ଋଷିକେଶର ଅତିଥି
।। ଅଜୟ କୁମାର ମହାନ୍ତି ।।
ପ୍ରତ୍ୟେକ ମନୁଷ୍ୟ ଜୀବନରେ ଝଡଝଞ୍ଜା ଆସେ। କେତେବେଳେ ଏହା ମାନବକୃତ ବା ଦୈବୀକୃତ। ମନୁଷ୍ୟ ନିଜର ଭୁଲ ପଦକ୍ଷେପ ପାଇଁ ବିପଦର ସମ୍ମୁଖୀନ ହୁଏ । ସେହିଠାରୁ ଆରମ୍ଭ ହୁଏ ମନୁଷ୍ୟତ୍ୱର ଅସଲ ପରୀକ୍ଷା। ଯେପରି ଜାହାଜର କପ୍ତାନ ଭୀଷଣ ଝଡ଼ ବତାସ ସହିତ ମୁକାବିଲା କରି ନିରାପଦଭାବରେ ଗନ୍ତବ୍ୟ ସ୍ଥଳକୁ ଆଗେଇ ଯାଏ, ସେହିପରି ମନୁଷ୍ୟ ତାର ଜୀବନରେ ଆସୁଥିବା ବିପଦକୁ ସାହସର ସହିତ ମୁକାବିଲା କରିବା ଉଚିତ। ତାହେଲେ ସେ ହେବ ଜୟଯୁକ୍ତ । ଦୁଃଖ ସବୁଦିନ ରହେନି। ଦୁଃଖ ପରେ ସୁଖ ଆସେ।
ଲକ୍ଷ୍ମଣଝୁଲାର ଅନତି ଦୂରରେ ଏକ ସିମେଣ୍ଟ ବେଞ୍ଚରେ ବସି ଗଙ୍ଗାନଦୀର ପ୍ରବହମାନ ଜଳଧାରାକୁ ଦେଖୁଥିଲେ ସୁଧାଂଶୁ । ଦୀର୍ଘ ଯାତ୍ରାର କ୍ଲାନ୍ତି ଚାଲିଯାଇଛି ପବିତ୍ର ଜଳରେ ସ୍ନାନକରି। କୁଳୁକୁଳୁ ନାଦକରି ପୁଣ୍ୟତୋୟା ଗଙ୍ଗା ହିମାଳୟରୁ ଅବତରଣ କରି ପ୍ରଥମ ନଗରୀ ଋଷିଦେଶକୁ ସ୍ପର୍ଶ କରିଛି। ଜଳ ଏଠାରେ ବିଶୁଦ୍ଧ, ସୁଶୀତଳ ଓ ଶାନ୍ତି ପ୍ରଦାୟିନୀ । ସ୍ନାନ ପରେ ଲାଗେ ଯେପରି ଶତଜନ୍ମର କଳୁଷ ଦୂର ହେଇଗଲା। ପ୍ରଦ୍ୟୁଷିତ ହେବା ଆଗରୁ କେତେ ସ୍ବଚ୍ଛ ତାର ଜଳରାଶି । ଠିକ୍ ମଣିଷର ମନ ପରି। ଯେତେଦିନ ପର୍ଯ୍ୟନ୍ତ ମଣିଷର ମନ ଓ ହୃଦୟ ସ୍ବଚ୍ଛ ଥିବ ସେ ଥିବ ଦେବୋତ୍ତମ। ଯେତେବେଳେ ମନ ଜଳୁଷିତ ହୁଏ, ଆସୁରୀ ଗୁଣ ଓ ଆସୁରୀ ପ୍ରକୃତିରେ ଜୀବନ ତାର ଆଚ୍ଛନ୍ନ ହୋଇଯାଏ। ଅନ୍ୟର କ୍ଷତି ପହୁଞ୍ଚାଏ । ନିଜର ସ୍ବାର୍ଥ ପାଇଁ ବଂଧୁ ଅବା ପରିଜନଙ୍କର ବିଶେଷ କ୍ଷତି ସାଧନ କରେ । ନିଜ ବଂଧୁର କୃତଘ୍ନତା ପାଇଁ ସବୁକିଛି ତ୍ୟାଗକରି ସୁଧାଂଶୁ ଚାଲିଆସିଛନ୍ତି ସୁଦୂର କଟକରୁ ଋଷିକେଶ। ନିଜର ସ୍ତ୍ରୀ ଓ ପୁଅଙ୍କୁ ମଧ୍ୟ ଜଣେଇ ନାହାଁନ୍ତି ତାଙ୍କର ଅଜ୍ଞାତବାସ ବିଷୟରେ।
