Home » Magazine » ଆଲୋଚନା: କୃପାସିନ୍ଧୁ ନାୟକଙ୍କ ‘ବଦଳିବାର ବେଳ’ ଓ ତହିଁରେ ବିଶ୍ବବୋଧର ଆସ୍ପୃହା

ଆଲୋଚନା: କୃପାସିନ୍ଧୁ ନାୟକଙ୍କ ‘ବଦଳିବାର ବେଳ’ ଓ ତହିଁରେ ବିଶ୍ବବୋଧର ଆସ୍ପୃହା

।। ତ୍ରିନାଥ ସିଂହ ।।

କାହିଁ କେତେ ବର୍ଷର / ଅବିଚ୍ଛିନ୍ନ ସଂଘର୍ଷ ଉତ୍ତାରେ / ଯାହା ଉତୁରିଲା, / ତା’ ଥିଲା କି / କେବଳ ଜନ୍ମଗତ ଦୋଷ ଯାହା / ସଞ୍ଚରିଗଲା / ଏ ଦେଶର ମାଟି, ପାଣି, ପବନରେ, / ଜନଜୀବନରେ…. !!

ଏଇଠୁ ଆରମ୍ଭ ହୁଏ ‘ବଦଳିବାର ବେଳର’ ଭାବସ୍ନିଗ୍ଧ ଜୀବନାନୁଭବର ଯାତ୍ରା ଓ ଶେଷହୁଏ ଏକ ପ୍ରଜ୍ଞାଦୀପ୍ତ କାବ୍ୟିକ ନିଷ୍କର୍ଷରେ – ମଣିଷ ମଣିଷ ହେଲେ ହିଁ / ଏ ବେଳ ବଦଳିଯିବ / ହଟିଯିବ / ଅମଣିଷ କୃତ ଏଇ ଯୁଦ୍ଧର ପସରା / ଧୂଳି ଧୂଆଁ ବାରୁଦର ଆକାଶକୁ ଫର୍ଚ୍ଚା କରି / ପୁନଶ୍ଚ ଚହଟିଉଠିବ / ସସାଗରା ଧରା ।

         କେବଳ ଏଇ ଦୁଇଗୋଟି ଉଦ୍ଧୃତାଂଶରୁ ଅନୁମିତ ହୁଏ ‘ବଦଳିବାର ବେଳ’ ସହ କବି କୃପାସିନ୍ଧୁ ନାୟକଙ୍କର ମାନସିକ ତଥା ହାର୍ଦ୍ଦିକ ଉଦ୍ବେଳନର ଗାମ୍ଭୀର୍ଯ୍ୟ; ଯାହା ଗୋଟିଏ ପ୍ରାନ୍ତ, ଗୋଟିଏ ଅଞ୍ଚଳ ବା ଗୋଟିଏ ଦିଗକୁ ନୁହେଁ – ବରଂ ସାମଗ୍ରିକ ଭାବରେ ଏଇ ପୃଥିବୀ ଓ ଏଇ ବିଶ୍ବମଣ୍ଡଳ ପର୍ଯ୍ୟନ୍ତ ପରିବ୍ୟାପ୍ତ ଏବଂ ଏଇ ବ୍ରହ୍ମାଣ୍ଡ ବା ବ୍ରହ୍ମମଣ୍ଡଳକୁ ଆକ୍ରାନ୍ତ କରିଆସିଥିବା ଅମଣିଷକୃତ ବାରୁଦ ଓ ଧୂଳିଧୂଆଁର ଛାତିଉପରେ ସଦମ୍ଭେ ଠିଆହେଇ ଉଦ୍ଘୋଷଣା କରୁଥିବା ଯୁଦ୍ଧର ଆହ୍ବାନକୁ ବି ଶୁଣିହୁଏ ।

କବିତା ସଂପର୍କରେ ଠିକ୍ କହିଥିଲେ ଦାର୍ଶନିକ କବି Aldoces Huxlay: the smallest fact is a window, through which, the infinite can be seen. ଉପର ଉଦ୍ଧୃତ ଏଇ ଦୁଇପଂକ୍ତିକୁ ଝର୍କା ଭାବରେ ନେଲେ ସେଇବାଟ ଦେଇ ଅକ୍ଲେଶରେ ସଞ୍ଚରି ଯାଇହୁଏ ‘ବଦଳିବାର ବେଳ’ର ଗର୍ଭଗୃହ ଯାଏଁ ।

କ’ଣ ଥାଏ ସେଇ ଗର୍ଭଗୃହରେ … !!

         ଥାଏ କି ବୁଭୁକ୍ଷିତ ଆତ୍ମାଟିଏ… ଅବା ଭୋକିଲା ମଣିଷଟିଏ ! ନା’ ଜୀର୍ଣ୍ଣ ପରିଚ୍ଛଦରେ ନାରୀଟିଏ ଥାଏ, ନା’ ଗୋଟିଏ ଦଗ୍ଧ ଜର୍ଜର ଦେଶର କଙ୍କାଳ ଥାଏ, ନା’ ସାମଗ୍ରିକ ଭାବରେ ଥାଏ ଲେଲିହାନ ଶିଖାରେ ପୋଡ଼ି ଚରମରେଇ ଯାଉଥିବା ଗୋଟିଏ ଆକାଶ… !!

         ଟିକିଏ ନିରିଖେଇ ଦେଖିଲେ, ଦୃଶ୍ୟହେବ ‘ବଦଳିବାର ବେଳ’ର ଗର୍ଭଗୃହରେ  ନଶ୍ବର ପ୍ରକୃତି ପରି ପ୍ରଶାନ୍ତ ବଦନରେ ତପସ୍ବୀ ମୁଦ୍ରାରେ ଉପବିଷ୍ଟ ଥାଆନ୍ତି ଜଣେ ଦିବ୍ୟପୁରୁଷ; ଯାହାକୁ ସତ୍ୟ-ଶିବ-ସୁନ୍ଦର କୁହାଯାଇପାରିବ, କୁହା ବି ଯାଇପାରିବ ନୈସର୍ଗିକ ପ୍ରକୃତି । ହେଲେ, ତାକୁ ଘେରି ରହିଛି, କ୍ରମଶଃ ମାନବୀୟ ସମ୍ବେଦନାର ମୂଳପିଣ୍ଡରୁ ଛିଡ଼ିଛିଡ଼ି ଯାଉଥିବା ଅଥଚ ପୁଣି ଯୋଡ଼ିହେଇ ରହିବାର ଅଦମ୍ୟ ପ୍ରଚେଷ୍ଟା ଜନିତ ସଂଘାତ, ସଙ୍ଘର୍ଷ ଓ ପ୍ରତିକ୍ରିୟା ସହ ଏକ ବିସ୍ତାରବାଦୀ ଯୁଦ୍ଧଖୋର ସମୟର ଅସହାୟତା, କ୍ଳେଶ, ଗ୍ଲାନୀ ଓ ବିବିଧ ଅବୟବର ଆତଙ୍କ ଏବଂ ସେ ସବୁକୁ ସୁହାଉଥିବା ଭଳି ଏକ କଦର୍ଯ୍ୟ ରାଜନୀତିକ ବଳୟ । ଯୋଉ ରାଜନୀତିକ ବଳୟର ବହଳ କୁହୁଡ଼ିକୁ ଭେଦି ଜମା ଦୃଶ୍ୟ ହୁଏନାହିଁ ମାନବୀୟ ସମ୍ବେଦନାର ସତ୍ୟ କି ଶିବ କି ସୁନ୍ଦର ! ଭୟ ହୁଏ, ସେଇ ବହଳ କୁହୁଡ଼ିର ବିଷବଳୟ ଭିତରେ କ୍ରମଶଃ ପୋଡ଼ିଯାଉଥିବା ଜଙ୍ଗଲ ପରି ପାଉଁଶ ହେଇଯିବ ନାହିଁ ତ ଆମର ଅସ୍ମିତା, ଆମର ଐତିହ୍ୟ, ଆମ ପରମ୍ପରାର ପ୍ରାଚୁର୍ଯ୍ୟ ଓ ମାନବୀୟ ସମ୍ବେଦନାର ଭାବଭୂମି ଉପରେ ଠିଆହେଇଥିବା ଗୋଟିଏ ଦେଶ ଓ ଗୋଟିଏ ପୃଥିବୀ… !!

