ସ୍ବାଧୀନ ଭାରତ
।। ଆର୍ତ୍ତତ୍ରାଣ ମହାପାତ୍ର ।।
ସ୍ବାଧୀନତାର ସତସ୍ତରୀ ବର୍ଷ ପରେ ମଧ୍ୟ
ତୁମେ ଆମ ଛାତିର ପଞ୍ଜରା ଉପରେ
ବିଛାଇ ଚାଲିଛ କିସମ କିସମ ଘାସର ଗାଲିଚା
ଆମ ରକ୍ତର ଶିଉଳି ଉପରେ ତୁମ ସଉକର ଫୁଲବଗିଚା
ଆମ ଅୟୁତ ମଜୁରୀର ହାଡ଼ ଉପରେ
ତୁମେ ଗଢ଼ିଚାଲିଛ ବହୁ ଇମାରତ୍
ଆମ ଝାଳ ଓ ଲହୁ ପିଇ
ତୁମର ପୃଥୁଳକାୟ ଚର୍ବିଳ ଦେହ ।
ତୁମେ କୁହ ଆମ ପିଲା
ଜନ୍ମରୁ ହତଭାଗ୍ୟ ଗଜମୁରୁଖ
ତୁମ ପିଲାଏ ଆମ ଝାଳ ଓ ନିଃଶ୍ବାସରେ
ବିଦେଶ ଯାଆନ୍ତି ଉଡ଼ି, ପାଠପଢ଼ି
ତୁମର ଠାଣି ଚାହାଣି ରାଜକୀୟ
ତୁମେ ଥରୁଟେ ଦେଲେ ହୁକୁମ୍
ଆମେ କହୁ, ଆଜ୍ଞା ମଣିମା ହଜୁର ।
ତୁମେ ଥରୁଟେ ହାଇ ମାରିଲେ
ଆମ ଗୁହାଳର ହମ୍ବାରଡ଼ି ବଦଳେଇ
କାରଖାନାରୁ ପୁଙ୍ଗା ବାଜେ
ତାରା ଭର୍ତ୍ତି ଆକାଶ ହଜେଇ
ଆମ କ୍ଷେତରେ ଧୂଳି ଅଙ୍ଗାର ପଡ଼େ
କଳାପାଉଁଶ ଉଡ଼ି ହୋଇଯାଏ ପଥର ।
ତୁମ ବିକାଶର ଡେଙ୍ଗୁରାରେ
ଆମ ଗୁହାଳ ଭାଙ୍ଗେ, ଭାତହାଣ୍ଡି ଉଠେ
ପୋଖରୀ ଶୁଖେଇ, ପାଟ ନଈ ନାଳ
ନୟନଯୋରୀ ଶୁଖି ଆଁ କରେ ।
ବାଡ଼ି ନେଉଟିଆ କିଆରିରେ
ପରସ୍ତ ପରସ୍ତ କଳା କସରା ଧୂଳି ଜମେ
ବାଡ଼ିର ଖଡ଼ା, ଢିଅ ବାଇଗଣ ସାତ ସପନ ହୁଏ ।
ଆମେ ଶିକା ବାଉଁଙ୍ଗିରେ ଭାତହାଣ୍ଡି
କୂଲା ନାଳିଆ ପାଛିଆ ଧରି ବୁଲୁ, ବାସର ସନ୍ଧାନରେ ।
ଘଞ୍ଚ ଅରଣ୍ୟରୁ ଟାଙ୍ଗରା ପାହାଡ଼ ବୁଲି ବୁଲି ହତାଶ ହେଉ,
ଶେଷରେ ସହରତଳି ବସ୍ତିରେ ପଲାମାରି ଜୀବନ ବିତାଉ ।
ଯେଉଁଠି ପଚା ଗନ୍ଧିଆ ନଳାପାଣି
ହରଦମ୍ ପ୍ରବାହିତ ହେଉଥାଏ
ଲାଙ୍ଗୁଡ଼ିଆ ପୋକ ବାଲୁବାଲୁ
ଗଣଗଣିଆ ମାଛିଙ୍କର ହେଉଥାଏ ଭିଡ଼
ସେଇଠି ଥାଏ ଆମମାନଙ୍କର ଘର ।
ଇଏ ଆମ ଭାରତବର୍ଷ
ଏଠି ରାତି କେବେ ହୋଇନାହିଁ ଶେଷ
ଅନ୍ଧାର ରାତି ଭିତରେ ଜୀବନ ଖୋଜୁଛି ଛିଦ୍ରବାଟ ।
ରାଜା ଜମିଦାର ତସକର୍ ଯେତେ
ସ୍ବାଧୀନ ଭାରତ ତାଙ୍କରି ଦେଶ ।
ଖାଲି ପେଟରେ ଜୟଗାନ କର
ସ୍ବାଧୀନ ଆମର ଭାରତବର୍ଷ ।।
ରାଉରକେଲା, ୯୪୩୮୨୪୫୩୭୬