Home » Magazine » ସାବିତ୍ରୀ କବି : ବିଶେଷ ପ୍ରତିବେଦନ : ବଗିଚାର ନାଁ ତିନିକୋଣିଆ

ସାବିତ୍ରୀ କବି : ବିଶେଷ ପ୍ରତିବେଦନ : ବଗିଚାର ନାଁ ତିନିକୋଣିଆ

“ବାଉଁଶଗଛରେ ଫୁଲ ଧରିବା ତୁ ଦେଖିଛୁ..!! ବାଉଁଶଗଛରେ ଫୁଲ ଧରିବା ଭଲ ନୁହେଁରେ। ମୋ ବାଡ଼ିରେ ବାଉଁଶଗଛରେ ଏବେ ଫୁଲ ଧରିଛି, ବୋଧେ ସିଏ ମରିଯିବ। ମୋ ମନ କିଛି ଭଲ ଲାଗୁ ନାଇଁରେ।”

ଏମିତି ଅବସୋସ ଭରା କଣ୍ଠସ୍ୱର ଥିଲା ଜୁନ ୧୧ତାରିଖ ୨୦୨୩ ମସିହା, ଉଭୟ ଓଡ଼ିଆ ଓ ଇଂରାଜୀ ଭାଷା-ସାହିତ୍ୟ ସର୍ଜନାରେ ମଗ୍ନଥିବା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କବି ଜୟନ୍ତ ମହାପାତ୍ରଙ୍କର। ସେଇଥିଲା ତାଙ୍କ ସହ ମୋର ଶେଷ ବାର୍ତ୍ତାଳାପ।

କଲେଜରେ ପଢ଼ିବାବେଳେ ପ୍ରଥମେ ତାଙ୍କ କବିତା ସହିତ ପରିଚିତ ହୋଇଥିଲି। ଇଂରାଜୀ ଏମ.ଏ ଶ୍ରେଣୀରେ ମଧ୍ୟ ତାଙ୍କ କବିତା ସିଲାବସରେ ଚଳୁଥିଲା। ମାତ୍ର ସେ ଯେ ଜଣେ ଓଡ଼ିଆ ଓ ଓଡ଼ିଆଭାଷାରେ କବିତା ଲେଖନ୍ତି ବହୁତ ପଛରେ ଜାଣିଲି।

ପୁଣି କବିତା ସହିତ ସେ ଇଂରାଜୀଭାଷାରେ ଚମତ୍କାର ଗପ ଲେଖନ୍ତି… ଏ କଥା ଜାଣିଲି ତାଙ୍କ ରଚିତ କାଳଜୟୀ ଗଳ୍ପ “Trunk of Ganesha” ପଢ଼ିବା ପରେ, ଯାହା ଏବେ ଓଡ଼ିଆ ମିଡ଼ିୟମ ସ୍କୁଲରେ ଦ୍ବିତୀୟଭାଷା ଇଂରାଜୀସାହିତ୍ୟର ନବମଶ୍ରେଣୀରେ ପଢ଼ାଯାଉଛି।

ତାଙ୍କର ଫୋଟୋ ଦେଖି ପ୍ରଥମେ ମୁଁ ଭାବିଥିଲି  ଏତେ ଧଳା, ଗୋରା ମଣିଷଟି ନିଶ୍ଚୟ ଜଣେ ଇଂଲଣ୍ଡ କିମ୍ବା ଆମେରିକୀୟ ହୋଇଥିବେ । ମାତ୍ର ସେ ଯେ ଜଣେ ଭାରତୀୟ, ଜଣେ ଓଡ଼ିଶାବାସୀ, କଟକର ତିନିକୋଣିଆ ବଗିଚାର ଚନ୍ଦ୍ରଭାଗାକୂଳର ତନ୍ମୟ ତପସ୍ୱୀ ଏକଥା ନିରାଟ ସତ୍ୟ ହେଲେ ବି ମୋର ବିଶ୍ୱାସ ହେଉନଥିଲା।  ନୀଳଜିନ୍ସ ସାଙ୍ଗକୁ ଟି-ସାର୍ଟ ତାଙ୍କୁ  ବେଶ ମାନୁଥିଲା। ଜିନ୍ସ ପିନ୍ଧିବା ତାଙ୍କର ଏକ ଅଜବ ସଉକ ଥିଲା। ପରିଣତ ବୟସରେ ବି ତାଙ୍କ ଜିନ୍ସ ପିନ୍ଧିବା ଷ୍ଟାଇଲ ତାଙ୍କୁ ଖୁବ  ନିଆରା ଭାବେ ଚିହ୍ନେଇ ଦେଉଥିଲା।