         ଏହା ହିଁ କାବ୍ୟପୁରୁଷର ସଂକ୍ଷିପ୍ତତର ଓ ସୂକ୍ଷ୍ମତର କାବ୍ୟିକ ଉଚ୍ଚାରଣ… ଯାହା କବିଙ୍କର ଅନ୍ୟାନ୍ୟ କବିତା ପୁସ୍ତକ ‘ବାୟା ଚଢ଼େଇର ଦୁଃଖ’, ‘ବ୍ୟଥା ଯେଉଁଠି ଥିଲା’, ‘ଅତିକ୍ରମଣ’, ‘କାଗଜଘରର କାବ୍ୟ’, ‘ଭଙ୍ଗାସମୟ’, ‘ନୀରବତାର ଶବ୍ଦ’, ଆଦିରେ ବି ନିନାଦିତ ହେଇ ସଞ୍ଚରି ଆସିଛି ‘ବଦଳିବାର ବେଳ’ ଯାଏଁ ।

         ଡା. ନଗେନ ଦାସ ତାଙ୍କର ମୁଖବନ୍ଧରେ ‘ବଦଳିବାର ବେଳ’ ସମ୍ପର୍କରେ କହନ୍ତି : ‘ବଦଳିବାର ବେଳ’ ଗୋଟିଏ ଆସ୍ପୃହା; ଯେଉଁଥିରେ ବ୍ୟକ୍ତି-ମଣିଷଟିଏ ସାମାଜିକ-ମଣିଷକୁ ରୂପାନ୍ତରିତ ହେବାର ଅନିନ୍ଦ୍ୟ ଅଭିଳାଷ ତା’ଭିତରେ ଥାଏ । ରାଜନୀତିକ ଇଛାଶକ୍ତି ଓ ନିଷ୍ଠାପର ଶାସନତନ୍ତ୍ର ହେଉଛି ଏକମାତ୍ର ଆୟୁଧ, ଯାହା ମାଧ୍ୟମରେ ସମାଜର ପରିବର୍ତ୍ତନ ଅବଶ୍ୟ ସମ୍ଭବ । ମାତ୍ର, ଏହି ଦୁଇଟି ବ୍ୟବସ୍ଥା ଯଦି ଅପାରଗ ଓ ନିଷ୍କ୍ରିୟ ହେଇଯାଏ, ତେବେ, କେବଳ ଦେଶର ପ୍ରଗତିରେ ପ୍ରତିବନ୍ଧକ ଆସେ ନାହିଁ, ବରଂ ଜୀବନ ବଞ୍ଚିବାର ଯାବତୀୟ ସୁଖଦ ମୁହୂର୍ତ୍ତ ଗୁଡ଼ିକ ବି ଧୂଳିସାତ୍ ହେଇଯାଏ । ଡା. ଦାସ ଏ କଥା ବି କହନ୍ତି ଯେ ‘ବଦଳିବାର ବେଳ’ ଏକ ସମୟ ଚେତନା, ଗୋଟିଏ ହୃଦଯଭରା ଆକୁଳତାର ପରିପ୍ରକାଶ – ଜୀବନ ଓ ମୃତ୍ୟୁର ମଧ୍ୟସ୍ଥଳରେ ଅବସ୍ଥାପିତ ଜୀବନର କରୁଣ  ବ୍ୟାକୁଳତା ।

         ଡା. ନଗେନ ଦାସଙ୍କ ସହ ମୁଁ ଏକମତ । ଏକମତ, କବି କୃପାସିନ୍ଧୁ ନାୟକଙ୍କ କାବ୍ୟିକ ଉଚ୍ଚାରଣର ନେପଥ୍ୟରୁ ଜଳଜଳ ଦିଶୁଥିବା ସେଇ ସବୁ ଦୁର୍ଭାଗ୍ୟର କଳଙ୍କି ଦାଗ ସହ ଯୋଉ ରାଜନୀତିକ ପରାକାଷ୍ଠା ଗୋଟିଏ ଦେଶ ଓ ତା’ର ସାମାଜିକ ଏବଂ ଆତ୍ମିକ ପୃଷ୍ଠଭୂମିକୁ ସ୍ବର୍ଣ୍ଣିମଆଭାରେ ଜାଜୁଲ୍ୟ କରିବାର ସାମର୍ଥ୍ୟ ରଖେ, ସେଇ ରାଜନୀତିର କୁତ୍ସିତ- କ୍ଷମତା- ଲିପ୍ସା ମଣିଷକୁ ଗୋଟିଏ ମଞ୍ଚରେ ଏକାଠି ହେବାକୁ ତ ଦିଏନାହିଁ । ଅପିତୁ, ମଣିଷ-ସମାଜକୁ ବହୁଭାଗକରି ହିଂସା, ଇର୍ଷା, ପରଶ୍ରୀକାତରତାରେ ରକ୍ତାକ୍ତ ଗୋଟିଏ ନାଚାର ଭୂଖଣ୍ଡ ଉପରେ ଠିଆହେଇ ସ୍ବୈରତାନ୍ତ୍ରିକ ଶାସନ କରେ । ଯେତେ ରଙ୍ଗବେରଙ୍ଗ ଚିତ୍ରର ସ୍ବୌନ୍ଦର୍ଯ୍ୟରେ ସଜେଇଲେ ବି ସେଇ ଗଣତନ୍ତ୍ରର ମାଠିଆକୁ, ତା’ ଭିତରୁ ସେଇ ଫମ୍ପାମାଠିଆର ଥାଳତନ୍ତ୍ରୀ ସା-ରେ-ଗା-ମାର ଆଳାପ ହିଁ ଶୁଣାଯାଏ । କେତେ ବ୍ୟାକୁଳତା ଭରି ରହିଥାଏ ଏଠି କବିତାର ସ୍ବରରେ, ଅଥଚ ସେ ସ୍ବରର କଣ୍ଠରେ ଥାଏ ଗୋଟିଏ ଉତ୍ତପ୍ତ ଉଦ୍ଗୀରଣର ଦାମ୍ଭିକତା –

ସାତପଛର ଦେଶମାନେ

                  କେଡ଼େ ସୁନ୍ଦର ଆଗେଇ ଗଲେଣି

                  ଶୃଙ୍ଖଳାରେ, ସ୍ବଚ୍ଛଳତାରେ, ସଚ୍ଚୋଟ୍ଟତାରେ,

                  ସୁସ୍ଥ ପରିବେଶ ନିର୍ମାଣରେ,

                  ସେ ଦେଶକୁ ତୁଙ୍ଗନେତାଏ ଆମର

                  ସର୍କାରୀ ଗସ୍ତରେ ଫି’ ବର୍ଷ ଗଲେ, କିନ୍ତୁ

                  ଥାଳ ପାତିଦେବା ଛଡ଼ା

କିଛି ବି ଶିଖିଲେ ନାହିଁ

ସେ ଦେଶର ଆଗୁଆପଣରୁ… (ପୃଷ୍ଠା – ୨୦)

