Home » Magazine » ବଚ୍ଚାଲାଲ୍ (ଉନ୍ମେଷ) : ସାଇପଡ଼ିଶା : କବିତା : ଜାତି କ’ଣ : ମର୍ମାନୁବାଦ : ଅକ୍ଷୟ କୁମାର ସାମାଲ

ବଚ୍ଚାଲାଲ୍ (ଉନ୍ମେଷ) : ସାଇପଡ଼ିଶା : କବିତା : ଜାତି କ’ଣ : ମର୍ମାନୁବାଦ : ଅକ୍ଷୟ କୁମାର ସାମାଲ

ଏ ବାବୁ ତୋର ଜାତି କ’ଣ ?
ଦଳିତ ହଜୁର !
ନା… ମାନେ କେଉଁ ଉପଜାତିରେ ଆସୁ ?
ହଜୁର !
ଆପଣଙ୍କ ଘୃଣା ଓ ଗାଳିରେ ଆସୁ,
ପୁତିମୟ ନାଳିରେ ଆସୁ
ଆଉ ପଙ୍ଗତରେ ଆମ ପାଇଁ ରଖାଯାଇଥିବା
ଅଲଗା ପତ୍ରରେ ଆସୁ !
ନିଶ୍ଚିୟ ହିନ୍ଦୁ ହୋଇଥିବୁ…??
ହଁ ହିନ୍ଦୁ ହୁଏ ହଜୁର !
କେବଳ ନିର୍ବାଚନ ସମୟରେ !

ତୁ ଖାଉ କ’ଣ ?
ଯାହା ଜଣେ ଦଳିତ ଖାଏ, ହଜୁର !
ନା… ମାନେ ଆହାରରେ କ’ଣ କ’ଣ ଖାଉ ?
ଆପଣଙ୍କଠୁ ମାଡ଼ ଖାଉ !
ଋଣଭାରର ଯନ୍ତ୍ରଣା ଖାଉ !
ଅଭାବରେ ବେଳେ ବେଳେ ଲୁଣ
ନହେଲେ ଡଷ୍ଟବିନ୍‌ରେ ପଡ଼ିଥିବା ଅମୃତ ଖାଉ !
ନା.. ମତେ ଲାଗିଲା ମାଛମାଂସ ବି ଖାଉଥିବୁ ?
ହଁ ହଜୁର ଖାଏ !
କେବଳ ନିର୍ବାଚନ ବେଳେ ।

ତୁ କ’ଣ ପିଉ ?
ଯାହା ଜଣେ ଦଳିତ ପିଏ ହଜୁର !
ନା… ମାନେ ଶୋଷ ଲାଗିଲେ କ’ଣ ପିଉ ?
ହଜୁର…
ଛୁଆଁ ଅଛୁଆଁର ଗ୍ଲାନି ଆଉ ଅବସାଦ !
ମରି ଯାଉଥିବା ସ୍ବପ୍ନର ଯନ୍ତ୍ରଣା,
ଆଉ ଖାଲି ଆଖିରେ ଦେଖୁଥିବା ମରିଚୀକା !
ନା.. ମତେ ଲାଗିଲା ମଦ ପିଉଥିବୁ ?
ପିଏ ହଜୁର
ଏଇ ଆପଣଙ୍କ ନିର୍ବାଚନ ଆସିଲେ ।

ତତେ କ’ଣ ମିଳେ ?
ଯାହା ଦଳିତକୁ ମିଳେ ହଜୁର !
ନା.. ମାନେ କି କି ଉପହାର ମିଳେ ?
ଅପମାନ ଆଉ ଲାଞ୍ଛନାପୂର୍ଣ୍ଣ ଜୀବନ,
ଛାଡ଼ିଯାଇଥିବା ଆପଣଙ୍କ ଆବର୍ଜନା,
ଦରକାର ପଡ଼ିଲେ ଆପଣଙ୍କ ଭଳି
ପରଜୀବୀଙ୍କ ପ୍ରଣାମ,
ଆଉ ଅତିଥି କରି ଆମ ଗୋଡ଼ ଧୋଇଦେବାର
ଛଳନା ପୂର୍ଣ୍ଣ ଅଭିନୟ !
ନା.. ମତେ ଲାଗିଲା ମିଳୁଥିବ କିଛି ପ୍ରତିଶ୍ରୁତି !
ହଁ.. ହଁ.. ହଜୁର ମିଳେ
କିନ୍ତୁ ଆପଣଙ୍କ ନିର୍ବାଚନ ଇସ୍ତାହାରରେ ।

