Home » Magazine » ସମ୍ପାଦକୀୟ : ମଇ, ୨୦୨୫

ସମ୍ପାଦକୀୟ : ମଇ, ୨୦୨୫

         ଏପ୍ରିଲ୍ ୨୨ ତାରିଖ ଦିନ ପେହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ଛବିଶଜଣ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା, ଏବଂ ତତ୍ ପରବର୍ତ୍ତୀ ପ୍ରତିକ୍ରିୟା ସ୍ୱରୂପ ଭାରତୀୟ ସେନା ଦ୍ଵାରା ବିଭିନ୍ନ ଆତଙ୍କବାଦୀ ସଂଗଠନର ଆଡ୍ଡା ଉପରେ ଆକାଶମାର୍ଗରୁ ଆକ୍ରମଣ କରି ଧ୍ୱସ୍ତ ବିଧ୍ୱସ୍ତ କରିଦେବା ଉତ୍ତାରେ ପାକିସ୍ତାନ ସେନାର ବିଭିନ୍ନ ଭାରତୀୟ ସହରକୁ ନିଶାଣ କରିବା ତଥା ସୀମାବର୍ତ୍ତୀ ଜନବସତି ଉପରେ ଆଖିବୁଜା ଗୁଳି ବର୍ଷଣ କରିବା ଜନିତ ଉତ୍ତେଜନା ସହ ଭାରତୀୟ ସେନା ଉଚିତ ଜବାବ ଦେଉଥିବା ବେଳେ ଅଚାନକ ଯୁଦ୍ଧ-ବିରାମ ଘୋଷଣା ସାରା ଭାରତରେ ଏବଂ ଭାରତୀୟଙ୍କ ମଧ୍ୟରେ ଯୋଉଭଳି କ୍ଷୋଭ ଓ ପ୍ରତିକ୍ରିୟା ପ୍ରକାଶ ପାଇଲା, ତାହା ଦେଖିବାବେଳେ ମନରେ କେତୋଟି ପ୍ରଶ୍ନର ଉଦ୍ରେକ ହେଉଛି, ଯେ…

୦ ଭାରତୀୟମାନେ କ’ଣ ଯୁଦ୍ଧଖୋର୍ ଓ ବିସ୍ତାରବାଦୀ..?

୦ ଭାରତୀୟ କଣ ଏତେ ଅସହିଷ୍ଣୁ ଓ ପ୍ରତିକ୍ରିୟାଶୀଳ..?

୦ ଭାରତୀୟମାନେ କ’ଣ କିଛି ନବୁଝି ନବିଚାରୀ ହଠାତ୍ କୋଉଠିକୁ ଡେଇଁପଡ଼ନ୍ତି..?

୦ ‘ବସୁଧୈବ କୁଟୁମ୍ୱକମ୍’ କ’ଣ କେବଳ ତୁଣ୍ଡରେ କହୁଥିବା ଡାଇଲଗଟିଏ..?

ଏହିଭଳି କିଛି ପ୍ରଶ୍ନର ଶୃଙ୍ଖଳ ମନକୁ ଆସୁଥିବାବେଳେ, ଆଉ ଗୋଟିଏ ଦ୍ୱନ୍ଦ୍ୱ ଅଥଚ ଅକାଟ୍ୟଯୁକ୍ତି ବି ଘାରୁଛି ମୁଣ୍ଡକୁ, ଯେ…

ଥରକୁ ଥର କେତେଆଉ ସଫା କରୁଥିବ ବୁଢ଼ିଆଣି ଅଳନ୍ଧୁ?

ସଞ୍ଜବେଳେ ସଫା କରିଥିଲ ଯୋଉ ଜାଲ

ସକାଳକୁ ପୁଣିଥରେ ଜାଲ ବୁଣି

ବୁଢ଼ିଆଣି ନୃତ୍ୟ କରିଲାଣି।

ଏଣିକି ଅଳନ୍ଧୁ ନୁହେଁ ଆଉ

ସିଧା ପ୍ରହାର କର ବୁଢ଼ିଆଣିକୁ।

ଠିକ୍ କଥା… ଭାରତୀୟ ସେନା ଯୋଉ ଆତଙ୍କବାଦୀ ଆଡ୍ଡା ସବୁକୁ ଧ୍ୱସ୍ତ କରିଦେଇଥିଲା, ଏବେ ସେ ସବୁର ପୁନର୍ନିମାଣ ଆରମ୍ଭ ହେଇଗଲାଣି ନୂତନ ଢାଞ୍ଚାରେ..!! ଯାହା ବୁଢ଼ିଆଣି ଅଳନ୍ଧୁ ଓ ବୁଢ଼ିଆଣି କଥାର ଅକାଟ୍ୟତାକୁ ସିଦ୍ଧ କରୁଛି। ତାହା ତା’ ନିଜ ଜାଗାରେ ଠିକ୍ ବି। ବୁଢ଼ିଆଣିକୁ ହିଁ ହତ୍ୟା କରାଯିବା ଆବଶ୍ୟକ।

ତେବେ ଏଠି ଏ ପ୍ରସଙ୍ଗ ଟିକେ ଅଲଗା। ଯାହାକୁ ଅଯଥା ନଫେଣେଇ ଚୁମ୍ବକରେ ଆଲୋଚନା କରାଯାଉ।

ରୁଷିଆ ଭଳି ଏକ ସର୍ବଶକ୍ତିମାନ ବିରାଟ ଦେଶ ୟୁକ୍ରେନ୍ ସହ ଯୁଦ୍ଧ ଆରମ୍ଭ କଲାବେଳେ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଆକଳନ କରିଥିଲେ ଯେ ଅଧିକରୁ ଅଧିକ ସପ୍ତାହେ ଲାଗିବ ୟୁକ୍ରେନ ଅକ୍ତିଆର କରିବାକୁ। ଅଥଚ ପୁଟିନଙ୍କ ଆକଳନ ବାହାରେ, ଆଜି ଅଢ଼େଇବର୍ଷରୁ ଉର୍ଦ୍ଧ୍ବ ହେଇଗଲାଣି ଯୁଦ୍ଧ ଶେଷ ହେଇପାରୁନି। ଏଥିରେ ଦୁଇପଟରୁ ଅଗଣିତ ସାଧାରଣ ନିରୀହ ଜନତାଙ୍କ ମୃତ୍ୟୁ ଠାରୁ କୋଟି କୋଟି ଟଙ୍କାର ଜାତୀୟ ସମ୍ପତ୍ତି ନଷ୍ଟଭ୍ରଷ୍ଟ ହେଇଚାଲିଛି, ତାହା ତ ଅଲଗା; ତା ବାହାରେ ରୁଷିଆ ଭଳି ଏକ ବିତ୍ତଶାଳୀ ଦେଶର ଅର୍ଥନୀତି ଏବେ ଭୁଷୁଡି ପଡ଼ିଲାଣି ସାଙ୍ଘାତିକ ଭାବରେ, ଏବଂ ଆଜି ଯଦି ଯୁଦ୍ଧ ବନ୍ଦ ହେଇ ବି ଯାଏ, ରୁଷିଆକୁ ପୁନଶ୍ଚ ତା’ର ପୂର୍ବସ୍ଥାନକୁ ଫେରିବାଲାଗି ପଚାଶବର୍ଷ ଲାଗିବ..!

ଏବଂ ଏହା ହିଁ ଚାହାନ୍ତି ଆମେରିକା ସମେତ ଅନ୍ୟ ଅନେକ ବିକଶିତ ଓ ବିକାଶଶୀଳ ୟୁରୋପୀୟ ଦେଶ ଯେ ଯୁଦ୍ଧ ଏମିତି ଚାଲିଥାଉ, ଯଦ୍ଦ୍ୱାରା ଖିନ୍ ଭିନ ହେଇଯିବ ରୁଷିଆର ଅର୍ଥ ବ୍ୟବସ୍ଥା ସମେତ ସମସ୍ତ ଭିତ୍ତିଭୂମି। ତେଣୁ ସେମାନେ ୟୁକ୍ରେନକୁ ଗୋଳାବାରୁଦ ସହ ଯୁଦ୍ଧାସ୍ତ୍ର ଯୋଗେଇ ତା’ର ମନୋବଳ ବଢ଼େଇ ଚାଲିଛନ୍ତି ।

ଆଜି ଇସ୍ରାଏଲର ଅବସ୍ଥା ମଧ୍ୟ ସେଇଆ। ଦୁଇବର୍ଷରୁ ଉର୍ଦ୍ଧ୍ବକାଳ ହେଲା ନେତାନ୍ୟାହୁ ସରକାର ହମାସ୍ ସହ ଯୁଦ୍ଧଲିପ୍ତ ରହିବା ଦ୍ଵାରା ନିଜ ଦେଶର ଆର୍ଥିକ, ଶୈକ୍ଷିକ, ସ୍ବାସ୍ଥ୍ୟ ଓ ସାମାଜିକ ବ୍ୟବସ୍ଥା କ୍ରମଶଃ ଜଟିଳତର ହୋଇଚାଲିଛି।

ଭାରତ ପାଇଁ ମଧ୍ୟ ପାକିସ୍ଥାନ ସହ ଯୁଦ୍ଧ, ଏକ ଆହ୍ବାନ। ଭାରତ ଏବେ ତା’ର ବିକାଶ କ୍ଷେତ୍ରରେ ଦୃତ ଅଗ୍ରଗତି କରିଚାଲିଛି ଏବଂ ଖୁବ୍ ଶୀଘ୍ର ଏହା ବହୁ ବିକଶିତ ରାଷ୍ଟ୍ର ସମେତ ଜାପାନ ଓ ଜର୍ମାନକୁ ଅତିକ୍ରମ କରି ବିଶ୍ୱର ତୃତୀୟ ଆର୍ଥିକ ମହାଶକ୍ତି ରୂପେ ଉଭାହେବାକୁ ଯାଉଛି। ଏଣୁ ଚାଇନା ସମେତ ଅନେକ ଦେଶର ଚକ୍ଷୁଶୂଳ ହୋଇଛି ଭାରତ। ସେମାନେ ଚାହାନ୍ତି, ଭାରତ ପାକିସ୍ଥାନ ସହ ଲିପ୍ତ ରହୁ ଯୁଦ୍ଧରେ… ଓ ଏଥିପାଇଁ ସୈନ୍ୟବଳ ଠାରୁ ଯୁଦ୍ଧାସ୍ତ୍ର ଓ ମନୋବଳ ଦେଇଚାଲିଛନ୍ତି ପାକିସ୍ଥାନକୁ।

୧୯୬୫ ମସିହାର ଯୁଦ୍ଧ ଓ ଶାସ୍ତ୍ରୀଜୀ, ୧୯୭୧ ଯୁଦ୍ଧ ଓ ଇନ୍ଦିରା ଗାନ୍ଧୀ ହୁଅନ୍ତୁ କି ୧୯୯୯ର କାରଗିଲ ଯୁଦ୍ଧ ଓ ବାଜପେୟୀ ବା ଏବର ୨୦୨୫ ଯୁଦ୍ଧ ଓ ନରେନ୍ଦ୍ର ମୋଦୀ ହୁଅନ୍ତୁ — ସବୁ ଯୁଦ୍ଧର ସମୟ, ପରିବେଶ, ନିଷ୍ପତ୍ତି ଓ ଲକ୍ଷ୍ୟ ପ୍ରତ୍ୟେକ ପ୍ରତ୍ୟେକ ଠାରୁ ଭିନ୍ନ ଓ ସ୍ଵତନ୍ତ୍ର। କେହି କାହା ସହ ତୁଳନୀୟ ନୁହେଁ କି ନିନ୍ଦନୀୟ ବି ନୁହେଁ ଏବଂ ପ୍ରତ୍ୟେକ ନିଜ ନିଜ ସ୍ଥାନରେ ଦେଶର ହିତ ଓ ସ୍ୱାର୍ଥକୁ ନେଇ ସର୍ବୋତ୍ତମ କର୍ମ କରିଛନ୍ତି।

