Home » Magazine » ତ୍ରିନାଥ ସିଂହ : ଆଲୋଚନା : “ନିଃଶବ୍ଦ ଉଚ୍ଚାରଣ” ଓ କବି ସସ୍ମିତା ପଣ୍ଡା

ତ୍ରିନାଥ ସିଂହ : ଆଲୋଚନା : “ନିଃଶବ୍ଦ ଉଚ୍ଚାରଣ” ଓ କବି ସସ୍ମିତା ପଣ୍ଡା

ତାଙ୍କର ଏକ ପ୍ରବନ୍ଧ ‘କବିର ମିଛ’ରେ ସୁଖ୍ୟାତ ଭାରତୀୟ କବି ରାଜେନ୍ଦ୍ର କିଶୋର ପଣ୍ଡା କହିଛନ୍ତି, “କବିତା ଦରଦେଖା ସ୍ବପ୍ନଗୁଡ଼ିକର ଅନୁପଲବ୍ଧ ତାତ୍ପର୍ଯ୍ୟକୁ ଧ୍ୱନିଦାନ କରେ, କେତେବେଳେ ଏକାକୀ ମଣିଷର ତ କେତେବେଳେ ବୃହତ ସମାଜର”। କବି ସସ୍ମିତା ପଣ୍ଡାଙ୍କ ସଦ୍ୟ ପ୍ରକାଶିତ କବିତା ସଂକଳନ “ନିଃଶବ୍ଦ ଉଚ୍ଚାରଣ”ରେ ସନ୍ନିବେଶିତ କବିତା ଭିତର ଦେଇ ଗତି କଲା ବେଳେ ମଣିଷର ଏହି ଦରଦେଖା ସ୍ବପ୍ନଗୁଡ଼ିକର ଅନୁପଲବ୍ଧ ତାତ୍ପର୍ଯ୍ୟକୁ ତଥା ତଜ୍ଜନିତ କୋଳାହଳର ନୀରବ ନିକ୍ଵଣର ସ୍ୱରକୁ ଉପଲବ୍ଧି କରିହୁଏ, ଯାହା ସଞ୍ଚାରିତ ହୋଇଯାଉଥାଏ ଏକକ ମଣିଷର ଅବବୋଧରୁ ବୃହତ୍ ସମାଜର କଳ୍ପଲୋକ ପର୍ଯ୍ୟନ୍ତ। ଯେମିତି, “ମୁଁ ଅଟକିଗଲି / ଖଣ୍ଡେ କଳାମେଘ ପାଖରେ / କଥା ନୁହେଁ, କାହାଣୀ ଲେଖିବାକୁ”…  ଆଉ ଠାଏଁ, ସେ ପୁଣି କହନ୍ତି: ଧାଡ଼ି ଧାଡ଼ି ଗପରେ / ଲେଉଟାଣି ଡାଆଣିଆ ଖରା/ ତାଳୁରୁ ତଳିପା ଯାଏଁ…/ ତରଳେ ଉତ୍ତପ୍ତ / କେଉଁ ଅଳସୀ-ନଈର ଡାକରେ / ବୟସର କୃଷ୍ଣଚୂଡ଼ା ଓହ୍ଲେଇ ଆସିଲା / ଆଙ୍କିଦେଲା ମଣିପଦ୍ମ/ କବିତା ପଙ୍କ୍ତିରେ…!! କବି ସସ୍ମିତା ପଣ୍ଡାଙ୍କ “ନିଃଶବ୍ଦ ଉଚ୍ଚାରଣ”ର ପ୍ରାୟ କବିତାରେ ଏହି “ଏକକ ଭିତରେ ସମଗ୍ର”ର ନାନ୍ଦନିକ ପଦପାତ ଓ ପାଦଶବ୍ଦ।

ସସ୍ମିତା ପଣ୍ଡାଙ୍କ ସଦ୍ୟପ୍ରକାଶିତ କବିତା ସଂକଳନ “ନିଃଶବ୍ଦ ଉଚ୍ଚାରଣ”ରେ ସନ୍ନିବେଶିତ ହେଇଛି ଚାଳିଶ ଗୋଟି କବିତାର ମଧୁର ମୂର୍ଚ୍ଛନା, ଯାହା ଆରମ୍ଭ ହୁଏ ନିରାପଦ ପ୍ରେମରୁ ଓ ଶେଷ ହୁଏ ସମ୍ପର୍କ ପାଖରେ… ଯାହା ଆରମ୍ଭ ହୁଏ: “ଗୋଟେ ମିଶ୍ରରାଗରେ / ଚୌରାଶିକୋଶରୁ ନିଧୁବନ / କେହିଜଣେ… / ଦେଇଗଲା ନୀଳବର୍ଣ୍ଣମାଳା / ସଖୀ ଗୋ, ସାଦର ନିମନ୍ତ୍ରଣ”… ଏବଂ ଶେଷ ହୁଏ: ତୁମେ ସିଏ ନୁହେଁ ତ…/ ଗୋଟେ ଆବେଗ ଭରା ନିମନ୍ତ୍ରଣ / ଆଉ ପୁଳା ପୁଳା / ଖୁନ୍ଦି ଖୁନ୍ଦି ହୋଇରହିଥିବା / ନିବିଡ଼ତା / ଜୀବନର କବିତାପଙ୍କ୍ତିରେ / ଆଶ୍ୱସ୍ତିର ଆଲିଙ୍ଗନ / ଏଇ ବୋଧେ ସମ୍ପର୍କର ସତକଥା।

ହଁ, ଏଇ ବୋଧେ ସମ୍ପର୍କର ଶେଷକଥା ବି। ସେ ସମ୍ପର୍କ ହେଇପାରେ ମନ ଓ ମନନର, ଶୂନ୍ୟ ଓ ଶୂନ୍ୟତାର, ଭୂମି ଓ ଭୂମାର… ଯାହା ସଞ୍ଚରଣଶୀଳ; ଏକ କ୍ଳାନ୍ତିବିହୀନ  ପ୍ରବହମାନ ସୃଜନର ଧାରା।

କବି ରାଜେନ୍ଦ୍ର କିଶୋର ପଣ୍ଡା ଏହି ଉପଲବ୍ଧି ଉପରେ ତାଙ୍କର ସେହି ପ୍ରବନ୍ଧରେ ହିଁ କହିଛନ୍ତି, “…କବିତା ବେଳେବେଳେ ଊର୍ଦ୍ଧ୍ବରୁ ଝରିପଡ଼େ ଦୁମୁକାଣିରେ, ବେଳେବେଳେ ଭୂଗର୍ଭରୁ ଉଦଗତ ହୁଏ ଏବଂ ଏହି ପରି ଭାବରେ ଭୂମାର ସର୍ବୋଚ୍ଚ ବିନ୍ଦୁ ସହିତ ଭୂମିର ସର୍ବନିମ୍ନ ବିନ୍ଦୁର ସଂଯୋଗ ସ୍ଥାପନ କରେ (କବିର ମିଛ)।” କହିବାର କଥା, କବିତା ଭୂମି ଓ ଭୂମା ଭିତରେ ଏକ ଆବେଗିକ ସମ୍ପର୍କର ସ୍ଥାପନା କରେ। ଯୋଉ କଥାକୁ ଆଉ ଟିକେ ସରଳ ଛନ୍ଦରେ କହିଛନ୍ତି ଆମ ସମୟର ବରିଷ୍ଠ କବି ବିପିନ୍ ନାୟକ: ସୄଜନ ଏକ ସାମୟିକ ଧରାବତରଣ ବା ଭୂମିସ୍ପର୍ଶ… ଏକ ପ୍ରତ୍ୟାବର୍ତ୍ତନ, ଭୂମାରୁ ଭୂମିକୁ ଏବଂ ଭୂମିରୁ ଭୂମାକୁ।

ସସ୍ମିତାଙ୍କ ଏହି କବିତା ସଂକଳନ “ନିଃଶବ୍ଦ ଉଚ୍ଚାରଣ”ରେ ସନ୍ନିବେଶିତ କବିତା ଭିତରେ ବିଚରଣ କଲାବେଳେ, ଅନ୍ତରାଳରୁ ଏଇ ଭୂମି ଓ ଭୂମା ମଧ୍ୟସ୍ଥ ଅବବୋଧର ନିକ୍ବଣ ସହ ଏକ ଭାବମୟ ସଂଯୋଗଶୀଳତାର ଭାବଗମ୍ଭୀର ଚିତ୍ରକୁ ପ୍ରତ୍ୟକ୍ଷ କରିହୁଏ। ଯାହା ପାଠକ ବା ଶ୍ରୋତାଙ୍କୁ ଏକ ସ୍ନିଗ୍ଧ ଚାରୁମୟ କଳ୍ପଲୋକର ନାନ୍ଦନିକତାରେ ଓତପ୍ରୋତ କରାଏ। ଯାହା, ପ୍ରଶ୍ନବାଚୀ ହେଇ ନିଜେ ଠିଆ ହେଇପଡ଼େ ଓ ପୁନଶ୍ଚ ଉତ୍ତରର ଖିଅ ବି ଧରେଇଦିଏ।

“ଯଦି ପ୍ରଶ୍ନଟିଏ ପଚାରେ… / ଅପେକ୍ଷା କରିବି ସେଇଠି / ଅଦେଖା ନିଃଶ୍ୱାସ ପ୍ରଶ୍ୱାସର ବିଶ୍ବାସରେ। / ବିଶ୍ବାସର ଦାରୁଦିଅଁ ତ ଏବେ / ଅଣସର ଘରେ।। / ଫେରାଇ ନେଉଛି ପ୍ରଶ୍ନ”।। (ଏମିତି କିଛି ପ୍ରଶ୍ନ)। ସେଇଠି ସେ ପୁନଶ୍ଚ କହନ୍ତି: “ନିରବଚ୍ଛିନ୍ନ ସାଧନାରେ / ତୁମେ ମହାଯୋଗୀ/ ଆଉ ମୁଁ ପ୍ରଶ୍ନ ବୁଝିଥିବା ହଳେ ନିରୀହ ଆଖି”।। କି ପ୍ରଚଣ୍ଡ ଅଭିମାନ..!! ସେଇ ଆବଦ୍ଧ ଅଭିମାନର ଗୁମ୍ଫନରେ ବତୁରିଯାଇଥିବା ଏଇ ପ୍ରଶ୍ନ କ’ଣ ଭୂମାର ସର୍ବୋଚ୍ଚ ବିନ୍ଦୁ ସହ ଭୂମିର ସର୍ବନିମ୍ନ ବିନ୍ଦୁର ସଂଯୋଗ ସ୍ଥାପନ କରୁନାହିଁ କି..!! ଏଇ ଭାବମୟତାର ଇସ୍ତାହାର କ’ଣ ସଧୀରେ ପ୍ରସରି ଯାଉନାହିଁ କି ଭୂମିରୁ ଭୂମା ଯାଏଁ, ପୁଣି ଭୂମାରୁ ଭୂମି…!!

ସେମିତି ତାଙ୍କର “ଇସ୍ତାହାର” କବିତା… “ମୁଁ କେଉଁ ଅର୍ଜନ କରିଛି ଯେ / ଏତେ ବଡ଼ ଭାଗ୍ୟ / ବୁଝିପାରିବି ତୁମ ନୀରବତାକୁ… / କେଉଁ ପୂଣ୍ୟ ଅଛି ଯେ / ତଲ୍ଲୀନ କରିନେବି ତୁମ ଆପେକ୍ଷିକ ତତ୍ତ୍ୱକୁ..!!” ପୁଣି ଉନ୍ମୁଖ ହୋଇଉଠେ କବିତାର ସ୍ୱର: “ମୋତେ କେବେ ପଚାରନା / ଆକାଶର ନୀଳଆଖି/ କାହିଁକି ଭଲ ଲାଗିଲା/ ଟିକି ପାପୁଲିରେ ମେଘ ଧରିବାକୁ/ ଇଚ୍ଛା କେତେବେଳେ ହେଲା…” (କାରଣ ଖୋଜିବନି ଆଉ)। ତାଙ୍କର ଆଉ ଏକ କବିତା “ତୁମ ଆଖିରେ”ର ଏଇ ପଙ୍କ୍ତିଟିରେ ବି କବିତାର ଅବବୋଧ କେତେ ତୀକ୍ଷ୍ଣ ଅଥଚ ସ୍ନିଗ୍ଧ ଓ ସାବଲୀଳ ରହସ୍ୟମାଧୁର୍ଯ୍ୟରେ ଛଳ ଛଳ… ଯେଉଁଠି / ସଞ୍ଜ ଝୁଣ୍ଟିପଡ଼େ / ବାରମ୍ବାର ନୀଳନଦୀ ମୁହାଣରେ / ରାତିର ଜହ୍ନ ପିଇଯାଏ ଜହର / ବେହୋସ୍ ହୁଏ ସକାଳ… / ମୁଁ ସେଠି ପରାସ୍ତ ଅୟୁତବାର। :

କହିବା ବାହୁଲ୍ୟ, କଳ୍ପନାପ୍ରବଣ ସୃଜନଶୀଳ ମଣିଷ ତା’ର ଚେତନସ୍ତରରେ ଯାହା ଯାହାକୁ ଛୁଇଁପାରେନି, ଯାହା ଯାହା ସେ ଅପହଞ୍ଚ ବୋଲି ଭାବେ ଓ ଜାଣେ, ସେ ସବୁକୁ  ସେ ସ୍ପର୍ଶ କରେ ଓ ଭୋଗେ ତା’ର ଅବଚେତନସ୍ତରରେ, ସେ ନିଚିପର କରି ନିର୍ମାଣ କରିଥିବା ତା’ର ଏକାନ୍ତ ନିଜସ୍ବ କଳ୍ପପୃଥିବୀରେ। କବି ତେଣୁ ପୁସ୍ତକର ମୁଖବନ୍ଧରେ ନିଜେ ସ୍ବୀକାର କରିଛନ୍ତି : ବିପୁଳ ପୃଥ୍ବୀରେ ମଣିଷର ଅପ୍ରମିତ ଲୋଭ ସହ ବିଫଳତାର ଫେଣ୍ଟାଫେଣ୍ଟି ପରିଣତିରେ, କଳ୍ପନା ଗୋଟିଏ ଆଶ୍ଵାସନାର ବାଟ। ସ୍ଥାନ କାଳ ପାତ୍ରର ଅବସ୍ଥାନ ଗୋଟିଏ ସୃଜନକୁ ଭିନ୍ନ ରୂପ ଦିଏ। x x x । ଚନ୍ଦ୍ରର ଚକୋର, ଚାତକ, ମେଘ, ରାଧା-କୃଷ୍ଣଙ୍କ ସମ୍ପର୍କ କେତେ ମିଛ କେତେ ସତ ଅବା କଳ୍ପନା, ସେ ଭିନ୍ନକଥା, କିନ୍ତୁ ଏଇ କଳ୍ପନାର ମିନାକରା ପ୍ରବଣତା ଏଇ ବ୍ରହ୍ମାଣ୍ଡର ଲାବଣ୍ୟକୁ ମନ୍ତ୍ରମୁଗ୍ଧ କରିଛି।

“ନିଶବ୍ଦ ଉଚ୍ଚାରଣ” କବିତା ସଂକଳନ ସବୁବର୍ଗର ପାଠକଙ୍କୁ ଛୁଇଁବ ଓ ଅଭିଭୂତ କରିବ, କବିତା ଭିତରେ ସମାନ୍ତରାଳ ଭାବରେ ଅନୁଭବ୍ୟ ସାଙ୍ଗୀତିକତା ପାଇଁ, ଯାହା ସିଧାସଳଖ ନୁହେଁ ବରଂ ନେପଥ୍ୟରୁ ଶୁଭୁଥାଏ ଗୋଟେ ଏକୁଟିଆ ନଈର କୂଳେ କୂଳେ ଗୀତ ଗାଇ ବୁଲୁଥିବା ଏକଲା ପବନର ଆଲୁଳାୟିତ ମିଠାସ୍ୱର ପରି। ପଞ୍ଚଦଶ ଶତାବ୍ଦୀର ସୁଖ୍ୟାତ ଓଡ଼ିଆ ବୟାକରଣିକ ପଣ୍ଡିତ ବିଶ୍ବନାଥ ମହାପାତ୍ରଙ୍କ କବିତାକୁ ନେଇ କହିଥିବା ଉକ୍ତି “ବାକ୍ୟମ୍ ରସାତ୍ମକମ୍ କାବ୍ୟମ୍” ଏହି ସଂକଳନର କବିତାଗୁଡ଼ିକୁ  ଏକ ଉଚ୍ଚସ୍ୱାଦର ମାନ୍ୟତା ଦିଏ ବୋଲି କହିବା ନିଷ୍ପ୍ରୟୋଜନ।

