Home » Magazine » କବିତା : ତୃତୀୟ ପ୍ରହର ଲାଗି…

କବିତା : ତୃତୀୟ ପ୍ରହର ଲାଗି…

।। ପ୍ରଣତି ବେହେରା ।।

ଖଇଫୁଟା ତାତିରେ ଡହକୁଚି ଦେହ

ରଚ୍ ରଚ୍ ହେଇ ଖସିପଡ଼ୁଛି

ହାଡ଼ସନ୍ଧିରୁ ପଲସ୍ତରା ।

ମନରୁ ମସ୍ତିଷ୍କଯାଏଁ

ଚରିଯାଉଚି

ଅଦୃଶ୍ୟ ଶତ୍ରୁର ଆତଙ୍କ ।

ଦୁଆର ସେପାଖେ

କଳା ମଚ୍ମଚ୍ କାଳପୁରୁଷ

ଏପାଖରେ

ଶାନ୍ତ-କାନ୍ତ ଶୁଭ୍ର ବସନରେ

ଈଶ୍ବରମାନଙ୍କ ସତର୍କ ପ୍ରହରା ।

ଅନ୍ଧାରର ଆବର୍ତ୍ତରେ ଚାଲିଚି ଏଣେ

ଛଦ୍ମବେଶୀ ବେପାରୀଙ୍କ କଳାବଜାରି

ମାଟି-ଆକାଶ-ପାଣି–ପବନ

ଅରଣ୍ୟ–ଔଷଧିକୁ ନେଇ ମୂଲଚାଲ

ହାନିଲାଭର ହରଣଗୁଣନ ।

ଘୋ ଘୋ ରାଣୀ ଖେଳର

ଭଉଁରି ଭିତରେ

ଅଥୟ ହେଲାଣି ଜୀବନ ।

ପାଦେ ପାଦେ ପାଣି…

ଆଣ୍ଠୁଏ ଆଣ୍ଠୁଏ ପାଣି …

ଅଣ୍ଟାଏ ଅଣ୍ଟିାଏ ପାଣି…

ଘୋ ଘୋ ରାଣୀ…

ଓଃ-

ନାସାଗ୍ରତ ନିଃଶ୍ବାସ ପାଖରୁ

ପରଝାଡ଼ି ଉଡ଼ିଯାଇଛନ୍ତି ଯେଉଁ

ଭୋର୍ର ପକ୍ଷୀଗଣ

ସେମାନେ ଆଉ ଲେଉଟି ଆସିବେନି

ସଞ୍ଜବୁଡ଼କୁ;

ଦ୍ରୋହର ଦରୋଟି ଅସ୍ଫୁଟ ଗୁଞ୍ଜରଣ

ମିଳେଇଯିବ ଶୂନ୍ୟରେ…

ଆମେ ଯେଉଁମାନେ ବର୍ତ୍ତିଆସିଲେ

ଆୟୁରେଖାର ଟଳମଳ ଦାଢ଼ରୁ

ମୃତ୍ୟୁଯନ୍ତ୍ରଣା ଓ ଦୁଃସ୍ବପ୍ନର

ଘନଘଟାରୁ…

ଆମକୁ ପିନ୍ଧେଇଦେବାକୁ ହେବ

ଆଗାମୀ ସକାଳର ଶିରରେ

ଶିରସ୍ତ୍ରାଣ

କପାଳରେ ରକ୍ତଚନ୍ଦନ

ଦେହରେ ସାଞ୍ଜୁ…

ଶିଖେଇଦେବାକୁ ହେବ

ରଣକୌଶଳ

ଶତ୍ରୁ ବିପକ୍ଷରେ

ତୃତୀୟ ପ୍ରହର ଲାଗି ।

There are 2 comments

  1. ବାଃ ମାମ୍ ଚମତ୍କାର କବିତା ସହିତ ଆବୃତ୍ତି
    ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏକ ହୃଦୟସ୍ପର୍ଶୀ କବିତା ଭେଟି ଦେଇଥିବାରୁ
    “ତୃତୀୟ ପ୍ରହର ଲାଗି”
    ନମସ୍କାର ମାମ୍

    1. ଆପଣଙ୍କ ସୁଚିନ୍ତିତ ମନ୍ତବ୍ୟ ପାଇଁ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ, ପ୍ରତାପବାବୁ

Leave a Reply

Your email address will not be published. Required fields are marked *