ଦେବୀଦ୍ରୋହ
।। ଆଶିଷ କୁମାର ମିଶ୍ର ।।
ଅବନ୍ଧ ବନ୍ଧରେ ପୁରିଛି ଜଳ,
ବୁଡ଼ି ବୁଡ଼ି ଗାଧେଇବୁ ଯା’
ଏଥର ଜଳେ ବୁଡ଼ି ମରଣ ନାହିଁ ତୋର !
କେଶ ଓଦା କଲେ
ଗର୍ଜି ଉଠିବ ମେଘ ଆକାଶକୁ, ଗର୍ଜୁ !
କଜ୍ଜ୍ବଳ ଧୋଇ ହେଲେ
କଳା ଦିଶିବ ସୂର୍ଯ୍ୟ ପଦ୍ମକୁ, ଦିଶୁ !
ମେଘ ଓ ସୂର୍ଯ୍ୟ ଏକାସାଙ୍ଗେ ଆସି
ବିଦ୍ରୋହ କରିପାରିବେନି ତୋ ସହ,
ତୁ ଜଣକୁ ପାରିବୁ !
ପାଣି ଭିତରେ ଖୋଲିଲେ ଆଖି
ଲୁଣିଆ ହେବନି ଜଳ
ଗଭୀରକୁ ଯିବୁ କି ସିଧା ଯିବୁ ଇଚ୍ଛା ତୋର
ଯେତେ ଦୂର ଯାଇ ପାରିବୁ ଯିବୁ, ଗୋଟିଏ ବୁଡ଼ାରେ !
ପଦ୍ମନାଡ଼ ଭାଙ୍ଗିବୁ ନାହିଁ,
ତୋର ଆରକ୍ତ ଦୁଃଖଭୋଗ ମୁହୂର୍ତ୍ତରୁ
ଫୁଲ ଶୋଷି ନେଉଛି ଭ୍ରମରର ରକ୍ତ !
ତୋର ପାଲଟିଲା ଲୁଗା ରଖିବାର ଜାଗାକୁ
ତୀର୍ଥକ୍ଷେତ୍ର ବୋଲି
ସ୍ବୀକାର କରି ଫେରିଗଲା ଯେଉଁ ପଦ୍ମ ତୋଳୁଥିବା ଲୋକଟି
କଳାନାଗ ସ୍ବପ୍ନରେ ବିଳବିଳେଇ ହେଉଛି ସବୁରାତି !
ଏଇ ଆଖର ବେଳାରେ
କେହି ଆସିବେ ନାହିଁ ଦେବୀ
ତୋର ଗାଧୁଆ ଘାଟକୁ,
ଗର୍ଭଗୃହକୁ ତୋର ଭେଦିଛି ଆଲୁଅ
ଉଧଲି ଉଧଲି ଗାଧେଇବୁ ଯା’ !
ସୁବର୍ଣ୍ଣପୁର, ମୋ: ୮୦୧୮୯୯୯୬୨୫