ସଂଧ୍ୟା ଆଗତ ପ୍ରାୟ । ପ୍ରାଚୀନ ସହର ଋଷିକେଶରେ ମାତା ଗଙ୍ଗାଦେବୀଙ୍କର ତଟ ମୁଖରିତ ହୋଇ ଉଠିଲା। ଆରମ୍ଭ ହେଲା ଗଙ୍ଗା ଆରତୀ । କି ମନୋମୁଗ୍ଧକର ଦୃଶ୍ୟ ସତେ ! ଆରତୀ ଦର୍ଶନରେ ଜଣେ ନାସ୍ତିକ ମଧ୍ୟ ଆସ୍ତିକ ହେବାର ଯଥେଷ୍ଟ ସମ୍ଭାବନା ଅଛି। କେଉଁଠି ରହିବେ ତାର ବ୍ୟବସ୍ଥା ଏ ପର୍ଯ୍ୟନ୍ତ ହୋଇନାହିଁ । ପୂର୍ବତନ ବୈଜ୍ଞାନିକ ରାଷ୍ଟ୍ରପତି ଅବଦୁଲ୍ କଲାମଙ୍କ ପୁସ୍ତକର କିୟଦଂଶ ମନେ ପଡିଗଲା । ପ୍ରାୟତଃ ଏହି ଯାଗାରେ ହୋଇପାରେ, କଲାମ ସାହେବ ଆସି ଦିନେ ବସି ଗଙ୍ଗାନଦୀର ପ୍ରବାହମାନ ଜଳଧାରାକୁ ଦେଖୁଥିଲେ। ଶୈଶବ କାଳରୁ ଫାଇଟର ପାଇଲଟ୍ ହେବାର ଇଚ୍ଛା ତାଙ୍କୁ ଟାଣି ଆଣିଥିଲା ଡେରାଡୁନ୍କୁ ସାକ୍ଷାତକାର ଦେବାପାଇଁ। ସେଠାରେ ଅସଫଳ ହେବାପରେ ଛୁଟି ଆସିଥିଲେ ଋଷିକେଶକୁ ପବିତ୍ର ଗଙ୍ଗାନଦୀରେ ସ୍ନାନ କରିବା ପାଇଁ। ସଂଯୋଗବଶତଃ ଦେଖା ହୋଇଯାଇଛି ଭାରତର ମହାନ ଆଧ୍ୟାତ୍ମିକ ଗୁରୁ ଶିବାନନ୍ଦଙ୍କ ସହିତ ।
ବୁଦ୍ଧ ପ୍ରତିମ ସନ୍ଥଙ୍କ ପାଦତଳେ ବସି ନିଜ ନିରାଶାର କଥା କହିଛନ୍ତି କଲାମ୍ । ଶିବାନନ୍ଦ ଜୀ ମହାରାଜ ତାଙ୍କୁ ବୁଝାଇ ଦେଇଛନ୍ତି ଯେ ଯେତେବେଳେ ସକାରାତ୍ମକ ଇଚ୍ଛାମାନେ ହୃଦୟରୁ ଆସନ୍ତି ତାହା ନିର୍ମଳ ଓ ତୀବ୍ର ଥାଏ। ସେ ଗୁଡିକ ବିଦ୍ୟୁତ ଚୁମ୍ବକୀୟ ଶକ୍ତି ଆହରଣ କରିଥାଆନ୍ତି । ଏହି ଶକ୍ତିଗୁଡିକ ରାତ୍ରିବେଳା ଇଥରକୁ ନିଷ୍କ୍ରାନ୍ତ ହୁଅନ୍ତି କାରଣ ସେତେବେଳେ ବ୍ୟକ୍ତି ନିଦ୍ରିତ ଥାଏ। ସେହି ଶକ୍ତିଗୁଡିକ ପ୍ରଭାତରେ ବ୍ରହ୍ମାଣ୍ଡୀୟ ଶକ୍ତି ପ୍ରାପ୍ତ ହୋଇ ତୁମ ପାଖକୁ ଫେରିଆସନ୍ତି । ହେ ଯୁବକ ! ତୁମେ ଏହି ବ୍ରହ୍ମାଣ୍ଡୀୟ ଶକ୍ତି ପ୍ରାପ୍ତ ହୁଅ। ତୁମେ ଭାରତୀୟ ବାୟୁ ସେନାରେ ପାଇଲଟ୍ ହେବା ବଦଳରେ ଭଗବାନ୍ ତୁମ ପାଇଁ ଆଉ କିଛି ବଡ଼ ଯୋଜନା ରଖିଥାଇ ପାରନ୍ତି । ତୁମେ ନିୟତିର ଡାକ ଶୁଣ । ଅଧିକ ଉତ୍ସାହ ଓ ସ୍ଫୂର୍ତ୍ତିରେ ଆଗେଇ ଚାଲ। ତୁମେ ନିଶ୍ଚୟ ବିଜିତ ହେବ । ତୁମେ କର୍ମ କରି ଚାଲ। ଫଳକୁ ଭଗବାନଙ୍କ ଉପରେ ଛାଡ଼ି ଦିଅ। ଗୁରୁଜୀଙ୍କ ଆଶୀର୍ବାଦନେଇ କଲାମ ସାହେବ ଫେରି ଆସିଲେ ଓ କିପରି ସଫଳତାର ପାହାଡ଼ ଅତିକ୍ରମ କରିଥିଲେ ତାହା ପ୍ରତ୍ୟେକ ଭାରତୀୟ ଜାଣନ୍ତି।
ଏହି ସବୁକଥା ସ୍ମରଣ କରୁକରୁ ସୁଧାଂଶୁ ପହଞ୍ଚି ଯାଇଥିଲେ ଠିକ୍ ଉପରେ ଥିବା ଶିବାନନ୍ଦଙ୍କ ଆଶ୍ରମରେ । ଆଶ୍ରମର ଚାରିପାଖ ବେଶ୍ ଆଲୋକିତ। ପ୍ରବଚନ ଦିଆହେଉଥିଲା । ସୁଧାଂଶୁ ଅଯାତିତ ଭାବରେ ସେଠାରେ ପହଞ୍ଚିଗଲେ ଓ ଭକ୍ତଙ୍କ ମେଳରେ ବସି ଭଜନ, କୀର୍ତ୍ତନ ଶୁଣିଲେ। ସୌମ୍ୟକାନ୍ତି ଯୁକ୍ତ ସନ୍ନ୍ୟାସୀଙ୍କର ପ୍ରବଚନ ଖୁବ୍ ତନ୍ମୟ ହୋଇ ଶୁଣୁଥାଆନ୍ତି। ପ୍ରବଚନ ସରିଗଲା। ସନ୍ନ୍ୟାସୀ ତାଙ୍କୁ ପାଖକୁ ଡାକିଲେ ଓ ଅତ୍ୟନ୍ତ ସ୍ନେହାଷ୍ପଦସ୍ବରରେ ତାଙ୍କର ପରିଚୟ ଜିଜ୍ଞାସା କଲେ। ନିଜର ଦୁଃଖ କାହାଣୀ କହିବାକୁ ଲାଗିଲେ ସୁଧାଂଶୁ । ମନୋଯୋଗ ସହକାରେ ଶୁଣୁଥାଆନ୍ତି ସାଧୁ ମହାରାଜ।
ସୁଧାଂଶୁ ଓ ଅଶୋକ ଦୁଇ ବଂଧୁ କଲେଜ ବେଳର ସାଙ୍ଗ। ଦୁଇଜଣ ଫାର୍ମାସିରେ ସ୍ନାତକ ପାସ୍ କରିସାରିଲା ପରେ ସ୍ଥିର କରିଥିଲେ କଟକରେ ଔଷଧ କାରଖାନାଟିଏ କରିବା ପାଇଁ। ସୁଧାଂଶୁ ହେଲେ କାରଖାନା ପରିଚାଳନାର ମୁଖ୍ୟ ଓ ଅଶୋକ ଥିଲେ ବିତ୍ତୀୟ ପରିଚାଳନାର ମୁଖ୍ୟ । ନିଜର ସମସ୍ତ ସମ୍ବଳ ବିନିଯୋଗ କରି ଦେଇଥିଲେ ସୁଧାଂଶୁ ଏହି କାରଖାନା ପାଇଁ । ବ୍ୟାଙ୍କ ଓ ଅନ୍ୟାନ୍ୟ ସଂସ୍ଥାରୁ ଲୋନ୍ ଆଣି କାରଖାନାର ପର୍ଯ୍ୟାପ୍ତ ଉନ୍ନତି ସାଧନ କରିଥିଲେ । ଓଡ଼ିଶାର ଏକ ବଡ ଔଷଧ କାରଖାନା ରୂପେ ଖ୍ୟାତି ଅର୍ଜନ କରିଥିଲା ସେମାନଙ୍କ କାରଖାନା। ସୁଧାଂଶୁ ସମ୍ପୂର୍ଣ ଆଖି ବୁଜିଦେଇଥିଲେ ଅଶୋକର ବିତ୍ତୀୟ ପରିଚାଳନା ଉପରେ କାରଣ ବନ୍ଧୁ ଉପରେ ଥିଲା ତାଙ୍କର ପ୍ରଗାଢ଼ ବିଶ୍ବାସ। ଦିନେ ବ୍ୟାଙ୍କ ନୋଟିସ୍ ଦେଖି ତାଙ୍କ ଗୋଡତଳୁ ମାଟି ଖସିଯିବା ଭଳି ଲାଗିଲା । ବାରମ୍ବାର ନୋଟିସ୍ ସତ୍ତ୍ୱେ କମ୍ପାନୀ ଋଣ ପରିଶୋଧ ନକରିବାରୁ ଆସନ୍ତା ସପ୍ତାହରେ କାରଖାନା ନିଲାମ ହେବ । ଏ ପର୍ଯ୍ୟନ୍ତ ତାଙ୍କୁ ଜଣା ନଥିଲା ଯେ କାରଖାନାର ଅବସ୍ଥା ଏତେ ତଳକୁ ଚାଲିଗଲାଣି ବୋଲି। ଅଶୋକକୁ ପଚାରିବାରୁ କହିଲା- “ତୁ ସବୁବେଳେ ଏଇଠାରେ ଅଛୁ । ଅଥଚ କାରଖାନା କିପରି ଚାଲିଛି, ତୁ କ’ଣ କିଛି ଜାଣି ପାରୁନଥିଲୁ । ମତେ ପଚାରି ପାରିଥାଆନ୍ତୁ। ଏବେ କାରଖାନାକୁ କିପରି ବଞ୍ଚାଇବାକୁ ହେବ, କିଛି ଉପାୟ କର ।”
ସୁଧାଂଶୁ କହିଲେ – “ଆରେ ଅଶୋକ, ଏ କ’ଣ ଦୁଇ ଲକ୍ଷ ପାଞ୍ଚ ଲକ୍ଷ ହେଇଛି ଯେ ମୁଁ ଯୋଗାଡ଼ କରିବି। ଏ ତ କୋଟିର କଥା। କ’ଣ ଉପାୟ ଅଛି କହ”। ଅଶୋକ ନିରବ ରହିଲା।
ଅକ୍ସନ ତାରିଖ ଚାଲିଗଲା । ଦୁଇଦିନ ପରେ ବନ୍ଧୁ ଆସି କହିଲେ – “ସୁଧାଂଶୁ, ତୁ ତ ଟଙ୍କା କଥା ବୁଝିଲୁ ନାହିଁ । ମୁଁ ବ୍ୟକ୍ତିଗତଭାବେ ଧାରକରଜ କରି ଅକ୍ସନକୁ ମୋ ନାଁରେ ନେଇ ଯାଇଛି। ବସ୍ତୁତଃ କାରଖାନା ମୋ ନାଁରେ ରେକର୍ଡ ହେଇଯାଇଛି। ତୁ ଏବେ ଅନ୍ୟ ବ୍ୟବସ୍ଥା କର।”
ଏତିକି କଥା ତାଙ୍କପାଇଁ ଥିଲା ଯଥେଷ୍ଟ । ବନ୍ଧୁତା ଓ ବିଶ୍ୱାସ ମହାନଦୀର ଜଳରେ ସଲୀଳ ସମାଧି ନେଲା । ଶୋଚନୀୟ ଦୁଃଖ, ଲଜ୍ଜ୍ୟା ଓ ହତାଶରେ ମ୍ରିୟମାଣ ହୋଇ ଘରକୁ ଫେରି ଆସିଲେ ସୁଧାଂଶୁ ଏକ ଆହତ ସୈନିକ ପରି। ସ୍ତ୍ରୀ ଓ ପିଲାଙ୍କ ପାଖରେ କହିଲେ ଅଶୋକର କୃତଘ୍ନତା ଓ ଧୋକ୍କା ବିଷୟରେ। ତାଙ୍କୁ କାଙ୍ଗାଳ କରି ଛାଡିଦେଇଥିଲା ମଝିରାସ୍ତାରେ । ସ୍ତ୍ରୀ ଓ ପୁଅ ତାଙ୍କ ଅପରିଣାମଦର୍ଶିତା ପାଇଁ ତାଙ୍କୁ ବାରମ୍ବାର ଧିକ୍କାର କଲେ । ଅଯୋଗ୍ୟ ବ୍ୟକ୍ତି ବୋଲି ତାତ୍ସଲ୍ୟ କଲେ। ସେ କୋଟିପତିରୁ ରାତାରାତି କାଙ୍ଗାଳ ହୋଇ ଯାଇଥିଲେ। ତାଙ୍କର ଦୁର୍ଦ୍ଦିନରେ ତାଙ୍କ ନିଜ ପରିବାର ମଧ୍ୟ ତାଙ୍କୁ ତ୍ୟାଗ କରିଦେଲା। ପରଦିନ ସ୍ତ୍ରୀ ବାପା ଘରକୁ ଚାଲିଗଲେ ଓ ପୁଅ ବାଙ୍ଗାଲୁରୁ ଚାଳିଗଲା । ଅତ୍ୟଧିକ ମନସ୍ତାପରେ ସୁଧାଂଶୁ ଋଷିକେଶ ପହଞ୍ଚିଗଲେ। ସନ୍ନ୍ୟାସୀଙ୍କ ଆଶୀର୍ବଚନରେ ବଞ୍ଚିବା ପାଇଁ ରାସ୍ତାଟିଏ ତାଙ୍କୁ ମିଳିଗଲା। ଆଶ୍ରମରେ କିଛିଦିନ ରହିବା ପାଇଁ ବ୍ୟବସ୍ଥା କରିଦେଲେ ସାଧୁ ଜଣକ । ରହିବା ପାଇଁ ଯାଗାଟିଏ ବ୍ୟବସ୍ଥା ହୋଇଯାଇଥିବାରୁ ମନରେ ଶାନ୍ତି ଅନୁଭବ କଲେ।
ପରଦିନ ସକାଳୁ ସ୍ନାନାଦିକର୍ମ ସାରି ସ୍ୱାମୀଜୀଙ୍କ ସାଧନା କକ୍ଷରେ ପ୍ରବେଶ କଲେ । ପାଠ ପଢ଼ିବା ଓ କର୍ମ କ୍ଷେତ୍ରର ଚାପରେ ଜୀବନରେ ଏହିପରି ଗୋଟିଏ କଳାତ୍ମକ ପଥ ଅଛି ସେହିକଥା ତାଙ୍କୁ ଜଣାନଥିଲା I ଯୋଗ ସାଧନା ପରେ, ସମସ୍ତେ ନିଷ୍କ୍ରାନ୍ତ ହେଲାପରେ ସୁଧାଂଶୁଙ୍କୁ ପାଖକୁ ଡାକିଲେ ସ୍ବାମୀଜୀ। ସୁଧାଂଶୁ ଅତ୍ୟନ୍ତ ମ୍ରିୟମାଣ ହୋଇ ବସିଥାଆନ୍ତି।
ସ୍ବାମୀଜୀ ସ୍ମିତହସ ମୁଖରେ କହିଲେ- “ବତ୍ସ ! ତୁମେ ଜାଣିଥିବ ଏବେ ନବରାତ୍ରୀ ଉତ୍ସବ ଚାଲିଛି । ନବଦୁର୍ଗା ମାତୃ ରୂପରେ ସବୁବର୍ଷ ଏହି ସମୟରେ ଧରାରେ ଅବତୀର୍ଣ୍ଣ ହୁଅନ୍ତି । ଶ୍ରୀ ଦୁର୍ଗା ସପ୍ତସତୀ ଚଣ୍ଡୀ ପୁସ୍ତକରେ ବର୍ଣ୍ଣାନା ଥିବା ରାଜା ସୁରଥ ଓ ସମାଧି ବୈଶ୍ୟଙ୍କ କଥା ଶୁଣ I ତୁମ ପ୍ରଶ୍ନ ଓ ଦୁଃଖର ଉତ୍ତର ପାଇଯିବ। ରାଜା ସୁରଥ ଥିଲେ ପ୍ରଜା ବତ୍ସଳ, ପ୍ରବଳ ପରାକ୍ରମୀ, ଦୟା ଓ କ୍ଷମାର ଅବତାର । ପ୍ରଜାମାନେ ସୁଖଶାନ୍ତିରେ କାଳାତିପାତ କରୁଥିଲେ । ଦିନେ ସବୁକିଛି ଓଟଲ ପାଲଟ ହେଇଗଲା । ତାଙ୍କର ନିଜର ସେନାପତି ଓ ପାରିଷଦ ତାଙ୍କ ସାଙ୍ଗରେ ଛଳକରି ରାଜ୍ୟରୁ ତାଙ୍କୁ ବିତାଡ଼ିତ କଲେ । ପରିବାର ସଦସ୍ୟମାନେ ମଧ୍ୟ ତାଙ୍କୁ ତ୍ୟାଗକଲେ । ରାଜା ସୁରଥ ଉଦ୍ଭ୍ରାନ୍ତ ଭାବରେ ଜଙ୍ଗଲରେ ବୁଲୁବୁଲୁ ମେଧା ମୁନିଙ୍କ ଆଶ୍ରମରେ ଆଶ୍ରୟ ନେଲେ । ଏଣେ ସମାଧିବୈଶ୍ୟ ଥିଲେ ଜଣେ ଅତ୍ୟନ୍ତ ସଫଳ ଧନୀ ସୌଦାଗର । ଧନ ସମ୍ପଦରେ ପରିପୂର୍ଣ୍ଣ ଥିଲା ତାଙ୍କ ଭଣ୍ଡାର ଘର। ସମସ୍ତ ବ୍ୟବସାୟରୁ ତାଙ୍କୁ ଉଚ୍ଛେଦକରି ଦିଆଗଲା । ଏଥିରେ ଶତ୍ରୁ ସାଜିଲେ ତାଙ୍କ ନିଜ ପରିବାର ଅର୍ଥାତ ସ୍ତ୍ରୀ, ପୁତ୍ର ଓ ଅନ୍ୟମାନେ I ବିତାଡିତ ହୋଇ ନିଜ ଗୃହରୁ ମେଧାମୁନିଙ୍କ ଆଶ୍ରମରେ ଶରଣନେଲେ ସମାଧିବୈଶ୍ୟ।
ଦୁଇ ହତଭାଗ୍ୟଙ୍କ ମିଳନ ହେଲା ମେଧାମୁନିଙ୍କ ଆଶ୍ରମରେ । ଏତେ ଦୁଃଖ କଷ୍ଟ ଭୋଗ କରିସାରିଲା ପରେ ମଧ୍ୟ ଦୁଇଜଣଙ୍କର ହୃଦୟ କାନ୍ଦୁଥୁଲା ନିଜର ପରିବାର ପାଇଁ । ରାଜା ସୁରଥ ଅତ୍ୟନ୍ତ ଚିନ୍ତାମଗ୍ନ ରହୁଥିଲେ ନିଜ ଦେଶର ପ୍ରଜାଙ୍କ ଭଲମନ୍ଦ ପାଇଁ I ସମାଧିବୈଶ୍ୟ ନିଜ ପରିବାର କଥା ଭାବି ଅତ୍ୟନ୍ତ ମ୍ରିୟମାଣ ରହୁଥିଲେ । ଦୁଇଜଣ ମେଧାମୁନିଙ୍କୁ ସାଂସାରିକ ମୋହ ବିଷୟରେ ଉତ୍ତର ଦେବାକୁ ପ୍ରାର୍ଥନା କଲେ । ମେଧାମୁନି କହିଲେ- “ଦେଖ ବତ୍ସ, ଭଗବାନ୍ ବିଷ୍ଣୁଙ୍କ ଯୋଗ ନିଦ୍ରା ରୂପା ଭଗବତୀ ମହାମାୟାଙ୍କ ଦ୍ବାରା ଏହି ଜଗତ ମୋହିତ ହେଉଛି । ସେହି ଭଗବତୀ ମହାମାୟା ଦେବୀ ଜ୍ଞାନୀମାନଙ୍କ ଚିତ୍ତକୁ ବଳପୂର୍ବକ ଆକର୍ଷଣ କରି ମୋହରେ ନିକ୍ଷେପ କରନ୍ତି । ସେ ପ୍ରସନ୍ନ ହେବା ମାତ୍ରକେ ମନୁଷ୍ୟମାନଙ୍କୁ ମୁକ୍ତି ନିମନ୍ତେ ବରଦାନ କରନ୍ତି। ତୁମେ ଏହି ମହାମାୟାଙ୍କ ଆଶୀର୍ବାଦପ୍ରାପ୍ତ ହେଲେ ତୁମେ ତୁମର ଅଭୀଷ୍ଟ ପ୍ରାପ୍ତ ହେବ। ସେହି ଦୁଇଜଣ ରାଜା ସୁରଥ ଓ ସମାଧିବୈଶ୍ୟ ନଦୀତଟରେ ମୁଣ୍ମୟ ମହାମାୟାଙ୍କୁ ପୂଜା ଅର୍ଜନା କରିଥିଲେ ଶୁଦ୍ଧ ଚିତ୍ତରେ । ଫଳ ସ୍ବରୂପ ନିଜର ରାଜ୍ୟ ଓ ସମାଧିବୈଶ୍ୟ ତାଙ୍କର ପରିବାର ଫେରି ପାଇଥିଲେ। ନିଜକୁ ସମ୍ପୂର୍ଣ୍ଣ ଭାବରେ ମହାମାୟାଙ୍କ ନିକଟରେ ସମର୍ପିତ କରିଥିଲେ ସେମାନେ।
ତୁମ ପ୍ରଶ୍ନର ଉତ୍ତର ପାଇବ ନିଶ୍ଚୟ ସୁଧାଂଶୁ । ତୁମ ମନରୁ ସମସ୍ତ ଆବିଳତା ପ୍ରଥମେ ଦୂର କର। ମନର ଅସୂୟାଭାବ ତ୍ୟାଗ କର। ତୁମର ବଂଧୁ ଯାହାକୁ ତୁମେ କୃତଘ୍ନ କହୁଛ ତାଙ୍କୁ ମଧ୍ୟ କ୍ଷମା କରିଦିଅ । ନିର୍ମଳ ହୃଦୟରେ ଆଶ୍ରମର ଏ ପବିତ୍ର ପରିବେଶରେ ତୁମକୁ କିଛିଦିନ କାୟା ପବିତ୍ର କରିବା ପାଇଁ ସାଧନା କରିବାକୁ ହେବ । ଜାଣିଥାଅ ସବୁ ଦ୍ୱାର ବନ୍ଦ ହୋଇଗଲା ପରେ ଭଗବାନ୍ ତାଙ୍କ ଭକ୍ତ ପାଇଁ ଅନ୍ୟ ଦ୍ବାରଟିଏ ଖୋଲି ରଖିଥାଆନ୍ତି ।
ତୁମେ ଏବେ ପବିତ୍ର ଗଙ୍ଗା ନଦୀରେ ସ୍ନାନ କରି ଏ ପାବନ ଭୂଇଁର ପ୍ରତି ଧୂଳିକଣାରେ ଲୁଚିରହିଥିବା ସୁପ୍ତ ଉର୍ଜାକୁ ଗ୍ରହଣ କର। ତୁମେ ଶାରୀରିକ ଓ ମାନସିକ ଶାନ୍ତି ପାଇବ। କିଏ କହିପାରେ ତୁମ ପାଇଁ ସୁଦିନ ଶିଘ୍ର ଆସି ଯାଇପାରେ।
ସୁଧାଂଶୁ ବିଦାୟ ନେଲେ ସ୍ବାମୀଜୀଙ୍କ ପାଖରୁ । ଦିନପରେ ପରେ ଦିନ, ମାସ ପରେ ମାସ ବିତିଗଲା। ଆଧ୍ୟାତ୍ମିକ ଶକ୍ତିର ପ୍ରଭାବରେ ଆତ୍ମିକ ବଳ ପ୍ରାପ୍ତ ହେଲେ ସୁଧାଂଶୁ । ସ୍ତ୍ରୀ ଓ ପୁଅଙ୍କୁ ନିଜର ଅବସ୍ଥିତି ବିଷୟରେ ସୂଚନା ଦେଇ ସାରିଛନ୍ତି। ଫେରି ଆସିବାକୁ ସେମାନେ ନିବେଦନ କରିଛନ୍ତି । ଆଉ କିଛି ଦିନ ଅପେକ୍ଷା କରିବାକୁ କହି ଟାଳି ଦେଇଛନ୍ତି ତାଙ୍କ ଅନୁରୋଧକୁ । ଦିନେ ସ୍ବାମୀଜୀଙ୍କ ପାଖରୁ ଖବର ଆସିଲା ତୁରନ୍ତ ତାଙ୍କ ସାଙ୍ଗରେ ସାକ୍ଷାତ କରିବାକୁ। କକ୍ଷରେ ପ୍ରବେଶକରି ସ୍ବାମୀଜୀ ଓ ତାଙ୍କ ପାଖରେ ବସିଥିବା ସୁଦର୍ଶନ ବ୍ୟକ୍ତିଙ୍କୁ ପ୍ରଣାମ କଲେ। ସୁଧାଂଶୁଙ୍କୁ ଋଷିକେଶର ଅତିଥି କହି