
ନୀରିମାଖି କୃଷ୍ଣଚୂଡ଼ା ନିଦାଘ ବୈଶାଖକୁ
ଭଲପାଏ ବୋଲି ତ
ଡହ ଡହ ଖରାବେଳେ
ଛିଡ଼ା ହୋଇଥାଏ ରାସ୍ତାକଡ଼େ
ସୁସଜ୍ଜିତ ରୂପବିନ୍ୟାସର
ମଞ୍ଜୁଳବେଶରେ ।
ରାଧାକୃଷ୍ଣଙ୍କ ଅନାବିଳ ପ୍ରେମ
ଏତେ ମଧୁର ଆଉ ଗଭୀର ଯେ
ଯୁଗଯୁଗାନ୍ତରେ ବି ସେ ମହକ ମହକିଉଠେ
ଏ ଧରା ପୃଷ୍ଠରେ, କବିର କବିତା ପଂକ୍ତିରେ ।
ଚାନ୍ଦର ମୁଖ ଦର୍ଶନ କରୁ କରୁ
ପୋଖରୀର ନୀଳନୟନା ନୀଳକଇଁ
ଖୁସିରେ ଅଧିର ହୋଇ ପ୍ରସ୍ପୁଟିତ ହୁଏ
ସତେ ଯେମିତି ତା’ର
ଅପରୂପ ସୌନ୍ଦର୍ଯ୍ୟକୁ
ପାଖୁଡ଼ା ଭିତରେ ସଯତ୍ନେ
ଗୋପନେ ସାଇତି ରଖି ଅପଲକ ନେତ୍ରରେ
ଚାହିଁ ବସିଥାଏ ।
ଏ ସବୁ ସ୍ୱଚକ୍ଷୁରେ ଦେଖି ଦେଖି
ଅବା କର୍ଣ୍ଣରେ ଶୁଣି ଶୁଣି ମଧ୍ୟ
ପରିବର୍ତ୍ତନ ହେଲା ନାହିଁ ଏ ମନ ଏ ହୃଦୟ ।
ସ୍ବାର୍ଥ ସର୍ବସ୍ବ ଦୁନିଆରେ ମନଦେହ ବାନ୍ଧି
କଥାରେ କଥାରେ ବାହାନା
ଛଳନାର ଛବି
ଆଉ ନିର୍ଲଜପଣରେ ପୁଣି କହେ
ଭଲ ପାଉଛି ତୁମକୁ ଭଲ ପାଉଥିବି ।
There are 2 comments
ବହୁତ ସୁନ୍ଦର 🙏
କୃଷ୍ଣ ଚେତନା କଣ ଏତେ ମାନବୀୟ !
ପ୍ରେମର ଏ ଚିରନ୍ତନ ରୂପ ଭାରି ଆତ୍ମୀୟ।ଭଲ ଲାଗିଲା କବିତା।