ରେ ଜୀବନ…
।। ମାନିନୀ ମିଶ୍ର ।।
କେତେ କ’ଣ ହକାଳିଛୁ ?
ନାଭିରୁ ରକ୍ତ…
ନଈରୁ ପାଣି…
ନିଆଁରୁ ଧାସ..!!
କହିନୁ
କାଙ୍କ କୋଦାଳରେ ସାଉଁଟିଛୁ
ମାଟି, ଗୋଡ଼ି, ବାଲି, ଧୂଳି…
କି ଦୁଃଖ, ଯନ୍ତ୍ରଣା, ଅବସୋସ..!!
ଅଭିଶାପକୁ ଡରିଛୁ ?
ନା’ ଫୁଙ୍ଗୁଳା ଦେହରେ ଅଇଁଠା ଓଠ ଖାଇ
ସରୀସୃପ ହେବା ଅଭିଳାଷ ରଖିଛୁ?
କାହା ପାଇଁ ଲୁଚେଇ ରଖିଛୁ
ଚାଳ ନିଗିଡା ପାଣି
ଧୂଆଁଳିଆ ଜହ୍ନ
ଖିରିକୋଳି ଗଛ…
ପେଶାଦାର ଚୋର ପରି କେଉଁଠୁ
ସାଉଁଟି ନେଉଛୁ ନିଃସଙ୍ଗତାର ଛାଇ
କହିନୁ ତ, ପୁଷ୍କର କଢ଼ ପରି
କିଛି ଲୁଚିଯାଇଥିବା ରହସ୍ଯ
ଶୂନ୍ଯତୁଠରେ ବାଳୁତ ପାଦ
ହଜେଇଥିବା କଳାସୁତାର କଥା
କେଉଁ କମଣ୍ଡଳୁରେ ନିଷ୍ପାପ ପାଣିଟୋପା ?
କେବେ ଲେଖାହେଲା
ପାଖୁଡ଼ା, ବୃନ୍ତ, କେଶରର କାହାଣୀ ?
କେବେ ପଥରରେ ପାଦ ଖୋଦେଇ ହେଇଛୁ ?
କେବେ ଅନ୍ଧାରର ଦେହେଲି ପାର କରୁ କରୁ ଧରାପଡ଼ିଛୁ?
ତୁ ପ୍ରେମରେ ଆରମ୍ଭ ହୋଇ
ରହସ୍ଯର ନେନ୍ଥା ପରି
ଝୁଲୁଛୁ କି ଅବଶିଷ୍ଟାଂଶର ଫାଶରେ…
ତୁ ଜିଇବାରେ ନିଆଁ ଗିଳିଛୁ?
ନା ଦ୍ରୋହରେ କାକର ଗାଧେଇଛୁ?
ତୁ କ’ଣ ପଳାତକ ?
ତୁ ତରଙ୍ଗାୟିତ ବିସ୍ମୟ ?
ତୁ ସିଡି ସାଜି ପିଠିପାତିଛୁ
ତୁ ଏଇ ଅନ୍ଧାରର କାନ୍ଧରେ ମୁଣ୍ଡ ରଖି
ଥାପୁଡ଼େଇ ହେଉଛୁ
କାରକ,
ରାଗର, ଦ୍ରୋହର, ଯୁଦ୍ଧର ?
ନା’ ଆଜିଯାଏ ତତେ ବୁଝିହେଲା
ନା’ ବୁଝେଇପାରିଲୁ ‘ତୁ’
ରଞ୍ଜକ ମାଖି ଚିକ ଚିକ କରୁଥିବା ଗୋଟିଏ ଦିଆସିଲି ଖୋଳ !
କି
‘ତୁ’ ଏନ୍ତୁଡ଼ିଶାଳର ପିଲାତି ଚିତ୍କାର !
ରେଢ଼ାଖୋଲ, ସମ୍ବଲପୁର