ତୁ କରୁଛୁ କ’ଣ ?
ଯାହା ଦଳିତ କରେ ହଜୁର !
ନା.. ମାନେ କ’ଣ କ’ଣ କାମ କରୁ ?
ଶହେ ଦିନରେ ପୋଖରୀ ଖୋଳିବାର କାମ !
ଝାଳନାଳ ହୋଇ
ସକାଳକୁ ସନ୍ଧ୍ୟା କରିବାର କାମ !
ପାଇଖାନା ମଇଳା ମୁଣ୍ଡରେ ବୋହିବା କାମ
ଆଉ ଆପଣମାନଙ୍କ ପାଦତଳେ
ଲମ୍ବ ହୋଇ ପଡ଼ିବାର କାମ !
ମତେ ଲାଗିଲା
ନା.. ଆଉ କିଛି କରିଛୁ ବଡ଼ କାମ ?
ହଁ କରିଛି ହଜୁର…
ଆପଣଙ୍କ ନିର୍ବାଚନ ପ୍ରଚାର କାମ ।

There are 9 comments

    1. କାଳେ କାଳେ ଦୁଃଖୀ, ରଙ୍କି, ଶୋଷିତ, ଦଳିତ ଓ ନିଷ୍ପେସିତଙ୍କୁ ସାହିତ୍ୟ ହିଁ ମର୍ଯ୍ୟାଦା ଦେଇଆସିଛି।

      ଧନ୍ୟବାଦ ଜାଣିବେ।

  1. କବିତାଟି ଖୁବ୍ ମାର୍ମିକ ଓ ହୃଦୟ ସ୍ପର୍ଶୀ । ସତରେ କଣ ଦଳିତ ସମାଜ ସବର୍ଣ୍ଣଙ୍କ ଦ୍ଵାରା ଆଜିର ଯୁଗରେ ଏଭଳି ଶୋଷିତ ହୁଅନ୍ତି ?

    1. ମତାମତ ପାଇଁ ଅଶେଷ ଧନ୍ୟବାଦ।
      ସବର୍ଣ୍ଣ-ଅସବର୍ଣ୍ଣ, ଶାସକ-ଶୋଷଣ, ମାଲିକ-ଚାକର, ଅଧିକାରୀ-ଅଧସ୍ତନ ଏମାନଙ୍କ ଭିତରେ ଶୀତଳଯୁଦ୍ଧ ଏବେ ବି ଚାଲିଛି, ହୁଏତ ଅନ୍ୟ ରୂପରେ, ନେତା-ସାଧାରଣ ଜନତା ଭାବରେ… ! ଏଠି ଦଳିତ ଗୋଟେ ପ୍ରତୀକ, ସାଧାରଣ ଜନତାର।
      ଆପଣଙ୍କ ମନ୍ତବ୍ୟକୁ ସମ୍ମାନ।

    1. ନିହାତି। ବଚ୍ଚାଲାଲ୍ (ଉନ୍ମେଷ)ଙ୍କ କବିତାର ସ୍ୱର ହିଁ ଏହିପରି ତୀକ୍ଷ୍ଣ ଓ ଶାଣିତ।
      ବଚ୍ଚାଲାଲ୍ (ଉନ୍ମେଷ)ଙ୍କ ଅନ୍ୟାନ୍ୟ କବିତା ଓ କବିତାପୁସ୍ତକ ପଢ଼ାଯାଇପାରେ। ସେ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ରହିଛି, ଏହି ଭିଡ଼ିଓ ଆରମ୍ଭରେ।
      ଶୁଭେଚ୍ଛା।

  2. ସବୁବେଳେ ଅକ୍ଷୟ ସାର୍ ଙ୍କ କବିତା ସମାଜର ପ୍ରତିଛବି ଦେଖାଇଥାଏ। ସ୍ଵରରେ ଥାଏ ଖୁବ୍ ଶାଣିତ ଭାବ….
    ପ୍ରଣାମ ସାର୍ 🙏💐💐

Leave a Reply

Your email address will not be published. Required fields are marked *