Home » Magazine » ସମ୍ପାଦକୀୟ : ଜାନୁଆରୀ ୨୦୨୫

ସମ୍ପାଦକୀୟ : ଜାନୁଆରୀ ୨୦୨୫

       ନବବର୍ଷ ୨୦୨୫ ପାଇଁ ହାର୍ଦ୍ଦିକ ଭଲପାଇବା ଓ ଶୁଭାଭିନନ୍ଦନ ଏବଂ ଶୁଭ ଅଭିନନ୍ଦନ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ। ଜାନୁଆରୀ ଏକ ତାରିଖ ଦିନ ନୂଆବର୍ଷର ଶୁଭେଚ୍ଛା ଜଣେଇବା ବେଳେ କିଛି ବନ୍ଧୁ ପରସ୍ପରକୁ 'ଇଂରାଜୀ ନବବର୍ଷର ଅଭିନନ୍ଦନ' ବୋଲି କହୁଥିବାର ଶୁଣା ଯାଇଥିଲା। ନବବର୍ଷ ସହ ଇଂରାଜୀ ଶବ୍ଦଟି ଯୋଡ଼ି ହେବା କାହିଁକି ଠିକ୍ ଶୁଣାଯାଉନଥିଲା କାନକୁ। ଯେଭଳି ଭାବରେ ସମଗ୍ର ବିଶ୍ଵ ଧୀରେ ଧୀରେ ସଙ୍କୁଚିତ ହେଇଆସିଲାଣି ଓ ଯେତେବେଳେ ପୃଥିବୀର ସମସ୍ତ ଦେଶ ମାନି ନେଇଛନ୍ତି ଏହି କ୍ୟାଲେଣ୍ଡରକୁ ବୈଦେଶିକ, ରାଜନୈତିକ, ଆର୍ଥିକ ଓ ଅନ୍ୟାନ୍ୟ ସହଭାଗିତାର ପ୍ରେକ୍ଷାପଟରେ, ସେତେବେଳେ ଏହି କ୍ୟାଲେଣ୍ଡରକୁ ସର୍ବୋତ ଭାବେ ଗ୍ରହଣ କରିନେବାରେ କିଛି ଅସଙ୍ଗତି ବି ନାହିଁ, ଯେହେତୁ ସବୁ କାରବାରରେ ଏହି କ୍ୟାଲେଣ୍ଡରକୁ ହିଁ ବ୍ୟବହାର କରାଯାଇଆସୁଛି।

ତେବେ ଭାରତୀୟ ସଂସ୍କୃତି ଅନୁଯାୟୀ ବୈଶାଖ ମାସକୁ ଆମେ ନବବର୍ଷର ପ୍ରଥମମାସ ଭାବେ ଗ୍ରହଣ କରିଥାଉ ଯାହା ବିଷୁବ ସଂକ୍ରାନ୍ତି ବା ଏପ୍ରିଲ ୧୩ ତାରିଖରୁ ହିଁ ଆରମ୍ଭ ହେଇଥାଏ। ଓଡ଼ିଶା ସମେତ ଦକ୍ଷିଣ-ଭାରତ, ଉତ୍ତର-ଭାରତ, ଓ ଉତ୍ତର-ପୂର୍ବର ଅନେକ ରାଜ୍ୟ ଏହି ଦିନକୁ ଖୁବ୍ ହର୍ଷୋଲ୍ଲାସ ଓ ଖୁସି ଉଚ୍ଛାସରେ ନବବର୍ଷ ଭାବରେ ପାଳନ କରିଥାନ୍ତି। ଯେମିତି ଓଡ଼ିଶାରେ ବିଷୁବ, ପଞ୍ଜାବରେ ବୈଶାଖି, ଆସାମରେ ରୋଙ୍ଗଲି ବିହୁ, ବେଙ୍ଗଲରେ ନବବର୍ଷ, ତାମିଲନାଡ଼ୁରେ ପୁଥାଣ୍ଡୁ, କେରଳରେ ବିଷୁ, ବିହାରରେ ବୈଶାଖା ଇତ୍ୟାଦି। ଏତଦ୍ ଭିନ୍ନ ଏସିଆ ମହାଦେଶ ସ୍ଥିତ ଅନେକ ଦେଶରେ ମଧ୍ୟ ନବବର୍ଷ ପ୍ରାୟତଃ ଏପ୍ରିଲ ୧୩ ତାରିଖ ଦିନ ପାଳିତ ହୋଇଥାଏ।

