ୍ ଧକ୍ କରୁଥିବା ମୋର ଏଇ ହୃଦୟକୁ
ତମ ଛଡ଼ା ଆଉ କିଏ ଅଧିକ ଜାଣେ ଯେ.. !!

ମୁଁ କାହାକୁ ଦେବି ଦୋଷ ?
କାହାରେ କରିବି ଅଭିମାନ ?
ଅବା କାହା ପାଇଁ ଅଧାରାତିରେ ଲେଖିବି କବିତା ?
ଦେବଦାସ ଦେବଦାସ ବୋଲି ସପନରେ ବାଉଳି ହେବି ?

ଏତିକି ସମର୍ପଣ କ’ଣ
ତମ ପାଇଁ ଯଥେଷ୍ଟ ନୁହଁ ଦେବଦାସ..!!
ତମେ ଖୋଜୁଛ ଅନ୍ଧାର ରାତିର ବିଜୁଳି
ଆଉ ତୁହାକୁ ତୁହା ବର୍ଷା
ବର୍ଷାରେ ଓଦା ସରସର ଶରୀର
ଏସବୁ ତମର କ’ଣ ହେବ ?

ତମେ ତ
ପରିଭାଷା ଆଉ ଦର୍ଶନର
ପର୍ବତ ଶିଖରେ ବସି
ମାଟିର ଜୀବନକୁ ଦେଖୁଥିବା ବିଭୋର ମଣିଷ ।

There is 1 comment

  1. ସମର୍ପଣ ଭାବଭରା ଏକ ନିଆରା ସ୍ୱର…
    ଅଭିନନ୍ଦନ କବି 💐💐

Leave a Reply

Your email address will not be published. Required fields are marked *