ଇନ୍ଦିରା ଗାନ୍ଧୀ କ’ଣ କରିପାରିଲେ ଓ ନରେନ୍ଦ୍ର ମୋଦୀ କରିପାରିଲେନି ଅବା ମୋଦୀଙ୍କ ସଫଳ କେମିତି ଓ ଇନ୍ଦିରା ବିଫଳ କେମିତି.. ଏସବୁ କେବଳ ରାଜନୈତିକ ଫନ୍ଦି ଓ ଅନ୍ଧଭକ୍ତଙ୍କ ଖେଚୁଡ଼ିରନ୍ଧା। ରାଷ୍ଟ୍ରହିତରେ ଚିନ୍ତା କରି ବି କଲେ, ଏହି ଉପସଂହାରରେ ଉପନୀତ ହେଇହେବ ଯେ, ଇନ୍ଦିରା ଗାନ୍ଧୀ ଯାହା କରିଥିଲେ, ତାହା ରାଷ୍ଟ୍ରହିତରେ ହିଁ ଥିଲା। ଆମେରିକାର ରାଷ୍ଟ୍ରପତି ନିକସନଙ୍କ ପାଖରୁ ବାରମ୍ବାର ଆସୁଥିବା ଟେଲିଫୋନକୁ ଖାତିର ନକରି ସେ ପାକିସ୍ଥାନର ଆସ୍ପର୍ଦ୍ଧା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ, ବିଶ୍ଵ ସମୁଦାୟର ପ୍ରବଳ ଚାପ ସତ୍ତ୍ୱେ। ଏହି ଯୁଦ୍ଧ ପଛରେ ଭାରତର କୌଣସି ସାମ୍ରାଜ୍ୟ-ବିସ୍ତାରର ଅଭିଳାଷ ନଥିଲା, ବରଂ ମାନବିକ ଅଧିକାର କ୍ଷୂର୍ଣ୍ଣ କରୁଥିବା ଆଧାରରେ ବାରମ୍ବାର ନିର୍ଯ୍ୟାତିତା, ଦଳିତା, ନିଷ୍ପେଷିତା ଓ ଧର୍ଷିତା ପୂର୍ବ-ପାକିସ୍ଥାନର ତ୍ରାଣକର୍ତ୍ତା ସାଜିଥିଲା ଭାରତ। ଭାରତ ଲାହୋର ଯାଏଁ ଅକ୍ତିଆର କରି ନେଇଥିଲେ ବି କାହିଁକି ସେ ଅଞ୍ଚଳ ଛାଡିଦେଲା ଏବଂ ୯୩ ହଜାର ପାକିସ୍ଥାନୀ ଯୁଦ୍ଧବନ୍ଦୀ ପାକିସ୍ଥାନୀ ସେନାଙ୍କୁ କାହିଁକି ଫେରେଇଦେଲା ଏବଂ ପ୍ରତିବଦଳରେ ଆମ ପକ୍ଷର ପ୍ରାୟ ୫୪ ନିଖୋଜ ଯୁଦ୍ଧବନ୍ଦୀଙ୍କ ଠାବ ତଥା ମୁକ୍ତି ପାଇଁ ସର୍ତ୍ତ କାହିଁକି ରଖାଗଲା ନାହିଁ ? ଯୁଦ୍ଧର ୪୪ ବର୍ଷ ଉପରାନ୍ତେ ଏପରି ପ୍ରଶ୍ନ ପଚାରିବା କେବଳ ଏକ ରାଜନୀତିକ ପଇଁତରା ଛଡ଼ା ଅନ୍ୟ କିଛି ବି ହେଇନପାରେ ।

ଏହାର ଉତ୍ତରରେ କେବଳ ଏତିକି କୁହାଯାଇପାରେ – ବିଶ୍ବସମ୍ପ୍ରଦାୟ ବିଶ୍ବଜନଙ୍କ ଶାନ୍ତିରେ ସହାବସ୍ଥାନ ପାଇଁ ସର୍ବମାନ୍ୟ କିଛି ଆନ୍ତର୍ଜାତୀୟ ନିୟମ ବା ସର୍ତ୍ତାବଳୀ ଜାତିସଙ୍ଘ, ଅନ୍ତଃରାଷ୍ଟ୍ରୀୟ ନ୍ୟାୟାଳୟ ଭଳି ଅନେକ ସଂସ୍ଥା ମାଧ୍ୟମରେ ପ୍ରବର୍ତ୍ତନ କରିଛନ୍ତି – ଯାହାର ଉଲ୍ଲଙ୍ଘନକରି ବିଶ୍ବ ସମୁଦାୟର ଶତ୍ରୁତା ବରଣ କରିବା ସେତେବେଳର ଭାରତ ଭଳି ଏକ ପ୍ରଗତିଶୀଳ ଦେଶ ପାଇଁ ହିତକାରକ ହୋଇନଥାନ୍ତା ।

ବର୍ତ୍ତମାନ ପରିପ୍ରେକ୍ଷୀରେ ଭୟଭିତ ପାକସ୍ଥାନୀ ଡିଜିଏମୋଙ୍କ ଅନୁରୋଧ କ୍ରମେ ଯୁଦ୍ଧର ତିନିଦିନ ପରେ ଅପେରସନ୍ ସିନ୍ଦୂରକୁ ହଠାତ ବିରାମ ଘୋଷଣା କରିବା ସରକାରଙ୍କ ନିଷ୍ପତି ପଛରେ ବିଶ୍ବ ସମ୍ପ୍ରଦାୟଙ୍କ ଅନୁରୂପ ପ୍ରଭାବ ଥାଇପାରେ । ତେବେ ଯୁଦ୍ଧଭଳି ସଦା ଅହିତକର ସ୍ଥିତିକୁ ଏଡ଼େଇ ଯିବାକୁ ଏହା ଦ୍ବାରା ଏକ ସୁନ୍ଦର ସୁଯୋଗ ମିଳିଲା ଭାରତକୁ ।  କାରଣ ସରକାର, ସୈନ୍ୟବଳ ତଥା ଯୁଦ୍ଧବିଶେଷଜ୍ଞ ଭଲଭାବରେ ଜାଣିଥିଲେ – ଯୁଦ୍ଧ ଥରେ ଆରମ୍ଭ ହେଲେ, ଏହା ଋଷ-ୟୁକ୍ରେନ ଯୁଦ୍ଧ ଭଳି କେତେ କାଳ ଚାଲିବ, ତାହା କହିହେବନି । ଏହା ସ୍ପଷ୍ଟ ଅନୁମେୟ ଯେ ଭାରତର ଆର୍ଥିକ ବିକାଶର ଗତିକୁ ମନ୍ଥର କରିବା ଅଭିସନ୍ଧିରେ ଭାରତ ବିପକ୍ଷରେ ତୁର୍କୀୟ ଓ ଚୀନ ପାକିସ୍ଥାନକୁ ଆଗରେ ରଖି ପ୍ରଚ୍ଛଦ ଯୁଦ୍ଧ ପାଇଁ ଅଣ୍ଟାଭିଡୁ ଥିଲେ ।

