Home » Magazine » ବିପିନ୍ ଲେଙ୍କା : ଗଳ୍ପ : ମାମା

ବିପିନ୍ ଲେଙ୍କା : ଗଳ୍ପ : ମାମା

ମନେ ପଡ଼ିଲା…

ସେଦିନ ପ୍ରିନ୍ସପାଲ୍ ପିଅନ ହାତରେ ମୋତେ କ୍ଲାସ ଅଧାରୁ ଡକେଇ ଆଣିଥିଲେ ତାଙ୍କ ରୁମକୁ ।  ସେଠି କୁନାମାମା ଅପେକ୍ଷା କରିଥିଲେ । କାହିଁକି କେଜାଣି କୋଳେଇ ନେଇ ବହେ ଚୁମି ପକେଇଲେ ମତେ ଓ ମଟରସାଇକେଲରେ ବସେଇ ଆମ ଘରକୁ ନେଇଆସିଲେ । ଘରେ ବନ୍ଧୁ ବାନ୍ଧବ ଓ ସାଇପଡ଼ିଶାଙ୍କ ଭିଡ଼ଥିଲା । ହଠାତ୍ ଯେମିତି ଅଘୋଷିତ ନିରବତାଟିଏ କଳା ବାଦଳଭଳି ଢ଼ାଙ୍କି ଦେଲା ସାରା ପରିବେଶକୁ ମୋ ଆସିବାକ୍ଷଣି। ଆଖିରେ ଆଖିରେ କିଛି କହିଲାଭଳି ସମସ୍ତେ ମୋ ଆଡ଼କୁ ଅନଉଥିଲେ, ସତେ ଯେମିତି ବାହା ପସାରି ବୁକୁରେ ଆବୋରି ନେବେ । ପରିବେଶଟା ମୋ ଭିତରେ ଏକ ଅଜବ୍ ବୋଧ ସୃଷ୍ଟି କରୁଥିଲା । ମୁଁ କିଛି ପଚାରିବା ଆଗରୁ ଡଲିଆଣ୍ଟି ମୋତେ କାଖେଇଧରି କୁନାମାମାଙ୍କ ଗାଡ଼ିରେ ତାଙ୍କ ଘରକୁ ନେଇଯାଇଥିଲେ । ମୁଁ ପ୍ରଚୁର ମାତ୍ରାରେ ଭଲପାଉଥିବା ଡଲିଆଣ୍ଟିଙ୍କ କଥାକୁ ବାଧ୍ୟ ଶିଶୁଟିଏ ଭଳି ନିଃସର୍ତ୍ତ ମାନିନେଇଥିଲି;  ମୋ ମାମାଙ୍କ ଦେହ ବାରମ୍ବାର ଖରାପ ହେଉଥିବାରୁ ଚିକିତ୍ସା ପାଇଁ ତାଙ୍କୁ ନ୍ୟୁୟର୍କ ବଡ଼ପାପାଙ୍କ ଘରକୁ ନିଆଯାଉଛି ଓ ଭଲହୋଇ ସେ ଶୀଘ୍ର ଫେରିଆସିବେ ।

