Home » Magazine » ଗୌତମବୁଦ୍ଧ ଦାସ : ଅଳ୍ପ ଗଳ୍ପ : ଅଛୁଆଁ

ଗୌତମବୁଦ୍ଧ ଦାସ : ଅଳ୍ପ ଗଳ୍ପ : ଅଛୁଆଁ

ସ୍ପେସାଲ ଚା
ଏମିତି ଆଗରୁ କେବେ ହୋଇ ନ ଥିଲା। ଛଅଦିନ ହେଲା ସାରା ଦେଶ ବନ୍ଦ, ତେଣୁ ତା’ ଦୋକାନ ବନ୍ଦ, ଖଟି ବି ବନ୍ଦ । ଚା’ଦୋକାନୀ ପାଗ୍‌ଲା ଘରେ ରହି ରହି ସତକୁସତ ପାଗଳ ହେବାକୁ ବସିଲାଣି।

ଷ୍ଟେସନ୍ ଛକରେ ପାଗ୍‌ଲାର ଚା’ ଦୋକାନ ସବୁଦିନ ଖୋଲା ରହେ। ସ୍ପେସାଲ୍ ଚା’ ପାଇଁ ତା’ର ନାଁ ବି ଅଛି। ସେଇଥିପାଇଁ ତ ସହରର କେଉଁ କେଉଁ କୋଣରୁ ଆସି ଲୋକେ ତା’ ଦୋକାନରେ ଚା’ ପିଅନ୍ତି, ଖଟି କରନ୍ତି। ଖଟିରେ ନେତା, ସାମ୍ବାଦିକ, ସାହତ୍ୟିକ, ନାଟୁଆ ସଭିଏଁ ଭିଡ଼ ଜମାନ୍ତି। ସାହିତ୍ୟଠୁ ନେଇ ସାହିନବାଗ୍ ଯାଏ ଆଲୋଚନା ଏମିତି ଲମ୍ବିଯାଏ ଯେ ଚା’ ପରେ ଚା’ ବରାଦ ବଢ଼ିଯାଏ। ଆଲୋଚନାରୁ ବିଶେଷ କିଛି ବୁଝି ପାରୁନଥିଲେ ବି ପାଗ୍‌ଲା ଖୁସି ହୁଏ ।

ଏଇ କରୋନା ଖବରଟା ଯେତେବେଳେ ନୂଆ ନୂଆ ଆସିଲା, ତା’କୁ ଭାରି ମଜା ଲାଗୁଥିଲା। କିନ୍ତୁ ସେ ଯେଉଁଦିନ ଖଟିରୁ ଶୁଣିଲା ଯେ କାଲିଠୁ ଦୋକାନ ବଜାର ସବୁ ତାଲାବନ୍ଦ ରହିବ; ତା’ ମନଟା ପାଣିଚିଆ ହେଇଗଲା। ସେବେଠାରୁ ଗୃହବନ୍ଦୀ ହୋଇ ରହିଛି ପାଗ୍‌ଲା । କିନ୍ତୁ ଛଅଦିନ ପରେ ସେ ଆଉ ସମ୍ଭାଳି ପାରିଲାନି। ସକାଳୁ ସକାଳୁ ଯାଇ ଦୋକାନ ଖୋଲିଦେଲା। ଗ୍ରାହକ କେହି ଆସିବାର ନ ଥିଲେ ବି ସେ ସ୍ପେସାଲ୍ ଚା’ ବନେଇଲା। ଗ୍ଲାସ୍‌ଗୁଡ଼ିକୁ ଧୋଇଧାଇ ରେଡି କରି ରଖୋଲା।

ଏତିକିବେଳେ ସାଇରନ୍ ବଜେଇ ଖଟି ଆଗରେ ପୁଲିସ ଗାଡ଼ିଟିଏ ଅଟକିଲା। ଗାଡ଼ି ଭିତରୁ ଧପ୍ ଧାପ୍ ହୋଇ ୪/୫ ଜଣ ପୁଲିସ ତା’ ଆଡ଼କୁ ମାଡ଼ିଆସିଲେ।

— ଆବେ ପାଗଳଟା କିରେ ? ଲକ୍‌ଡାଉନ୍ ବୋଲି ଜାଣିନୁ କି ? ଡରି ନ ଯାଇ ପାଗ୍‌ଲା ଉତ୍ତର ଦେଲା– ଜାଣିଛି ସାର୍।

ସେମାନେ ଆଉ କିଛି କହିବା ପୂର୍ବରୁ ପାଗ୍‌ଲା କହି ଚାଲିଲା- ସେଇଥିପାଇଁ ତ ସକାଳୁ ସକାଳୁ ଚାଲି ଆସିଲି । ଭାବିଲି, ଆପଣମାନେ ଦିନ-ରାତି ଡ୍ୟୁଟି କରୁଛନ୍ତି । ଗରମ ଚା’ ଟିକେ ଦରକାର ହେଉଥିବ ନା ?

