ଅଝଟ ଜୀବନ
।। ଅନୀତା ପାଣି ।।
ଜୀବନରେ ତୋତେ ଯେତିକି ବୁଝାଏ
ସେତିକି ଅଝଟ ହେଉ,
କେଉଁ ଅପନ୍ତରା ପଥେ ନେଇ ମୋତେ
ଏକା କରି ଛାଡ଼ି ଦେଉ !
ଯାହାକୁ ମୁଁ ବେଶୀ ଆପଣାର କୁହେ
ସେହିଁ ତ ଦୂରେଇ ଯାଏ,
ନିଜର ବୋଲି କି କାହାକୁ କହିବି
ଏକାନ୍ତରେ ଭାବେ ହାଏ ?
ଜୀବନର କିଛି ଅଛିଣ୍ଡା ଅଙ୍କର
ସୂତ୍ର ପାରିବୁ କି କହି,
ସମାଧାନ ଧାରା ମରୀଚିକା ପ୍ରାୟେ
ଅବାଟେ ନିଏ କଢ଼ାଇ।
ଏଡ଼େ ଅସଜଡ଼ା କପାଳର ରେଖା
ପାଏନା ସେଥିରୁ ଖିଏ,
ଯାତନା ଜୁଇରେ ଜଳି ଜଳି ନିତି
ଲୁହର ତର୍ପଣ ଦିଏ ।
ଦିଅନା ଜୀବନ ଆପଣା ଭ୍ରମରେ
ଛଳନାର ରଙ୍ଗ ବୋଳି,
ଦାଗ ହୋଇ ରହି ଯିବ ମୋ ଭିତରେ
ଦିନ ଯିବ ଭାଳି ଭାଳି,
ଆଶାର ଶବାରୀ ସଜାନାରେ ଆଉ
କଣ୍ଟକିତ ପଥ ଧାରେ,
ଅଙ୍କା ବଙ୍କା ପଥ ଚାଲି କି ସହଜ
ହାରିବା ଜିତିବା ପରେ ।
ଜୀବନରେ ତୋର ହଜିବା ଖୋଜିବା
ନୁହଁଇ ସହଜ ଖେଳ,
କଣ୍ଢେଇ ସଜାଇ ନଚାଉଛୁ କେତେ
ସରି ଆସୁଅଛି ବେଳ।
ଅନୁଗୋଳ, # 8327705970