ଧୀରେ ଧୀରେ ତାଙ୍କ ଲେଖା ଭିତରକୁ ପଶିବା ପରେ ଏକପ୍ରକାର ମୋହରେ ପଡ଼ିଗଲି। ଅନେକ ଜାଗାରେ ତାଙ୍କ ଇଂରାଜୀ କବିତାର ଅନେକ ଶବ୍ଦ ଓ ଧାଡ଼ିଙ୍କ ପାଖରେ ଅଟକିଗଲି। ଏଣୁ ଭାବିଲି, ମୋତେ ତାଙ୍କର ଲେଖାସବୁ ଭଲ ଲାଗୁଥିବା କଥା ଜଣେଇ ଚିଠିଟିଏ ଲେଖିବି। ମାତ୍ର ତାଙ୍କର ଠିକଣା ମୋତେ ଜଣା ନଥିବାରୁ ଚିଠି ଲେଖିବାର ନିରୀହ ଆଶାଟି କ୍ରମେ ମଉଳିଗଲା।

ଏ ଭିତରେ ବହୁତ ବର୍ଷ ବିତିଗଲା। ମନ ଭିତରୁ କିନ୍ତୁ ତାଙ୍କୁ ମୋ ମନକଥା ଜଣେଇବାର ସୁପ୍ତ ଇଚ୍ଛାଟି ସେମିତି ବଳବତ୍ତର ହୋଇ ରହିଥିଲା। ଦିନେ ମୋର ସବୁ ଉତ୍କଣ୍ଠାର ପୂର୍ଣ୍ଣଚ୍ଛେଦ ପକେଇ  ହଠାତ କୋଉଠୁ ଗୋଟେ ତାଙ୍କ ଲ୍ୟାଣ୍ଡଫୋନ ନମ୍ବର ପାଇ ଖୁସି ହୋଇ ଏଥର ନିଶ୍ଚୟ ମନ ପୂରେଇ କଥା ହୋଇଯିବି ଭାବିଲି। ଭାବିଲି, ମୋ ମନ ଭିତରେ ଉଙ୍କି ମାରୁଥିବା ଅନେକ ପ୍ରଶ୍ନର ଉତ୍ତର ମୋତେ ମିଳିଯିବ। ମାତ୍ର ମୋ ଭିତରେ ଶୋଇରହିଥିବା ସେଇ ଚିରାଚରିତ ସଂଭ୍ରମତାଟି ମୋତେ ପଛକୁ ଟାଣି ଧରିଲା।ଏତେ ବଡ଼ ଲେଖକ। ସେ ମୋ ଫୋନ ଉଠେଇବେନା..!! ମୋତେ କ’ଣ କହିବେ… ମୁଁ ତାକୁ କ’ଣ ପଚାରିବି..!!!”

ନାଁ, ଏସବୁ ପ୍ରଶ୍ନବାଚୀର ପୂର୍ଣ୍ଣଚ୍ଛେଦ ପକେଇ ସାହସ ସଞ୍ଚୟ କରି ଦିନେ ସେ ଲ୍ୟାଣ୍ଡଫୋନ ନମ୍ୱରରେ ରିଂ କରିଦେଲି।

“ସାର ପ୍ରଣାମ, ଆପଣ ଜୟନ୍ତସାର କହୁଛନ୍ତି?”

ସେପଟୁ ଗୋଟିଏ ମିଠା ସ୍ୱର ଶୁଭିଲା।  “ଇଏସ, ମୁଁ ଜୟନ୍ତ ମହାପାତ୍ର କହୁଛି। ଆପଣ କିଏ କହୁଛନ୍ତି..??” ମୁଁ ଖୁବ କମ ଶବ୍ଦରେ ମୋର ପରିଚୟ ଦେଇଥିଲି ଓ ତାଙ୍କ କବିତା ମୋତେ ଭଲ ଲାଗିଥିବା କଥା ଜଣେଇଥିଲି। ସେ ଖୁସି ହୋଇଥିଲେ ଓ ମୋର ଆଗ୍ରହ ଦେଖି ସେ ତାଙ୍କ କବିତା ବିଷୟରେ ମୋତେ ଅନେକ ଉପାଦେୟ କଥାମାନ କହିଥିଲେ। ଯାହା ଶୁଣି ମୋ ମନ ପୂରି ଯାଇଥିଲା।

ସତରେ ଜଣେ ଏତେବଡ଼ ବିଚକ୍ଷଣ ସ୍ରଷ୍ଟା ମୋ ସହ ଏତେ ସୁନ୍ଦର କଥା ହେବେ ଏ କଥା ମୋ ସ୍ବପ୍ନର ବାହାରେ ଥିଲା। କେତେ ଅମାୟିକ ଓ ଆତ୍ମୀୟତାପୂର୍ଣ୍ଣ ତାଙ୍କ ବ୍ୟବହାର। କେତେ ମିଠା ତାଙ୍କ କଣ୍ଠସ୍ୱର। ଏ ଭିତରେ ମୋର କବିତା ପ୍ରତି ଆଗ୍ରହ ଓ ତାଙ୍କ ଲେଖା ପ୍ରତି ଦୂର୍ବଳତା ବୋଧେ ସେ ଜାଣି ପାରିଥିଲେ। ସେଇଥିପାଇଁ ବୋଧେ ମୋ ଫୋନକୁ ସେ ବହୁତ ଗୁରୁତ୍ୱ ଦେଉଥିଲେ।

ପରେ ପରେ ମୁଁ ଅନେକଥର କଥା ହୋଇଛି, ତାଙ୍କୁ ପାଖରୁ ନଦେଖିଥିଲେ ବି ତାଙ୍କ ସାହିତ୍ୟିକ ଜୀବନ ଠୁଁ ଆରମ୍ଭ କରି ବ୍ୟକ୍ତିଗତ ଓ ବର୍ତ୍ତମାନର ଜୀବନଯାଏ।

ପ୍ରତିଥର କଥା ଛଳରେ ମୁଁ ତାଙ୍କୁ କେତେ କେତେ ପ୍ରଶ୍ନ ପଚାରିଥାଏ। ସିଏ ଛୋଟ ପିଲାଙ୍କ ଭଳି ମିଠା ହସ ହସି ମୋର ସମସ୍ତ ପ୍ରଶ୍ନର ଉତ୍ତର ବେଶ କଳକଳ ଛଳଛଳ ହୋଇ ଦେଇଥାଆନ୍ତି। ତା ଭିତରେ ମୋର ଅନେକ ପିଲାଳିଆ ପ୍ରଶ୍ନ ସବୁ ଶୁଣି ସେ ସାମାନ୍ୟତମ ବିରକ୍ତ ନହୋଇ ବରଂ ଖୁବ ଖୋଲା ମନରେ କହନ୍ତି..  “ତୋ ମନକୁ ଯାହା ଆସୁଛି ତୁ ପଚାରିବୁ। ମୁଁ କାହିଁକି କିଛି ଭାବିବି।” ଯାହା ମୋତେ ପରମୁହୂର୍ତ୍ତରେ ଚକିତ କରୁଥିଲା।

ସେ ପ୍ରଶ୍ନମାନଙ୍କ ଭିତରେଥିଲା, ଆପଣ କାହିଁକି ପ୍ରଥମେ ଇଂରାଜୀରେ ଲେଖା ଆରମ୍ଭ କଲେ..? ପ୍ରଥମେ କୋଉ କଲେଜରେ ପୋଷ୍ଟିଂ ହୋଇଥିଲା ଆପଣଙ୍କର। ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ଆପଣ ଦେଖିଛନ୍ତି କି ନାହିଁ। ଭାରତ ସ୍ୱାଧୀନତା ପାଇବା ବେଳର ଆପଣଙ୍କର କିଛି ଅନୁଭୂତି ମନେ ଅଛି କି ନାହିଁ। ଆଜିଯାଏ କେଉଁକେଉଁ ଦେଶ ବୁଲିଛନ୍ତି। ଆପଣଙ୍କ ପିଲାବେଳ କେମିତି ଥିଲା। ବାହାର ଦେଶରେ କେଉଁ କେଉଁ ପ୍ରଖ୍ୟାତ ଲେଖକ/କବିଙ୍କ ସହିତ ଆପଣଙ୍କର ଅନ୍ତରଙ୍ଗତା ଗଢ଼ି ଉଠିଥିଲା। ଛୋଟବେଳେ ଆପଣ କ’ଣସବୁ ଦୁଷ୍ଟାମୀ କରୁଥିଲେ। କେଉଁ ଖେଳ ଆପଣଙ୍କର ପ୍ରିୟ ଥିଲା। ଖେଳିବା ପଢ଼ିବା ବ୍ୟତୀତ ଆପଣ ଆଉ କ’ଣ ସବୁ କରିବାକୁ ଭଲ ପାଉଥିଲେ..!!

ଏମିତି କେତେ କେତେ ପ୍ରଶ୍ନର ସରଳଉତ୍ତର ରଖୁଥିଲେ ସେ ଖୁବ ନିଷ୍କପଟ ଭାବରେ।ଯାହାସବୁ ଲେଖିଲେ ପୋଥିଟିଏ ହେବ।

ତାଙ୍କ ଭିତରେ ସବୁଠୁଁ ବଡ଼  ଅବସୋସ ଥିଲା ପିଲାବେଳେ ତାଙ୍କ ବୋଉ ତାଙ୍କୁ ଭଲ ପାଉନଥିଲେ, ଯାହା ସେ ନିଜ ଆତ୍ମଜୀବନୀରେ ମଧ୍ୟ ଲେଖିଛନ୍ତି। ବାପା ତାଙ୍କର ଖୁବ ପ୍ରିୟ ଥିଲେ। ମୁଁ ଆଶ୍ଚର୍ଯ୍ୟ ହୋଇ ଥରେ ପଚାରିଥିଲି, “ବୋଉ କାହିଁକି ଆପଣଙ୍କୁ ଭଲ ପାଉନଥିଲେ”। ଉତ୍ତରରେ ସେ ଖୁବ ଗମ୍ଭୀର ହୋଇଯାଇ କହିଥିଲେ, ମୁଁ ଜାଣେନି ରେ, ମୁଁ କେମିତି ଜାଣିବି !”

ତାଙ୍କର ସେ ଅବସୋସ ଭରା କଣ୍ଠସ୍ୱର ମୋତେ ଆହତ କରିଥିଲା।

ଥରେ ତାଙ୍କ ବିଷୟରେ ଅଧିକ ଆଗ୍ରହୀ ହୋଇ ମୁଁ କିଛି ବ୍ୟକ୍ତିଗତ କଥା ଜାଣିବାକୁ ଚାହିଁଥିଲି। ସେ କହିଥିଲେ, ତାଙ୍କର ବାଇଶି ବର୍ଷରେ ବିବାହ ହୋଇଥିଲା। ଯେତେବେଳେ ରେଭେନ୍ସା କଲେଜରେ ସେ ଅଧ୍ୟାପକ ଥିଲେ ଓ ତାଙ୍କ ପତ୍ନୀ ରୁନୁ ତାଙ୍କର ଛାତ୍ରୀ ଥିଲେ।

 “ତୁ ଶୁଣିବୁ… ଯେତେବେଳେ ଆମର ବିଭାଘର ହେଲା, ସେତେବେକେ ମୋତେ ବି ବାଇଶି, ତାକୁ ବି (ପତ୍ନୀ ମିନୁ) ବାଇଶ”।

ସେ ମୋର ବହୁତ ଯତ୍ନ ନେଉଥିଲା। ରୁନୁ ଭଳି ଆଉ କିଏ ହେବ..!! ସେ ଯିବା ପରଠୁଁ  ମୋତେ ଆଉ କିଛି ଭଲଲାଗୁନି”।

ଥରେ ପଚାରିଥିଲି, “ସାର, ଆପଣ ସେବେ ମହାନଦୀ ଓ କାଠଯୋଡ଼ି କୂଳକୁ କେବେ ଯାଆନ୍ତିନା..!! ସେ କୁରୁକୁରୁ ହୋଇ ହସି ହସି କହନ୍ତି, “ତୁ ଆଉ କହନି ସେକଥା। କାଠଯୋଡ଼ି କୂଳରୁ  ଆଉ ମୋର ଘରକୁ ଫେରିବାକୁ ଇଛା ହୁଏନି। ମୁଁ ତା କୂଳରେ  ବସି ପାଣି ଭିତରକୁ ଟେକାଟିଏ ଫିଙ୍ଗି ତାକୁ ଚାହିଁ ବସିଥାଏ। କାଚକେନ୍ଦୁ ପରି ପାଣି ଭିତରେ ଆକାଶରେ ଉଡ଼ି ଯାଉଥିବା ଧାଡ଼ି ଧାଡ଼ି ମେଘଙ୍କର ଶୋଭାଯାତ୍ରା ଦିଶେ, ମୋ ମୁହଁ ବି ଦିଶେ। ମୋର ସେଠୁ ଆସିବାକୁ ଜମା ମନ କୁହେନି।”

ଥରେ ପଚାରିଥିଲି, ଆପଣଙ୍କୁ ବର୍ଷାରେ ଭିଜିବାକୁ ଭଲ ଲାଗେ ନା..!!

ହସି ହସି ବେଦମ ହୋଇ କହିଥିଲେ, ତୁ ସବୁକଥା ମୋର ମନେ ପକେଇ ଦଉଛୁ। ଦେଖ, ବର୍ଷା ଆରମ୍ଭ ହେଲେ ମୁଁ ରେଭେନ୍ସା କଲେଜରୁ ସାଇକେଲ ଧରି ବାହାରେ ଘରମୁହାଁ ଖାସ ବର୍ଷାରେ ଭିଜିବା ପାଇଁ। ଇଆଡ଼େ ଘରେ ରୁନୁ ମୋ ଉପରେ ରାଗେ ସିନା, ମୋତେ ଛୋଟପିଲାଟିଏ ପରି ଭାବି ମୋତେ ଗାମୁଛାରେ ପୋଛିପାଛି ଦିଏ।  ରୁନୁ ମୋର ବହୁତ ଯତ୍ନ ନିଏ। ତାକୁ ମୁଁ ଏ ଜନ୍ମ କିମ୍ବା କୋଉ ଜନ୍ମରେ ବି  ଭୁଲି ପାରିବିନାହିଁ।  ସିଏ ଥିଲା ମୋ ପାଇଁ ଈଶ୍ୱରଙ୍କ ଅମୂଲ୍ୟ ଦାନ। ସିଏ ଯିବା ପରଠୁଁ ମୋତେ ଆଉ କିଛି ଭଲଲାଗୁ ନାଇଁରେ।”

ଏତିକି କହିଲା ବେଳେ ତାଙ୍କ କଣ୍ଠରୋଧ ହୋଇ ଆସିଥିଲା। ସେ ଆଉ କିଛି କହିବା ସ୍ଥିତିରେ ନ ଥିଲେ। ସେ କଥା କଥାରେ ତାଙ୍କ ପତ୍ନୀଙ୍କ କଥା କହୁଥିଲେ। ଏକଥା କହିଲା ବେଳେ ତାଙ୍କୁ କେତେ କଷ୍ଟ ହେଉଥିଲା ସେକଥା ମୁଁ  ଠିକ ବୁଝି ପାରୁଥିଲି। ମୋ ଆଖି ବି ଜକେଇ ଆସୁଥିଲା।

ମୁଁ ପ୍ରସଙ୍ଗ ବଦଳେଇବାକୁ ଯାଇ ପଚାରିଥିଲି ଆପଣଙ୍କ ପିଲାମାନେ କୋଉଠି..!! ସେମାନେ କଅଣ ଆପଣଙ୍କ ପାଖେ ରହନ୍ତି ନାହିଁ?

ସେ କୋହଭରା କଣ୍ଠରେ କହିଲେ… ‘ମୋର ଝିଅ ନାହାନ୍ତି। ଗୋଟିଏ ବୋଲି ପୁଅ ସେ ବି  ଆରପାରିରେ। ବୋହୂ ଓ ନାତିନାତୁଣୀ ଦୁଇ ଜଣ ଓଡ଼ିଶା ବାହାରେ ପଢ଼ନ୍ତି। ସେମାନେ ଏଠାକୁ ଆସନ୍ତିନାହିଁ। ମୋର ଗୋଟିଏ ଭଉଣୀ ଏଇ ପାଖାପାଖିରେ ରୁହେ। ତା’ର ବି ଦେହ ଭଲ ରହୁନି। ବୟସ ହେଲାଣି। ଏବେ ମୁଁ ଏକା ରହୁଛି।

ସରୋଜିନୀ ଆଉ ତା ପୁଅବୋହୂଙ୍କୁ ଘର କରିଦେଇଛି ସେମାନେ ଆରପାଖେ ରହୁଛନ୍ତି… ମୋର ଦେଖାଶୁଣା କରୁଛନ୍ତି।

ମୋର ପ୍ରଶ୍ନ ସରୋଜିନୀ କିଏ?

ବରହମପୁର ତା ଘର। ଦୁଇଟି ଛୋଟପିଲାଙ୍କୁ ଧରି ଆସିଥିଲା। ରୁନୁକୁ ସାହାଯ୍ୟ କରୁଥିଲା। ରୁନୁ ମରିବା ପୂର୍ବରୁ କହି ଯାଇଥିଲା, “ବିଚରା ପିଲାଦିଇଟାକୁ ନେଇ କୁଆଡେ ଯିବ। ଆମ ପାଖରେ ଶରଣ ପଶିଛି, ତାକୁ ଏଇଠି ଜାଗା ଟିକେ ଦେବ, ତା ପିଲାଛୁଆ ଧରି ରହିବ, ଆମର ଦେଖାଶୁଣା କରିବ।”

ସରୋଜିନିର ଝିଅ ବାହା ହୋଇଗଲାଣି। ପୁଅର ବି ଗୋଟିଏ ପୁଅ ହେଲାଣି।ସରୋଜିନୀ ବୟସ ଭାରରେ ନଇଁ ଗଲାଣି।ଏବେ ସିଏ ବି କ’ଣ କରିବ..? ଶ୍ଵାସ ଯୋଗୁଁ ସବୁବେଳେ ଖୁଁ ଖୁଁ ହୋଇ କାଶୁଛି। ତା ଝିଅ ଓ ବୋହୂ ମୋତେ ଗଣ୍ଡେ ରୋଷେଇ କରି ଦେଉଛନ୍ତି।

ସେ କେତେଥର କଥାଛଳରେ କହିଥିଲେ, “ତୁ କ’ଣ କେବେ କଟକ ଭୁବନେଶ୍ୱର ଆସୁନା..?? ଥରେ ଆ’ ବୁଲିଯିବୁ।”

୨୦୨୧ ଡିସେମ୍ବର ୧୨ତାରିଖ ମୋ ନୂଆବହିଟି ଆଣିବାକୁ ଆମେ ଭାଇଭଉଣୀ ଦୁହେଁ କଟକ ଯାଇଥିଲୁ। ଭାବିଲି, ସାରଙ୍କୁ ଟିକିଏ ଦେଖା କରି ଆସିଲେ ହୁଅନ୍ତା। ଭାଇ ବି କହିଲା, କେତେଜଣଙ୍କୁ ଦେଖିବୁ ଦେଖିବୁ କହି ଦେଖିପାରୁନୁ। ପାଚିଲା ତାଳ, କେତେବେଳେ କଉକଥା। ମନ୍ଦିରରେ ଭଗବାନଙ୍କ ମୂର୍ତ୍ତି ଦେଖି ପାରିବୁ, କିନ୍ତୁ ତାଙ୍କୁ ଆଉ ଦେଖି ପାରିବୁ କି..!! ଭାବିଲି, ଠାକୁର ଦେଖା କଦଳୀ ବିକା ଏକସଙ୍ଗେ ହୋଇଯିବ।