ପେହେଲଗାମ୍ ଆତଙ୍କବାଦୀ ବିରୁଦ୍ଧରେ ସମୂଳେବିନାଶ ଅଭିଯାନ ପାଇଁ ଭାରତ ବିଶ୍ବସମ୍ପ୍ରଦାୟର ସ୍ବୀକୃତି ଓ ସମର୍ଥନ ହାସଲ ପୂର୍ବକ ଅପେରସନ୍ ସିନ୍ଦୂର ଚଳାଇଲା ଓ ପ୍ରଥମ ପର୍ଯ୍ୟାୟରେ ମିଜାଇଲ୍ ମାଡ଼କରି ୯ଗୋଟି ଆତଙ୍କବାଦ ତାଲିମ ଶିବିରକୁ ଧ୍ବଂସ କଲା । ଏହା ସହିତ ସତର୍କବାଣୀ ଶୁଣାଇଦେଲା  – ଯଦି ଏହାର ପ୍ରତିକ୍ରିୟାରେ ପାକିସ୍ଥାନ କିଛି ପଦକ୍ଷେପ ନିଏ ତେବେ ତାହା Act of War ବା ପାକିସ୍ଥାନ ତରଫରୁ ଯୁଦ୍ଧ କାର୍ଯ୍ୟ ବୋଲି ଭାରତ ଧରିନେବ ଓ ଯଥୋଚିତ ଜବାବ ଦେବ । ଏବଂ ତାହାହିଁ ହେଲା । ପାକିସ୍ଥାନର ୧୧ ଗୋଟ ପ୍ରମୁଖ ବିମାନଘାଟିକୁ ଭାରତ ଧ୍ବଂସ କରିଦେଲା । ତାହାବୋଲି ଏହି ଆଳରେ ବିଭିନ୍ନ ଅନ୍ତଃର୍ଜାତୀୟ ନିୟମକୁ ଅଣଦେଖାକରି ଜାମୁ କାଶ୍ମୀରର ପାକିସ୍ଥାନ ଅଧିକୃତ ଅଞ୍ଚଳକୁ ହାତେଇନେବା ଓ ତାହାକରି ବିଶ୍ବସମ୍ପ୍ରଦାୟଙ୍କ ଆସ୍ଥା ଭାଜନ ହେବା ଏତେ ସହଜ ବ୍ୟାପାର ନଥିଲା ଭାରତ ପକ୍ଷରେ । 

ଅନ୍ୟ ପକ୍ଷରେ ପାକିସ୍ଥାନର ସର୍ବାଧିକ କ୍ଷତି ହେଲେ ବି ଭାରତର ଯେତିକି ଧନଜୀବନ ନଷ୍ଟ ହେବ ତାହା ଅପୂରଣୀୟ ହୋଇ ରହିବ କାଳକାଳକୁ ଏବଂ ସବୁଠାରୁ ଦାରୁଣ କ୍ଷତି ହେବ ଭାରତର ସ୍ବପ୍ନଭଙ୍ଗ । ୨୦୨୭ରେ ବିଶ୍ବରେ ତୃତୀୟ ଆର୍ଥିକ ମହାଶକ୍ତି ହେବାର ମଧୁର ସ୍ବପ୍ନକୁ ନେଇ ବିକାଶଶୀଳର ଯେଉଁ ଧାରାରେ ଆଗକୁ ବଢ଼ିଚାଲୁଥିବା ଭାରତ ହଠାତ୍ ଶହେ ବର୍ଷ ପଛକୁ ଚାଲିଯିବ ନିଜର ଋଗ୍ଣ, ଭଗ୍ନ ଓ ଅସନ୍ତୁଳିତ ଆର୍ଥିକ ସ୍ଥିତିକୁ କାନ୍ଧରେ ବୋହି ।

ସରକାର ଯୁଦ୍ଧଭଳି ଚରମ ନିଷ୍ପତି କେବେବି ଭାବପ୍ରବଣତା ବା ତରବରିଆ ଭାବେ ନେଇନଥାନ୍ତି । ମାର୍ଗଦର୍ଶନ ପାଇଁ ମନ୍ତ୍ରୀମଣ୍ଡଳ, ସାଂସଦ, ସଚିବାଳୟ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସହ ସମ୍ପୃକ୍ତ ଅଭିଜ୍ଞ ଓ ବିଚକ୍ଷଣ ବିଶେଷଜ୍ଞମାନଙ୍କ ମଧ୍ୟରେ ବାରମ୍ବାର ବିଚାର ବିମର୍ଷ ପରେ ଦେଶହିତ ଓ ଦେଶସ୍ବାର୍ଥରେ ଯୁଦ୍ଧଭଳି ଚରମ ନିଷ୍ପତି ନିଆଯାଇଥାଏ । ଏଣୁ ବର୍ତ୍ତମାନର ‘ଯୁଦ୍ଧ ବିରାମ’ ଏକ ସଫଳ ଓ ସମୟୋଚିତ ରାଷ୍ଟ୍ରହିତରେ ନିଷ୍ପତି ବୋଲି କହିବା ବରଂ ଠିକ୍ ହେବ ।