      ଏଣୁ ଚାଲିଆସୁଥିବା ସଂସ୍କୃତିକୁ ଶ୍ରଦ୍ଧା ଓ ସମ୍ମାନ ଜଣାଇ ଆମେ ଆମର ପରମ୍ପରାକୁ ପାଳନ କରିବାରେ କୌଣସି ଅସୁବିଧା ନାହିଁ - ବରଂ ଏହା ଆମର ପରବର୍ତ୍ତୀ ପିଢ଼ୀକୁ ପ୍ରଚୋଦିତ ଓ ପ୍ରରୋଚିତ କରିବ। ନଚେ଼ତ ଏଇ ବିରାଟପ ଭାରତୀୟ ସଂସ୍କୃତିର ହଜାର ହଜାର ବର୍ଷରୁ ପାଳିତ ହେଇ ଆସୁଥିବା ମହାନ ପରମ୍ପରା ଅଚିରେ ଲୋପ ପାଇଯିବ।

      ନବବର୍ଷ ସନ୍ଧ୍ୟାରେ ଇସ୍ପାତ ସହରର ଏକ ପ୍ରମୁଖ ଅନୁଷ୍ଠାନ ଦ୍ଵାରା ଆୟୋଜିତ 'ପ୍ରିୟ କବି ଓ କବିତା' କାର୍ଯ୍ୟକ୍ରମରେ ଯୋଗଦେଇଥିବା ପ୍ରାଜ୍ଞ ମୁଖ୍ୟବକ୍ତା ତାଙ୍କର ସମ୍ଭାଷଣରେ 'ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ' AI ବା କୃତ୍ରିମ-ପ୍ରଜ୍ଞାକୁ ନେଇ ନିଜର ଅଭିଜ୍ଞତା ଓ ଚିନ୍ତା ବ୍ୟକ୍ତ କରିଥିଲେ, ଯାହା ପ୍ରକୃତ ପକ୍ଷେ ଏକ ବିସ୍ତୃତ ଚିନ୍ତନ ଓ ମନନର ଅପେକ୍ଷା ରଖେ।

     କୃତ୍ରିମ-ପ୍ରଜ୍ଞା ବା AI ଧୀରେ ଧୀରେ ସମଗ୍ର ମାନବୀୟ ଓ ମାନବିକ କର୍ମର ବିକଳ୍ପ ଭାବରେ ଆବିର୍ଭୁତ ହେଲାଣି। ଏହାର ପ୍ରକୃତ ଚିତ୍ର କ'ଣ ଓ କିପରି ହେବ, ତାହା ଅବଶ୍ୟ ଖୁବ୍ ନିକଟ ଭବିଷ୍ୟତରେ କହିବ ସମୟ। ପୃଥିବୀର ସର୍ବବୃହତ ଧନୀବ୍ୟକ୍ତି ଏଲନ୍ ମସ୍କ୍ କିଛିଦିନ ତଳେ ଏକ ସାକ୍ଷାତକାରରେ ବେଶ୍ ଦୃଢ଼ତାର ସହ କହିଥିଲେ: ଏଇ କୃତ୍ରିମ-ପ୍ରଜ୍ଞା ବା AI ଖୁବ୍ ଶୀଘ୍ର ଆମ ସମସ୍ତଙ୍କର ଚାକିରୀ ନେଇଯିବ। ସମ୍ଭବତଃ, ଆମ କାହାରି ପାଖରେ ଆଉ କାମଟିଏ ବା job ନଥିବ।

       ଏ କଥା ଶୁଣିବାବେଳକୁ ଆତ୍ମା ଶିହରିଉଠେ ଭୟ ଓ ଆତଙ୍କରେ। ମାତ୍ର ଏଇଠି ଏଲନ୍ ମସ୍କ୍ ଏକଥା ମଧ୍ୟ କହନ୍ତି ଯେ, ଏହା ନିହାତି ଏକ ଖରାପଜିନିଷ ନୁହେଁ। କାରଣ ସେତେବେଳେ goods and services ଅର୍ଥାତ୍ ଜିନିଷ ଏବଂ ସେବାର ଅଭାବ ନଥିବ।
     କଥା ଉଠେ, ଏଇ କୃତ୍ରିମ-ପ୍ରଜ୍ଞା ବା 'ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ' କ'ଣ..?


ଏହା କିଛି 'ପ୍ରଯୁକ୍ତିବିଦ୍ୟାର ସମୂହ', ଯାହା କମ୍ପ୍ୟୁଟରକୁ ଅନେକ ପ୍ରକାରର ବିକଶିତ କାର୍ଯ୍ୟ କରିବାର ଦକ୍ଷତା ପ୍ରଦାନ କରେ… ଏପରିକି ଦେଖିପାରିବା, ବୁଝିପାରିବା, ଚିତ୍ର ଅଙ୍କନକରିବା, ଅନୁବାଦ କରିବା, ବିଭିନ୍ନ ତଥ୍ୟର ସଠିକ୍ ବିଶ୍ଳେଷଣ ତଥା ସୁପାରିଶ କରିବା ଭଳି ସଂଖ୍ୟାଧିକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିପାରେ।


ଏଇଠି ସୃଜନଶୀଳତାକୁ ମଧ୍ୟ ଆହ୍ୱାନର ସମ୍ମୁଖୀନ ହେବାକୁ ପଡୁଛି। AI ବା କୃତ୍ରିମ-ପ୍ରଜ୍ଞା କବିତା, ଗଳ୍ପ ଆଦି ରଚନା କରିବା, ଚିତ୍ର ଅଙ୍କନ କରିବା, ସଙ୍ଗୀତ ସଂଯୋଜନା ଓ ଗୀତ ଗାଇବା, ଗୋଟିଏ ଭାଷାରୁ ଅନ୍ୟ ଏକ ଭାଷାକୁ ଅନୁବାଦ କରିବା ଭଳି ଅନେକ କଳାତ୍ମକ ଓ ସୃଜନାତ୍ମକ କର୍ଯ୍ୟକୁ ବି ବେଶ୍ ସୁଚାରୁ ରୂପେ ଓ ଉନ୍ନତ ଭାବରେ ସମ୍ପାଦନ କରିପାରିବାର କ୍ଷମତା ରଖୁଛି। ଏଲନ୍ ମସ୍କଙ୍କ AI, ChatGPT ଏହାର ଏକ ବର୍ତ୍ତମାନ ସମୟର ଜ୍ୱଳନ୍ତ ଉଦାହରଣ।

      ଆପଣ ଯେଉଁମାନେ ChatGPTର ସଂସ୍ପର୍ଶରେ ଆସିଥିବେ, ସେମାନଙ୍କର ନିଶ୍ଚୟ ହୃଦବୋଧ ହେଉଥିବ ଯେ, ଲେଖକ ବା କବିଟିଏକୁ ଆଉ ଏଥର ମାନସ ମନ୍ଥନ କରି ଦୀର୍ଘଦିନ ଧରି ପୁସ୍ତକଟିଏ ଲେଖିବାର ଆବଶ୍ୟକତା ନାହିଁ। ChatGPT ରେ  ବିଷୟବସ୍ତୁ ବା ଥିମ୍ ଦେଇଦେଲେ ମାତ୍ର କେତୋଟି ମୁହୂର୍ତ୍ତରେ ପାଞ୍ଚଶହ ପୃଷ୍ଠା ବିଶିଷ୍ଟ ଏକ ଉନ୍ନତ ମାନର ଉପନ୍ୟାସ ବି ପ୍ରସ୍ତୁତ କରି ଦେଇପାରିବ ବା ଏକ ସୁନ୍ଦର କବିତା ଲେଖି ଦେଇପାରିବ -- ଯାହା ମନୁଷ୍ୟ ଲେଖୁଥିବା କବିତା ବା ରଚନା ଠାରୁ ଅଧିକ ମାର୍ଜିତ ଓ ଉନ୍ନତ। ଆପଣ ଆଙ୍କିବାକୁ ଚାହୁଁଥିବା ଚିତ୍ରଟିର ଥିମ୍ ଦିଅନ୍ତୁ -- ଆପଣଙ୍କ ପରଦା ଉପରେ ତତକ୍ଷଣାତ୍ ଉଭା ହେଇଯିବ ଏକ ଅତ୍ୟାଧୁନିକ ସୁନ୍ଦର ଚିତ୍ର -- ଯାହା ଆପଣଙ୍କର କଳ୍ପନା ଠାରୁ ମଧ୍ୟ ଅଧିକ ଊର୍ଦ୍ଧ୍ୱରେ।

     ଏଇଠି ପ୍ରଶ୍ନ ଉଠେ, ଏହାପରେ ସୃଜନକଳାର ମୃତ୍ୟୁ ହେଇଯିବ ନାହିଁ ତ..!!

There are 10 comments

  1. ନମସ୍କାର ସାର୍
    ଚଉକାଠର ଏ ସଂଖ୍ୟାର ସମ୍ପାଦକୀୟ ବେଶ୍ ସୁନ୍ଦର
    ନୂଆ ବର୍ଷକୁ ନେଇ ତଥ୍ୟଭିତ୍ତିକ ତର୍କ ମାଧ୍ୟମରେ ଉପସ୍ଥାପନା
    ଏବଂ
    AI କୁ ନେଇ ସମ୍ପାଦକଙ୍କ ଚିନ୍ତା ଓ ଶଙ୍କା ପାଠକକୁ ବା ଶ୍ରୋତାକୁ ଭାବିବାକୁ ବାଧ୍ୟ କରୁଛି।
    ଆମକୁ ଏବେ ଠାରୁ ଜିଇଁବାକୁ ଥିବା ଅବଶିଷ୍ଟ ସମୟ ଅତିବାହିତ କରିବାପାଇଁ ବିକଳ୍ପ ବାଛି ନେବାକୁ ପଡ଼ିବ।
    ନମସ୍କାର ସାର୍
    🙏🙏

    1. ସବୁକ୍ଷେତ୍ରରେ ଜୀବନ ସଂଘର୍ଷପୂର୍ଣ୍ଣ।
      ଏଇ ଗ୍ରହର ପରିମଣ୍ଡଳରେ ପ୍ରାଣୀକୁ ସମୟ ସହ ପାଦ ମିଳେଇ ଚାଲିବାକୁ ହେବ। ଏହା ହିଁ ପ୍ରକୃତିର ନିୟମ। ନଚେତ ଲୋପ ପାଇଯିବା ନିଶ୍ଚିତ। AI ନିଶ୍ଚିତ ରୂପେ ମନୁଷ୍ୟର ଜୀବନ ଧାରଣକୁ ଅଧିକ ସ୍ୱଚ୍ଛ ଓ ସରଳ କରିବ ଏବଂ ବହୁଗୁଣ ଅଧିକ ଉତ୍ପାଦନକ୍ଷମ କରିବ। ଏଥିପାଇଁ ମଣିଷକୁ ଶ୍ରମଦାନ ବା ବୁଦ୍ଧି ଖଟେଇବାକୁ ପଡ଼ିବ ନାହିଁ। କାରଣ ସେ ସବୁ କାମ AI କରିଦେବ। ଏହାଦ୍ବାରା ପୃଥିବୀପୃଷ୍ଠରେ କୌଣସି ଅଭାବ ରହିବ ନାହିଁ, ବରଂ ପ୍ରଚୁର ବସ୍ତୁ ଓ ସେବା ଉପଲବ୍ଧ ହେବ। ମଣିଷ କାମ ହରେଇବାର ଅର୍ଥ ନୁହେଁ ଯେ ସେ ବେରୋଜଗାର ହେଇଯିବ… ବରଂ ଅନ୍ୟଅର୍ଥରେ ତାକୁ ଆଉ କାମ କରିବାର ଆବଶ୍ୟକତା ପଡ଼ିବ ନାହିଁ। ହଁ, ଏହା ହେଇପାରେ ଯେ ମଣିଷ ଅଲୋଡ଼ା ଓ ଅଳସୁଆ ହେଇଯିବ..!! ସେତେବେଳେ ଏଇସବୁ ସୃଜନାତ୍ମକ ଓ କଳାତ୍ମକ ଦିଗଗୁଡ଼ିକର କ’ଣ ହେବ କହିହେବ ନାହିଁ। ହେଇପାରେ, ସାହିତ୍ୟ, ସଙ୍ଗୀତ ଓ ଅନ୍ୟାନ୍ୟ ଚିତ୍ରକଳାଦି AI ପ୍ରଯୁକ୍ତିବିଦ୍ୟାର ସାହଚର୍ଯ୍ୟ ପାଇ ଆହୁରି ଅଧିକ ଉନ୍ନତ, ବିକଶିତ ଓ ଭାବଗର୍ଭକ ହେଇଉଠିବ..!!

      ଆପଣଙ୍କ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା।

  2. ଭଲ ଲାଗିଲା ସଂପାଦକୀୟ। AI ର ପ୍ରୟାଗ ସାହିତ୍ୟରେ, ଏହା ନୂଆ ଯୁଗର ଅୟମାରମ୍ଭ ବୋଲି କୁହାଯାଇପାରେ।

    1. ନିଶ୍ଚୟ ଆଜ୍ଞା।
      ଏହାର ସଦୁପଯୋଗ ଓ ଦୁରୁପଯୋଗ ପ୍ରତି ସଚେତନ ରହିଲେ ଏହା ସୃଜନକଳାକୁ ଏକ ନୂଆ ଉଚ୍ଚତା ଦେବ ନିଃସନ୍ଦେହରେ। ନଚେତ ପାଲା, ଦାସକାଠିଆ ପରି ସାହିତ୍ୟ ଅବହେଳିତ ବି ହେଇଯାଇପାରେ..!!

      ଧନ୍ୟବାଦ ଆପଣଙ୍କୁ ସୁନ୍ଦର ମତାମତ ପାଇଁ।

  3. ପ୍ରିୟ ସଂପାଦକ”ଚଉକାଠ” ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ। ପ୍ରଥମେ ନୂଆବର୍ଷରେ ମୋ କବିତାକୁ ସ୍ଥାନିତ କରି ଥିବାରୁ ,ସଂପାଦକ ଓ ଚଉକାଠ ପରିବାରକୁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି ।
    ଏ ସଂଖ୍ୟାର ସଂପାଦକୀୟ ବିଶେଷ କରି କୃତ୍ରିମ ପ୍ରଜ୍ଞା ଉପରେ ପର୍ଯ୍ୟବେସିତ ଯାହା ଏକ ଆହ୍ଵାନ,କେ ଜାଣେ ଭବିଷ୍ୟତ, ମଣିଷର ସକଳ ଚିନ୍ତା ଚେତନା, ସର୍ଜନ ଶକ୍ତିକୁ ଅଚଳ କରି ଏକ ଜୀବନ୍ତ ମୁକ ସତ୍ତାରେ ପରିଣତ କରି ନ ଦେଉ । ଆଙ୍ଗୁଠି ଟିପ,ହାତ ମୁଠାକୁ ବନ୍ଦ କରି ନ ଦେଉ ଯେମିତି ଏବେକାର ରାଜନୈତିକ ମାଗଣା ପ୍ରତିଶ୍ରୁତି ସମାଜର ଏକ ବିଶେଷ ଅଂଶକୁ ଆଳସ୍ୟର କାରାଗାର ଭିତରକୁ ଠେଲି ଦେଇଛି । ଚମତ୍କାର ସଂପାଦକୀୟ,ଭବିଷ୍ୟତକୁ ଏକ ଚେତାବନୀ,ଧନ୍ୟବାଦ ପ୍ରିୟ ସମ୍ପାଦକ,ସୁନ୍ଦର ଚିନ୍ତନ ।

    1. ନମସ୍କାର ସାର୍।
      ଆପଣଙ୍କ ମନ୍ତବ୍ୟ ଓ ଶଙ୍କା ଅମୂଳକ ନୁହେଁ। ତେବେ ସଦୁପଯୋଗ ଓ ଦୁରୁପଯୋଗ ଉପରେ ହିଁ ନିର୍ଭର କରେ ସର୍ଜନକଳାର ଭବିଷ୍ୟତ। ATM ଆସିବା ପରେ ଲୋକେ ସିଧାସଳଖ BANK TRANSACTION ରୁ ଦୂରେଇଗଲେ। UPI ଆସିବାରୁ ଏବେ ATM ବ୍ୟବହାର କମିଗଲା। ତେଣୁ AI ପୂର୍ଣ୍ଣମାତ୍ରାରେ ଲୋକ-ବ୍ୟବହାରକୁ ଆସିଗଲେ କ’ଣ ଘଟିବ, ସମୟ କହିବ।

      ଧନ୍ୟବାଦ ସହ ସମ୍ମାନ ଆପଣଙ୍କୁ।

  4. “ଚଉକାଠ”ର ପ୍ରତି ସଦସ୍ୟଙ୍କୁ ନବବର୍ଷର ଶୁଭେଛା 💐🙏।
    ସଂପାଦକୀୟ ପୃଷ୍ଠା ପ୍ରତି ମାସରେ କିଛି ନା କିଛି ଶିକ୍ଷଣୀୟ ଅବା ଜ୍ଞାନବର୍ଦ୍ଧକ ବାର୍ତ୍ତା ବହନ କରିଥାଏ । ସେଇ ପରିପ୍ରେକ୍ଷୀରେ ଏଥର AI ର କ୍ଷମତା ଓ ଦକ୍ଷତା ଉପରେ ଆଲୋକପାତ କରାଇବା ନିଶ୍ଚିତ ଭାବେ ପ୍ରଶଂସନୀୟ। କୃତଜ୍ଞତାର ସହ ପ୍ରଣାମ ସାର୍।

    1. ଧନ୍ୟବାଦ ସହ ନବବର୍ଷ ଶୁଭେଚ୍ଛା ଆପଣଙ୍କୁ ବି।
      ଚଉକାଠ ସମ୍ପାଦକୀୟ ଆପଣଙ୍କୁ ଭଲଲାଗୁଛି, ଏହା ଆମ ପାଇଁ ଗଭୀର ସାନ୍ତ୍ୱନା ଓ ଉତ୍ସାହପ୍ରଦ ନିଶ୍ଚୟ। AI କୁ ନେଇ ଅନେକ ଆଶା ଓ ଆଶଙ୍କା ତ ରହିଛି ନିଶ୍ଚୟ, ତେବେ ସମୟାନୁଯାୟୀ ଏହାର ପରିବର୍ତ୍ତନକୁ ପରଖାଯାଇପାରେ।

      ଅଶେଷ ଧନ୍ୟବାଦ ସୁନ୍ଦର ମନ୍ତବ୍ୟ ପାଇଁ।

  5. ତାଳପତ୍ର ଲେଖନୀରୁ ମୁଦ୍ରଣ ଯନ୍ତ୍ର, ତହୁଁ ଯାଇ ଡ଼ିଟିପି ଓ ପରେ AI ପ୍ରକରଣ, ଏ ସବୁ ସ୍ରଷ୍ଟାର ମନନ ଓ ଚିନ୍ତନ ପ୍ରକ୍ରିୟାରୁ ଆବିଷ୍କୃତ ସୃଜନଶୀଳତାକୁ ସୂକ୍ଷ୍ମଦର୍ଶୀ, ମାର୍ଜିତ ତଥା ପରିତୁଷ୍ଟ କରିବା କ୍ଷେତ୍ରରେ ଗୋଟାଏ ଲେଖାଏଁ ସମୟାନ୍ତର ଉପକରଣ ମାତ୍ର । ବାସ୍ ଏବେ ଆମ ବାଣୀକୁ ପଢ଼ି କମ୍ପ୍ୟୁଟର ବିଷୟର ପ୍ରତିରୂପ ଛାପୁଛି ଆଉ ଆଗାମୀ ଦିନରେ AI ଆମ ଇଚ୍ଛାକୁ ପଢ଼ି ବିଷୟର ପ୍ରତିରୂପ ତୋଳିବ। ସଂକ୍ଷେପରେ କହିଲେ, As you sow, so you reap ସୁତ୍ରରେ ଜଣେ ସ୍ରଷ୍ଟା ଯେତେ ପ୍ରାଞ୍ଜଳ, ସୂକ୍ଷ୍ମ ଓ ବ୍ୟାପୃତ ଅବଧାରଣା AI ସମ୍ମୁଖରେ ଥୋଇପାରିବ AI ସେହି ଅନୁରୂପ ବିଷୟକୁ ନିଖାରିବ ଓ ଉପୁଜାଇବ । ମାନସ ମନ୍ଥନରୁ ଜାତ ସାରସ୍ୱତ ସୃଷ୍ଟିକୁ ଆମେ ଆବିଷ୍କାର ବୋଲି କହିଲାବେଳେ AI ହେଉଛି ସୃଜନ ହେତୁ ପ୍ରୟୋଜନୀୟ ଏକ ସଂସ୍କରଣ ବା ଉଦ୍ଭାବନ । ଦୁହିଁଙ୍କ ମଧ୍ୟରେ ପରସ୍ପର ପ୍ରତିଦ୍ବନ୍ଦିତା ଅପେକ୍ଷା ପରିପୂରକତା ଅବଶ୍ୟମ୍ଭାବୀ ।

Leave a Reply

Your email address will not be published. Required fields are marked *