ଯେଉଁଠୁ ମୋ ବହି ବାଇଣ୍ଡିଂ ହେଉଥିଲା ତିନିକୋଣିଆ ବଗିଚା ସେଇଠି ମାତ୍ର ଗୋଟିଏ କିଲୋମିଟର ହେବ ବୋଲି ଜାଣିବା ପରେ ଭାବିଲି, ସାରଙ୍କୁ ନଜଣେଇ ସରପ୍ରାଇଜ ଦେବି। ମାତ୍ର ମୋ ଭାଇ କହିଲା, ସାର ଯଦି ଘରେ ନ ଥିବେ, ତୁ ଫୋନ କରି ଦେ।

ସାର୍ ଯେତେବେକେ ଜାଣିଲେ ଆମେ ତାଙ୍କ ପାଖକୁ ଯାଉଛୁ, ସେ ଖୁସିରେ ଉଛୁଳି ପଡ଼ି କହିଲେ, ହଉ ତୁମେ ଦୁହେଁ ଆସ ମୁଁ  ଅପେକ୍ଷା କରିଛି। ସିଧା ତିନିକୋଣିଆ ବଗିଚାକୁ ଆସି ପଚାରିଲେ କହିଦେବେ।

ପିଲାଟି ଦିନରୁ ଶୁଣିଥିବା ସେଇ ସୁମଧୁର ଗୀତ… ବଗିଚାର ନାଁ ତିନିକୋଣିଆରୁ ଭାବିଥିଲି ସେଠି ବୋଧେ ଗୋଟେ ତିନିକୋଣିଆ ବଗିଚା ଥିବ, ସେ ବଗିଚାର ସୁନ୍ଦର ସୁନ୍ଦର ଫୁଲ ଫୁଟିଥିବ।

ମାତ୍ର ସେମିତି କିଛି ନ ଥିଲା। ଜଣେ ବୟସ୍କ ରିକ୍ସାବାଲାକୁ ପଚାରିବାରୁ, ସେ କହିଲେ ତୁମେ ଆମ ବାବାଙ୍କୁ ଖୋଜୁଛ। ସିଏ ଆମ ଗାଆଁର ଦେବତା, ଠାକୁର ବାବା। ଏଇ ଆଗରେ ଯେଉଁ ଗଳି ରାସ୍ତାଟି ଦିଶୁଛି ସେଇଟା ବାବାଙ୍କ ଘର। ଭାବିଥିଲି, ଏତେ ବଡ଼ ବିଖ୍ୟାତ କବିଙ୍କ ଘରଟି ନିଶ୍ଚୟ ଚାକଚକ୍ୟ ଭରା ହୋଇଥିବ। ଅତ୍ୟାଧୁନିକ ସାଜସରଞ୍ଜାମରେ ଝଲସି ଉଠୁଥିବ। ସାମ୍ନାରେ ଥିବ ଲନ। ସୁନ୍ଦର ଫୁଲଗଛ।ଚେନରେ ବନ୍ଧା ହୋଇଥିବ କୁକୁର। ଭୋ ଭୋ କରି ଖେଦିଆଣିବ ଆମକୁ। ମାତ୍ର ମୋ ଭାବନାର ପୂର୍ଣ୍ଣଛେଦ ପକେଇ ଗେଟ ପାଖରେ  ଲେଖାଥିଲା “ଚନ୍ଦ୍ରଭାଗା”। କ୍ୟାମ୍ପସ ଭିତରେ ବାଉଁଶବୁଦା ଓ ଅନାବନା ଘାସବଣ ଭିତରେ ଗୋଟିଏ ଏକତାଲା ପୁରୁଣା ପକାଘର। ତାହା ଦେଖି ମୋର ବିଶ୍ୱାସ ହେଲାନାହିଁ, ଏହା ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କବିଙ୍କର  ଘର ବୋଲି। ସାର ଆମକୁ ବାହାରେ ଅପେକ୍ଷା କରିଥିଲେ। ପିନ୍ଧିଥିଲେ ଧଳା ଟ୍ରାଉଜର ଓ ପଞ୍ଜାବୀ ସାଙ୍ଗକୁ  କଳାରଙ୍ଗର ପତଳା ଜ୍ୟାକେଟ। ମୁଣ୍ଡର ଫୁର ଫୁର ଧଳା ବାଳ। ମୋତି ଭଳି ଚକ୍ ଚକ୍ କରୁଥିବା ଆଖି ଭିତରେ ମଳ ମାଳ ମଲାସ୍ବପ୍ନଙ୍କର ଭଗ୍ନାବଶେଷ। ଆମକୁ ଘର ଭିତରକୁ ପାଛୋଟି ନେଇ ଫ୍ରିଜରୁ ମିଠା ବାହାର କରି ଖାଇବାକୁ ବାଧ୍ୟକଲେ। ମୁଁ ନେଇଥିବା ମିଠା ଦେଖି ରାଗିଲେ। “କାହିଁକି ଆଣୁଥିଲୁ କିଏ ଖାଇବ ଏସବୁ।” ମୋ ହାତରୁ ଚକଲେଟ ନେଇ ଖାଇଲେ। ପ୍ରାୟ ଘଣ୍ଟାଏ କି ଦେଢ଼ଘଣ୍ଟା ଆମେ ରହିଲୁ। ମୋ ନୂଆବହି “ସ୍ବପ୍ନର ନାଁ ନଈ” ତାଙ୍କୁ ଦେବାବେଳେ ସେ ଖୁସିରେ ଗଦଗଦ ହୋଇ କହିଲେ ତୋ ବହିର ନାଁ ଟି ବହୁତ ସୁନ୍ଦର ହୋଇଛି। ସେଥିରୁ ଦୁଇଟି କବିତା ତାଙ୍କୁ ପଢ଼ି ଶୁଣେଇବାକୁ କହିଲେ। କେତେ କଥା ଗପିଲେ। ଆମ ସହ ଫୋଟୋ ଉଠେଇଲେ। ଫେରିବାବେଳେ ଆମକୁ ଫାଟକ ଯାଏ ବାଟେଇ ଦେବାକୁ ଆସିଲେ। ଫେରିଲା ବେଳେ ଲାଗୁଥିଲା ମୋ ନିଶ୍ୱାସରୁ ଖିଏ ଛାଡ଼ି ଆସିଲି କି ସେଇ ଚନ୍ଦ୍ରଭାଗାର ଅନାବନା ଘାସର ଜଙ୍ଗଲ ଭିତରେ..!!

