ଶୂନ୍ୟସଂପର୍କ
।। ଅନ୍ନପୂର୍ଣ୍ଣା ମହାନ୍ତି ।।
ହଁ ଶୁଣିଲେ
ହସର ଫୁଆରା
ନା ଶୁଣିଲେ
ନାହିଁ ନଥିବା ଅନ୍ଧାର
ଝଡ, ବାତ୍ୟା ଘୋଟିଯାଏ
ଲାଗେ ଏ ପ୍ରଳୟ
ନା ଭାଙ୍ଗି ଯାଉଥିବା
ସ୍ବପ୍ନର ମୁହ୍ୟମାନ ସ୍ଥିତି !
ତୁମକୁ ହେଜିବା ଅବିରତ
ତମେ ନ ବୁଝିବା ସହଜାତ
କଥା ତ ଏତିକି ।
କେଉଁ ନାମରେ ନାମିତ
ଏ ସମ୍ପର୍କର ବାଲିବନ୍ଧ ?
ଠିକ୍ ନା,
କଥା ନହେଲେ କଷଣ
କଥା ନଥାଇ କି ଜୀବନ
କି ପ୍ରେମ ଯେ ?
ଉତ୍ତୀର୍ଣ ଅପରାହ୍ନ
ସରି ସରି ଆସିଲାଣି ଦିନ
ବୁଝିନାହିଁ
ନା ଏମିତି ସବୁଦିନ
ଶବ୍ଦ ଭାରି ଅସମର୍ଥ
ମୋ ଭାବ, ତମ ଭାବ
ଫୁଟେଇବ ଫୁଲଟିଏ ପରି
ତମେ ତ ସୁନୀଳ ସମୁଦ୍ର
ମୁଁ ଆବୋରି ଥିବା
ଘନନୀଳ ଆକାଶ
କେତେ ଯେ ଦୂରତା
ଛୁଇଁହୁଏନା
ଧରିବା କ’ଣ
ଚାହିଁବା ବ୍ୟତୀତ ?
ମାଧପୁର, କେନ୍ଦ୍ରାପଡା, ଭ୍ରାମ୍ୟଭାଷ- ୯୪୩୮୮୦୫୩୪୪