ସଂକଳିତ କବିତାଗୁଡ଼ିକରେ କବି ତୋଳିଛନ୍ତି ଯେଉଁ ବିମ୍ୱ, ପ୍ରତୀକ ଓ ଚିତ୍ରକଳ୍ପ ତାହା ଅନେକ ସ୍ଥାନରେ ଖୁବ ନୂଆ ଓ ଖୁବ୍ ସ୍ପର୍ଶକାତର, ଯାହା କବିତାଗୁଡ଼ିକୁ ଏକ ବିସ୍ତୀର୍ଣ୍ଣ କାନଭାସ ଦେବା ସହିତ କବିତାକୁ ସ୍ବକୀୟ ଆବେଦନରେ ଠିଆହେଇପାରିବାର ସାମର୍ଥ୍ୟ ଯୋଗାଏ। “ଅପେକ୍ଷା ଗୋଟେ ସମୟକୁ” କବିତାରେ: “ରାତି ଆଣିଦେଲା ଅମାବାସ୍ୟା / ମୁଁ ବତୁରି ଉଠିଲି / ନିରୋଳା ଅନ୍ଧାର / ଜମାଟ ବାନ୍ଧିଲା ଚାରିପାଖ / କୁହୁଳି ଉଠିଲା ଗମ୍ଭୀରତା / ଚାହିଁଲି ସମୟକୁ…”। ଆଉ ଏକ କବିତା: ଶୀତ ଝୁଲେ ଧାନ କେଣ୍ଡାରେ / ରଘୁଦାଦାଙ୍କ ଦାଆ ବେଣ୍ଟରେ / ଅଧପେଟ ନାଲି ଚା’ ଆଉ / କମରଲି ବିଡ଼ିର ଶେଷ ଢୋକରେ… (ଶୀତ ସେଇଠି ଅଛି)। ଆଉ ଏକ କବିତାରେ: କେବେ ଉଧାର ମାଗିନି / କାହା ପାଖରୁ କିଛି / କେବେଠାରୁ ନିରୁଦ୍ଦିଷ୍ଟ ଇନ୍ଦ୍ରଧନୁର ପ୍ରହର / ମୁକ୍ତ ରାତିର ସ୍ବପ୍ନ ଅନ୍ତାକ୍ଷରୀ / ଅନ୍ଧାର ତଳେ ବହି ଯାଉଥିବା / ଉଷୁମ ନଈ ଧାର ମୋର ସମ୍ପୂର୍ଣ୍ଣ ନିଜସ୍ବ… (ହୃଦୟ)। ଏହି ଭଳି ସୌଖିନ ଓ କଳାତ୍ମକ ଚିତ୍ର ଓ ବିମ୍ବ ପ୍ରାୟ ପ୍ରତ୍ୟେକ କବିତାରେ ଅଛି, କବିତା ପଢ଼ିବାବେଳେ ଯାହା ପାଠକର ଅନ୍ତର୍ଚେତନରେ ଏକ ସୂକ୍ଷ୍ମ ସଜଳ ଚିତ୍ରପଟ ତିଆରି କରିବା ସହ ପାଠକଙ୍କୁ ରସାପ୍ଲୁତ କରିବ। ଏଇଠି କାବ୍ୟମୋଦି ଗ୍ରାହକ ତା’ର ଭାବଭୂମିରେ ବା ମନଶ୍ଚକ୍ଷୁରେ ଦେଖିପାରିବ କବିତାକୁ ଓ କବିତାର ଗୀତିମୟ ଗତିଶୀଳତାକୁ। ସସ୍ମିତାଙ୍କ କବିତା ପଢ଼ିବା ବେଳେ ଲାଗେ, ଠିକ୍ କହିଥିଲେ  ଦୁଇହଜାର ବର୍ଷ ତଳେ ପ୍ରଥମ ଶତାବ୍ଦୀରେ ଗ୍ରୀକ୍ ଦେଶର ସେଇ ସୁଖ୍ୟାତ ଐତିହାସିକ ଓ ଦାର୍ଶନିକ ପ୍ଲୁଟାର୍କ (Plutarch) : Painting is a silent poetry, and poetry is painting that speaks.       କହିବାରେ ଦ୍ୱିଧା ନାହିଁ ଯେ, “ନିଶବ୍ଦ ଉଚ୍ଚାରଣ” କବିତା ସଂକଳନଟିରେ ବେଶ୍ କିଛି ସୁଖପାଠ୍ୟ କବିତା ରହିଛି, ଯାହା ରହସ୍ୟମଧୁର ସାଙ୍ଗୀତିକତାର ସୌନ୍ଦର୍ଯ୍ୟରେ ଆପ୍ଲୁତ କରିବ ପାଠକର କାବ୍ୟିକ ଚେତନା ଓ ଅବବୋଧକୁ।