୨୦୨୩ରେ ସେ ଭଦ୍ରକରେ ଗୋଟିଏ ସାହିତ୍ୟ ସଭାକୁ ଆସିଥିବା କଥା ଶୁଣି ଆମେ ଭାଇଭଉଣୀ ଯାଇଥିଲୁ। ସେ ଖୁବ ସୁନ୍ଦର ଭାବେ ସଭାରେ ବକ୍ତବ୍ୟ ରଖିଲେ। ଆମକୁ ଦେଖି ବହୁତ ଖୁସିହେଲେ। ପରେ ଶୁଣିଲି, ସେ ଖଟରୁ ପଡ଼ିଯାଇ ମୁଣ୍ଡରେ ଆଘାତ ଲାଗିଛି। ତାପରେ କିଛିଦିନ ପରେ ସେ ଭଲ ହୋଇଗଲେ। ତାପରେ ତାଙ୍କର କିଛି ନ ହେଇଥିବା ପରି କଥା ହେଲେ। ହସି ହସି କହିଲେ, ମୋର କିଛି ହେଇନି ରେ।

ତାଙ୍କ ସହ ଶେଷ ଫୋନ ଥିଲା ୧୧ ଜୁନ ୨୦୨୩ ।

କହିଥିଲେ, ସରୋଜିନୀ ଆଉନାହିଁ। ସିଏ ଏଇ ଜାନୁଆରୀ ମାସରେ ମରିଗଲା। ମୁଁ ପଚାରିଲି “ସାର ଆଜି ରାତିରେ କ’ଣ ଖାଇବେ।” କହିଲେ, କାମବାଲି ସକାଳେ ଆସି ରୋଷେଇ କରିଦେଇ ଯାଉଛି। ଚକଟା ଅଟା ଥିଲା ଗୋଟେ ପରଟା କରିଛି, ଅଣ୍ଡା ତରକାରି ଅଛି, ଖାଇଦେବି।  ଆଶ୍ଚର୍ଯ୍ୟ ହୋଇ ପଚାରିଲି, ଆପଣ ନିଜେ ପରଟା କଲେ? କିଛି ସମୟ ନିରବ ରହି କହିଲେ, “ଆଉ କ’ଣ କରିବି”।

ମୁଁ କିଛି ବୁଝିପାରିଲିନି କିମ୍ବା ତାଙ୍କୁ ଆଉ ବେଶି କିଛି ପଚାରିଲି ନାହିଁ।

କହିଲେ ପ୍ରବଳ ଗୁଳୁଗୁଳି ହେଉଛି। ତୁଉତ ଦେଖିଥିବୁ ମୋର ଏ.ସି ନାହିଁ। ଝରକା କବାଟ ବନ୍ଦ କରି ମୁଁ ଏଇଠି ବସିଛି।

ଆଉ ଲେଖାପଢ଼ା!

