ଦେବୀ
।। ଗୋଲକ ବିହାରୀ ଆଚାର୍ଯ୍ୟ ।।
।। ପ୍ରଥମ ରୂପ : ବୋଉ ।।
ମୋ ଆଦ୍ୟ କ୍ରନ୍ଦନର ଓଁକାରରେ
ଶଙ୍ଖଧ୍ୱନି, ହୁଳହୁଳି,
ମଙ୍ଗଳ ଆବାହନୀ
କ୍ଷୀର ଟିକେ ଆଶାରେ
ତୋ ଛାତିରେ ମୁଁହ ଗୁଞ୍ଜିଲା ବେଳେ ସଂସ୍ଥାପନର ସକଳ ମୁଦ୍ରା,
ମୋ ଅଳି ଅର୍ଦ୍ଦଳି ଅବିଚାର ଓ ଅନ୍ୱେଷାରେ
ତୋ ପୂଜାର ଷୋଡ଼ଶୋପଚାର ମା ।
କେମିତି ଆଉ ପୂଜିବି,
ଭରା ଗଛର ଫଳ ପରି
ତୋ ଖୁସି ତ ଏଥିରେ ।
।। ଦ୍ବିତୀୟ ରୂପ : ସ୍ତ୍ରୀ ।।
ମୋର ଗୋଟିଏ ଚୁମ୍ବନରେ
କୋଟିଏ ସଂକଳ୍ପର ସୂତ୍ର
ମୋ ଦୁଃଖକୁ ବାଢ଼ିଦେବା ହିଁ ମନ୍ତ୍ର ଏ ପୂଜାକୁ
କେଉଁ ଯଜୁର୍ବେଦ ଯୋଗ୍ୟ,
ତୋ ସମର୍ପିତ ସୋହାଗରେ ମୋର ଷୋଳଘଡ଼ି
ଆମର ତ ତମାମ ଜୀବନ ପାର୍ବଣ ।
ତୋ ଗୁମାନରେ ଆକାଶ ସାରା ବାଦଲ
ହସରେ ଚନ୍ଦ୍ରଭାଗା ।
ଅୟୁତେ ଫଗୁଣ ।
।। ତୃତୀୟ ରୂପ : ଝିଅ ।।
ତୋ’ ପାଇଁ ଗଢ଼ିନି ତୋରଣ,
ଧୂପ ଦୀପ ନୈବେଦ୍ୟ ନୁହେଁ ଦୃଶ୍ୟମାନ,
ଚାନ୍ଦି ନୁହେଁ
ହୀରାର ଆସ୍ଥାନ ମୋ ହୃଦୟ
ହସ କି ପାଉଁଜି ନିକ୍ବଣ; ମୋ ଆଶ୍ୱିନ
ସ୍ନେହ ତୋର ପାର୍ଥିବ ଆଶୀର୍ବାଦ
ସେଠି ଦୁଃଖ ଶେଷ,
ମୋ ପଶୁତ୍ୱର ଶେଷ
ତୁ ମୋର ଆଦ୍ୟ ପୁଣି ଶେଷ ଆବାହନ।
There are 2 comments
କବିତା ଲେଖି ତ ମୁଁ ଧନ୍ୟ କିନ୍ତୁ ଯେମିତି ସଜାଇଛନ୍ତି ଆପଣ ତାହା ମତେ ବିମୋହିତ କରିଛି, କରିଛି ମନ୍ତ୍ରମୁଗ୍ଧ । ବାଃ ! କୃତଜ୍ଞ ମୁଁ ।
କାହାର କବିତାକୁ ଗୌଣ କହିବି ! ସବୁ ଲାଗନ୍ତି ସମ୍ମୋହନର ମନ୍ତ୍ର ସମ୍ । ଯାହାଙ୍କୁ କବି ହିସାବରେ ପୂଜା କରେ, ବିପିନ ସାର, ସିଏ ଆଦ୍ୟରେ ।
ସଂଯୋଜନା, ସଜ୍ଜିକରଣ – ସବୁ ଉନ୍ନତ , ସଞ୍ଜତ, ସୁସଂହତ, ସୁଖପାଠ୍ୟ ଏବଂ ଅବିସ୍ମରଣୀୟ ।
ସଂପାଦକ ଏବଂ ସହଯୋଗୀ ସମସ୍ତଙ୍କୁ ସାମୁହିକ ନମନ ।