ଜନ୍ମଦିନ
।। ଗିରିବାଳା ମହାନ୍ତି ।।
ମୋ ଆସିବା
କ’ଣ କେବଳ ବସୁଧାର ଅନ୍ନଧ୍ବଂସ-
କସ୍ମିନକାଳେ ନୁହଁ !
ମୁଁ ମୋ ବାଗରେ ମୋ ପରି ପ୍ରସାରିତ ହେବି ।
ମୋ ମନ ମୋ ଦେହ ମୋ ଜୀଇଁବା ସମୟ
ଏ ସବୁ ଉପରେ
ଏଣିକି ରହିବ ମୋର ନିୟନ୍ତ୍ରଣ !
ପଲ୍ବଳ ହେଇ ନୁହଁ,
ଏଣିକି ସ୍ରୋତ ହୋଇ ବୋହିବାକୁ ଆରମ୍ଭିଛି
ବୋହିବି!
ଯିବି ଆଗକୁ ଆଗକୁ ନଦୀରେ ମିଶିବି
ନଦୀରୁ ଯିବି ସାଗର
ସାଗରରୁ ମହାସାଗର
ଏନ୍ତୁଡ଼ିରୁ ଦାଣ୍ଡ, ଦାଣ୍ଡରୁ ପୃଥିବୀ
ପୃଥିବୀରୁ ଆକାଶ
ଯିବି ଚାରି ମେଘ ହୋଇ ଆକାଶରେ ବୁଲିବି
ନଇଁ ଆସି ତିନ୍ତେଇ ଦେବି
ପ୍ରଥମବର୍ଷା ପରି ପୃଥବୀକୁ
ବନସ୍ପତିକୁ ଚମକାଇ ଦେବି
ଶୁଷ୍କ ପ୍ରାଣ ଓ ପ୍ରାଣୀଙ୍କୁ ସଜଳ କରି
ପ୍ରୀତି ସ୍ନେହ କରୁଣା ସିନ୍ଧୁ
ନିଜକୁ ପ୍ରସାରିତ ପରିବ୍ୟାପ୍ତ,
ପ୍ରବାହିତ କରିବି।
ବୋହିବାକୁ ଆରମ୍ଭ କରିଛି –
ବୋହିବି ମୁଁ ବ୍ୟାପ୍ତ ବିନିର୍ମୁକ୍ତ ହେବି ॥