ଚାରଣଚର୍ଯା
।। କରୁଣାକର ପାଟ୍ଟଶାଣୀ ।।
ମାଆ ପିଠିର ଝୁଲାରୁ ଉତୁରୁ ଉତୁରୁ
ସେ ବେଙ୍ଗଛୁଆ ପରି ମାପିଥିଲା ଦୁନିଆ
ବକଟେ ପାଦରେ…
ମା’ ଗାରେଇଥିଲା ତା’ ମଥାର ଭାଗ୍ୟରେଖା
ଉଠାଚୁଲି ଅଙ୍ଗାରରେ ।
କଙ୍କି, ପ୍ରଜାପତି ନୁହେଁ
ମେଣ୍ଢାପଲ ପଛେ ପଛେ ଫେରିଛି ସେ
ଗୋଧୂଳି ଗଳିରେ
ପିଠିରେ ବସ୍ତାନୀ ବୋହି ସ୍କୁଲ ଯାଇନି କେବେ
ଆତ୍ମସ୍ଥ କରିଛି କିନ୍ତୁ
ରାଶି ରାଶି ପେଟ ଓ ପାଟଣାର ପଙ୍କ୍ତି
ପିମ୍ପୁଡ଼ିର ପାଠାଗାରେ ।
ଖଇଫୁଟା ଖରାବେଳେ
ମାଙ୍କଡ଼ଠୁ ନାଚିଛି ସେ ବେଶୀ
ଜୀବନର ବାଉଁଶନାଟରେ କୁଶଳୀ ବାଉଁଶରାଣୀ
ବାରବରଷର ବଞ୍ଜାରୁଣୀ ।
ଗୋବରଗଦାର ଗୋବରପୋକ ପରି ଗୋବରିଆ ସ୍ୟାହିରେ ଛାପିଛି ଜୀବନର ଦିନଲିପି,
କଲିକତରା ପରି
ମାଟିରେ ତା’ ଗତି, ମାଟିରେ ତା’ ମୁକ୍ତି
ଜୀବନ ତା’ ଖାଲି
ମାଟି ମାଟି ମାଟି ମାଟି ॥
ମାଟିର ମୂରତି ମାଗିଥିଲା ମୁଠେ
ମେଘ ମମତା
ମେଘ ବର୍ଷିଗଲା ବିଷ ଛଳନା ଛିଟା ।
କଢ଼ି ମାଗିଥିଲା ସକାଳ ସ୍ପର୍ଶ
ସକାଳ ସାଜିଲା ସାହି ସାହୁକାର
ଖୁନନଶି ଜୋକ !
ପାଖୁଡ଼ା ପୋଡ଼ିଲା କଅଁଳ ଖରାରେ
କଟକିଆ ସ୍ନେହ କାହୁଁ ଥାଆନ୍ତା
ଗୁପଚୁପବାଲା ଖଟା-ପାଣିରେ !
ଶିକାରୀ ବାଘର
ନଖ-ଦାନ୍ତ-ଚିହ୍ନ ସାଇତିଲା ବୁକୁ ପରେ
ଭଅଁର କି ମଧୁମକ୍ଷି ଏମିତି କି ହିଂସ୍ର ହୋଇପାରେ ??
ଧୂସର ପାହାଡ଼ ଘେରା
ଶ୍ୟାମଳି କୁଆଁରୀ ଗାଆଁ
ଫୁଲ ସଂଜେ ଲୁଟିଗଲା ପରେ
ଆଉଥରେ ସରସ୍ବତୀ ସରସତା ମରୁରେ ମିଶିଲା
ଆଉଏକ ଚପଳା ଚନ୍ଦ୍ରଭାଗା ସମୁଦ୍ରେ ଝାସିଲା
ଆଉ ଏକ ଭୂମିସୁତା ଭୂମି ଭିକ୍ଷା କଲା
ଆଉ ଏକ ହରିତ ହୃଦୟ ଝାଉଁଳି ଝରିଲା ।
ଫକତ ଫଗୁଣ ଫେରିନି…
ଫେରିଛି ମାଛି ଅନ୍ଧାର
ମଇଁଷିପିଠିରେ ବସି କଷଣର କୃଷ୍ଣପକ୍ଷ କିଶୋରୀ-କଢ଼ିର ଦେହେ ନେସି ନେସି…
ଫଟାମାଟି ଶେଷହୀନ ଶୋଷ
ଅନ୍ତହୀନ ଅବସୋସ
ଚାରଣଚର୍ଯା ବ୍ୟଥିତ କବି
ବସିଛି ସାଉଁଟି ।
ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ, ରାଉରକେଲା ମହାବିଦ୍ୟାଳୟ
There are 6 comments
ବହୁତ ଭଲ ଲାଗିଲା ଚାରଣଚର୍ଯା
