Home » Magazine » ଚିନ୍ତାମଣି ମହାଳିକ : ବିଶ୍ବାସ ଅବିଶ୍ବାସ : ସ୍ମୃତି ତ ନୁହଇଁ କେବେ ଫିଙ୍ଗିବାର

ଚିନ୍ତାମଣି ମହାଳିକ : ବିଶ୍ବାସ ଅବିଶ୍ବାସ : ସ୍ମୃତି ତ ନୁହଇଁ କେବେ ଫିଙ୍ଗିବାର

ପ୍ରଭୁ ଜଗନ୍ନାଥ ସର୍ବ କାରଣର କାରଣ । ଅଗତିର ଗତି – ବ୍ରହ୍ମାଣ୍ଡ ଠାକୁର । ସମଗ୍ର ଜୀବ ଜଗତ ତାଙ୍କରି ଆୟତାଧୀନ । ତେଣୁ  ସେ ଜଗନ୍ନାଥ । ସବୁର ସମାହାର ସିଏ । ଯେମିତି ସବୁ ରଙ୍ଗ ମିଶିଗଲେ କଳାରଙ୍ଗ ହୋଇଯାଏ । ସେଇ କଳା ଠାକୁର, ସବୁ କଳାର ସମାହାର । ଯିଏ କଳା ଦେଇପାରନ୍ତି ଏବଂ କଳାକୁ ମଧ୍ୟ ହରଣ କରିପାରନ୍ତି । ସର୍ବୋପରି, ଲୋକଙ୍କୁ ବି କବଳିତ କରିପାରନ୍ତି । କଳିଯୁଗରେ ଦାରବୀୟ ଲୀଳା ଭିତରେ ସେ ପ୍ରକଟିତ । ଆପଣାର ମଣିଷଟି ଭଳି ମନର କଥା ଶୁଣନ୍ତି । ସୁଖ-ଦୁଃଖର ସାଥୀ ହୁଅନ୍ତି ଏବଂ ଘନ ଘୋର ମେଘ ଅନ୍ଧାର ରାତିରେ ଚେନାଏ ବିଜୁଳି ଆଲୁଅ ପରି ସମଗ୍ର ସତ୍ତାକୁ ଦୋହଲାଇ ଦେଇ ପୁଣି ଅଦୃଶ୍ୟ ହୋଇ ଯାଆନ୍ତି । କୂଳ କିନାରା କିଛି ମିଳେ ନାହିଁ । ଖରା-ଛାଇ ଖେଳ ଭଳି ତାଙ୍କ ଲୀଳା ଖେଳା । ଭାବି ବସିଲେ କେମିତି କେମିତି ଲାଗେ । ଡାକିଲେ ‘ଓ’ କରନ୍ତି । କାଠର ଠାକୁର ପାଲଟି ଯାଆନ୍ତି ଜୀବନ୍ତ ଠାକୁର । ସେଇ ଠାକୁରଙ୍କ କରୁଣାରୁ କାଣିଚାଏ ଯାହା ମୋ ପାଇଁ ବିଶେଷ ଅନୁଭୂତି ପାଲଟି ଯାଇଛି ।

୨୦୧୫, ମହାକାଳ ଚିତ୍ରପଟରେ ଏକ ସ୍ମରଣୀୟ ବର୍ଷ । ଦୀର୍ଘ ୧୯ ବର୍ଷ ପରେ ମଳମାସ-ଯୋଡ଼ା ଆଷାଢ଼ । ଏ ବର୍ଷ ହେବ ଶ୍ରୀ ବିଗ୍ରହଙ୍କର ନବ କଳେବର । ଏଥିପାଇଁ ଚାରିଆଡ଼େ ଭିନ୍ନ ବାସ୍ନା, ନବ ଉନ୍ମାଦନା । ଗତ ୧୯୯୬ ମସିହାରେ ଶ୍ରୀ ବିଗ୍ରହଙ୍କର ନବକଳେବର ହୋଇଥିଲା । ମୋର ସ୍ପଷ୍ଟ ମନେଅଛି ସେହି ବର୍ଷ ଶ୍ରୀକ୍ଷେତ୍ର ଧାମରେ ଶ୍ରୀଗୁଣ୍ଡିଚା ଯାତ ଦେଖିବା ପାଇଁ ମନ ବ୍ୟାକୁଳ ହୋଇ ଉଠିଲା । ସେ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ର ଧାମରେ କେବେ ରଥଯାତ୍ରା ଦେଖିନଥିଲି । ବିଂଶ ଶତାବ୍ଦୀର ଶ୍ରୀ ବିଗ୍ରହମାନଙ୍କର ଶେଷ ନବକଳେବରର ପ୍ରଥମ ରଥଯାତ୍ରା । ପୁରୀ ଯିବା ପାଇଁ ମନ ଉଛ୍ଛନ୍ନ ହେଲା । ଏବେ ଅନୁଭବ କରୁଛି ସେଇ ଉଛ୍ଛନ୍ନ ଭାବ ଭିତରେ କାଳୀଆର ହିଁ ଅନୁଗ୍ରହ ଥିଲା । ସବୁ ଚେତନା ଭିତରେ ସିଏ ସୋରାଏ ଝଲକ । ତା’ ଅନୁଗ୍ରହ ନଥିଲେ, ତା’ ଡୋରି ନ ଲାଗିଲେ ମୋ ଭିତରେ ସେ ଉଛ୍ଛନ୍ନ ଭାବ ଆସିଥାନ୍ତା କେଉଁଠୁ ?

         ଯିବାପାଇଁ ମନକୁ ସ୍ଥିର କରିନେଲି । କିନ୍ତୁ, ମୋର ଏକମାତ୍ର ପୁଅ ମାନସ (ବାପି) ସାଙ୍ଗରେ ଯିବାପାଇଁ ଜିଦ୍ ଧରିଲା । ସେତେବେଳେ ତା’ ବୟସ ୧୨ ପୂରି ୧୩ ଚାଲୁଥାଏ । ମୁଁ ସପରିବାର ରହୁଥାଏ ମୋର କର୍ମକ୍ଷେତ୍ର ସେତେବେଳର ଅବିଭକ୍ତ ବିହାର ରାଜ୍ୟର ପଶ୍ଚିମ ସିଂହଭୂମି ଜିଲ୍ଲା ଅନ୍ତର୍ଗତ ମୋଘାହାତୁବୁରରେ । ସିଂହଭୂମିରୁ ଶ୍ରୀକ୍ଷେତ୍ରର ସିଂହଦ୍ବାର କେତେ ବାଟ ! ଆଖି ପାଉ ନଥାଏ । ଛୋଟପିଲାଟିକୁ ଧରି ଏତେବାଟ ଯିବି, ଭଲ ମନ୍ଦରେ ସାହା ହେବାପାଇଁ ସାଙ୍ଗରେ ଆଉ କେହି ନାହାନ୍ତି । ସହଜେ ନବକଳେବର, ପୁଣି ରଥଯାତ୍ରା । ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ହୋଇଥିବ । ଏକା ଥିଲେ କିଛି ଭୟ ନାହିଁ । ସାଙ୍ଗରେ ଛୋଟ ପିଲା । ଏଇମିତି ଅସ୍ତବ୍ୟସ୍ତ ହେଉଥିବାବେଳେ ମୋ ସହଧର୍ମିଣୀ ମୋତେ ସାହାସ ଦେଇ କହିଲେ: ଠାକୁରଙ୍କ ପାଖକୁ ଯାଉଛ – ଏତେ ଆଗ ପଛ ହେଉଛ ? ସେଇ ଠାକୁର ସାହା ହେବେ । ଛୁଆଟା ବାହାରିଛି, ସାଙ୍ଗରେ ନେଇଯାଅ । ସେତେବେଳେ ଏଇ କଥାକୁ ଠିକ୍ ଭାବେ ବୁଝି ପାରିନଥିଲି । ବରଂ ପ୍ରତିକ୍ରିୟା ପ୍ରକାଶକରି କହିଥିଲି, ପୁରୀ ରଥଯାତ୍ରା, ମିନାବଜାର ମେଳା ନୁହେଁ ଯେ ସାଙ୍ଗରେ ଧରିବୁଲେଇ ଆଣିବି ? ଯାହାହେଉ, ଶେଷରେ ରଥଯାତ୍ରାର ଦୁଇଦିନ ପୂର୍ବରୁ ପୁଅକୁ ସାଙ୍ଗରେ ଧରି ବାହାରିଲି । ରାସ୍ତାସାରା ଗାଡ଼ି ଭିତରେ ପୁଅ ପାଇଁ ଗୋଟେ ଡର ଡର ଭାବ ମୋତେ କାବୁ କରି ରଖିଥାଏ ।

         ଅକସ୍ମାତ୍ ଗାଡ଼ି ଜାତୀୟ ରାଜପଥରେ ଅଟକି ରହିଲା ।  କୌଣସି ଦୁର୍ଘଟଣା ଯୋଗୁଁ ଦୀର୍ଘ ଦୁଇମାଇଲି ଧରି ଗାଡ଼ି ଅଟକି ରହିଥାଏ । ମନ ଏକ ପ୍ରକାର ବିଚଳିତ ହେଲା । ଆଗକୁ କିମ୍ବା ପଛକୁ ଫେରିବାର କିଛି ଉପାୟ ନଥିଲା । ଆମ ଗାଡ଼ିର ଆଗ ପଛରେ ଶହ ଶହ ଗାଡ଼ି ଠିଆହୋଇ ରହିଥାଏ । ଏ ପରିସ୍ଥିତିରେ ମନରେ ସରାଗ ରହିଲା ନାହିଁ । ଶ୍ରୀ ବିଗ୍ରହଙ୍କର ନବକଳେବର ରୂପ ଦର୍ଶନ କରିବାର ସେ ବ୍ୟାକୁଳତା ମୋ ଭିତରୁ ଉଭେଇଗଲା । ଉପାୟ ଶୂନ୍ୟ ହୋଇ ଗାଡ଼ିରେ ବସି ରହିଥାଏ ।  ପ୍ରାୟଦୁଇଘଣ୍ଟା ଅଟକି ରହିବା ପରେ ଗାଡ଼ି ଚାଲିବା ଆରମ୍ଭ ହେଲା । ସନ୍ଧ୍ୟା  ସୁଦ୍ଧା କଟକରେ ଜନୈକ ବନ୍ଧୁଙ୍କ ଘରେ ପହଞ୍ଚିଲି । ପୁଅକୁ ନେଇ ନିଜର ଅସହାୟତା ଏବଂ ଆସିବାବେଳେ ରାସ୍ତାରେ ସମସ୍ତ ଅସୁବିଧା ତାଙ୍କୁ ଜଣାଇଲି । ସାଙ୍ଗରେ ପୁରୀ ଯିବା ପାଇଁ ତାଙ୍କୁ ଅନୁରୋଧ କଲି । ସେ ମଧ୍ୟ ଭରସା ଦେଇ କହିଲେ, କିଛି ବ୍ୟସ୍ତ ହେବାର ନାହିଁ । ପଅରଦିନ ରଥଯାତ୍ରା, ଆମେ ଆସନ୍ତାକାଲି ଏଠାରୁ ଯାଇ ପୁରୀରେ ମୋର ଜଣେ ବନ୍ଧୁଙ୍କ ଘରେ ରହିଯିବା  ।  ପହଣ୍ଡି ବିଜେ ଏବଂ ରଥଟଣା ଆଦି ଦେଖି ଲେଉଟି ଆସିବା । ମନ ବହୁତ ହାଲୁକା ହୋଇଗଲା ।

         ତା’ ପରଦିନ ବାହାରି ସନ୍ଧ୍ୟା ସୁଦ୍ଧା ପୁରୀରେ ପହଞ୍ଚିଗଲୁ । ତା’ ପରଦିନ ରଥଯାତ୍ରା । ପ୍ରବଳ ଲୋକ ସମାଗମ । ସାଙ୍ଗରେ ଯାଇଥିବା ବନ୍ଧୁ ଜଣଙ୍କ ପୁରୀରେ ରହୁଥିବା ତାଙ୍କ ବନ୍ଧୁଙ୍କ ଘରୁକୁ ଯିବାକୁ ଆଗ୍ରହ ପ୍ରକାଶ କଲେ ନାହିଁ। ରାତି ପାହିଲେ ରଥଯାତ୍ରା । ରାତିରେ ରହିବା ପାଇଁ ହୋଟେଲ/ଲଜ୍ ଆଦିରେ ସ୍ଥାନ ମିଳିବ, ଏହା ଆମ ପାଇଁ ହାସ୍ୟାସ୍ପଦ ମନେ ହେଲା । କାରଣ ରଥଯାତ୍ରା ପାଇଁ ମାସେ-ପନ୍ଦରଦିନ ଆଗରୁ ହୋଟେଲ, ଧର୍ମଶାଳା ଆଦିରେ ସ୍ଥାନ ସଂରକ୍ଷିତ । ଉପାୟ ଶୂନ୍ୟହୋଇ ସମୁଦ୍ର କୂଳରେ ବୁଲୁ ବୁଲୁ ପ୍ରଶାସନ ତରଫରୁ ଯାତ୍ରୀମାନଙ୍କ ପାଇଁ ତିଆରି ହୋଇଥିବା ବିରାଟ ଅସ୍ଥାୟୀ ଯାତ୍ରୀ ନିବାସ ଉପରେ ଦୃଷ୍ଟି ପଡ଼ିଲା । ସେଠାରେ ଦେଖିଲୁ ଦଳଦଳ ହୋଇ ଯାତ୍ରୀମାନେ ଜାଗା ଆବୋରି ନେଉଛନ୍ତି । ଆମେ ମଧ୍ୟ ନିଜର ଜାଗା ଆବୋରି ନେଇ ରାତିଟି ସେଠାରେ କଟାଇଲୁ । ମନ୍ଦିର ବେଢ଼ା ଭିତରେ ପ୍ରବେଶ କରି  ପହଣ୍ଡି ବିଜେ ଦେଖିବା ପାଇଁ ଟିକେଟ କରିନେଇଥିଲୁ । ସକାଳ ଚାରିଟାରୁ ସମୁଦ୍ର କୂଳରେ ନିର୍ମିତ ହୋଇଥିବା ଅସ୍ଥାୟୀ ଶୌଚାଳୟରେ ନିଜ ନିଜର ନିତ୍ୟକର୍ମ ସାରି ପହଣ୍ଡି ବିଜେ ଦର୍ଶନ ପାଇଁ ମନ୍ଦିରର ଦକ୍ଷିଣ ଦ୍ବାର ଧାଡ଼ିରେ ଠିଆ ହେଲୁ । ମୋତେ ଲାଗୁଥାଏ ଆମେ ପ୍ରାୟ ହଜାରେ ପାଖାପାଖି ଲୋକଙ୍କପଛରେ ଠିଆ ହୋଇଛୁ । ନିର୍ଦ୍ଦିଷ୍ଟ ସମୟରେ ଦ୍ବାର ଫିଟିବ ଏବଂ ଯାତ୍ରୀମାନଙ୍କୁ ଧୀରେ ଧୀରେ ପ୍ରବେଶ କରିବାକୁ ଦିଆଯିବ । ପ୍ରାୟ ଚାରିଘଣ୍ଟା କାଳ ଧାଡ଼ିରେ ଠିଆହେବାକୁ ପଡ଼ିଲା । ଏ କଷ୍ଟ ତ ଆମ ଦୁଇଜଣ ବୟସ୍କ ଲୋକଙ୍କୁ ବାଧିଲା ନାହିଁ । କିନ୍ତୁ, ସାଙ୍ଗରେ ଥିବା ପୁଅଟି ପାଇଁ ମୁଁ ବ୍ୟସ୍ତ ହେଉଥାଏ । ସକାଳ ପହରୁ ତା’ ପେଟରେ କିଛି ପଡ଼ିନାହିଁ । ଧାଡ଼ିରୁ ବାହାରକୁ ଯାଇ ଜଳଖିଆ କରିବା ମଧ୍ୟ ସମ୍ଭବ ନୁହେଁ । ସମସ୍ତଙ୍କର ଉତ୍କଣ୍ଠା, କେତେବେଳେ ଦ୍ବାର ଫିଟିବ । ମୁଁ ଅନୁଭବ କରୁଥିଲି, ନିଜ ବୟସ ଅନୁପାତରେ ପୁଅ ମୋର ଏ ଲୋକାରଣ୍ୟ ଦେଖି ବିସ୍ମିତ ହେଇଯାଉଥିଲା କିମ୍ବା ଭୟ ପାଉଥିଲା । ସେ ବହୁତ ଚଞ୍ଚଳ ସ୍ବଭାବର । ଚୁପ୍ ଚାପ୍ ରହିପାରେ ନାହିଁ  । ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା – ଭୋକ ପେଟରେ ଲମ୍ବାଧାଡ଼ିରେ ଠିଆ ହେବାର କଷ୍ଟକୁ ସେ କେମିତି ଆଦରି ନେଉଥିଲା ? ନିଜ ପାଇଁ ଯେତେ ନୁହେଁ, ତା’ ପାଇଁ ମୋ ବ୍ୟସ୍ତତା ବଢ଼ି ବଢ଼ି ଯାଉଥାଏ । ମନ ସ୍ଥିର ରହୁନଥାଏ । ଶ୍ରୀ ବିଗ୍ରହଙ୍କ ନବକଳେବର ଦର୍ଶନ ପାଇଁ ମନରେ ଯେଉଁ ଆବେଗ ରହିବା କଥା ତାହା ବ୍ୟାହତ ହେଉଥାଏ । ପୁଅର ଦେହ ଯେମିତି ଅସୁସ୍ଥ ନହୁଏ ଏବଂ ଭଲରେ ଭଲରେ ଆମେ ଯେମିତି ଶ୍ରୀ ଜୀଉଙ୍କୁ ଦର୍ଶନ କରିବୁ ଏହି କଥା ମୁଁ ଭାବି ହେଉଥାଏ ।

         ପ୍ରତିକ୍ଷାର ଅନ୍ତ ହେଲା । ଦ୍ବାର ଫିଟିବା ପରେ ଧାଡ଼ିରେ ଥିବା ଲୋକମାନେ ଚଳଚଞ୍ଚଳ ହୋଇପଡ଼ିଲେ  । ଲୋକମାନେ ଧୀରେ ଧୀରେ ଆଗକୁ ବଢ଼ିଲେ । ଏହି ସମୟରେ ମୋ ଦୃଷ୍ଟି ପଡ଼ିଲା ମୋ ପଛରେ ଠିଆ ହୋଇଥିବା ଦୁଇଜଣ ଯୁବକଙ୍କ ଉପରେ । ସେମାନେ ଅତି ନିରୀହ ଏବଂ ଗାଉଁଳି ଭଳି ଲାଗୁ ଥା’ନ୍ତି । ମୁଁ ସେମାନଙ୍କୁ ପଚାରି ବୁଝିଲି, ସେମାନଙ୍କର ଘର ଘଟଗାଁ (ତାରିଣୀ ପୀଠ) ପାଖରେ। ଚାରିଦିନହେଲା ଘରୁ ବାହାରିଲେଣି । ଗଲା କାଲି ଏଠାରେ ପହଞ୍ଚିଛନ୍ତି । ମୁଁ ଆଶ୍ଚର୍ଯ୍ୟହୋଇ ପଚାରିଲି, ଘଟଗାଁରୁ ପୁରୀ ବସରେ ଆସିଲେ ଗୋଟଏ ଦିନ ବି ଲାଗିବ ନାହିଁ । ତୁମେ ଚାରିଦିନ ହେଲା ଘରୁ ବାହାରିଛ ? ଆମେ ଆଜ୍ଞା ସାଇକେଲରେ ଆସିଛୁ । ଆଶ୍ଚର୍ଯ୍ୟ ଓ ବିସ୍ମୟରେ ସେ ଦୁଇଜଣଙ୍କୁ ମୁଁ ଚାହିଁ ରହିଲି। ଧାଡ଼ି ଆଗକୁ ଆଗକୁ ବଢ଼ୁଥାଏ । ସେମାନଙ୍କ କଥା ଜାଣିବା ପାଇଁ ମୋର ମଧ୍ୟ ଆଗ୍ରହ ବଢ଼ି ଚାଲିଥାଏ । ଆମ୍ଭମାନଙ୍କର କଥାବାର୍ତ୍ତା ବାପି (ପୁଅ) ଆଗ୍ରହର ସହ ଶୁଣୁଥାଏ । ମୁଁ ଲକ୍ଷ୍ୟକଲି, ଧାଡି଼ରେ ଠିଆ ହେବାର କ୍ଲାନ୍ତି ଏବଂ ଭୋକରେ ଆଉଟ ପାଉଟ ହେବାର କଷ୍ଟକୁ ସେ ଭୁଲିଗଲାଣି । ଲମ୍ବା ଧାଡ଼ି ଆଗକୁ ଆଗକୁ ଧୀରେ ଧୀରେ ବଢ଼ୁଥିବା ବେଳେ ସେମାନଙ୍କ ସହ ମୋର କଥାବାର୍ତ୍ତା ଜାରି ରହିଥାଏ । ଅତି ବେଶୀରେ ସେମାନଙ୍କ ବୟସ ୧୭/୧୮ ବର୍ଷ ହେବ । ଗୋଟିଏ ସାଇକେଲରେ ଦୁଇଜଣ ଯାକ ଆସିଛନ୍ତି । ଜଣେ ଥକି ପଡ଼ିଲେ ଆଉଜଣେ ସାଇକେଲ ଚଳାଏ ।