ଭଦ୍ରବ୍ୟକ୍ତିଙ୍କ ସାଙ୍ଗରେ ପରିଚୟ କରେଇ ଦେଲେ ସ୍ବାମୀଜୀ। ଆଗରୁ ବୋଧହୁଏ ଭଦ୍ରବ୍ୟକ୍ତିଙ୍କୁ ତାଙ୍କ ବିଷୟରେ ସମ୍ୟକ ସୂଚନା ଦେଇଥିଲେ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଓ କାର୍ଯ୍ୟ ଅଭିଜ୍ଞତା ବିଷୟରେ କିଛି ପ୍ରଶ୍ନ ପଚାରିଲେ ଭଦ୍ରବ୍ୟକ୍ତି ଜଣକ। କହିଲେ ରଷିକେଶରେ ତାଙ୍କର ଔଷଧ କାରଖାନାଟିଏ ଅଛି । ଆପଣଙ୍କୁ ଆମେ ପରିଚାଳକ ଭାବେ ନିଯୁକ୍ତି ଦେବାକୁ ଚାହୁଁ। ଆପଣଙ୍କ କାର୍ଯ୍ୟ ଦକ୍ଷତା ଉଚ୍ଚମାନର ହେଲେ ଆପଣଙ୍କୁ ଆମେ ପାର୍ଟନର ଭାବେ ଦେଖିବାପାଇଁ ଆଶା ରଖିଛୁ। ଆପଣଙ୍କ ସମ୍ମତି ଆବଶ୍ୟକ । ସୁଧାଂଶୁ ସ୍ବାମୀଜୀଙ୍କ ଆଡକୁ ଜିଜ୍ଞାସା ନେତ୍ରରେ ଚାହିଁଲେ। ସ୍ବାମୀଜୀଙ୍କ ସ୍ମିତହସରେ ସେ ଉତ୍ତର ପାଇଗଲେ । ସ୍ବାମୀଜୀଙ୍କ କଥା ମନେ ପଡିଗଲା ସବୁଦ୍ବାର ଜଣେ ବ୍ୟକ୍ତି ପାଇଁ ବନ୍ଦ ହୋଇଗଲେ ମଧ୍ୟ ଅନ୍ୟ ଗୋଟିଏ ଦ୍ବାର ଭଗବାନ ଖୋଲା ରଖିଥାଆନ୍ତି। ସ୍ବାମୀଜୀଙ୍କ ପ୍ରତି କୃତଜ୍ଞତାରେ ମୁଣ୍ଡ ତାଙ୍କର ନଇଁ ଯାଉଥିଲା।
There are 5 comments
ଗଳ୍ପରେ ଥିବା ଚିନ୍ତନ ଭାରି ସୁନ୍ଦର । ପଠନଶୈଳୀ ବି ଭାରି ସ୍ପଷ୍ଟ ଓ ସୁନ୍ଦର।
ଆଜ୍ଞା।
ଏ ବାବଦରେ କିଛି ପାଠକ ଓ ଶ୍ରୋତା ବି ଟେଲିଫୋନ ମାଧ୍ୟମରେ ଚଉକାଠକୁ ଜଣାଇଛନ୍ତି।
ନମସ୍କାର।
ଅଶେଷ ଧନ୍ୟବାଦ୍ ଲେଖକ ମହାଶୟଙ୍କ ଚିନ୍ତନ ଶୈଳୀକୁ । ବାସ୍ତବରେ ଆମ ସମାଜରେ ଏପରି ଘଟଣା କାହାରିନା କାହାରି ଜୀବନ ରେ ଘଟୁଛି,କିନ୍ତୁ ଭଗବାନ ସତ୍ ପନ୍ଥି ମାନଙ୍କୁ ନିରାଶ ନକରି ଉଚିତ୍ ମାର୍ଗ ଦେଖାଇ ଥାଆନ୍ତି।
ନିଶ୍ଚିତ ରୂପେ। ଚଉକାଠ ମଧ୍ୟ ଆପଣଙ୍କ ସହ ଏକମତ।
ଅଶେଷ ଧନ୍ୟବାଦ ଆପଣଙ୍କୁ।
ଭାବଗର୍ଭକ ବିଷୟବସ୍ତୁ…..
ପାଠକ ମାନଙ୍କୁ ବାନ୍ଧି ରଖିଲା ପରି ।
ଗାଲ୍ପିକଙ୍କୁ ଅଭିନନ୍ଦନ…..🙏💐💐💐