ସଂଧ୍ୟାରାଗ:ଦୁଇ
।। ମୃଗେଶ ବୈଷ୍ଣବ ପାଣିଗ୍ରାହୀ ।।
କବିତାମାନେ
ଆଉ କବିତା ପରି ଦିଶୁନାହାନ୍ତି,
ଦିଶୁଛନ୍ତି ଠିକ୍ ତୋ ପରି,
ସେଇ ଢଳ ଢଳ ଆଖି
ଆଖିରେ ସମୁଦ୍ରେ ନୀରବତା
ସେଇ ଅଧିର ଓଠ
ଓଠରେ ବର୍ଷ ବର୍ଷର ଆତ୍ମୀୟତା
ସେଇ ମୁଲାୟମ ହାତ ପାପୁଲି
ହାତ ପାପୁଲିରେ ମୋତେ ବାରମ୍ବାର ଆଙ୍କିବାର ଉନ୍ମାଦ
ସେଇ ଅସ୍ଥିର ଅଳତା ଲଗା ପାଦ
ପାଦରେ ଜନ୍ମ ଜନ୍ମାନ୍ତରର କାରୁଣ୍ୟ।
ଏବେ ପକ୍ଷୀମାନେ ବି
ପକ୍ଷୀ ପରି ଲାଗୁନାହାନ୍ତି
ସକାଳର ଅରୁଣିମା
ସଞ୍ଜରେ ପୋଡ଼ାସଳିତାର ବାସ୍ନା
ନିଶାର୍ଦ୍ଧରେ ଫୁଟୁଥିବା ଆଞ୍ଜୁଳାଏ ସ୍ବପ୍ନଫୁଲ
ନିର୍ଜନ ବୈଶାଖର ଧୂ ଧୂ ଖରାବେଳ
ଶୀତୁଆ ସକାଳର ଲାଜୁକି କାକର
ଅଦିନିଆ ବର୍ଷାର ପ୍ରଥମ ଶିହରଣ
ଏପରିକି ଦର୍ପଣ ସାମ୍ନାରେ ଛିଡ଼ା ହେଲେ
ମୁଁ ନିଜେ ମଧ୍ୟ।
ତୁ କହୁ,
କୁଆଡ଼େ ମୋ ପାଇଁ କବିତା ସବୁକିଛି
ବର୍ଣ୍ଣମାଳା, ଶବ୍ଦ
କବିତା ପାଇଁ ଗୋଟେ ନିଶୂନ୍ ବେଳା
ନିର୍ଜନତା ଓ ଏକାକୀତ୍ବର ଗହନ ନିଦ
ଦେଖିଛୁ, ମୋ କବିତାର ଶବ୍ଦରେ
କେମିତି ଗୁନ୍ଥିଛି ତୋର ଚାହାଣୀ
କେମିତି ଚିତ୍ରେଇଛି ତୋର ଆଖି
କେମିତି ଆଙ୍କିଦେଇଛି
ତୋର ପାଦ, ତୋର ଓଠ
ତୋର ନୀଳନିଦ
ତୋର ସ୍ବପ୍ନ
ତୋର ନାଭି, ତୋର କପାଳ
ତୋର ବିଶାଳ ହୃଦୟ
ତୋର ଆଉ ମୋ ଭିତରେ ଲମ୍ବି ଯାଇଥିବା ଅସରନ୍ତି ବାଟ
ତୋ ସହରର ସକାଳ
ଜହ୍ନରାତି
ଛାତରୁ ତୋଳିଆଣି
ସଯତ୍ନେ ଦେଇଥିବା ଗୋଟେ ଲେମ୍ବୁ କଷି
ଏରୁଣ୍ଡିବନ୍ଧରେ ଗଡ଼ୁଏ ଆତ୍ମୀୟତାରେ ଥୋଇଥିବା
ଦୁଇ-ଚାରିଟା ନିବିଡ଼ତାର ଫୁଲ।
କବିତାମାନେ ଆଉ କବିତା ପରି ଲାଗୁନାହାନ୍ତି
ଏଠି ସୂର୍ଯ୍ୟୋଦୟ, ଏଠି ଚନ୍ଦ୍ରୋଦୟ
ଏଠି ଅଶିଣ, ଏଠି ପୁଣି କାଶତଣ୍ଡିର ହସ
ସବୁଠି ତୋରି ମୁହଁ
ତୋରି ହସ
ତୋ ଭିନ୍ନ ବାକି ଯାହା
ସବୁ ନୈରାଶ୍ଯର ଶିବରଞ୍ଜନୀ ରାଗ।
ବଲାଙ୍ଗୀର, 9658577580
There is 1 comment
ଅଶେଷ ଅଭିନନ୍ଦନ କବି।
ଚମତ୍କାର ଓ ହୃଦଗ୍ରାହୀ କବିତା। ଖୁବ୍ ଛୁଇଁଲା ଏହି ବିନ୍ୟାସ : କବିତାମାନେ ଆଉ କବିତା ପରି ଲାଗୁନାହାନ୍ତି / ଏଠି ସୂର୍ଯ୍ୟୋଦୟ, ଏଠି ଚନ୍ଦ୍ରୋଦୟ / ଏଠି ଅଶିଣ, ଏଠି ପୁଣି କାଶତଣ୍ଡିର ହସ / ସବୁଠି ତୋରି ମୁହଁ…
ନବପ୍ରଜନ୍ମର କବିତାର ଏହିଭଳି ସମ୍ବେଦନଶୀଳତା ଓ ସ୍ପର୍ଶକାତର ଚିତ୍ର ଓଡ଼ିଆ କବିତାର ଭବିଷ୍ୟତକୁ ନିଃସନ୍ଦେହରେ ଜାଜୁଲ୍ୟମାନ କରିବ। ପୁନଃ ଅଭିନନ୍ଦନ କବି।