ବିଦେଶରେ ମାମାଙ୍କ ଚିକିତ୍ସା କାରଣରୁ ଡଲି ଆଣ୍ଟି ମୋର ଦିନଚର୍ଯ୍ୟା ସହ ଗପ ଗୀତ ଶୁଣେଇ ଖୁଆଇବା ଶୁଆଇବା ଇତ୍ୟାଦି ସବୁ କାମ କରିଦିଅନ୍ତି । ଡଲିଆଣ୍ଟିଙ୍କ ସେବା ଯତ୍ନ ହେତୁ ମାମାଙ୍କ ସାନ୍ନିଧ୍ୟ ବିନା ଅଗତ୍ୟା ଚଳିବାକୁ ମୁଁ ଧିରେ ଧିରେ ଦେହସୁହା କରିନେଉଥିଲି। କିନ୍ତୁ କିଛି ମାସ ପରେ ଯେତେବେଳେ ମୋର ଦେଖାଶୁଣା ଦାୟିତ୍ବ  ଆୟାଆଣ୍ଟିଙ୍କ ହାତକୁ ଚାଲିଗଲା, ମୁଁ ମାନିବାକୁ ଆଦୌ ପ୍ରସ୍ତୁତ ହୋଇନଥିଲି । ଡଲିଆଣ୍ଟିଙ୍କୁ ଜାବୁଡ଼ିଧରି ଅଳି ଅର୍ଦଳି କରିଥିଲି । ପ୍ରଥମେ ପ୍ରଥମେ ଡଲିଆଣ୍ଟି ମୋତେ ବୁଝେଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ମୁଁ ନମାନିବାରୁ, ମୋତେ ମାଡ଼ମାରି ଆୟାଆଣ୍ଟିଙ୍କ କଥାମାନି ଚଳିବାକୁ ସେ ଧମକେଇବା ଆରମ୍ଭ କରିଦେଲେ । ଡଲିଆଣ୍ଟିଙ୍କ ହାବଭାବ ମୋ ପ୍ରତି ବଦଳିଲା ବଦଳିଲା ଲାଗୁଥିଲା । ତାଙ୍କ ହତାଦର ଓ ମରାପିଟାରେ ଆହତ ହୋଇ ଦିନେ ପାପାଙ୍କୁ କାନ୍ଦି କାନ୍ଦି ଡଲିଆଣ୍ଟି ମାରୁଥିବା କଥା ଜଣେଇଥିଲି । ଭାବିଥିଲି, ମୋ କାନ୍ଦକୁ ଜମା ସହିନପାରି ମାମାଙ୍କୁ ଗାଳିଦେବା ଭଳି ପାପା ଡଲିଆଣ୍ଟିଙ୍କୁ ବି ଗାଳି ଦେବେ ଓ ତାଗିତ୍ କରିବେ । କିନ୍ତୁ ପାପା ଓଲଟା ମତେ ବୁଝେଇଥିଲେ, ଡଲିଆଣ୍ଟିଙ୍କ କହିବା ମାନିବାକୁ ।

ଆଗେ ଡଲିଆଣ୍ଟି ଆମ ଘରକୁ ଆସିଲେ ଅନ୍ୟ ରୁମରେ ଶୋଉଥିଲେ । କିନ୍ତୁ ମାମା ଯିବାର କିଛି ମାସ ପରେ ସେ ଆମ ରୁମରେ ଶୋଇବାକୁ ଲାଗିଲେ । ଏମିତି ହେଲା, ରାତିରେ ମୁଁ ଶୋଉଥିଲି ତ ପାପାଙ୍କ ଛାତିରେ ମୁଣ୍ଡ ରଖି, କିନ୍ତୁ ସକାଳେ ଉଠୁଥିଲି ଆୟାଆଣ୍ଟିଙ୍କ ବିଛଣାରୁ ଅନ୍ୟ ରୁମରେ ।

କିଛି କିଛି ଦିନର ବ୍ୟବଧାନରେ ଯେତେବେଳେ ଡଲିଆଣ୍ଟି ମୋତେ ନିସ୍ତୁକ ମାଡ଼ ମାରନ୍ତି, ମୁଁ କାନ୍ଦି କାନ୍ଦି ମାମା ପାଖକୁ ଯିବାକୁ ଜିଦ୍ ଧରେ ତ କେତେବେଳେ ମାମାକୁ ଫେରେଇ ଆଣିବାକୁ ଅଡ଼ି ବସେ । ଦିନେ ପାପାଙ୍କ ଅଜଣାତରେ ତାଙ୍କ ଫୋନରୁ ବଡ଼ପାପାଙ୍କ ନମ୍ବର ଖୋଜି ଲଗେଇ ଦେଲି । ବଡ଼ପାପାଙ୍କୁ ସବୁକଥା ଏକା ନିଶ୍ବାସରେ କହିଦେଇଥିଲି । ମୋକଥା ଶୁଣି ସେ ଖୁବ୍ ଦୁଃଖୀ ହୋଇଯାଇଥିଲେ ଓ ବୁଝେଇ ସୁଝେଇ ମୋତେ ସାନ୍ତ୍ବନା ଦେଇଥିଲେ । କିନ୍ତୁ ମାମା ସହ କଥାହେବାକୁ ମୁଁ ଚାହିଁବାରୁ କହିଥିଲେ, ଓୌଷଧ ଖାଇ ସେ ଶୋଇଛନ୍ତି, କାହା ସହ କଥା ହେବାକୁ ଡାକ୍ତର ମନାକରିଛନ୍ତି । ମୋ ମାମାର ଶୀଘ୍ର ଆରୋଗ୍ୟ ମନାସି ମୁଁ ସେଦିନ ତାଙ୍କୁ ବି ମାନିନେଇଥିଲି ।

ଦିନେ ପାପାଙ୍କ ଆଗରେ ଡଲିