କଥାବାର୍ତ୍ତା : ବାଲିଗରଡ଼ାରୁ ସ୍ବପ୍ନର ମୁକ୍ତା ଛାଣୁଥିବା ଜଣେ ନୋଳିଆ.., କବି ବିଦେଶୀ ନାୟକ
।। ପଲ୍ଲବୀ ଦାସ ।।
ମାଆ, ମାଟି, ମମତାର ଜଡ଼ସଡ଼ପଣରେ ମୁଗ୍ଧ ଜଣେ ମଣିଷର ନାଆଁ ବିଦେଶୀ ନାୟକ। ଦାରିଦ୍ର୍ୟର ଚାଳଛପର ଘରେ ପ୍ରାଚୂର୍ଯ୍ୟର ଜହ୍ନାଲୋକ ସାଉଁଟୁଥିବା ଜଣେ ଭାବ-ବିହ୍ବଳ ମଣିଷ ବିଦେଶୀ ନାୟକ। ସମୁଦ୍ରର ବେଳାଭୂମିରେ ଅବହେଳିତ ବାଲି-ଗରଡ଼ାରୁ ସ୍ବପ୍ନର ମୁକ୍ତା ଛାଣୁଥିବା ବିଦଗ୍ଧ ନୋଳିଆଟିଏ ବିଦେଶୀ ନାୟକ।
ହଁ, ବର୍ତ୍ତମାନ ସମୟର ଓଡ଼ିଆ କବିତାସାହିତ୍ୟରେ ଏକ ବହୁଚର୍ଚ୍ଚିତ ଓ ସୁପରିଚିତ ଉଚ୍ଚାରଣ କବି ବିଦେଶୀ ନାୟକ, ଯିଏ ଗତ ତିନିଦଶନ୍ଧିରୁ ଉର୍ଦ୍ଧ୍ବକାଳ ହେବ, ତାଙ୍କର ଯାଦୁକରୀ ଶବ୍ଦର ବଂଶୀ ଧରି ବିଚରଣ କରୁଛନ୍ତି ଆଲୁଳାୟିତ କବିତାର ସ୍ପର୍ଶକାତର ଗଳି-ପ୍ରଗଳିରେ… ଓ ଆଚମ୍ବିତ କରୁଛନ୍ତି ତାଙ୍କ କବିତାର ଗୁଣୁଗୁଣୁ ସ୍ଵର ଓ ଲୟରେ ତାଙ୍କର ମୁଗ୍ଧ ଗ୍ରାହକମାନଙ୍କୁ।
ଏବେ ଦିନେ ଗୋଟିଏ ଅଳସୀ ସଞ୍ଜରେ ହଠାତ୍ ଦେଖାହେଇଗଲା ତାଙ୍କ ସହ। ଏମିତି, ଏଣୁତେଣୁ ଆବୁରୁଜାବୁରୁ କଥା ଭିତରେ ତାଙ୍କୁ ପଚାରିଦେଲି, ତାଙ୍କ କାବ୍ୟଯାତ୍ରାର ପ୍ରାରମ୍ଭିକ ଅନୁଭବ ସମ୍ପର୍କରେ। ମୋ ପ୍ରଶ୍ନରେ ଖୁବ୍ ଅନ୍ୟମନସ୍କ ହେଇପଡ଼ନ୍ତି ସେ, ଆଉ କହନ୍ତି –
କଲେଜ୍ ଜୀବନରେ କୋଉ ଏକ ଅଜଣା ସୁନ୍ଦରୀ ପ୍ରେମରେ ତଲ୍ଲୀନ ହୋଇ ପ୍ରଥମେ ପ୍ରେମକବିତାରୁ ଆରମ୍ଭ ହୁଏ ମୋର କାବ୍ୟଯାତ୍ରା । ଦାରିଙ୍ଗବାଡ଼ିର ପ୍ରାକୃତିକ ଶୋଭା ଜାର୍ଗିସରୁ ପାହାଡ଼ର ସୁଲୁସୁଲିଆ ପବନ, ଡଏଜୁ ଝରଣାର କୁଳୁକୁଳୁଆ ବଂଶୀସ୍ୱର… ଏ ସବୁ ମିଶି ମୋ ମନରେ ଗୋଟେ ପ୍ରେମିକ ଭାବନା ସୃଷ୍ଟି କରନ୍ତି। କବିତା ଲେଖା ଆରମ୍ଭ ହୁଏ ୧୯୯୦ରୁ। ୧୯୯୦ରୁ ଆରମ୍ଭ କରି ୨୦୦୨ ପର୍ଯ୍ୟନ୍ତ କେତେ ଯେ କବିତା ଉତୁରି ଆସନ୍ତି ତା’ର ତୁଳନା ନାହିଁ। ହଠାତ୍ ଶାଳବଣ ସାହିତ୍ୟ ସଂସଦ, ବାଲିଗୁଡ଼ା ତରଫରୁ ମୋ କବିତାକୁ ସ୍ଵୀକୃତି ମିଳେ ଓ ଜିଲ୍ଲାର କବି ଭାବେ ସମ୍ବର୍ଦ୍ଧନା ମିଳେ। ଡାଏରୀ ପୃଷ୍ଠାର ଅନାବନା ଶବ୍ଦ ସବୁ ସେଦିନଠୁ ମୋତେ କବିତା କବିତା ଲାଗନ୍ତି । ଅଦ୍ୟାବଧି ପ୍ରକାଶିତ ହୋଇଛି ସାତଗୋଟି କାବ୍ୟଗ୍ରନ୍ଥ… ଯାହା ମୋତେ ସମଗ୍ର ଓଡ଼ିଶାରେ କବିର ପରିଚୟ ଦିଏ।
ସାଧାରଣ ଭାବରେ ପ୍ରେମ କହିଲେ କ’ଣ ବୁଝନ୍ତି ବୋଲି ପଚାରିଦେଲି କବିଙ୍କୁ। ଉତ୍ତରରେ କବି କହନ୍ତି: ପ୍ରେମ କହିଲେ ଅଦିନିଆ ବର୍ଷା ପରେ ନିଆଁ ପାଖରେ ଝଡ଼ିପୋକଙ୍କ ଆତ୍ମହତ୍ୟା ବୋଲି ମୁଁ ବୁଝେ । ତେବେ ସେ ଆତ୍ମହତ୍ୟା ରେ ବି ଆତ୍ମତୃପ୍ତି ଥାଏ ବୋଲି, ପ୍ରେମ ଶାଶ୍ଵତ ଓ ଚିରନ୍ତନ।
ସାମାଜିକ, ପାରିବାରିକ ଓ ବୃତ୍ତିଗତ ଜୀବନର ତ୍ରିଶଙ୍କୁ ଭିତରେ କେମିତି ସନ୍ତୁଳନ ରକ୍ଷା କରେ କବିଟିଏ ତା’ର କବିତା ଓ କଲମକୁ ନେଇ..? ଏଇ ପ୍ରଶ୍ନ ପଚାରିଦେଇ, ମୁଁ ଚାହିଁଲି କବିଙ୍କ ଆଖି ଭିତରକୁ ସିଧାସଳଖ…! କବି କିନ୍ତୁ ସ୍ଵାଭାବିକ ଭାବରେ ଓ ବେଶ ସହଜ ସ୍ଵରରେ କହିଲେ: ମା ପେଟରୁ ଜନ୍ମ ହେବା ହିଁ କବିର ଜୀବନ; ବାକିସବୁ ବଞ୍ଚିବାର ବାହାନା । କବି ମରିବା ଜାଣେ, ଆତ୍ମହତ୍ୟା କରିବା ଅଭ୍ୟାସ କରେ ଓ ଜୀବନ କ’ଣ ଶବ୍ଦରେ ବାଣ୍ଟୁଥିବା କବି ହିଁ ବୁଝେ ଯନ୍ତ୍ରଣାର ଦୁଃଖ…। ବାକି ସବୁ ଅଳିକ। ମୋ କ୍ଷେତ୍ରରେ କବିତା ମୋ ପ୍ରେମିକା… ଯିଏ ଅହରହ ମୋ ଚାରିପଟେ ଘୂରିବୁଲୁଥାଏ। ପରିବାର ମୋର ଅପହଞ୍ଚ ପାରିବାପଣିଆ, ଯାହା ଭାଙ୍ଗୁଥାଏ ଓ ଗଢ଼ି ହେଉଥାଏ ବାରମ୍ବାର। ବୃତ୍ତି କବିତା ଓ ପରିବାରକୁ ପରୋକ୍ଷରେ ବୁନ୍ଦା ବୁନ୍ଦା ଜଳ ସିଞ୍ଚନ କରି ପରିସ୍ଫୁଟ କରୁଥିବା ଜୀବିକାର ଅନ୍ୟନାମ।
ଏ କଥା କହି ସାରି କବି ଟିକେ ସ୍ମିତ ହସନ୍ତି ଓ ଝର୍କା ରେଲିଙ୍ଗ ଦେଇ ଚାହାନ୍ତି ଅନତି ଦୂରରେ ଆକାଶକୁ ଛୁଇଁବାର ପ୍ରୟାସ କରୁଥିବା ହରିତ୍ ସବୁଜ ପାହାଡ଼କୁ। ସେମିତି ବାହାରକୁ ଚାହିଁ, ସେ ନିଜର ଅନୁଭବରୁ କବିତା ସମ୍ପର୍କରେ କହନ୍ତି: କବିତା ମୋତେ ଖୁବ୍ ଦେଇଛି ପ୍ରାଣ-ପ୍ରତିଷ୍ଠା। ପୋଛିଚି ମୋ ଆଖିରୁ ନିଗିଡ଼ି ପାରିନଥିବା ଲୁହବୁନ୍ଦା। ମୋ ହୃଦୟରୁ ଝରୁଥିବା ଅଦୃଶ୍ୟ ରକ୍ତର ଲୋହିତ ଧାରକୁ ପୋଷ ପୋଷ ସାଉଁଟି ନେଇଛି ପ୍ରତିନିୟତ। ପିଠି ଥାପୁଡ଼େଇ ଆଶ୍ଵାସନା ଦେଇଛି ଥରକୁ ଥର ଓ ଥରକୁ ଥର ଜୀବନମନସ୍କ ବି କରେଇଛି।
କବିତାକୁ ନେଇ କ’ଣ କିଛି ସ୍ବପ୍ନ ଦେଖନ୍ତି କି ବୋଲି ଅନ୍ୟମନସ୍କ ହେଇ ପଚାରିଦେଲି କବି ବିଦେଶୀ ନାୟକଙ୍କୁ। ଝର୍କା ବାହାରୁ ଆଖି ଫେରେଇ ଆଣି ଟିକେ ହସନ୍ତି କବି ଓ କହନ୍ତି: ମୁଁ ସବୁବେଳେ ସ୍ବପ୍ନ ଦେଖେ। ସ୍ବପ୍ନ ଛଡ଼ା ମୋ ପାଖରେ ଆଉ କିଛି ବି ନାହିଁ। ଠିକ୍ ଯେମିତି ଜହ୍ନ ବିନା ଜ୍ୟୋତ୍ସ୍ନା..! ଆକାଶ ବିନା ବାଦଲ..!! ଠିକ୍ ସେମିତି ସ୍ବପ୍ନ ଓ କବିତା ବିନା ବିଦେଶୀ ନାୟକ। ଆଗାମୀ ଦିନରେ ଦୁଇଟି କବିତାସଙ୍କଳନ “ଅଶରୀରୀ ପ୍ରେମିକା”, “ମୋନାଲିସା” ଓ ଗଳ୍ପସଂକଳନ “କଳଙ୍କିତର ଶ୍ୱେତପତ୍ର” ପ୍ରକାଶ ଅପେକ୍ଷାରେ ଅଛି। ଆଗକୁ କିଛି ପ୍ରବନ୍ଧ, ଆଲୋଚନା, ଗଳ୍ପ, କବିତା ଇତ୍ୟାଦି ସାରିବାକୁ ବି ଅଛି।
