Home » Magazine » ପ୍ରଦୀପ କୁମାର ରାୟ : ଜ୍ଞାନପୀଠ ବିଜେତା ବିନୋଦ କୁମାର ଶୁକ୍ଳଙ୍କ ଉପରେ ଏକ ନମ୍ର ଆଲେଖ୍ୟ ।

ପ୍ରଦୀପ କୁମାର ରାୟ : ଜ୍ଞାନପୀଠ ବିଜେତା ବିନୋଦ କୁମାର ଶୁକ୍ଳଙ୍କ ଉପରେ ଏକ ନମ୍ର ଆଲେଖ୍ୟ ।

୨୦୨୪ ମସିହା ପାଇଁ ଘୋଷିତ ହୋଇଛି ୫୯ ତମ ଜ୍ଞାନପୀଠ ପୁରସ୍କାର। ଏଥର ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ହିନ୍ଦୀ ସାହିତ୍ୟର ବିଶିଷ୍ଟ କବି ତଥା ଔପନ୍ୟାସିକ  ବିନୋଦ କୁମାର ଶୁକ୍ଳ ।

ବିନୋଦ କୁମାର ଶୁକ୍ଳ ୧୯୩୭ ମସିହା ଜାନୁଆରୀ ମାସ ୧ ତାରିଖ ଦିନ ରାଜନନ୍ଦଗାଓଁ, ଛତିଶଗଡ଼ରେ ଜନ୍ମଗ୍ରହଣ କରିଥିଲେ। ଜବଲପୁର କୃଷି ବିଜ୍ଞାନ ବିଶ୍ବବିଦ୍ୟାଳୟରୁ ଉଚ୍ଚଶିକ୍ଷା ଗ୍ରହଣ କରି ସେ ଅଧ୍ୟାପନାକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ।  ଯୁବାବସ୍ଥାରୁ ସାହିତ୍ୟ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଓ ପରବର୍ତ୍ତୀ କାଳରେ ମୁକ୍ତିବୋଧଙ୍କ ପରି କବିଙ୍କ ସାନ୍ନିଧ୍ୟ ତାଙ୍କୁ ସାହିତ୍ୟ ରଚନାରେ ମନୋନିବେଶ କରାଇବାକୁ ପ୍ରେରିତ କରିଥିଲା ।

ବିନୋଦ କୁମାରଙ୍କ ପ୍ରଥମ କବିତା ସଙ୍କଳନ “ଲଗଭଗ ଜୟହିନ୍ଦ୍” ୧୯୭୧ ମସିହାରେ ପ୍ରକାଶ ପାଇଥିଲା । ଏହାପରେ “ଓ୍ବହ ଆଦମୀ ନୟା କୋର୍ଟ ପହନ କର ଚଲା ଗୟା ବିଚାର କି ତରହ” (୧୯୮୧ ), “ସବକୁଛ ହୋନା ବଚା ରହେଗା” (୧୯୯୨), “ଅତିରିକ୍ତ ନୈହିଁ” ( ୨୦୦୧ ), “କବିତାସେ ଲମ୍ବି କବିତା” (୨୦୦୮ ), ପ୍ରକାଶ ପାଇଥିଲା ।


“ମହାବିଦ୍ୟାଳୟ”,  “ନୌକର କି କମିଜ୍”, “ଦୀଓ୍ବାର ମୈଁ ଏକ ଖିଡକି ରହତି ଥି”, “ଖିଲେଗା ତୋ ଦେଖେଙ୍ଗେ”, “ହରି ଘାଁସ କି ଛପ୍ପର ବାଲି ଝୋପଡି ଔର ବୋନା ପହାଡ଼” ପ୍ରଭୃତି ବିନୋଦ କୁମାରଙ୍କ ଉଲ୍ଲେଖନୀୟ ଗଳ୍ପ ସଙ୍କଳନ ଏବଂ ଉପନ୍ୟାସ ।

ଉପନ୍ୟାସ “ଦିଓ୍ବାର ମୈଁ ଏକ ଖିଡକି ରହତି ଥି” ପାଇଁ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ତାଙ୍କର ଉପନ୍ୟାସ “ନୌକର କି କମିଜ୍” ଅବଲମ୍ବନରେ ବିଖ୍ୟାତ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ମଣି କୌଲ ଏବଂ ଗଳ୍ପ “ଆଦମୀ କି ଓ୍ବରତ” ଅବଲମ୍ବନରେ ଅମିତ୍ ଦତ୍ତା ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ୨୦୨୩ ମସିହାରେ ତାଙ୍କୁ ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ପୁରସ୍କାର “ପେନ୍/ ନବାକୋଭ ପୁରସ୍କାର” ଦ୍ଵାରା ସମ୍ମାନିତ କରାଯାଇଛି । “କେବଳ ଜଡେଁ ହୈଁ” ତାଙ୍କର ସଦ୍ୟତମ କବିତା ସଙ୍କଳନ ।