ଏବଂ ସମାନ ସମୟରେ ପୁଣି ସେଉଠୁ ଶୁଭେ ଗୋଟିଏ କ୍ଷୋଭ ଜର୍ଜର ସ୍ବଗତୋକ୍ତି –

                  ତେଣୁ ଯେ ଜାରିରହିଛି

ଅର୍ଥ-ବାହୁ-ଛଳ ବଳେ

ସିଂହାସନ ଦଖଲର ନିଶା, ପକ୍ଷାନ୍ତରେ

ଅଣାୟତ୍ତ ନଈବଢ଼ି ପରି,

ଦେଶରେ ବଢ଼ିଚାଲିଛି ବିଷମତା,

ବେରୋଜଗାରୀ,

ଶୋଷଣ, ଧର୍ଷଣ, ଦୁର୍ନୀତି, ଦରିଦ୍ରତା । (ପୃଷ୍ଠା – ୨୧)

ତେବେ, ଏଇଠି ଏଇଭଳି ଏକ ଅତିସରଳ ଓ ନିରୀହ ପ୍ରଶ୍ନ ବି ମୁଣ୍ଡ ଉଠାଏ ଯେ ଏତେ ସବୁ ସାମାଜିକ ଅବକ୍ଷୟ, ଏତେ ସବୁ ବିଷମତା, ବେରୋଜଗାରୀ, ଶୋଷଣ, ଦୁର୍ନିତି ଓ ଦରିଦ୍ରତା ପାଇଁ କେବଳ କ’ଣ ଏଇ ରାଜନୀତିକ ଦାଓପେଞ୍ଚ ହିଁ ଦାୟୀ…!! ଦେଶର ଯୁବପିଢ଼ି, ନବପ୍ରଜନ୍ମ, ବୁଦ୍ଧିଜୀବୀ ଓ ଜ୍ଞାନୀଗୁଣୀଙ୍କର ନୀରବତା, ନିଷ୍କ୍ରିୟତା, କୁଣ୍ଠା, ଦ୍ବିଧା ଓ ରୁଗ୍ଣଚିନ୍ତାଧାରା କ’ଣ ଜମା ଦାୟୀ ନୁହେଁ ?? ଏଇଭଳି କିଛି ଶିଶୁସୁଲଭ ନିରୀହପ୍ରଶ୍ନ ଘୂରିବୁଲୁଛି ‘ବଦଳିବାର ବେଳ’ ସନ୍ନିବେଶିତ କବିତାମାନଙ୍କର ଛତ୍ରେ ଛତ୍ରେ, ପତ୍ରେ ପତ୍ରେ… । ଯୋଉଦିନ ଏଇସବୁ ପ୍ରଶ୍ନର କାରଣ ଓ କରଣକୁ ଖୋଜିପାଇବେ ଆମର ଜ୍ଞାନୀଗୁଣୀଜନେ, ସେହିଦିନ ବଦଳିଯିବ ବେଳ ଓ ସଗର୍ବେ ଶିରୋତ୍ଥିତ କରି ଠିଆହେବ ସମୟର ରେଖାଖଣ୍ଡକୁ ରେଖାଙ୍କିତ କରି ।

         କବି, ସୁନାର ଚଢ଼େଇ ବୋଲୋଉଥିବା ଭାରତଦେଶର ଜଣେ କ୍ରାନ୍ତିଦର୍ଶୀ ସୁସ୍ଥ ନାଗରିକ, ଯାହାଙ୍କ ଛାତିତଳେ ମାଆ-ମାଟି – ମଣିଷକୁ ନିଃସର୍ତ୍ତ ଭଲପାଉଥିବାର ଦେଶାତ୍ମବୋଧକ – ନିରୀହତାଟିଏ ଗୁଣୁଗୁଣୁଉଥିବା ବେଳେ, ଅନ୍ୟ ଅନ୍ୟାନ୍ୟ ଦେଶର ସାମାଜିକ, ଅର୍ଥନୀତିକ ଓ ରାଜନୀତିକ ପ୍ରେକ୍ଷାପଟର ତୁଳନାତ୍ମକ ବିଭେଦ ତାଙ୍କୁ ଚକିତ, ଆକ୍ରାନ୍ତ ଓ ବ୍ୟତିବ୍ୟସ୍ତ କରିଦେଉଛି । ମାଆ-ମାଟି-ମଣିଷକୁ ଭଲପାଉଥିବାର ଅବବୋଧ ଓ ସ୍ବପ୍ନ ପ୍ରବଳଭାବରେ ଆନ୍ଦୋଳିତ କରୁଛି କାବ୍ୟପୁରୁଷକୁ ଓ ସେ ଦେଖୁଛି – କିଚ୍ କିଚ୍ କଳା କାଉ, ଚିଲ ଓ ଶାଗୁଣାମାନଙ୍କର ଭିଡ଼ ଭିତରେ, ଗୋଟଏ ବଗିଚାର ଏକ ଏକେଣା ଥୁଣ୍ଟାଗଛର ଡ଼ାଳରେ ସୁନାର ଚଢ଼େଇଟି ବସିରହିଛି ମୁଣ୍ଡପୋତି ନୀରବ, ନିଶ୍ଚଳ ଓ ନିଃପର !! ସେହି ପ୍ରତିକ୍ରିୟାର ତୁଳନାତ୍ମକ ଆକଳନ ଓ କ୍ଷୋଭ ହେଇ ପ୍ରତିକିତ ହେଇଛି ‘ବଦଳିବାର ବେଳ’ର କବିତାଗୁଚ୍ଛରେ – ଯାହା ଭିତରେ ରାଜନୀତିକ ଅପାରଗତା ସହ ଦେଶପ୍ରତି ମମତ୍ବବୋଧ, ମାନବିକ ମୂଲ୍ୟବୋଧ ଓ ପ୍ରତିବାଦର ଅଗ୍ନିକା ଦେଖିବାକୁ ମିଳେ; ଦେଖିବାକୁ ମିଳେ, ଭୋଟ, ନୋଟ, ନଟୀ ଆଉ ବଟିର କଳଙ୍କିତ ପଟା ପଟା ଦାଗ ।

                  ଅଭାବୀ ବସ୍ତିରେ ଦିନୁଦିନ ବଢୁଥିବା

                  ତାଟିଘର ପରି

ବଟିର ଭାଗଶେଷରେ ଗଢ଼ା

ଆମ ବସନ୍ତମୁହାଁ ରାସ୍ତାରେ ଏବେ

ଗଡ଼ୁଛି ଛୋଟବଡ଼ ଅଗଣିତ ଗାଡ଼ି… (ପୃଷ୍ଠା- ୨୩)

