


ନ୍ୟାୟ ଖୋଜାରେ ଦ୍ବିତୀୟ ଈଶ୍ବର
।। କୌଶିକ ଗିରି ।।
ଦ୍ବିତୀୟ ଈଶ୍ବରମାନେ ଅନ୍ଧାର ଜାଳି
ଖୋଜୁଛନ୍ତି ନ୍ୟାୟକୁ
ଯିଏ ମିଳେ ନାହିଁ ସଚ୍ଚୋଟପଣରେ
ତଥାପି ସେମାନେ ତାକୁ ଖୋଜିବେ
ଅପ୍ରମାଣିତ ପ୍ରମାଣ ଦ୍ବାରା
ସନ୍ତ୍ରାସବାଦର ଛାତି ଚିରି ରକ୍ତ ନିଗାଡ଼ିବେ
ଅନ୍ୟାୟର ନାଦବିନ୍ଦୁକୁ ଅନାବୃତ୍ତ କରି
ସେଥିରେ କଳା ବୋଳିବାକୁ ଚେଷ୍ଟା କରିବେ
ସେମାନେ ଏବେ ଆତ୍ମସାତ କରିଲେଣି ଯେ
ଯିଏ ପୁନର୍ଜନ୍ମ ଦେଇପାରେ
ସେ ନ୍ୟାୟ ପାଇଁ ନବଜନ୍ମ ବି ଗଢ଼ିପାରେ
ଏବେ ଏବେ ତାଙ୍କୁ ସହଯୋଗ କଲେଣି
ଶୀତଳ ବିଦ୍ରୋହକାରୀମାନେ
ଯେଉଁ ଶ୍ରେଣୀରେ ପ୍ରଥମଈଶ୍ବର ବି ସାମିଲ ହେଲେଣି
ଯଦି ସମୁଦ୍ରମନ୍ଥନରୁ ବାହାରିଥିବା
ନ୍ୟାୟର ଅମୃତକଳସ ଏବେ ରାହୁ ହାତରେ !
ତେବେ ଦ୍ବିତୀୟ ଈଶ୍ୱରମାନେ
ନ୍ୟାୟକୁ ହାତପାଅନ୍ତାକୁ ଆଣି
ତା’ ଅମରତ୍ବକୁ ଅକର୍ମଣ୍ୟ କରିବାକୁ ପ୍ରସ୍ତୁତ !
କିନ୍ତୁ ନ୍ୟାୟ ଏବେ ସମୁଦ୍ର ସେପାରିରେ
ସେତୁବନ୍ଧ ବାନ୍ଧିବାକୁ ଆହୁରି ପଥର ଲୋଡା !!
(କ୍ୟାଣ୍ଡଲ-ମାର୍ଚ୍ଚରେ ବାହାରିଥିବା ଅଗଣିତ ମେଡ଼ିକାଲ ଛାତ୍ରଛାତ୍ରୀ ତଥା ଦେଶ ବିଦେଶରେ ନ୍ୟାୟ ପାଇଁ ସ୍ୱର-ଉତ୍ତୋଳନ କରିଥିବା ଦ୍ବିତୀୟଈଶ୍ବରମାନଙ୍କୁ ଏ କବିତା)