ବିନୋଦ କୁମାରଙ୍କ ଗଦ୍ୟରେ ଏକପ୍ରକାର କୋମଳତା ପରିଲକ୍ଷିତ ହୁଏ। କିନ୍ତୁ ସେହି କୋମଳତାରେ ମଧ୍ୟ ଏକ ଆଗ୍ରହ ରହିଛି – ସେହି ଆଗ୍ରହ ସାମ୍ପ୍ରଦାୟିକତାକୁ ବିଲୋପ କରିବାର ଆଗ୍ରହ। ବିନୋଦ କୁମାର ଗୁଜୁରାଟ ଦଙ୍ଗା ଉପରେ ମଧ୍ୟ କବିତା ଲେଖିଛନ୍ତି, ଯେଉଁ ବିଷୟକୁ ନେଇ କବିତା ଲେଖିବା ପାଇଁ ସମକାଳୀନ କବିମାନେ କୁଣ୍ଠା ପ୍ରକାଶ କରୁଥିଲେ।

ଆଦିବାସୀମାନଙ୍କର ଜଳ, ଜଙ୍ଗଲ ଓ ଜମି ଉପରେ ଅଧିକାର ସମ୍ପର୍କରେ ତାଙ୍କ ରଚନା ସର୍ବଦା ମୁଖର । ପୁଞ୍ଜିବାଦ ବିରୁଦ୍ଧରେ ତାଙ୍କ  ସାହିତ୍ୟ ମାଧ୍ୟମରେ ସର୍ବଦା  ସେ ସ୍ବର ଉତ୍ତୋଳନ କରିଛନ୍ତି । ଆଦିବାସୀଙ୍କ ପ୍ରତି ତାଙ୍କର ସମ୍ବେଦନଶୀଳ ଦୃଷ୍ଟିଭଙ୍ଗୀ ତାଙ୍କ ରଚନାରେ ଯେପରି ପ୍ରତିଫଳିତ ହୋଇଛି ଠିକ୍ ସେହିପରି ତାଙ୍କର ଆଚରଣ ଏବଂ ଉଚ୍ଚାରଣରେ ମଧ୍ୟ ତାହା ପ୍ରକାଶ ପାଇଛି । ଗୋଟିଏ ସାକ୍ଷାତକାରରେ ସେ କହିଛନ୍ତି — “ଜଣେ ଆଦିବାସୀ ଝିଅ ବାଘକୁ ଭୟ କରେ ନାହିଁ, କିନ୍ତୁ ମହୁଲଫୁଲ ଟୋକେଇ ଧରି ଗୀଦମ୍ ବଜାରକୁ ଯିବା ପାଇଁ ଭୟ କରେ।”

ସାମାଜିକ ସ୍ତରରେ ଥିବା ଅସମାନତାର ଅନ୍ଧାରୁଆ ଗର୍ଭଗୃହ ପର୍ଯ୍ୟନ୍ତ ବିନୋଦ କୁମାରଙ୍କ ଲେଖକୀୟ ଦୃଷ୍ଟି ପ୍ରସରି ଯାଇଛି ଏବଂ ତାଙ୍କ ସାହିତ୍ୟରେ ତାହା ସ୍ପଷ୍ଟ । “ରୁପୟେ” ,”ଟୁକଡା ଆଦମୀ” ଶୀର୍ଷକ ଗଳ୍ପ ଦୁଇଟି ଏହାର ସାର୍ଥକ ଉଦାହରଣ ।

ବିନୋଦ କୁମାରଙ୍କ  ଗଳ୍ପ ଏବଂ ଉପନ୍ୟାସର ଚରିତ୍ରମାନେ ସାଧାରଣ ଦୈନନ୍ଦିନ କାର୍ଯ୍ୟବ୍ୟସ୍ତ ମଣିଷ, କିନ୍ତୁ ସେହି ସବୁ ଚରିତ୍ର କାହାଣୀ ସହିତ ଓତଃପ୍ରୋତ ଭାବରେ ମିଶି ଏକ ଯାଦୁ -ଯଥାର୍ଥବାଦର ସାହିତ୍ୟିକ ଚରିତ୍ର ପାଲଟିଯାଆନ୍ତି ଏବଂ ସେହି ଚରିତ୍ରମାନେ ପ୍ରବଳ ଭାବରେ ପାଠକ ହୃଦୟରେ ଘର କରି ରହିଯାଆନ୍ତି ।

“ଦିଓ୍ବାର ମୈଁ ଏକ ଖିଡକି ଥି”  ଉପନ୍ୟାସର ନାୟକ ରଘୁବର ପ୍ରସାଦ, ଜଣେ ଗଣିତ ଅଧ୍ୟାପକ ଏବଂ ଖୁବ୍ ପାରିବାରିକ ମଣିଷ। ରଘୁବର ପ୍ରସାଦଙ୍କ ଜୀବନ ଗୋଟିଏ କୋଠରୀ ସଦୃଶ । କିନ୍ତୁ ତାଙ୍କ ଜୀବନରେ ପ୍ରେମ ଆସେ ଏବଂ ସେହି କୋଠରୀର ଗୋଟିଏ ଝର୍କା ଖୋଲିଯାଏ। ସେହି ଝର୍କା ଅବଶିଷ୍ଟ ଜଗତ ଠାରୁ ଭିନ୍ନ ଏକ ଜଗତଆଡ଼କୁ ଉନ୍ମୁକ୍ତ । ରଘୁବର ଏବଂ ତାଙ୍କ ପତ୍ନୀ ସେହି ଝର୍କାବାଟେ ଡେଇଁପଡ଼ନ୍ତି ଏବଂ ପ୍ରେମର ଏକ ଭିନ୍ନ ଜଗତରେ ମିଳେଇ ଯାଆନ୍ତି। ଏହିପରି ଗୋଟିଏ ଝର୍କା କେବଳ ବିନୋଦ କୁମାରଙ୍କ କଲମ ହିଁ ଖୋଲିପାରେ ।

ନାରୀମାନଙ୍କର ସ୍ୱାଧିକାର ଓ ସମ୍ମାନକୁ ନେଇ ବିନୋଦ କୁମାର ଅନେକ ଗଳ୍ପ ଓ କବିତା ଲେଖିଛନ୍ତି। ଏ ସମ୍ପର୍କୀତ ତାଙ୍କର ବହୁଚର୍ଚ୍ଚିତ ଗଳ୍ପ ହେଉଛି “ଆଦମୀ କି ଔରତ”। ଉକ୍ତ ଗଳ୍ପରେ ପୁରୁଷତାନ୍ତ୍ରିକ ସମାଜ ପ୍ରତି ସେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଗଳ୍ପ ନାୟିକାର ହାତରେ ତା’ର ପିତାମାତାଙ୍କ ପ୍ରଦତ୍ତ ନାମ ଖୋଦିତ ହୋଇଛି। ସମସ୍ତେ ତାକୁ ସେହି ନାମରେ ହିଁ ଡାକନ୍ତି। କିନ୍ତୁ ତା’ର ସ୍ବାମୀକୁ ତାହା ଆଦୌ ପସନ୍ଦ ଆସେ ନାହିଁ। ତା’ର ସ୍ବାମୀର ଇଚ୍ଛା, ତା’ର ସ୍ତ୍ରୀ ତା’ରି ନାମରେ ହିଁ ପରିଚିତ ହେଉ। ଫଳରେ ସେ ତା ସ୍ତ୍ରୀ ହାତରୁ ସେହି ଖୋଦେଇ ହୋଇଥିବା ନାମକୁ ଲିଭାଇବା ପାଇଁ ବିଭିନ୍ନ ପ୍ରୟାସ କରିଛି। ଆମ ସମାଜର ପୁରୁଷମାନଙ୍କର  ମାନସିକତା କେତେ ଜଘନ୍ୟ, ବିନୋଦ କୁମାର ଏହି ଗଳ୍ପରେ ତା’ର ସାର୍ଥକ ପ୍ରକାଶ କରିଛନ୍ତି । ହିନ୍ଦୀ ସାହିତ୍ୟର ଆଲୋଚକମାନଙ୍କ ମତରେ ବିନୋଦ କୁମାର ତାଙ୍କ ସାହିତ୍ୟରେ “ଘର” ର କଥା କହନ୍ତି, କିନ୍ତୁ କହିବା ପୂର୍ବରୁ ଘରର ବାହାରୁ ଘରକୁ ନିରେଖି ଦେଖନ୍ତି ଏବଂ ତା’ପରେ ଘର ଭିତରକୁ ଆସି ଭିତରୁ ଘରକୁ ଦେଖନ୍ତି ଖୁବ୍ ଆତ୍ମିକ ଭାବରେ ।