ଅନେକ ଅନେକ ଅଭିନନ୍ଦନ ସାର୍
🙏🙏
ଅଶେଷ ଧନ୍ୟବାଦ
‘ଅଭିନବ ଚଉକାଠ’ର ମକର ସଂକ୍ରାନ୍ତି ସଂଖ୍ୟାରେ ସ୍ଥାନିତ ସମସ୍ତ ସ୍ରଷ୍ଟା ତଥା ସମ୍ପାଦକ ମହୋଦୟଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭକାମନା।
ଅଧ୍ୟାପକ ଶ୍ରୀ କରୁଣାକର ପାଟ୍ଟଶାଣୀ, ସମକାଳ ନବପ୍ରଜନ୍ମ ର ଜଣେ ପ୍ରତିଶ୍ରୁତି ସମ୍ପନ୍ନ କବି ।ଆମେ ପ୍ରିୟ କବିଙ୍କ ଭିତରେ ଦେଖୁ ଆଗାମୀ କବ୍ୟସ୍ୱରର ଏକ ତଡ଼ିତ ପ୍ରବାହ ଓଆବେଗ । ଚାରଣ ଚର୍ଯା ଏକ ସାଧାରଣ ଚର୍ଯା ଗୀତି ନୁହେଁ ବରଂ ସାମାଜିକ ଅବ୍ୟବସ୍ଥିତ ପରିଦୃଶ୍ୟ କୁ ଏକ ଶକ୍ତ ଶାବ୍ଦିକ ଚାପୁଡ଼ା ।ଅବୋଧ ଶିଶୁଟିଏ ତାର ଇଶ୍ୱରୀ ଶୈଶବରେ କମନୀୟ ପାଟପନିଆ କୁ ପ୍ରଜାପତି ର ଭ୍ରମ କରି ଗୋଡାଉ ଗୋଡ଼ାଉ କେବେ ଯେ ତାର ବାହୁ ସଶକ୍ତ ହୋଇଛି ସେ ନିଜେ ଜାଣି ପାରୁନି ।ଦୌଡ଼ିବାର ଏ ପ୍ରୟାସ ତାକୁ ଅଭିମନ୍ତ୍ରିତ କରୁଛି ଜୀବନ ବସ୍ତାନି ସଙ୍ଗେ ଯୁଝିବା ପାଇଁ ।ମା ଟାଣି ଦେଇଥିବା ସେଇ କଳା ରଙ୍ଗର ଭଗ୍ୟରେଖା କୁ ସେ ସୁଗନ୍ଧିତ ଚନ୍ଦନ ତିଳକ କରିବା ପାଇଁ ଖପ କିନା ଡେଇଁ ପଡ଼ୁଚି ବେଙ୍ଗଟି ଏ ପରି ହେଲେ ନିଜକୁ ପାଉଛି ଅଗଣିତ ସାମାଜିକ ପିମ୍ପୁଡ଼ି ଧାରରେ ।ମାଙ୍କଡ ପରି ନାଚି ମାଲିକକୁ ଦେଇଛି ଅସରନ୍ତି ତୃପ୍ତି ହେଲେ ନିଜେ ପାଇଛି ଯନ୍ତ୍ରଣା ଜର୍ଜରିତ ଏକ କ୍ଳାନ୍ତ ହାତ ପାଦ ହଳେ ,ହେଲେ ବି କେବେ ଉଃ କହିନି ବରଂ ମାଟିକୁ ମା କହି ଖୋଜିଛି ମୁକ୍ତି ।ଏକ ଚମତ୍କାର ଜୀବନ ଦର୍ଶନ କୁ ବିଭିନ୍ନ ଚିତ୍ରକଳ୍ପ ମାଧ୍ୟମରେ ଉପସ୍ଥାପନ କରିବାରେ କବି ସିଦ୍ଧହସ୍ତ ।ଅଜସ୍ର ଶୁଭେଚ୍ଛା ଅଭିନନ୍ଦନ ପ୍ରିୟ କବି ।ଆପଣଙ୍କ ଜୀବନ ଆହୁରି କାବ୍ୟମୟ ହେଉ ।ଧନ୍ୟବାଦ ।
ଆପଣଙ୍କ ଏଇ ସୁନ୍ଦର ଆଲୋକପାତ ଓ ଆଶୀର୍ବଚନ ସହ ଚଉକାଠ ବି ଏକମତ। କବି ପାଟ୍ଟଶାଣୀଙ୍କ ଏହି କବିତାରେ ଲୁହ ବି ଅଛି, ଲହୁ ବି ଅଛି, ସଂଘର୍ଷ ବି ଅଛି ସ୍ଫୁଲ୍ଲିଙ୍ଗ ବି ଅଛି, ଅସ୍ତ ତ ଅଛି ନବୋଦୟର ଉନ୍ମେଷ ବି ଅଛି। କବିଙ୍କୁ ଅଭିନନ୍ଦନ, ଆପଣଙ୍କୁ ସାଲ୍ୟୁଟ।
ଅଜସ୍ର ଧନ୍ୟବାଦ୍ ପ୍ରିୟ