
ମଳୟ ପରଶରେ ନିମ ବି
ଚନ୍ଦନ ପାଲଟେ ବୋଲି
କଥାଟାଏ ରଟେଇ ଆସିଛ
କାଇଁ କେଉଁ କାଳରୁ…
କେତେ ଅଗଣତା ଫଗୁଣ ଗଲାଣି
ୟା ଭିତରେ, ହେଲେ
ଭାଗ୍ୟହୀନତାର ପିତାପଣକୁ
କେହି ପୋଛି ଦେଇ ପାରିଛି କି
ଆମ କପାଳରୁ ?
ଅପନ୍ତରାରେ ଜନ୍ମ ଆମର
ଅଥଚ ଆମର ଫୁଲ, ଫଳ, ପତର
କିଏ ସାଧୁନି ତୁମ ଉପକାର ?
ହେଲେ ସାବାସି ତ ଦୂରର କଥା
ଆହା ପଦଟିଏ ପଇଟିଛି କି ତୁଣ୍ଡରୁ ତୁମର?
ଯେମିତି କି ବଡ଼ଘର ବୋହୂ ସାଜିଥିବା
ନଥିଲା ଘର ଝିଅର କପାଳ
ଝଟ ଝଟ ପାହାନ୍ତିରୁ ରାତିଅଧ ଯାଏ
ଯେତେ ଖଟିଲେ ବି
କପାଳରେ ଲେଖାଥାଏ
ଉଲୁଗୁଣା ହିଁ କେବଳ l
ବେଳେବେଳେ ସମ୍ପନ୍ନତାର ଚିହ୍ନ
ଚହଟିଲେ ଆମ ଭିତରୁ
କିଛି କପାଳିଆ ପାଲଟନ୍ତି ଦାରୁ
ଦିଅଁ ହୋଇ ଝଟକନ୍ତି ରତ୍ନବେଦୀରେ
ରଜା ହେଉକି ରଙ୍କ
ସଭିଙ୍କର ଅଧିକାର ସମାନ
ସିନା ଭୋଓଟ ବେଳେ
ହେଲେ କ୍ଷମତାର କାତ ଧରି
ସଭିଏଁ କ’ଣ ସାଜିପାରନ୍ତି
ଗଣତନ୍ତ୍ର-ନାଆର ନାଉରୀ ?
ଖରା, ବର୍ଷା, ଶୀତକୁ ପିଠେଇ
ଚୁଲିର ଜାଳହେବା ଯାଏ
ଅସୁମାରି ଭାଗ୍ୟହୀନ
ଉପେକ୍ଷାର ଅପନ୍ତରାରେ
ପଡିରହି ନଥାନ୍ତି କି ଆମପରି ?
There are 2 comments
ମଧୁରମ୍ ମଧୁରମ୍ ମଧୁରାଂଶ…..ପୁରାତନ ଓ ବର୍ତ୍ତମାନର ଲେଖା ଓ ଲେଖକଙ୍କ ଉପରେ ଚୁମ୍ବକରେ କଥା କେଇ ପଦ ନୁହଁ; ବରଂ କହିବି ଅଳ୍ପ ସୂତାରେ ବିଭିନ୍ନ ଫୁଲକୁ ସଜାଇ ଗୁନ୍ଥା ଯାଇଥିବା ଏକ ସୁନ୍ଦର ଫୁଲହାର ଟିଏ। ଏହି ହାରଟିକୁ ତିଆରି କରିବାରେ ସମ୍ପାଦକ ମହୋଦୟ ମୋ ପ୍ରିୟ ଅନୁଜ ତ୍ରିନାଥ ସିଂହ ଅବଶ୍ୟ ସମୟ ଓ ଶ୍ରମ ଦେଇଛନ୍ତି ତାହା ସ୍ବୀକାର୍ଯ୍ୟ,ପ୍ରଶଂସନୀୟ ଓ
ପ୍ରେରଣାଦାୟକ। ଅନ୍ତରରୁ ଧନ୍ୟବାଦ।
ପ୍ରେରଣାଦାୟକ ଏଥି ପାଇଁ କି ଅନ୍ୟ ଲେଖକଙ୍କର ଲେଖା
ଶ୍ରୀ ସିଂହ ଆଗ ପଢ଼ିଛନ୍ତି ଓ ପରେ ସଜେଇ ଛନ୍ତି ଯାହା ସବୁ ଲେଖକମାନଙ୍କୁ ପ୍ରେରିତ କରେ କି ସମସ୍ତଙ୍କୁ ପଢିବା ମାନସିକତା ଜଣେ ଉଚ୍ଚା ଲେଖକଙ୍କ ଲକ୍ଷଣ ।
ପୁନଶ୍ଚ ଧନ୍ୟବାଦ।
ପ୍ରକାଶିତ ଲେଖାମାନ ଭଲ,ପଠନ ଆହୁରି ଭଲ । ହାତୀ ଓ ଲଣ୍ଠନ ଗଳ୍ପରେ ନେତ୍ର ମଣିଙ୍କ ସମୟର ସମାଜ ଓ ସେ ସମୟରେ ଲଣ୍ଡନର ମୂଲ୍ୟ….ଅନେକ ଭାବପ୍ରବଣତାର କଥା କହେ…ବଢିଆ.. ଗାଳ୍ପିକା ଙ୍କୁ ଧନ୍ୟବାଦ।
ନିମଗଛ କବିତା ବହୁତ ଭଲ ଲାଗିଲା l କବି ଙ୍କୁ ଅଜସ୍ର ଧନ୍ୟବାଦ 🙏