         ରାତିରେ ରାସ୍ତାକଡ଼ରେ ଥିବା ଦୋକାନ ବାରଣ୍ଡାରେ ବିଶ୍ରାମ ନିଅନ୍ତି । ରାସ୍ତା ପାଖରେ ଥିବା ନଦୀ/ନାଳରେ ଗାଧୁଆ ପାଧୁଆ କରି ନିଅନ୍ତି । ଘରୁ ଆଣିଥିବା ଚୂଡ଼ା ମୁଢ଼ିରେ ଜଳଖିଆ ହୋଇଯାଏ । କେବଳ ଦିନ ଓ ରାତି ଖାଇବାଟା ରାସ୍ତାକଡ଼ ଝୁମ୍ପୁଡ଼ି ହୋଟେଲରୁ ଖାଇ ନିଅନ୍ତି । ମୁଁ ତାଙ୍କୁ ପଚାରିଲି, ଆଗରୁ କେବେ ପୁରୀ ଆସିଥିଲ ନା ଏ ବର୍ଷ ନୂଆ ଆସିଛ ? ଆଜ୍ଞା ଗଲାବର୍ଷ ରଥଯାତ୍ରା ଦେଖିବୁ ବୋଲି ବଡ଼ ପିଲାମାନଙ୍କ ସହିତ ଆମେ ଦୁଇଜଣ ଏଇମିତି ସାଇକଲରେ ଆସିଥିଲୁ । ଏ ବର୍ଷ ବଡ଼ ପିଲାମାନେ କେହି ସାଙ୍ଗ ଦେଲେ ନାହିଁ । ଆମେ ଦୁଇଜଣ ଆସିଲୁ ।

         ସେମାନଙ୍କ କଥା ଶୁଣି ମୋ ଆଖି ଲୁହ ଛଳ ଛଳ ହୋଇଗଲା । ସେମାନଙ୍କ ଆଗ୍ରହ ଏବଂ ଇଛାଶକ୍ତି ପାଖରେ ମୋ ଚିନ୍ତା ଚେତନା କେତେ ଛୋଟ ! ଶ୍ରୀକ୍ଷେତ୍ର ଧାମକୁ ଆସି ମୋ ପୁଅଟିର ସୁରକ୍ଷା ପାଇଁ କେତେ ବ୍ୟସ୍ତ ହୋଇପଡ଼ୁଛି ? ଅଥଚ ସେମାନଙ୍କର ସୁରକ୍ଷା ନେଇଛି କିଏ ? ଏବେ ମୋର ଚେତା ଫେରିଲା । ଆସିଲାବେଳେ ମୋ ସହଧର୍ମିଣୀ କହୁଥିଲେ, ଠାକୁରଙ୍କ ପାଖକୁ ଯାଉଛ, ଏତେ ଆଗପଛ ହେଉଛ ? ସେଇ ଠାକୁର ସାହା ହେବେ । ସେଇ ସହଜ ସରଳ ଭାବର ଅଭାବ ଥିଲା ମୋ ପାଖରେ, ଯେଉଁ ବିଶ୍ବାସ ଟିକକୁ ଜାବୁଡ଼ି ଧରି ପିଲା ଦୁଇଟି ସୁଦୂର ଘଟଗାଁରୁ ପୁରୀ ପରଯ୍ୟନ୍ତ ସାଇକେଲରେ ଆସିଛନ୍ତି । ସେି ବିଶ୍ବାସରୁ କାଣିଚାଏ ବି ନଥିଲା ମୋ ପାଖରେ । ନିଳଚକ୍ର ଆଡ଼େ ଚାହିଁ ଦୁଇହାତ ଉଠାଇ ସବୁ କିଛି ସମର୍ପି ଦେଲି ସେଇ ଜଗତ କର୍ତ୍ତାଙ୍କୁ । ଦେହ ମନ ଖୁବ୍ ଉସ୍ବାସ ହୋଇଗଲା । ଧାଡ଼ି ଧିରେ ଧିରେ ଆଗକୁ ବଢ଼ୁଥାଏ । ଦକ୍ଷିଣ ଦ୍ବାର ପାଖାପାଖି ପହଞ୍ଚିଗଲୁଣି । ଲକ୍ଷ୍ୟ କଲି, ଦ୍ବାର ପାଖରେ ଥିବା ପୁଲିସ୍ କର୍ମଚାରୀମାନେ ଯାତ୍ରୀମାନଙ୍କ ପାଖରେ ଥିବା ବ୍ୟାଗ ଆଦିକୁ ଭିତରକୁ ଛାଡ଼ୁନାହାନ୍ତି । ସେ ପିଲା ଦୁଇଟ ପୁରା ବ୍ୟାସ୍ତ ହୋଇପଡ଼ିଲେ । କାରଣ ସେମାନେ ଦୁଇଟି କପଡ଼ା ବ୍ୟାଗ ହାତରେ ଓହଳାଇ ଥାଆନ୍ତି । ମୁଁ ସେମାନଙ୍କୁ ପଚାରିଲି, ବ୍ୟାଗରେ କ’ଣ ରଖିଛ । ଆମ କପଡ଼ା ଏବଂ ଘରକୁ ନେବାପାଇଁ ଠାକୁରଙ୍କ ଭୋଗ ରଖିଛୁ । ଅକସ୍ମାତ ସେଇ ଖୋଲା ବ୍ୟାଗ ଉପରେ ମୋର ଦୃଷ୍ଟି ପଡ଼ିଲା । ଦେଖିଲି ସେଥିରେ ଦୁଇହଳ ଚପଲ ରହିଛି । ମୁଁ ଆଶ୍ଚର୍ଯ ହୋଇ ପଚାରିଲି, ବ୍ୟାଗ ଭିତରେ ଠାକୁରଙ୍କ ମହା ପ୍ରସାଦ ରଖିଛ, ପୁଣି ସେଥିରେ ଚପଲ ରଖିଛ । ସେଇ ବ୍ୟାଗକୁ ନେଇ ମନ୍ଦିରକୁ ଯାଉଛ । ପୋଲିସ ଦେଖିଲେ ସେଇ ବ୍ୟାଗକୁ ଫୋପାଡ଼ି ଦେବେ । ସେମାନେ ଭୟଭୀତ ହୋଇ ମୋ ମୁହଁକୁ ଅନେଇ ରହିଲେ । ମୁଁ ତାଙ୍କୁ କହିଲି, ଭୋଗ ରଖିଥିବା ବ୍ୟାଗ ଭିତରୁ ଚପଲ ବାହାର କରି ଯୋତା ଷ୍ଟାଣ୍ଡରେ ରଖିଦେଇ ଆସ । ଡେରି କରନି, ତୁମ ଭିତରର ଜଣେ ଧାଡ଼ିରେ ଛିଡ଼ାହୋଇଥାଅ । ସେମାନଙ୍କ ସଂକ୍ଷିପ୍ତ ଉତ୍ତର ଥିଲା, ଯୋତା ଷ୍ଟାଣ୍ଡରେ ଜୋତା ରଖିଲେ ଭିଡ଼ ଭିରତରୁ ଆମେ ଆଉ ଜୋତା ନେଇପାରିବୁ ନାହିଁ । ଠାକୁର ରଥ ଉପରକୁ ଉଠିଲେ ମନ୍ଦିର ସାମ୍ନାରେ ବହୁତ ଭିଡ଼ ହୋଇଯାଇଥିବ, ରଥ ଉପରେ ଠାକୁରଙ୍କୁ ଦର୍ଶନକରି ଆମେ ଆଜି ପୁରୀରୁ ବାହାରି ଯିବୁ । ଏତକ କହି ଦୁଇଜଣଯାଜ ଧାଡ଼ିରୁ ବାହାରିଗଲେ । ଧାଡ଼ି ଆଗକୁ ଆଗକୁ  ବଢ଼ୁଥାଏ । ପୁଅକୁ ଧରି ବନ୍ଧୁଙ୍କ ସହ ମନ୍ଦିର ଭିତରେ ପ୍ରବେଶ କଲି । ମନ ଘାଣ୍ଟି ଗୋଳେଇ ହେଉଥାଏ । ପିଲା ଦୁଇଟିଙ୍କୁ ଅପେକ୍ଷାକରି ଏଣେ ତେଣେ ଚାହୁଁ ଥାଏ । ସେମାନେ ଆଉ ଫେରିଲେ ନାହିଁ । ପହଣ୍ଡି ବିଜେ ଆରମ୍ଭ ହୋଇଯାଇଥାଏ । ମନଭରି ଠାକୁରଙ୍କ ପହଣ୍ଡିବିଜେ ଦର୍ଶନ କଲୁ । ପୂର୍ବ ପରି ସେ ବିଷର୍ଣ୍ଣଭାବ ମନ ଭିତରେ ନଥିଲା । ଦର୍ଶନ ସାରି ଫେରିଲା ବେଳେ ସେଇ ପିଲାଦୁହିଁଙ୍କ କଥା ମନକୁ ଆନ୍ଦୋଳିତ କଲା । ମୁଁ ସେମାନଙ୍କୁ ଠିକ୍ ପରାମର୍ଶ ଦେଇଥିଲି ତ ? ମୋ ପାଇଁ ସେମାନେ ପହଣ୍ଡି ବିଜେ ଦର୍ଶନରୁ ବଞ୍ଚିତ ହୋଇନାହାନ୍ତି ତ ?

         ୨୦୧୫ ମସିହା ଏକବିଂଶ ଶତାବ୍ଦୀର ଶ୍ରୀ ବିଗ୍ରହମାନଙ୍କ ପ୍ରଥମ ନବକଳେବର । ୧୯୯୬ ନବକଳେବର ବର୍ଷ ଠାରୁ ଏ ବର୍ଷର ବ୍ୟବଧାନ ଦୀର୍ଘ ୧୯ ବର୍ଷ । ମହାକାଳ ସ୍ରୋତରେ ଏଇ ୧୯ ବର୍ଷର ସ୍ଥିତି ହୁଏତ ବିନ୍ଦୁଏ ମାତ୍ର ହୋଇବି ନପାରେ । ତଥାପି, ତା’ ଭିତରେ ବିଲୀନ ହୋଇଯାଇଛି କେତେ ସ୍ମୃତି କେତେ ବିସ୍ମୃତି । ଶ୍ରୀ ବିଗ୍ରହଙ୍କ ଗତ ନବକଳେବର ଦର୍ଶନ ପାଇଁ ଯେଉଁ ପୁଅ ମୋ ସାଙ୍ଗରେ ଯାଇଥିଲା, ଏଥର ନବକଳେବରକୁ ସେ ଆଉ ଏ ଇହଧାମରେ ନାହିଁ । ତା’ ପାଇଁ ସେଇ ଜଗତ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛି, ସେ ଯେଉଁଠି ଯେପରି ଭାବରେ ରହିଥାଉନା କାହିଁକି ତା’ ଆତ୍ମା ଶାନ୍ତିଲାଭ କରିଥାଉ । ଘଟଗାଁର ସେଇ ପିଲା ଦୁଇଟିଙ୍କ କଥା କେବେବି ଭୁଲିବାର ନୁହେଁ । ଯଦିଓ ଘଟଗାଁ, ମୁଁ ରହୁଥିବା କେନ୍ଦୁଝରରୁ ବେଶୀଦୂର ନୁହଁ; ତଥାପି, ସେ ପିଲା ଦୁଇଟିକୁ ମୁଁ ଆଉ ଚିହ୍ନିପାରିବି ନାହିଁ କିମ୍ବା ସେମାନଙ୍କ ନାମ-ଠିକଣା ବି ମୋତେ ଜଣା ନାହିଁ । କେବଳ ଜାବୁଡ଼ିଧରି ରଖିଛି ସେଇ ସ୍ମୃତିକୁ ।

         ଯାହା – “ସ୍ମୃତି ତ ନୁହଁଇ କେବେ ଫିଙ୍ଗିବାର

                  ଫିଙ୍ଗି ପାରିଲେ ମୁଁ ଲଭନ୍ତି ନିସ୍ତାର ।”

Leave a Reply

Your email address will not be published. Required fields are marked *