There are 3 comments

  1. ନମସ୍କାର ସାର୍

    ବହୁତ ସୁନ୍ଦର ସମୀକ୍ଷା କରିଛନ୍ତି”ନିଃଶବ୍ଦ ଉଚ୍ଚାରଣ”କୁ ନେଇ ।
    ଆପଣ ଏବଂ କବୀ ଉଭୟଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭକାମନା
    “ନିଃଶବ୍ଦ ଉଚ୍ଚାରଣ” କୁ ପଢ଼ିବାର ସୁଯୋଗ ପାଇଛି ଯାହା କି ମତେ ମୁଗ୍ଧ କରିଛି ।
    ସେ କବୀ- ଚିତ୍ର ଆଙ୍କନ୍ତି କବିତାରେ
    ଜହ୍ନର କଳାଟିପାକୁ କଳାଜାଇ କରି
    ସାରା ଦେହକୁ ସଜାନ୍ତି
    ତାରା ଫୁଲର ତାରକସି କାମରେ ।।

    ଏହି କବିତା ସଂକଳନ ପାଠକୀୟ ଆଦୃତି ଲାଭ କରୁ ଏତିକି କାମନା।।
    🙏🙏

    1. ଅଶେଷ ଧନ୍ୟବାଦ ଆପଣଙ୍କୁ, ଏହି ସୁନ୍ଦର ମନ୍ତବ୍ୟ ପାଇଁ। କବିତା ସଙ୍କଳନଟି ପ୍ରକୃତରେ ହୃଦୟ ଓ ମନକୁ ଛୁଇଁଗଲା ପରି। କବିତାରେ କବିତାରେ ଚିତ୍ରର ଚମତ୍କାର ଗୁମ୍ଫନ।

  2. କେବେବି ସାହାସ କରିପାରେନା ନିଖୁଣ ସମୀକ୍ଷାକୁ କୃତଜ୍ଞତା ଜଣାଇବାକୁ। ଅନେକ ପ୍ରେଲେପରେ ସ୍ଵକୀୟ ସୃଜନୀକୁ ଧରିପାରିବାର ମହାନମାନଙ୍କ ମହନୀୟ ବ୍ୟାଖ୍ୟା ପାଖରେ ମୋ ନିମିତ୍ତତା ମୋ ପାଇଁ ଆନନ୍ଦଦାୟକ । ସେହି ଆନନ୍ଦ ସମସ୍ତ ଜଞ୍ଜାଳ ଭିତରେ କବିତାର ରଙ୍କପଣ ସକଳ ଅସମର୍ଥ ସତ୍ବେ ଝୁରି ହେବାକୁ ବାଧ୍ୟ ହୁଏ । ଆପଣଙ୍କ “ନିଃଶବ୍ଦ ଉଚ୍ଚାରଣ ” ପର୍ଯ୍ୟବେକ୍ଷଣ ମୁଁ ନିଜକୁ ଆବିଷ୍କାର କଲି ନିଜ ପାଖରେ। ମୋତେ ଅଣୁ ରେ ଅନନ୍ତ ଅନ୍ତରୀକ୍ଷ କୁ ଭଲପାଇ ବସିବାର ତରଳ ମାନସିକରେ ତନ୍ମୟ କରିଛନ୍ତି ଆପଣ । ଆପଣଙ୍କ ସମୀକ୍ଷାରେ ମୁଁ ଧନ୍ୟ ହୋଇଛି ଆଜି ଆପଣଙ୍କ ଅନୁଧ୍ୟାନକୁ ମୋର ଚିରକୃତଜ୍ଞତା ।🙏🙏

Leave a Reply

Your email address will not be published. Required fields are marked *