ଚଉକାଠ
।। ଐଶ୍ୱର୍ଯ୍ୟା ପ୍ରଧାନ ।।
ଚାରିଖଣ୍ଡ କାଠର ମାପଚୁପ ଏକ ଆକୃତି
ଦୁଃଖସୁଖ, ତେଲଲୁଣ ସଂସାରର
ମୂକସାକ୍ଷୀ…
ଯେବେ ପାଦ ପଡ଼େ ତା ଛାତିକୁ ଡେଇଁ
ଅଳତାବୋଳା ସୁନ୍ଦର ପାଦ ଦୁଇଟିର ଛାପ ବୋଧହୁଏ ରହିଯାଏ ସେଇଠି
ସବୁଦିନ ପାଇଁ ।।
ଚଉକାଠ ଡେଇଁ ଆସେ ନବବଧୂଟି
ସିନ୍ଦୂର କୁଙ୍କୁମରେ ସଜେଇ ହୋଇ
ଆବୋରି ନିଏ ଅଜଣା ସଂସାରକୁ
ଧୀରେ ଧୀରେ ପାରିକରେ ଜୀବନର ପାରାବାର
ଆଉ ଦିନେ ସେ ଫେରିଯାଏ
ଦୂରକୁ ବହୁ ଦୂରକୁ
ସେତେବେଳେ କେଉଁ କୋଣରୁ ଅନବରତ
ଝରୁଥାଏ ଲୁହ…
ସତେ ଯେମିତି, ସିଏ ଗଲା ପରେ ପରେ
ଶୂନ୍ୟ ଏହି ଘର, ଉଜୁଡା ସଂସାର…
ସ୍ତବ୍ଧ ହୋଇଯାଏ ଚଉକାଠ ।।
ଚେଷ୍ଟା କରେ
ତା ଛାତିକୁ ପଥର ପରି କରିବାକୁ
କେଇବର୍ଷର ସମ୍ପର୍କକୁ ପାଶୋରି ଯିବାକୁ
ହେଲେ ସେ ଚିହ୍ନାମୁହଁ
ପାଦଚିହ୍ନ କେମିତି ଭୁଲିବ ଯେ !
ସେ ଛାପାଶାଢ଼ୀର ଆବରଣରେ ସୁସଜ୍ଜିତ
ରକ୍ତମାଂସର ଶରୀରକୁ
ପାଶୋରି ଯିବା କ’ଣ ଏତେ ସହଜ..??
ଚଉକାଠ ଦେଖିଛି
ତିଅଣ ନଥିବା ଭାତଥାଳି, ଅଲଣା ଡାଲି,
ଲୁଣ ପଖାଳର କଂସା
ଅଭାବି ସପନ, ଭଙ୍ଗା ମନ
ପୁଣି ଦେଖିଛି ଦାରିଦ୍ର୍ୟର କଷାଘାତରେ ବି
ଶୁଖିଲା ଓଠମାନଙ୍କରେ ଧାରେ ହସ
ବିଛାଡ଼ି ପଡ଼ିଥିବା ସ୍ବପ୍ନମାନଙ୍କୁ ସାଉଁଟି ଆଣିବାର !!
ସେ ଦେଖିଛି
ପାହାଡ଼ ପରି ଗୋଟେ ମଜବୁତ ଛାତି
ଯିଏ ଅଭାବରେ ବି ନଇଁ ପଡ଼ିନି କେବେ
ଆଜି କିନ୍ତୁ ସେ ଭାଙ୍ଗିରୁଜି
କାଚର ଟୁକୁରା ପରି ବିଛାଡ଼ି ହୋଇପଡ଼ିଛି
ଚାରିଆଡ଼େ
କାହିଁକି ନା,
ସିଏ ତା ଆତ୍ମାକୁ ହରେଇଛି ଯୁଗ ଯୁଗ ପାଇଁ
ଆଉ ଅନାଥ ‘ଚଉକାଠ’
ନୀରବ ଦ୍ରଷ୍ଟା ସାଜି ଦିଗନ୍ତକୁ ଚାହିଁ ରହିଛି ।।
ଭବାନୀପାଟଣା କଳାହାଣ୍ଡି, ମୋ-୭୦୦୮୯୩୧୫୯୯