ମାଳମାଳ ଅଭାବୀ ବସ୍ତି, ଥାକଥାକ ବସନ୍ତମୁହାଁ ରାସ୍ତା, ମେହେନତି ମଣିଷର ପଞ୍ଜରାତଳୁ ବହିଆସୁଥିବା ସ୍ବେଦର ଆର୍ତ୍ତ ଓ ମାଗଣା ରାସନର ଧାଡ଼ିରେ ଠିଆହେଇଥିବା ଲୋକଙ୍କ ଥାଳଭିତରର କର୍ମ ବିମୁଖତା ଭିତରୁ କେମିତି ଦେଖାଯାଏ, ମେରୁଦଣ୍ଡ ଭାଙ୍ଗିଯାଇଥିବା ଗୋଟିଏ ଦେଶର ବାକରୁଦ୍ଧ ନିରକ୍ତ ମୁହଁ !! କେଜାଣି କୋଉ ଅଟ୍ଟାଳିକାର ଚାରିକାନ୍ଥର ଇଟାସନ୍ଧିରେ ହଜିଯାଇଥାଏ ଦେଶ ବିକାଶର ମୂଳମନ୍ତ୍ର ଶୃଙ୍ଖଳା, ସାଧୁତା ଓ ଦେଶାତ୍ମବୋଧର ସଂକଳ୍ପ.. ?? ଏଠି ବଟି ଆମର କୋଉକାଳୁ ଦେହସୁହା । 

                  ରାସ୍ତା, ପୋଲ, ଆନିକଟ, ବିଜୁଳିରୁ

ଯୁଦ୍ଧ ସରଜ୍ଞାମ ଯାଏ

ସବୁକୁ ଗିଳିଛି ବଟି ଉଈଭଳି,

ସର୍କାର ଯେଉଁଠି ସ୍ବୟ୍ଂ ବଟିର ବାଲ୍ମୀକି

ଚାକିରିଆ କାହିଁକି ବା ଉପୁରି ଛାଡ଼ିବେ ?

କେବଳ ଜନତା ହିଁ ଛଟପଟ

ଜ୍ଞାନୀଗୁଣୀ ନୀରବ ଦର୍ଶକ । (ପୃଷ୍ଠା- ୨୫)

ସେଇଠି କାବ୍ୟପୁରୁଷ ତା’ର ଚରମ ନିଷ୍କର୍ଷ ବି ଶୁଣାଏ…

କର୍କଟରୋଗର କୋଷ ପରି

ବଟି ତେଣୁ ଅଣାୟତ୍ତ, ଯାହା

ବିନାଶ କରିଚାଲିଛି ଆମ ନୈତିକତା ଓ

ବିକାଶର ପଥ । (ପୃଷ୍ଠା- ୨୫)

ପ୍ରତିଭା – ପଳାୟନ ବା Brain drain ଏବର ସମୟ ପାଇଁ ଏକ ସାଙ୍ଘାତିକ ଓ ସଂକ୍ରାମକ ବ୍ୟାଧି ପାଲଟିଯାଇଛି ଆମ ଦେଶ ପାଇଁ । ବର୍ତ୍ତମାନ ସମୟରେ ଅନେକ ବୟୋଜ୍ୟେଷ୍ଠ ପିତାମାତା ପ୍ରତିଭା ପଳାୟନ ପରବର୍ତ୍ତୀ ନିଃସଙ୍ଗତାରେ ଆକ୍ରାନ୍ତ ହୋଇ ଦୁର୍ବିସହ ଜୀବନ ଯାପନ କରୁଛନ୍ତି । ଯେତେ ଆର୍ଥିକ ସ୍ବାଧୀନତା ଓ ସ୍ବଚ୍ଛଳତା ଥିଲେ ବି ବୟସ୍କ ମାତାପିତା ଏଇ ବ୍ୟାଧିର ଥାଇ-ନଥିବା – ସମ୍ପର୍କର କାରୁଣ୍ୟ ଭୋଗୁଛନ୍ତି । ଏଇଠି ପରିଦୃଷ୍ଠ ହୁଏ ବିଶ୍ବବୋଧ ଓ ବିଶ୍ବାୟନ ଭିତରେ ପ୍ରକୃଷ୍ଠ ପ୍ରଭେଦ, ଯାହାର ପୃଷ୍ଠଭୂମି ଉପରୁ କେତେ ସମ୍ବେଦନଶୀଳ ଶୁଭେ କାବ୍ୟପୁରୁଷର ଉଚ୍ଚାରଣ ଓ ତତୋଧିକ ମର୍ମାନ୍ତିକ ଦିଶେ ତତ୍ପରବର୍ତ୍ତୀ ସାମାଜିକ ପ୍ରେକ୍ଷାପଟ ।

ପକ୍ଷୀମାନେ ଆହାର ବିହାର ଖୋଜି

କେଉଁ ସ୍ବଚ୍ଛଳ ଇଲାକାକୁ ଉଡ଼ିଗଲା ପରି

ଫି’ ବର୍ଷ ଏ ମାଟିର ମେଧାବୀ ପିଲାଏ

ପ୍ରବେଶିକା ପାରିଦେଇ ଚାଲିଯାଆନ୍ତି ବିଦେଶର

ବିଦ୍ୟାୟତନକୁ, ଯେଉଁଠୁ ପଢ଼ାପରେ ଗଙ୍ଗଦତ୍ତମାନେ

ଇଛାକରନ୍ତିନି ଆଉ

ଫେରିବାକୁ ପୁରୁଣା କୂଅକୁ ।  (ପୃଷ୍ଠା – ୨୬)

ଆଉ ତତ୍ପରବର୍ତ୍ତୀ ଚିତ୍ରର ଲୋତକାପ୍ଲୁତ ପ୍ରେକ୍ଷାପଟ, ଯେତିକି ହୃଦୟ ବିଦାରକ ଓ ସମ୍ବେଦନଶୀଳ, ସେତିକି ମର୍ମଦାହୀ ବି …

କୂଅରେ ରହିଯାଏ ବାପାମାଆଙ୍କ

କୋହଭରା ଛାତି

ଲୁହ ଛଳଛଳ ଆଖି

କେତେ ଆଶା ଅନ୍ତଭିଜା ସ୍ମୃତି … (ପୃଷ୍ଠା – ୨୬)

କେବଳ ବ୍ୟକ୍ତିଗତ ବା ସାମାଜିକ ମର୍ମଦାହ ନଥାଏ, ଏଇ ପ୍ରତିଭା-ପଳାୟନରେ; ବରଂ ଦେଶ ବିକାଶ କ୍ଷେତ୍ରରେ କେତେବଡ଼ ପ୍ରତିବନ୍ଧକ ତାହା ଦେଖିପାରେ ନାହିଁ ସାଧାରଣ ଆଖି !! ତା’ର ପରାଭବ କୌଣସି ଗୋଟିଏ ସମୟ ଖଣ୍ଡ ନୁହେଁ, ବରଂ ଏକ ଦୀର୍ଘସୂତ୍ରୀ ବିକାଶର ପଥକୁ ପ୍ରଭାବିତ କରିଚାଲେ ସାମାଜିକ, ଆର୍ଥିକ ଓ ରାଜନୀତିକ ଦୃଷ୍ଟିରୁ । ଏଥିପାଇଁ କାବ୍ୟପୁରୁଷର ପ୍ରଜ୍ଞା ଦାୟୀକରେ ପ୍ରଚଳିତ ଅବୈଜ୍ଞାନିକ ଓ ଅଣବାସ୍ତବ ଶିକ୍ଷାନୀତିକୁ ତଥା ବର୍ତ୍ତମାନ ଶୈକ୍ଷିକ- ପରିବେଶକୁ, ଯାହା ଅବଶ୍ୟ ପ୍ରଣିଧାନ ଯୋଗ୍ୟ ।

