Home » Magazine » ଅଜୟ କୁମାର ଜେନା : କବିତା : ପୁଅ ଜନ୍ମ

ଅଜୟ କୁମାର ଜେନା : କବିତା : ପୁଅ ଜନ୍ମ

ଯେତେଥର ମୁଁ ପାଦ ପକାଏ ଆଗକୁ

ସେତେଥର ମୋ ପାଦତଳୁ ଖସିଯାଉଥାଏ ମାଟି

ଯେତେଥର ମୋ ଉପରେ ପଡୁଥାଏ 

ଆକ୍ରୋଶର ବଡ଼ ବଡ଼ ଇଟା ଓ ପଥର

ସେତେଥର ମୁଁ ଫୁଲର ପରାଗ ସଂଗମ ପରି

ଗୁପ୍ତରେ ଗଢ଼ିଦେଉଥାଏ ନୂଆ ନୂଆ ନଅର !

ମତେ କେବଳ କଣ୍ଟା କଥା ପଚାରନା,

ମୁଁ ବି ଫୁଲର ଜଣେ ବେଫିକର ସୌଦାଗର

ରକ୍ତର ରଙ୍ଗ ମୋ ପାଇଁ ବି ଲାଲ

ଦୁଃଖର ଦେହ ମୋ ପାଇଁ ବି ସଂଜ

ମୋ ପାଇଁ ଜୀବନର ଘୋଡ଼ାଗାଡ଼ି ଗଡ଼ି ଗଡ଼ି ନୟାନ୍ତ।

ପାରିବ ଯଦି ମୋ ଠୁଁ ବୁଝିନିଅ

ଦାଢ଼ିଉଠା ବୟସର ମହୁ-ମିଠା-ଯନ୍ତ୍ରଣା

ମୁଁ କେମିତି ବୋହିପାରେ ଦୁଇ ଚାରିଖଣ୍ଡ ସାର୍ଟିଫିକେଟର

ଭାରି ଭାରି ଓଜନ

ମୁଁ କେମିତି ଭୋଗିପାରେ ନୂଆ ନୂଆ ପ୍ରେମର ଛଳନା ଓ

ମୁଁ କେମିତି ଡହ ଡହ ଖରାରେ ବି ଆଙ୍କିପାରେ ସଂଘର୍ଷର ସବୁଜସପନ !

ସମାଜ ଆଖିରେ କାନ୍ଦ, ମୋ ଠୁଁ କୁଆଡ଼େ ଶହେକୋଶ ଦୂର !

ଥରେ ନିରେଖି ଦେଖ!

ମୁଁ ଭଉଣୀ ବାହାଘରରେ ଦେଇପାରିନଥିବା ଟଙ୍କାକର ଲୁହ

ମୁଁ ବାପାଙ୍କ ଜମିବିକାର କଳଙ୍କିତ କୋହ

ମୁଁ ଝରାଶ୍ରାବଣର ୠତୁ ଓ ବାକିଆ ସିଗାରେଟର ଅଧାଜଳା ମୁହଁ।

ଏବେ ଭଲଭାବେ ପରଖିନିଅ ମୋ ଜନ୍ମର ଜାତକ

ହେଇପାରେ, ମୋ ପାଇଁ ସବୁଦିନ ବିବଶତାର ବନବାସ

ପ୍ରଜାଙ୍କ ଖୁସି ପାଇଁ ଯିଏ ତ୍ୟାଗ କରିପାରେ ପତିବ୍ରତା ନାରୀ,

ଅନ୍ତଃତ ତାକୁ କେବେ ପଚାରନା କଣ୍ଟାର ଆଘାତ !

ଜାଣେନି କାହିଁକି, ଛୁଞ୍ଚି ମୁନରେ ମୁନେ ପାଇଁ

ମୁଁ ବରିଛି ଏ ଅଜ୍ଞାତବାସ

କାହିଁକି ଛାତିରେ ମେଞ୍ଚାଏ ଅବଶୋଷ ଧରି

ମୁଁ ଭୋଗୁଛି କଳାପାଣିର କାରାବାସ !

There are 4 comments

    1. ଅଜୟ ଜେନା ବର୍ତ୍ତମାନ ସମୟର ଜଣେ ଉଦୀୟମାନ କବି। ରହନ୍ତି କେନ୍ଦୁଝରରେ… ସମ୍ଭବତଃ ସେ ଏବେ ଜଣେ ବିଶ୍ୱବିଦ୍ୟାଳୟ ଛାତ୍ର।
      ଆପଣଙ୍କ ମନ୍ତବ୍ୟ ତାଙ୍କୁ ଉତ୍ସାହିତ କରିବ ନିଶ୍ଚୟ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *