ନିମିତ୍ତ
।। ଶ୍ରୀ ହରିହର ମିଶ୍ର ।।
ସବୁ କରୁଥାଏ ଆଉ କିଏ
ମୁଁ ନିମିତ୍ତ ମାତ୍ର ।
ଘାଟିରୁ ଉଠାଇ ନିଏ ଘାଟିକୁ
ଯେଉଁଠିକି ଆଖି ପାଏ ନାହିଁ
ଗଡ଼େଇ ଆଣେ ସେମିତି ଗାଡ଼ି ମୋର
ଯେଉଁଠାରୁ ଯାଇଥିଲି ମୁହିଁ ।
ରାସ୍ତାରେ ସ୍କୁଲ ଯିବା ପିଲାପରି କେବେ
କନ୍ଦେଇ କନ୍ଦେଇ ନିଏ
ସ୍କୁଲ ଫେରନ୍ତି ହୋ ହାଲ୍ଲା ପିଲାଙ୍କ କଳରବରେ
ମୋତେ ଭୁଲାଇ ଫେରାଇ ଆଣେ ।
ବିମାନ ଉଠେ
ବିମାନ ଓହ୍ଲାଏ
ଷ୍ଟେସନ ରୁ ଗାଡ଼ି ଛାଡେ
ଷ୍ଟେସନରେ ବିଶ୍ରାମ ନିଏ
ଷ୍ଟେସନ କୁ ଫେରେ ।
ମୁଁ ପଚାରେ
ମୁଁ ଥିଲି କୋଉଠି
ଆଉ ଆସିଲି କେଉଁଠିକି ?
ସମସ୍ତେ ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି
ଉପରକୁ ଚାହିଁ ।
ଜାଣେନା, କେଉଁଆଡେ ଟାଣି ନିଅ ମୋତେ
କଣାଏ କୈବଲ୍ୟ ରଖି ବନିଶୀ ଥୋପରେ
ଅବା ତୁମ ବଇଂଶୀ ସ୍ୱନର ମହୁ ଫେଣାରୁ
ଟୋପେ ମହୁ ଚଖାଇ।
ମୁଁ ସେଠୁ ଫେରି ଆସେ
ବୋଝ ବୋଝ ଭୋଗ ବୁହା ହୋଇ
ଆସିଲା ପରେ ଆନନ୍ଦ ହାଟରେ
ମୋତେ ଭୁଞ୍ଜାଏ କିଏ ସତେ
ନିଆରା ସ୍ୱାଦର ଅମୃତରେ ।
ଶୁଆଇ ଦିଏ କର୍ପୁର ସିଞ୍ଚି ମୋ ଶୋଇବା ଶେଯରେ
କିବା ମୋ ଭିତରେ ଚେଇଁ ଥାଏ ସିଏ ।
ସକାଳୁ ଉଠାଏ ପୁଣି
ସିଂହାରୀଙ୍କର ଅଜଣା ଜଣାଣରେ
କେତେ କାଳୁ ସେ ଗୁଣୁଗୁଣୁ ହେଉ ଥାଏ
କଳା ଭ୍ରମରଟିଏ ସ୍ୱପ୍ନର ପୁଷ୍ପ ଉଦ୍ୟାନରେ ।
କିଏ ସେ ରକ୍ଷକ ଉଦ୍ୟାନର ?
ମୁଁ ପଚାରେ କିଏ ସେ ମାଳି ନା ଶିକାରୀ
ମୁଁ ନୁହେଁ ସେ ପାପୀ ନା ମୁଁ ନୁହେଁ ।
ସ୍ବର : ପ୍ରଣତି ବେହେରା
There is 1 comment
ଆବେଗମୟ ପରିପ୍ରକାଶ ସହ ସୁନ୍ଦର୍ ଆବୃତ୍ତି ମୁଗ୍ଧ କଲା 🙏