ପ୍ରାଥମିକ ସ୍କୁଲ ହେଲା

ମଧ୍ୟାହ୍ନ ଭୋଜନଶାଳା,

ଶିକ୍ଷକଙ୍କ ଭେଟମିଳେ

ସଉଦାହାଟରେ, ତେଣେ

ଉପସ୍ଥାନ ପକେଇ ପିଲାଏ

ଖାଇସାରି ଘରମୁହାଁ

ସର୍କାରୀ ସାଇକେଲରେ । (ପୃଷ୍ଠା – ୨୮)

+ + + + +

ଏ ମାଟିର ଶିକ୍ଷା, ଶିକ୍ଷାଳୟ ଓ

ସଂସ୍କୃତି ବୋଇତ ଯାଉଅଛି ଡୁବି । (ପୃଷ୍ଠା – ୨୯)

‘ବଦଳିବାର ବେଳ’ର ଚତୁର୍ଥସର୍ଗରେ କଳିଙ୍ଗ ଯୁଦ୍ଧର ପ୍ରତୀକାବତରଣରେ ଧର୍ମର ଅର୍ଥ ଧର୍ମର ପରିଭାଷା ଓ ପରିଧି ସମ୍ପର୍କରେ ଏକ ଭାବୋଜ୍ବଳ ଚିତ୍ର ଅଙ୍କନ କରନ୍ତି କବି, ମହାଉପନିଷଦର “ବସୁଧୈବ କୁଟୁମ୍ବକମ’’ର ସାର୍ଥକ ବ୍ୟାପ୍ତି ଓ ବ୍ୟୁତ୍ପତ୍ତିକୁ ନେଇ ….

ଅୟଂ ନିଜଃ ପରୋ ବେତି ଗଣନା ଲଘୁଚେତସାମ୍ ।

ଉଦାର ଚରିତାନାମ୍ ତୁ ବସୁଧୈବ କୁଟୁମ୍ବକମ୍ ।।

ନିଜ ପର ଲଘୁଚେତନାର ଉର୍ଦ୍ଧ୍ବରେ ସମଗ୍ର ବସୁଧାକୁ ଗୋଟିଏ କୁଟୁମ୍ବ ବୋଲି ବିଚାର କରୁଥିବାର ଉଦାରତା ଏବେ କୋଉଠି ? ଏତେ ସଂକୀର୍ଣ୍ଣତା… ,ଏତେ ଅସହିଷ୍ଣୁତା କୋଉଠୁ ପଶିଆସିଲା ଧର୍ମ ଭିତରକୁ !!

ନଦୀର ନିର୍ମଳ ଜଳ

କେଉଁ କାର୍ଖାନାର ଆବର୍ଜନାରେ

ପ୍ରଦୂଷିତ ହେଲାପରି

ଧର୍ମର ସାର୍ବଜନୀନତା ଭିତରକୁ

ଅନୁପ୍ରବେଶିଲା ସେ କାଳର

ଶାସକୀୟ ଅତ୍ୟାଚାର, ବିଚାର ଓ ଅହଂକାର । (ପୃଷ୍ଠା- ୩୧)

ଏବେ ଧର୍ମ କହିଲେ ସାଂପ୍ରଦାୟିକତାର ବିଷବୃକ୍ଷ ! ଧର୍ମ କହିଲେ, ଯୁଦ୍ଧର ଆତଙ୍କ । ଧର୍ମ କେବଳ ରହିଯାଇଛି ଗୋଟିଏ ଶବ୍ଦ ହେଇ ଅଭିଧାନ ଓ ଭାଷାକୋଷରେ । କାବ୍ୟପୁରୁଷର ଚିନ୍ତା ଓ ଚେତନାର ଇଙ୍ଗିତ ଯଥାର୍ଥ, ଯାହାକୁ ସେ ଖୁବ୍ ସରଳ- ତରଳ- ପ୍ରାଞ୍ଜଳ ଶବ୍ଦ ଓ ଚିତ୍ରର ଗୁମ୍ଫନରେ ଆଲୋକିତ କରନ୍ତି ଏଇସବୁ ପଂକ୍ତିମାନଙ୍କରେ ତାଙ୍କର କ୍ଷୋଭ ଜର୍ଜର ପ୍ରଶ୍ନ ସହ ।

ଧର୍ମ ପାଲଟିଗଲା ସାଂପ୍ରଦାୟିକତାର

ବିଷବୃକ୍ଷ, ଯା’ ଛାଇରେ

ଅବାଧେ ଆଶ୍ରିତ ହେଲା

ଶାସନ ଓ ସିଂହାସନ ଯୁଗ ଯୁଗାନ୍ତର । (ପୃଷ୍ଠା- ୩୧)

+  +  +   +

କାଠହଣା ପକ୍ଷୀ ପରି କବି

କେତେକାଳ କଲମରେ

ହାଣି ଚାଲିଥିବ ବଢ଼ନ୍ତା ବିଷବୃକ୍ଷକୁ

କେତେକାଳ ନିର୍ନ୍ନିମେଷ ନୟନରେ

ଚାହିଁ ରହିଥିବ

ଦୂରକୁ ଦୂରକୁ ଘୁଞ୍ଚି ଘୁଞ୍ଚି ଯାଉଥିବା

ଉଦୟାଚଳକୁ….

କେତେକାଳ ? (ପୃଷ୍ଠା – ୩୨)

ଅନ୍ୟ ଅନେକ ପଂକ୍ତିରେ  ବି ଏଇ ଧର୍ମର ବିଷବୃକ୍ଷର ଛାୟାର କରାଳ-ବଳୟ ବେଶ୍ ପରିଦୃଷ୍ଟ ହୁଏ । କ’ଣ ଚାହେଁ କ୍ରାନ୍ତିଦର୍ଶୀ କବି ?? ଟିକିଏ ଭଲପାଇବା… ଟିକିଏ ପ୍ରେମ ନା…. !! ଯୋଉ ପ୍ରେମ ଦେହ ଓ ଦେହଳୀରୁ ଉର୍ଦ୍ଧ୍ବରେ, ଭୋଗ ଓ ଭାଗ ଠାରୁ ଦୂରରେ ଏକ ଦିବ୍ୟାନୁଭବର କଥା କହେ, ଗାଏ ଏକ ପାରସ୍ପରିକ- ସହଭାଗିତା ଓ ଆତ୍ମିକ- ଅନ୍ତରଙ୍ଗତାର ମାନବଧର୍ମର ଗାଥା । ଯାହା ସର୍ବଶେଷରେ ପୁନଃ କେନ୍ଦ୍ରିତ ହୁଏ ସେଇ ମୂଳବିନ୍ଦୁ ମାଆ-ମାଟି- ମଣିଷ ପାଖରେ, ଯାହାର ସଂସ୍ଥାପନା ଅର୍ଥେ, ଯୋଉ ହାତରେ ସେ ଧାରଣ କରିପାରେ ପ୍ରସ୍ପୁଟିତ ଗୋଲାପ- କଳିକା… ସେଇ ହାତରେ ସେ ଧାରଣା କରିପାରେ କଲମ ବି.. ବଲ୍ଲମ ବି… ମସି ବି.. ଅସି ବି… !!

ସଭିଙ୍କର ଜୀବନ ପ୍ରବାହ

ଯେଉଁ ବସୁଧାରେ

ସହ ଭାଗିତାରେ

ଦିବ୍ୟ କୁଟୁମ୍ବୀୟ ହେବା କଥା

ତାହା ସଂକୀର୍ଣ୍ଣ ସ୍ବାର୍ଥରେ

ପାଲଟିଲା ସାତପର, ବିଚ୍ଛିନ୍ନ ଓ

ବିଭୀଷିକା ମୟ । (ପୃଷ୍ଠା – ୫୧)

ତଥାକଥିତ ବିଶ୍ବାୟନ ବା globalisation କେନ୍ଦ୍ରୀଭୂତ ହେଇ ରହିଗଲା ଉତ୍ପାଦିତ ବସ୍ତୁର ବିଶ୍ବବଜାର ଭିତରେ…. ଯୋଉଠି, ବିଶ୍ବବୋଧର ବସୁଧୈବ କୁଟୁମ୍ବକମର ପ୍ରଚ୍ଛାୟାର ପ୍ରଚ୍ଛାୟା ବି ଦୃଶ୍ୟ ହୁଏନାହିଁ ।  ବସୁଧୈବ କୁଟୁମ୍ବକମର ଦ୍ୟୁତି ଯେତିକି ଦୀପ୍ତ ଓ ବ୍ୟାପ୍ତ, ବିଶ୍ବାୟନରେ ବିଶ୍ବବୋଧର ଚେହେରା ଓ ଚେତନା ସେତିକି ସଂକୁଞ୍ଚିତ ଓ କୁତ୍ସିତ । ହେଲେ ବି କ’ଣ ଏହି ଅସ୍ଥିରମାନସିକତାର ଅସହିଷ୍ଣୁ ମଣିଷ ଖୋଲିପାରୁଛି କି ଅନ୍ତଃଚେତନାର ଦ୍ବାର… !!

ଏବେ ଉଦୟ ରାଗର ଆଭା

ଛୁଇଁବାର ବେଳ

ଖୋଲିଦିଅ ଅନ୍ତଃଚେତନାର ଦ୍ବାର

ଅଭୟାରଣ୍ୟ ପରି ପୃଥ୍ବୀ କି ନୁହଁଇ

ଅଭୟ ରଖିବାର ସ୍ଥଳ ? (ପୃଷ୍ଠା – ୫୨)

+  +  +  +  +

ପୃଥିବୀ ତ ଦିଗ୍ ବିଦିଗେ ବିଚ୍ଛୁରିତ

ସାରା ମଣିଷ ଜାତିର ଆଦିକୋଳ

ଥରେ ଅନୁଭବ କର

ମାତୃବତ୍ କୋଳେଇ ନବାର

ତା’ର ସ୍ନେହାତୁର ଆଲିଙ୍ଗନ

ଆକାଶର ଯେ କୌଣସି ଆଡ଼ୁ

ଛୁଟି ଆସୁଥିବା ମେଘଖଣ୍ଡ ସମ । (ପୃଷ୍ଠା – ୫୩)

ପ୍ରତିନିୟତ ବଦଳୁଥିବା ପ୍ରକୃତି, କବିତା ଓ ସମସ୍ତ ସର୍ଜନ କଳା ସମାଜର ରଚନାତ୍ମକ ଦିଗକୁ କେବଳ ଆଲୋକିତ କରେନାହିଁ, ବରଂ ଶାଣିତ, ତୀକ୍ଷ୍ଣ ଓ ସଂସ୍କାର୍ଯ୍ୟ କରିବା ସହିତ ଉଭୟ ବ୍ୟକ୍ତି ଓ ସମାଜର ଜୀବନାନୁଭବ ଏବଂ ଜୀବନବୋଧକୁ ଉଜ୍ଜିବିତ ବି କରଉଥାଏ । ବ୍ୟାସଦେବ, ବାଲ୍ମୀକିଙ୍କ କାବ୍ୟଧାରା ଠାରୁ ଅଧୁନାନ୍ତନ ସଚ୍ଚି ରାଉତରାୟ, ବିନୋଦ ନାୟକ, ରମାକାନ୍ତ ରଥ, ରାଜେନ୍ଦ୍ର କିଶୋର–ହରପ୍ରସାଦ ଏପରି କି ସତ୍ୟନାରାୟଣ–ମୃଗେଶ–ସଂଘମିତ୍ରା ଯାଏଁ, ଯୋଉ ସାମାଜିକ ସର୍ଜନାତ୍ମକ ଭାବଧାରାକୁ ଉନ୍ମୁଖ କରିଆସୁଛନ୍ତି, ତାହାକୁ ବିଶ୍ବାୟନ ଓ ଜଗତିକରଣର ଆଢୁ଼ଆଳରେ ଏକ ସୌଦାଗରୀ – ସଂସ୍କୃତି ତଥା ବିସ୍ତାରବାଦୀ ମନୋବୃତ୍ତି ଦିଗଭ୍ରଷ୍ଟ କରିଦେଉଛି । ଏଥିପାଇଁ ନୀଚ- ରାଜନୀତିକ ଦୂରାଭିସନ୍ଧି ଏକ ପ୍ରମୁଖ କାରଣ ।

ଏତେ ସବୁ ସତ୍ତ୍ବେ ବି ନିରାଶ ହୁଏନି କବି । ମନ ତଳର କୋଉ ସାତତାଳ ପଙ୍କ ତଳେ ଫରୁଆ ଭିତରେ – ଫରୁଆ -ଭିତରେ ଫରୁଆ- ଭିତରେ ଜଳୁଥାଏ ସେଇ ଅଖଣ୍ଡ ଆଶାଦୀପ୍ତ ପ୍ରଦୀପ । ଏଇ ରାତିର ଚତୁଃପ୍ରହର ଅତିକ୍ରାନ୍ତ ହେବା ଉତ୍ତାରେ କଟିବ ଇ କଟିବ ସେଇ ଅମା ଅନ୍ଧକାର ଓ ପୂର୍ବାଚଳକୁ ଲାଲିମାରେ ରଙ୍ଗେଇ ଉଇଁବ ଇ ଉଇଁବ ସେଇ ସୁଦିନ !!

ଦିନେ ହେଲେ ଆସିବ ସୁଦିନ,

କାଳରାତ୍ରୀର କାରା ଭାଙ୍ଗି ଅରୁଣ ଉଠିଲା ପରି

ଜାଗ୍ରତ ହେବେ ଜଗତର ଜନ

+  +  +  +

ସସାଗରା ଧରାରୁ ଉତ୍ଥିତ ଅମୃତ ବିନ୍ଦୁରେ

ଜୀବନ୍ୟାସ ପାଇବ

ଅଖଣ୍ଡ ବସୁଧା ପାଇଁ ପୂର୍ବସୂରୀଙ୍କ

ମୁମୂର୍ଷିତ ସ୍ବପ୍ନ । (ପୃଷ୍ଠା – ୪୯)

ପୁନଶ୍ଚ,

ମନ୍ଦିର ମସଜିଦ, ଗୀର୍ଜା, ଗୁରୁଦ୍ବାରା

ପାଲଟିବେ ମାନବୀୟତାର ସାମୂହିକ ସ୍ବର

ହଟିଯିବ ସବୁ ସଂକୀର୍ଣ୍ଣତା ଜାତି ଧର୍ମ ବର୍ଣ୍ଣ

ଶୋଷକ ଶୋଷିତ ଆଦି ଯେତେକ ବୈଷମ୍ୟ…

ଦୁଃଖ ଦୈନ୍ୟ ରୋଗ ଶୋକ ସଂକଟର

ଅବସାନ ହେବ

ଏକ କୁଟୁମ୍ବିତ ବିଶ୍ବ ପାଇଁ

ମହାସମ୍ଭାବନାର ସିନ୍ଦୂରା ପାଟିବ । (ପୃଷ୍ଠା – ୮୨)

‘ବଦଳିବାର ବେଳ’ର ପନ୍ଦରତମ କବିତାର ଛାତିତଳୁ ଗୁଣୁଗୁଣେଇ ଶୁଭୁଥିବା ଉଚ୍ଚାରଣକୁ ଟିକିଏ କାନାନ୍ତୁ ନା … !!

କେଉଁ ପ୍ରତୀକ୍ଷିତ ପୂର୍ଣ୍ଣତାର ପ୍ରତିବିମ୍ବ ହୋଇ

ପଶ୍ଚିମ ଭୂଭାଗର ଉଦୟାଚଳରୁ

କିଛି ଦିନ ତଳେ

ସିନ୍ଦୂରା ଫଟାଇଥିବା ନବଜାତ ପୌତ୍ର… (ପୃଷ୍ଠା – ୬୭)

+  +  +  +

ଦରୋଟି ପାଟିରେ ସିଏ ସ୍ବଭାବତଃ ଡାକିବ ମେଘକୁ

ଆ’ ମେଘ ବୋଲି

ବର୍ଷାକୁ ଆଦେଶିବ ରହିଯାଆ ବର୍ଷା …. (ପୃଷ୍ଠା – ୬୮)

ଦୂରନ୍ତ ପଶ୍ଚିମର ଉଦୟାଚଳରେ ସିନ୍ଦୂରା ଫଟେଇଥିବା ପୌତ୍ର ଆଗମନ, କାବ୍ୟପୁରୁଷକୁ ଆନମନା କରିଦେବା ସହ ଏକ ନବପ୍ରକାଶର ଉଷ୍ମାରେ ଉଦ୍ଭାସିତ କରିଛି । ଏତେ ସବୁ ସାମାଜିକ ପୂତିଗନ୍ଧମୟତା ସତ୍ତ୍ବେ ନବପ୍ରଜନ୍ମ ଯେ ପରବର୍ତ୍ତୀ ପୃଥିବୀକୁ ପୁଣିଥରେ ଧୋଇ ପୋଛି ନିଜ ନିଚିପର କରିଦେବ – ଏହିଭଳି ସବୁଜ ଛନଛନ ଆସ୍ଥାଟିଏ କୁଆଁ ମେଲୁଛି କାବ୍ୟପୁରୁଷର ଚେତନାରେ ।

ସେତେବେଳେ କେଜାଣି

ମହାତ୍ମାଙ୍କ ସତ୍ୟ, ଶାନ୍ତି, ଅହିଂସା ମନ୍ତ୍ରର

ବିକିରଣରେ ବଦଳିଯାଇଥିବ

ଏଇ ବିଭାଜିତ, ବିକ୍ଷୁବ୍ଧ ଓ

ବୋମା – ବନ୍ଧୁକରେ ସଂପ୍ରସ୍ତ ଭୂଗୋଳର

ଚିତ୍ର ଓ ଚରିତ୍ର…. (ପୃଷ୍ଠା – ୬୯)

ବିବର୍ତ୍ତନର ଧାରାରେ ଅହରହ ବଦଳି ଚାଲିଥିବା ମଣିଷର କ୍ରମୋନ୍ନତ ସଭ୍ୟତା, ଏବେ ଏକ ବିଜ୍ଞାନସମ୍ମତ ମଞ୍ଚ ଉପରେ ଦଣ୍ଡାୟମାନ ହେଇଛି ସତ, ମାତ୍ର ଶିଖର ନଥିବା ସଫଳତାର ଶୀର୍ଷରେ ଆରୂଢ଼ ହେବାର ଭୂତ ତା’ର ମଣିଷପଣିଆକୁ ବସ୍ତୁରେ ପରିଣତ କରିଦେଇଛି । ବସନ୍ତରେ ଗଛରୁ ପତ୍ର ଝଡି଼ପଡ଼ିବା ପରି ତା’ର ମନ ଓ ମସ୍ତିଷ୍କରୁ ଛିଡ଼ିଛିଡ଼ି ଯାଇଛି ସେଇ ସବୁ ସମ୍ବେଦନଶୀଳତା, ଆବେଗ, ଆବେଶ, ରୋମାଞ୍ଚ ଓ ସ୍ପର୍ଶକାତରତା । କିନ୍ତୁ ଅଚିରେ ବଦଳିଯିବ ଏଇବେଳ ।

ପୁନଶ୍ଚ ସେଇ ଶେଷ ପଂକ୍ତି….

ମଣିଷ ମଣିଷ ହେଲେ ହିଁ

ଏ ବେଳ ବଦଳିଯିବ

ହଟିଯିବ ଅମଣିଷକୃତ ଏଇ ଯୁଦ୍ଧର ପସରା ….

କିଛି କହେ ନାହିଁ କବି । କିଛି କରେନାହିଁ କବିତା । କିନ୍ତୁ କବିତା –

ଦେଖେଇ ଦଉଥାଏ ପ୍ରତିଥର

ସମୁଦ୍ରକୁ ବହିଯାଇଥିବା  ନଈର ପରିତ୍ୟକ୍ତ ଘାଟ

ଗହୀର ଗଣ୍ଡରେ ବୁଡ଼ି ମରିବାକୁ ଯାଉଥିବା ତାରାଙ୍କର

କାକୁସ୍ଥ ପାଦ ….

ଅନ୍ଧାର ଦେହରେ କୋଉଠି କଳଙ୍କିର ଦାଗ

କୋଉଠି ଧୂଳିର ପରସ୍ତ

ଏବଂ ଏତିକି ଯଥେଷ୍ଟ । (କବିତା: ‘ଏବଂ ଏତିକି ଯଥେଷ୍ଟ’ – ତ୍ରିନାଥ ସିଂହ)

କେବଳ ‘ବଦଳିବାର ବେଳ’ ନୁହେଁ, ଗତ ଛଅଦଶନ୍ଧିଧରି ଓଡ଼ିଆ କାବ୍ୟାକାଶକୁ କବିତାର ଆବେଗ, ସଂବେଗ ଓ ଭାବାବେଗର ଛନ୍ଦରେ ମନ୍ତ୍ରମୁଗ୍ଧ କରିଆସିଥିବା କବି କୃପାସିନ୍ଧୁ ନାୟକଙ୍କର ପ୍ରାୟ ସମସ୍ତ ଦସ୍ତଖତ ତାହା ‘କାଗଜଘରର କାବ୍ୟ’ ହେଉ କି ‘ବାୟା ଚଢ଼େଇର ଦୁଃଖ’, ‘ବ୍ୟଥା ଯେଉଁଠି ଥିଲା’, ‘ଭଙ୍ଗାସମୟ’, ‘ନୀରବତାର ଶବ୍ଦ’…, ସବୁଥିରେ ସେଇ ସାମାଜିକ ଅବକ୍ଷୟ ଓ ଅଭାବବୋଧ, ଛିଡ଼ିଛିଡ଼ି ଯାଉଥିବା  ସମ୍ପର୍କର ଆର୍ତ୍ତ ଏବଂ ମାଆ-ମାଟି-ମଣିଷର କ୍ଳେଶ ଓ ସଂଘର୍ଷର ସ୍ବର ଶୁଣାଯାଏ । ଉପରୋକ୍ତ କବିତା ପୁସ୍ତକଗୁଡ଼ିକରେ ଆବେଦନ ଓ ଅବବୋଧକୁ ନେଇ ଉପମା, ଚିତ୍ରକଳ୍ପ ଓ ମେଟାଫରର ପ୍ରୟୋଗ କବିତାର ଆଙ୍ଗିକକୁ ଯେତିକି ଦୃଢ଼ ଓ ମାଧୁର୍ଯ୍ୟମୟକରି ତୋଳିଛି, ତା’ର ଆତ୍ମିକ ଦିଗକୁ ବି ତତୋଧିକ ମଞ୍ଜୁଳ, ରସସିକ୍ତ ଓ ରହସ୍ୟଘନ କରେଇଛି, ଯାହା କାବ୍ୟମୋଦୀ ପାଠକର ମନନଶୀଳତାକୁ ରୋମାଞ୍ଚିତ କରିଆସିଛି । ଅଥଚ, ‘ବଦଳିବାର ବେଳ’ ପୁସ୍ତକରେ କବି ଏହି ମେଟାଫର୍, ଉପମା ଓ ଚିତ୍ର ନିର୍ମାଣ ଠାରୁ ଅପେକ୍ଷାକୃତ ଦୂରତା ଅବଲମ୍ବନ କରିଛନ୍ତି, ଯାହା ପ୍ରାଣକୁ ଉଲ୍ଲସିତ କରିଦେବା ପରି କ୍ଷଣଟିକୁ ମ୍ଳାନ କରିଦେଇଛି ।

ତେବେ ଏତିକି ଅନୁମେୟ ଯେ ‘ବଦଳିବାର ବେଳ’ରେ କାବ୍ୟପୁରୁଷ ଅଧିକ ପାଠକ ସଚେତନ ଓ ଚରିତ୍ର ସଚେତନ ହେଇଉଠିଛନ୍ତି । ଯୋଉମାନଙ୍କର ସ୍ବରକୁ ବାନ୍ଧିରଖିଛି କବିତା, ଯୋଉମାନେ କବିତାର ଚିତ୍ର ଓ ଚରିତ୍ର ଏବଂ ଯୋଉମାନେ ତାଙ୍କର ଦୈନନ୍ଦିନ ଜୀବନପ୍ରବାହରେ ଓତୋଃପ୍ରୋତଃ ମାଆ-ମାଟି-ମଣିଷ ସହ, ସେହିମାନଙ୍କର ଆହୁରି ନିକଟତର ହେଇଛି କାବ୍ୟପୁରୁଷ, ଅଯଥା ଆଟୋପରୁ ମୁକୁଳି ଆସି । କାରଣ, ସାଧାରଣ ମଣିଷ ତା’ର ଜୀବନପ୍ରବାହ ଭିତରେ ଆମର ବ୍ୟବସ୍ଥା, ଆମର ଜୀବନଚର୍ଯ୍ୟା ଓ ତା’ ମଧ୍ୟରେ ରହିଯାଉଥିବା କଳଙ୍କିର ଦାଗ ଓ ଧୂଳିର ପରସ୍ତକୁ ପ୍ରତ୍ୟକ୍ଷ କରିବା ଉଚିତ । ତେବେଯାଇ ସେ ସଙ୍ଗଠିତ କରିପାରିବ ନିଜକୁ,  ସମାଜର ଦର୍ପଣରୁ ପୋଛିଦେବା ପାଇଁ ସେ ଧୂଳି, ଧୂଆଁ ଓ କଳଙ୍କି ଦାଗ ସବୁକୁ ।

ବିଗତ ଶତାବ୍ଦୀର ଅଶିଦଶକ ବେଳକୁ କବିତାର ଧରା ଆଉ ଧାରା, କବିତାର ରୂପ ଆଉ ସ୍ବରୂପ ଅତିବୌଦ୍ଧିକତା ହେତୁ ଦୁର୍ବୋଧ୍ୟତାର କାଠଗଡ଼ା ଭିତରକୁ ଚାଲିଯାଇଥିଲା । ଅତିନ୍ଦ୍ରୀୟ ଚେତନା ସମ୍ବଳିତ ଛାୟାକଳ୍ପ, ବିମ୍ବ, ଚିତ୍ରବିଧି ଓ ବୀଥି କବିତାକୁ ପାଠକଠାରୁ ଦୂରେଇନେଇଥିଲା । ସେଇ ସମୟ ଏବେ ଅତିକ୍ରାନ୍ତ । କବିତା ପୁନଶ୍ଚ ଫେରିଛି ପାଠକ ନିକଟକୁ ତା’ର ରହସ୍ୟବୋଧର ସୌନ୍ଦର୍ଯ୍ୟାନୁଭବ ଓ ସାଙ୍ଗୀତିକତାକୁ ନେଇ । କବିତା ଫେରିଛି ତା’ର ଚିତ୍ର ଓ ଚରିତ୍ରମାନଙ୍କ ପାଖକୁ ବି ଅନ୍ତରଙ୍ଗ ଅନୁଭବ ନେଇ – ଯେମିତି ନିର୍ଜନରାତିରେ ଆକାଶ ଓହ୍ଲେଇ ଆସେ ପାହାଡ଼ ମଥାନକୁ ।

ବୋଧହୁଏ, ଏଇଥିପାଇଁ ‘ବଦଳିବାର ବେଳ’ର ସ୍ବର ଓ ସ୍ବାକ୍ଷର, ଆବେଦନ ଓ ଅବବୋଧ ସହ ଛଳ ଆଉ ଶବ୍ଦ ବି ଏତେ  ସରଳ, ତରଳ, ପ୍ରାଞ୍ଜଳ…. ଅଥଚ, ସ୍ପଷ୍ଟ ଓ ରୋକଠୋକ୍, ଆମର ପଖାଳ କଂସା ପରି ।

There are 2 comments

  1. କବି ଡଃ କୃପାସିନ୍ଧୁ ନାୟକ ଙ୍କ ” ବଦଳିବାର ବେଳକୁ” ଆପଣଙ୍କ ସମୀଚୀନ ସମୀକ୍ଷା ଆପଣଙ୍କ ଗୁରୁ ଗମ୍ଭୀର ସ୍ୱର ରେ ଖୁବ୍ ଭାବସ୍ପର୍ଶୀ ହୋଇ ପାରିଛି
    ଆପଣଙ୍କ ଉଦ୍ୟମକୁ ଶତ ପ୍ରଣାମ
    ସମଗ୍ର ଓଡ଼ିଆ ସାହିତ୍ୟକୁ ଏକ ନବଦିଗନ୍ତର ଠିକଣା ଦେବାର ପ୍ରୟାସ ଆପଣଙ୍କ ନିଶ୍ଚୟ ସଫଳ ହେବ ।
    ନମସ୍କାର ସାର୍

    1. ଧନ୍ୟବାଦ ପ୍ରତାପବାବୁ।
      ଆପଣଙ୍କର ଏଇ ଉତ୍ସାହପ୍ରଦ ମନ୍ତବ୍ୟ ଆମକୁ ଅଧିକ ଶକ୍ତି ଓ ସାମର୍ଥ୍ୟ ଦେବ, ନିଃସନ୍ଦେହରେ । ଅଶେଷ ଭଲପାଇବା ସହ ସମ୍ମାନ…

Leave a Reply

Your email address will not be published. Required fields are marked *