ତେବେ ଏଇଠି ଏତିକି କହିବା ଠିକ୍ ହେବ – ଆମର ଅନେକ କବି ଓ ସାହିତ୍ୟିକ ନଈ ନ ଦେଖୁଣୁ ଲଙ୍ଗଳା ହେଲା ଭଳି ଜାତି, ଧର୍ମ, ଘୃଣା, ଅସହିଷ୍ଣୁତାର ମାଳମାଳ କବିତା ଓ ପ୍ରତିକ୍ରିୟାରେ ଭର୍ତ୍ତି କରିଦେଇଗଲେ ସାମାଜିକ ଗଣମାଧ୍ୟମକୁ ନିଜର ଦେଶଭକ୍ତିର ନିଦର୍ଶନ ସ୍ବରୂପ – ଯୋଉ ଫମ୍ପାଭକ୍ତିର ଆସ୍ଫଳନ କେବଳ ଜଣେ ବିକୃତ ମସ୍ତିସ୍କ ମାମୁଲି ଲେଖକ ହିଁ କରିପାରେ । ଏକଥା ବି କହିରଖିବା ଠିକ୍ ହେବ ଯେ ଜଣେ ସାହିତ୍ୟପ୍ରାଣ ବ୍ୟକ୍ତି ଜାତି, ଧର୍ମ, ଘୃଣା, ଅସହିଷ୍ଣୁତାର ଉର୍ଦ୍ଧ୍ବରେ କେବଳ ମାନବର ଓ ମାନବୀୟ ଚେତନାର ଜୟଗାନ କରିଥାଏ ।

ଜୟହିନ୍ଦ ! ବନ୍ଦେ ଭାରତ !

There are 2 comments

  1. କବି ତ୍ରିନାଥ ସିଂହଙ୍କ ସମ୍ପାଦକୀୟରୁ ଏହା ସିଦ୍ଧ ଯେ ସେ ଜଣେ ବୁଦ୍ଧିଜିବୀ ମଧ୍ୟ।

  2. ନମସ୍କାର
    ଏ ମାସର ସମ୍ପାଦକୀୟ ଚମତ୍କାର,
    ବହୁତ ଭଲ ଲାଗିଲା
    “ଅଳନ୍ଧୁ ନୁହେଁ ବୁଢ଼ିଆଣୀକୁ ମାରିବାର ଅଛି,” ଖୁବ୍ ମାର୍ମିକ ।
    ଯୁଦ୍ଧଖୋର ବିଶ୍ବର ବର୍ତ୍ତମାନର ସ୍ଥିତି ଯେ ଅତ୍ୟନ୍ତ ଉଦବେଗଜନକ ତାହା ଋଷ ୟୁକ୍ରେନ ଯୁଦ୍ଧ, ଇସ୍ରାଏଲ ଅବା ଏବେ ର ଭାରତ ପାକିସ୍ତାନର ଯୁଦ୍ଧ ଭଳି ପରିସ୍ଥିତିରୁ ଅନୁମେୟ ।
    ଯୁଦ୍ଧ ମାନବ ସମାଜ ପାଇଁ କେବେ ବି ହିତକର ନୁହେଁ
    ହଁ ଆତ୍ମରକ୍ଷା ଅଧିକାର ସମସ୍ତଙ୍କର ଅଛି।
    ସିନ୍ଦୂର ପ୍ରାଣର ପ୍ରତୀକ , ଧ୍ବଂସର ନୁହେଁ
    ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର୍
    🙏🙏

Leave a Reply

Your email address will not be published. Required fields are marked *