ମଣିଷର ନୀଚ୍ଚତା ଓ କ୍ରୁରତା ତାଙ୍କୁ  ଭୀଷଣ ଦୁଃଖ ଦିଏ । ଏକ ସାକ୍ଷାତକାରରେ ସେ କହିଛନ୍ତି –“ମୋର ଅଗଣାରେ ପାଚେରୀ କଡ଼ରେ ଦୁଇଟି ବଡ଼ ବଡ଼ ବକୁଳଗଛ ଥିଲା।  ସବୁଜପତ୍ରରେ ଭରପୁର ସେହି ଗଛ ଦୁଇଟିରେ ପ୍ରଚୁର ଫୁଲ ଫୁଟୁଥିଲା। କାଳକ୍ରମେ କିଛି ଡାଳ ରାସ୍ତାଆଡ଼କୁ ବଢ଼ିଯାଇଥିଲା। ମୋ’ର ଜଣେ ପଡୋଶୀ ନଗର ନିଗମରେ ଅଭିଯୋଗ କରି ଗଛ ଦୁଇଟି କଟାଇ ଏକାବେଳକେ ଥୁଣ୍ଟା କରାଇ ଦେଇଥିଲେ । ଅଭିଯୋଗର କାରଣ କ’ଣ ଜାଣିଛନ୍ତି ? ସେହି ଗଛ ଦୁଇଟିରେ ଅସଂଖ୍ୟ ପକ୍ଷୀ ବସାବାନ୍ଧି ରହୁଥିଲେ । ସେହି ପକ୍ଷୀମାନଙ୍କର ମଳତ୍ୟାଗ ହେତୁ ପରିବେଶ କୁଆଡେ ପ୍ରଦୁଷିତ ହେଉଥିଲା। ଆଚ୍ଛା କୁହନ୍ତୁ ତ, ପୃଥିବୀରେ କେବଳ କ’ଣ ମଣିଷମାନେ ହିଁ ରହିବେ ? ଅନ୍ୟ କୌଣସି ପ୍ରାଣୀଙ୍କର ରହିବାର ଅଧିକାର ନାହିଁ ? ମଣିଷ କାହିଁକି ଏତେ କ୍ରୁର ଯେ ?”

ଆମେ ଲକ୍ଷ୍ୟ କରୁ ଯେ ଏହି ପ୍ରଶ୍ନ ତାଙ୍କୁ ସଦାସର୍ବଦା ବ୍ୟସ୍ତ ଓ ବିବ୍ରତ କରିଛି ଏବଂ ମଣିଷର ନୀଚ୍ଚତା ଓ କ୍ରୁରତା ତାଙ୍କ ସାହିତ୍ୟରେ ଅତି ଚମତ୍କାର ଭାବରେ ରୂପ ପାଇଛି ।

ଜ୍ଞାନପୀଠ ପୁରସ୍କାର ଘୋଷିତ ହେବା ପରେ ୮୮ ବର୍ଷ ବୟସ୍କ ଏହି ମାନବ ଦରଦୀ ସ୍ରଷ୍ଟା ତାଙ୍କର ପ୍ରାଥମିକ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି –“ଏହି ସ୍ବୀକୃତି ଏକ ବିରାଟ ଦାୟିତ୍ବ। ମୋ’ର ଅନେକ କିଛି ଲେଖିବାର ଥିଲା, କିନ୍ତୁ ଖୁବ୍ ଅଳ୍ପ ମୁଁ ଲେଖି ପାରିଛି । ମୁଁ ଅନେକ କିଛି ଦେଖିଛି, ଅନେକ କିଛି ଶୁଣିଛି,  ଅନେକ କିଛି ଅନୁଭବ କରିଛି… କିନ୍ତୁ ତାହାର ଖୁବ୍ ସାମାନ୍ୟତମ ଅଂଶ ହିଁ ମୁଁ ଲେଖି ପାରିଛି ।”

ପ୍ରକୃତି ଯେମିତି ପୃଥିବୀକୁ ଗଛଲତା, ବଣପାହାଡ଼, ନଦୀସମୁଦ୍ର ଇତ୍ୟାଦି ଇତ୍ୟାଦି ଦ୍ବାରା ସୁଶୋଭିତ କରିଥାଏ, ଠିକ୍ ସେହିପରି ତନ୍ମୟତାର ସହିତ ସାହିତ୍ୟ ସୃଷ୍ଟି କରିଛନ୍ତି ଵିନୋଦ କୁମାର ।

ବିନୋଦ କୁମାର ଶୁକ୍ଳଙ୍କ ସାହିତ୍ୟ ସହିତ ଭେଟ ହେବା ଅର୍ଥ ନଈ ସହିତ ଭେଟ ହେବା, କିଛିଟା ପହଁରିବା ଆଉ କିଛିଟା ବୁଡ଼ିବା।

Leave a Reply

Your email address will not be published. Required fields are marked *