Home » Magazine » ସମ୍ବାଦ – ବିସମ୍ବାଦ : ଫେବୃଆରୀ ୨୦୨୫

ସମ୍ବାଦ – ବିସମ୍ବାଦ : ଫେବୃଆରୀ ୨୦୨୫

କବି ତାରିଣୀ ଚରଣ ସାହୁଙ୍କୁ ରାଉରକେଲା ପୁସ୍ତକମେଳା ପୁରସ୍କାର

ଶିଳ୍ପ ରାଜଧାନୀ ରାଉରକେଲାର ପୁରାତନ ଅନୁଷ୍ଠାନ ଆଦର୍ଶ ପାଠାଗାର ଦ୍ବାରା  ଆୟୋଜିତ ରାଉରକେଲା ପୁସ୍ତକମେଳାର ଉଦ୍‌ଯାପନୀ ଉତ୍ସବରେ ଆର୍‌ଏସ୍‌ପିର ପ୍ରାକ୍ତନ ନିର୍ବାହୀ ନିର୍ଦ୍ଦେଶକ ଭାରତ ଭୂଷଣ ମହାନ୍ତି ମୁଖ୍ୟ ଅତିଥି, କାର୍ଯ୍ୟକାରୀ ସଭାପତି ତଥା ପାଠାଗାରର ଉପଦେଷ୍ଟା ଅଭୟ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ବିଶିଷ୍ଟ ଗୀତିକବି ଶ୍ରୀ ତାରିଣୀ ଚରଣ ସାହୁଙ୍କୁ ଚଳିତବର୍ଷ ପାଇଁ ଲକ୍ଷ୍ମୀଧର ନାୟକ ସାରସ୍ବତ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ। ପାଠାଗାରର ସମ୍ପାଦକ ଅଶୋକ କୁମାର ବଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଚନ୍ଦ୍ରଶେଖର ଶତପଥୀ ସ୍ବାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏହି ଅବସରରେ କବି ତାରିଣୀ ଚରଣ ସାହୁଙ୍କୁ ସମ୍ବର୍ଦ୍ଧିତ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଉଦଯାପନୀ ସନ୍ଧ୍ୟାରେ ସେକ୍ଟର-୬ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ପୁସ୍ତକମେଳା ବୁଲିବା ସହ ବିଭିନ୍ନ ପ୍ରକାଶକଙ୍କ ସହ ଭାବ ବିନିମୟ କରିଥିଲେ, ଯାହା ଏକ ସୁନ୍ଦର ପରମ୍ପରା ସୃଷ୍ଟି କରିବା ସହ ଆଗାମୀ ପିଢ଼ିକୁ ପୁସ୍ତକ ପ୍ରତି ଆକର୍ଷିତ କରାଇବାରେ ସହାୟକ ହେବ।

ଚଳିତବର୍ଷ ଏହି ପୁସ୍ତକମେଳାରେ କମଳା ପ୍ରକାଶନୀ, ବିଦ୍ୟାପୁରୀ, ସାଇ ଯମୁନା ପବ୍ଲିକେସନ୍, ସାଗରିକା, ଷ୍ଟୁଡେଣ୍ଟ ବୁକ୍ ଷ୍ଟୋର, ମା’ ସନ୍ତୋଷୀ ପୁସ୍ତକ ଭଣ୍ଡାର, କାହାଣୀ, ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ଚିତ୍ରୋତ୍ପଳା ପବ୍ଲିକେସନ୍ସ, କଟକ ଷ୍ଟୁଡେଣ୍ଟ ଷ୍ଟୋର, ସୂର୍ଯ୍ୟନାରାୟଣ ଷ୍ଟୋର, ବିନାୟକ ବୁକ୍‌ଷ୍ଟୋର, ଶିବଶକ୍ତି ବୁକ୍‌ଷ୍ଟୋର, ସଦାଶିବ ବୁକ୍ ୱାର୍ଲଡ଼, ଶ୍ରୀ ସାଇ ପବ୍ଲିକେସନ୍, ଆଞ୍ଜେଲ ବୁକ୍ ହାଉସ୍, କନିକା ପୁସ୍ତକ ଘର ପ୍ରମୁଖଙ୍କ ସମାଗମ ହୋଇଥିଲେ ମଧ୍ୟ ଅନେକ ପ୍ରତିଷ୍ଠିତ ପ୍ରକାଶକଙ୍କ ଅଭାବ ପରିଲକ୍ଷିତ ହୋଇଥିଲା। ଏଥର ପୁସ୍ତକମେଳାରେ ଆଶାନୁରୂପ ପୁସ୍ତକ ବିକ୍ରି ହୋଇନଥିବା ଓ ଆଶାନୁରୂପ ଭିଡ଼ ପରିଲକ୍ଷିତ ହୋଇନଥିବାର ଅଭିଯୋଗ ପ୍ରାୟ ସମସ୍ତ ଷ୍ଟଲର ବିକ୍ରେତାମାନଙ୍କ ଠାରୁ ଶୁଣିବାକୁ ମିଳିଥିବା ବେଳେ, ମେଳା ବୁଲି ଆସିଥିବା ଅନେକ ବ୍ୟକ୍ତି ରାଉରକେଲା ପୁସ୍ତକମେଳା କ୍ରମଶଃ ଆକର୍ଷଣହୀନ ହୋଇପଡ଼ୁଥିବାର ମନ୍ତବ୍ୟ ଦେଉଥିଲେ।

ଦଶଦିନ ବ୍ୟାପୀ ଚାଲିଥିବା ଏହି ମେଳାରେ ପ୍ରତିସନ୍ଧ୍ୟାରେ ବିଭିନ୍ନ ସାହିତ୍ୟାନୁଷ୍ଠାନ ଯଥା, କଲ୍ଚରାଲ୍ ଏକାଡ଼େମୀ, ଭାଷା ବିକାଶ ମଞ୍ଚ, ଇସ୍ପାତ ସାହିତ୍ୟ ସଂସଦ, ଧାମରା ସଂଘ, ବସୁଧୈବ କୁଟୁମ୍ବକମ୍, ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଭଜକୃଷ୍ଣ ସାରସ୍ବତ ସ୍ମୃତି ସଂସଦ, ସମ୍ବାଦ ସାହିତ୍ୟ ଘର ଇତ୍ୟାଦି ତରଫରୁ ସାହିତ୍ୟ ଆଲୋଚନା ତଥା କବି ସମ୍ମିଳନୀର ଆୟୋଜନ କରାଯାଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *