ବୋଉ
।। ସଂଗ୍ରାମ ମହାରଣା ।।
ମୁଁ ନାଉ ହେଉଥିବା ପୃଥିବୀର ପିଠି
ମୋ ଜିଦ୍ଦି ପଣରେ ଧୂଳି ଆଉ ମାଟି
ସେ ବୁଝେ ଭୋକିଲା ପେଟର ପାଟି
କିନ୍ତୁ ବୁଝେନି କିଏ ଆକାଶ, କିଏ ମାଟି..!
ମାଟିରେ ମୋ ପାଇଁ ଜହ୍ନ ହେଇଥାଉ
ଆକାଶ ବି ତାକୁ ବୋଉ ବୋଲି କହୁ..|
ମୁଠାଏ ଚାଉଳରେ ଗଢ଼ିଦିଏ ସଂସାର
ଆଉଁସି ଦେଇ ଝାଡ଼ିଦିଏ କାହା କଳା ନଜର…!
ସଜାଡ଼ି ଦିଏ କେତେ ଭଙ୍ଗାମନ,
ବୋଉ ଦେଖେ ଲୁଗା କାନି ଶେଜରେ
ମୋ ପାଇଁ ରାଜଉଆସର ସ୍ୱପ୍ନ..।
ବୋଉ କବିତା, ବୋଉ ଗପ
ବୋଉ ପ୍ରବନ୍ଧ, ବୋଉ ତର୍କ
ବୋଉ ଜୀବନ, ବୋଉ ନାଟକ
ବୋଉ କଳାକାର, ବୋଉ ଦର୍ଶକ..!
ତଥାପି ବୋଉ ନିର୍ଦ୍ଦେଶନାରେ
ସାହିଛୁଆଙ୍କ ନାଟ ବୋଉ ଅଗଣାରେ ।
ବୋଉ କେବେ ଅସ୍ତ୍ର ପୁଣି ବୋଉ ନିଜେ ଯୁଦ୍ଧ
ବୋଉ ନିଜ ସାହିତ୍ୟରେ ନିଜେ ବର୍ଣ୍ଣବୋଧ..।
ବୋଉ ଯନ୍ତ୍ରଣାରେ ବୋଉ ନିଜେ ହିଁ ମଲମ
ବୋଉ କବିତାରେ ବୋଉ ନିଜେ ହିଁ କଲମ ।