Home » Magazine » ଐଶ୍ବର୍ଯ୍ୟା ପ୍ରଧାନ : କବିତା : ପାହାଚ

ଐଶ୍ବର୍ଯ୍ୟା ପ୍ରଧାନ : କବିତା : ପାହାଚ

ମୋ ଛାତିରେ ପାଦ ମଡ଼େଇ
ବୋହି ଚାଲିଲ ଓଜନ
ତୁମ ଦେହର ଓଜନ
ମନର ଆଉ ମୁଣ୍ଡରେ ମୁଣ୍ଡେଇଥିବା ଓଜନ !

ତୁମେ ଗୋଟିଏ ପାଦ ଆଗକୁ ବଢ଼େଇ
ହାଲୁକା କରୁଥିଲ ତୁମେ ବୋହି ଥିବା ବୋଝକୁ
ଜାଣିବାକୁ ଚେଷ୍ଟାକରିଛ କେବେ…
ସେଇ ଗୋଟିଏ ପାଦ ଆଗକୁ ବଢ଼ିବାରେ
ଧସି ଯାଉଛି ମୁଁ ଭୂପୃଷ୍ଠରୁ ତଳକୁ
ଆହୁରି ତଳକୁ…

ତଥାପି ମୁଁ ନିରୁପାୟ
ଯେଣୁ ମୋର କାୟା ତୁମର ଦାନ !

ତୁମ ମୁଣ୍ଡ ଉପର ସାରା
ଚିକ୍ ମିକ୍ ଚାନ୍ଦୁଆର ଆସ୍ତରଣ
ସେ ଆସ୍ତରଣରେ ଅନ୍ତର୍ଦ୍ଧାନ ହୋଇଯାଇଛି
ଧାଡ଼ିବାନ୍ଧି ଠିଆହୋଇଥିବା ଲୁହ ସବୁ
ଆଖିକୋଣର..
ଦୁନିଆକୁ ଦିଶୁଛି କେବଳ
ଝଲମଲ ଆବରଣରେ ସୁସଜ୍ଜିତ
ଜୀବନ ଜିଇଁବାର ଲିପ୍ସା

ଏଇଠି କେତେ ରକମର ଅଙ୍କକଷା ଚାଲିଛି
ହିସାବଖାତାରେ ଟିପାହେଉଛି
କାହା ଜୀବନରେ
କେତେ କେତେ କେଉଁ କେଉଁ ରକମର ବୋଝ..!!

Leave a Reply

Your email address will not be published. Required fields are marked *