କବିଙ୍କୁ ଦ୍ୱିତୀୟ ଈଶ୍ୱର କୁହାଯାଉଥିବା ପ୍ରସଙ୍ଗରେ ତାଙ୍କର ମତାମତ ଲୋଡ଼ିଲି। ସେ କହିଲେ: ମୁଁ ଭାବେ ଈଶ୍ୱର ଏକ ଏବଂ ଅଦ୍ୱିତୀୟ। କବି ତା ସମଗ୍ର ସୃଷ୍ଟିର ସ୍ରଷ୍ଟା ଏବଂ ତା ସୃଷ୍ଟି ଭିତରେ ବି ନିଜର ସତ୍ତାକୁ ଖୋଜୁଥାଏ ଅର୍ଥାତ୍ କବି ନିଜେ ବି ଗୋଟେ କବିତା। ଅତଏବ, କବି ଭିତରେ ଐଶ୍ୱରୀକ ସତ୍ତା ଥାଇପାରେ..! କିନ୍ତୁ ଯୋଉଦିନ ସେ ନିଜକୁ ଇଶ୍ଵର ବୋଲି ଭାବିଦେବ, ତା ଭିତରେ ଥିବା କବିଟି ମରିଯିବ। ବର୍ତ୍ତମାନର ନବପ୍ରଜନ୍ମର କବି ଓ କବିତା ସମ୍ପର୍କରେ ପଚାରିଲା ବେଳେ, ତାଙ୍କ ମୁଖମଣ୍ଡଳରେ ଏକ ସନ୍ତୋଷର ଉଜ୍ଜ୍ୱଳତା ଉକୁଟି ଆସିଲା। ସେ କହିଲେ: ବର୍ତ୍ତମାନର ଯୁବଗୋଷ୍ଠୀ ବହୁଳ ଭାବରେ କବିତାମନସ୍କ ହେଉଥିବାର ଦେଖାଯାଉଛି, ଯାହା ଓଡ଼ିଆ କବିତା ଜଗତ ପାଇଁ ଶୁଭସୂଚନା। କବିତା ଲେଖିବାକୁ ହେଲେ ଶବ୍ଦ ସହିତ ଭାବ ଯୋଡ଼ିବାକୁ ହବ, ଭାବ ସହିତ ଅଭାବକୁ ଫେଣ୍ଟି ନିଜ ଅନିଚ୍ଛା ସତ୍ତ୍ୱେ ପିଇବାକୁ ହବ, ସେଥିରେ ବିଷ ଥାଉ କି ଅମୃତ ଥାଉ, ତା ଭିନ୍ନକଥା। କିନ୍ତୁ ଏଇ ପିଇବାରେ ଯୋଉ ମାଦକତା ଥାଏ ତାହା ଅନୁପମ ଓ ଅନନ୍ୟ। ତଥାପି ନୂତନପିଢ଼ି ଲେଖିବାର ଯୋଉ ସ୍ଵାଧୀନତା ହାସଲ୍ କରିଛନ୍ତି ତାହାକୁ ଅଧିକାର ନଭାବି କର୍ତ୍ତବ୍ୟ ଭାବିଲେ ସମାଜ ଓ ସାହିତ୍ୟ ପାଇଁ ସବୁଠୁ ସୁନ୍ଦର ବାର୍ତ୍ତା ହବ।