  — ଏଇ ନିଅନ୍ତୁ ସାର୍ । ସମସ୍ତଙ୍କ ହାତକୁ ଗୋଟିଏ ପରେ ଗୋଟିଏ ସ୍ପେସାଲ ଚା’ ବଢ଼ାଇ ଦେବା ଭିତରେ ଖୁସିରେ ଗଦ୍‌ଗଦ ହୋଇ ପାଗ୍‌ଲା ଭାବୁଥିଲା ଛଅଦିନ ପରେ ସେ କରୋନାକୁ ହରେଇ ଦେଇଛି।


ସାଙ୍ଗ

ଲକ୍‌ଡାଉନ୍ ପରେ ବହୁ କଷ୍ଟରେ ଟ୍ରକ୍‌ଡାଲାରେ ବସି ହାଇଦ୍ରାବାଦରୁ ଫେରିଥିବା କାଳିଆ ମୁହଁ ସଞ୍ଜବେଳେ ଗାଁରେ ପଶିବା ବେଳକୁ ରାସ୍ତା ଉପରେ ବାଉଁଶ ଲଗା ହୋଇ ବନ୍ଦ କରାଯାଇଥିବା ଦେଖି କାବା ହୋଇଗଲା। ବ୍ୟାରିକେଡ୍ ସେପଟେ ମୁହଁରେ ରୁମାଲ୍ ବାନ୍ଧି ବସିଥିବା ତା’ ବୟସର ପଞ୍ଝେ ଯୁବକଙ୍କୁ ଦେଖି କାଳିଆ ପଚାରିଲା- ଏସବୁ କ’ଣ ?

ସେପଟୁ ମିଳିତ ଉତ୍ତର ଆସିଲା- ଗାଁରେ ପଶି ପାରିବୁନି। ଆଗ କରୋନା ପରୀକ୍ଷା କରି ଆସ। ତା’ପରେ ଘରକୁ ଯିବୁ।

ଛାଇ-ଅନ୍ଧାର ଭିତରେ ଦୂରରୁ ହେଲେ ବି ରୁମାଲବନ୍ଧା ମୁହଁଗୁଡ଼ିକ ଭିତରୁ କାଳିଆ ଚିହ୍ନିପାରିଲା ତା’ର ପିଲାଦିନର ସାଙ୍ଗ ବଳିଆକୁ। ଗତବର୍ଷ ବଳିଆର ବରାଦ ଅନୁସାରେ ଚେନ୍ନାଇରୁ ସେ ନୂଆ ଟଚ୍-ସ୍କ୍ରିନ୍‌ବାଲା ମୋବାଇଲଟେ ଆଣି ଦେଇଥିଲା। ବଳିଆ ପଇସା ଯାଚିଥିଲେ ବି ସେ ପରେ ଦବୁ କହି ଏଡ଼ାଇ ଯାଇଥିଲା।

ସେଇ ମୋବାଇଲ ନମ୍ବରରେ ଫୋନ୍ ଲଗେଇଲା କାଳିଆ। ଫୋନ୍ ରିଙ୍ଗ୍ ହେଲା। ସେପଟରୁ ବଳିଆର ରୁକ୍ଷ ସ୍ଵର ଶୁଭିଲା- କ’ଣ ହେଲା ?

କାଳିଆ ବ୍ୟସ୍ତ ହେଇ କହିଲା- ସାଙ୍ଗ ତୁ ଏମାନଙ୍କ ଭିତରେ ଅଛୁ ନା ? ଦେଖ୍ ଏମାନେ କେମିତି ମୋତେ ଗାଁ ଭିତରକୁ ଛାଡ଼ୁନାହାନ୍ତି।

ବେଶ୍ କିଛିର ନୀରବତା ପରେ ବଳିଆର ସ୍ପଷ୍ଟ ସ୍ଵର ଶୁଭିଲା: ହ୍ୟାଲୋ….. ହ୍ୟାଲୋ…. ତୁ କ’ଣ କହୁଛୁ…. କିଛି ଶୁଭୁନି। ବୋଧେ ନେଟ୍‌ୱର୍କ ପାଉନି । ହ୍ୟାଲୋ… ହ୍ୟାଲୋ… ଟୁଁ  ଟୁଁ  ଟୁଁ….ଫୋନ୍ କଟିଗଲା।

There are 6 comments

  1. ଅଛୁଆଁ ସଂକଳନ ର ଦୁଇଟି ଗଳ୍ପ ଯେପରି ହୃଦୟସ୍ପର୍ଶୀ ପଠନ ସେପରି ମନମୁଗ୍ଧକର।
    ଧନ୍ୟବାଦ ଗାଳ୍ପିକ ଏବଂ ସମ୍ପାଦକ ଉଭୟଙ୍କୁ
    ନମସ୍କାର

    1. ଅଶେଷ ଧନ୍ୟବାଦ ଆପଣଙ୍କ ସୃଜନଶୀଳ ମନ୍ତବ୍ୟ ପାଇଁ।

  2. ଗଳ୍ପ ଏତେ ଜୀବନ୍ତ ଯେ ପୁଣି ଫେରି ଯିବାକୁ ପଡିଲା ନିଜ ଅନୁଭବ ଭିତରେ ସେଇ ସମୟକୁ……. ଗାଳ୍ପିକ ମହୋଦୟଙ୍କୁ ପ୍ରଣାମ 🙏

    1. ଅଶେଷ ଧନ୍ୟବାଦ ସହ ଶୁଭେଚ୍ଛା ଏଇ ମତାମତ ପାଇଁ।

  3. ଅଳ୍ପରେ ବାସ୍ତବକୁ ଆଙ୍କିବାରେ ଦୁଇଟିଯାକ ଗପ ଟିକେ କାଳି ଓ ଦି’ଖଣ୍ଡ କାଗଜ। ଗଳ୍ପ, ସତରୁ ସତକୁ ଗତି ।

    ଭଲ ଲାଗିଲା।

    1. ସତରୁ ସତ ଆଡ଼କୁ ହିଁ ଆରୋହ୍ୟ ଗତି ଏ ଗଳ୍ପର। ଏକମତ।
      ସଧନ୍ୟବାଦ ଶୁଭେଚ୍ଛା ଆପଣଙ୍କୁ।

Leave a Reply

Your email address will not be published. Required fields are marked *