ହଁ ସେମିତି ଚାଲିଛି।

ଗୋଟେ ଦୀର୍ଘଶ୍ଵାସ ପକେଇ କହିଲେ,

“ଜାଣିଚୁ, ତୁ ଯେଉଁ ବାଉଁଶଗଛ ଦେଖିଥିଲୁ ସେଥିରେ ଏଥର ଫୁଲ ଧରିଛି। ମୋତେ କିଛି ଭଲ ଲାଗୁନିରେ। ଏଇ ଗୁଳୁଗୁଳି କମୁ ଅଶୋକକୁ (ଭାଇ) ନେଇଆସିବୁ।

ମୁଁ କହିଥିଲି ନିଶ୍ଚୟ ସାର, ଟିକେ ବର୍ଷା ହେଉ ,ମୁଁ ନିଶ୍ଚୟ ଯିବି। ସେଇଥିଲା ମୋର ଶେଷ ବାର୍ତ୍ତାଳାପ ତାଙ୍କ ସହ।

ଆଜି ବର୍ଷା ହେଉଛି ସତ, ମାତ୍ର ମୋତେ ଆଉ କେହି ଶ୍ରଦ୍ଧାରେ ଡାକୁନାହିଁ ଅଶୋକକୁ ସାଙ୍ଗରେ ଧରି ଆସିବୁ। ନିଶ୍ଚୟ ଆସିବୁ।
ଆଜି ଅଗଷ୍ଟ ୨୭  ତାଙ୍କ ମହାପ୍ରୟାଣ ଦିବସ। ମୋ ପରି ଜଣେ ସାମାନ୍ୟ ମଣିଷ, ତାଙ୍କ ପରି ଜଣେ ଅସାମାନ୍ୟ ମହାନ ସ୍ରଷ୍ଟାଙ୍କ ସହ ଦୁଇପଦ ମନଖୋଲା କଥା ହୋଇପାରିବା ନିଶ୍ଚୟ ଈଶ୍ୱରଙ୍କ ଆଶୀର୍ବାଦର ଫଳ।

ଏବେ ବି ଚନ୍ଦ୍ରଭାଗାର ଚିତ୍ରିତ ଅନ୍ଧାର ଭିତରେ  ଫୁଟୁଥିବ ଭୋର ମୋତିର ଫୁଲ। ବାଉଁଶବଣରେ ଚାଲୁଥିବ ଗୋଟେ ଲମ୍ବା ଛାଇ, ମେଘରୁ ଝରି ପଡୁଥିବ କବିତା, ତିନିକୋଣିଆ ବଗିଚାରେ କେହି ଜଣେ ଅପେକ୍ଷା କରୁଥିବ କାହାକୁ ଓ ଭାବୁଥିବ ତଥାପି ପାହିନି ରାତି।

ଯେଉଁଠି ଥାଆନ୍ତୁ ଭଲରେ ଥାଆନ୍ତୁ ସାର୍।

There are 4 comments

  1. ଧନ୍ୟବାଦ ସାବିତ୍ରୀ।

    ତୁମେ ଖୁବ୍ ଭାଗ୍ୟବାନ, ତାଙ୍କ ସହ ଏତେ ଅନ୍ତରଙ୍ଗ ଭାବେ ମିଶିପାରିଛ। ଖୁବ୍ ସୁନ୍ଦର ଏଇ ଅନୁଭବ, ତୁମର ଏଇ ଜନ୍ମର ସମ୍ପତ୍ତି।

    ଏତେ ସୁନ୍ଦର ଭାବରେ ଲେଖିଛ ଓ କହୁଛ ଯେ, ପ୍ରତିଥର ଜକେଇ ଉଠୁଛି ଆଖି। ଯିଏ ବି ଶୁଣୁଛି ତୁମର ଏଇ ଉପସ୍ଥାପନା ବାଷ୍ପରୁଦ୍ଧ ହେଇଯାଉଛି।

    ଚଉକାଠ ତରଫରୁ ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା

    🙏🌹🙏

    1. ତିନିକୋଣିଆ ବଗିଚା ରେ ଚନ୍ଦ୍ରଭାଗା?
      ସୁନ୍ଦର ଉପସ୍ଥାପନା
      କବି ଜୟନ୍ତ ମହାପାତ୍ର ଙ୍କୁ ସାକ୍ଷାତ କରିପାରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ l
      କବିଙ୍କ ସମ୍ପର୍କରେ ଅନେକ କିଛି ଜାଣିବାକୁ ମିଳିଲା l
      ଶୁଭେଚ୍ଛା ରହିଲ 🌹

  2. ତିନିକୋଣିଆ ବଗିଚା ରେ ଚନ୍ଦ୍ରଭାଗା?
    ସୁନ୍ଦର ଉପସ୍ଥାପନା
    କବି ଜୟନ୍ତ ମହାପାତ୍ର ଙ୍କୁ ସାକ୍ଷାତ କରିପାରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ l
    କବିଙ୍କ ସମ୍ପର୍କରେ ଅନେକ କିଛି ଜାଣିବାକୁ ମିଳିଲା l
    ଶୁଭେଚ୍ଛା ରହିଲ 🌹

Leave a Reply

Your email address will not be published. Required fields are marked *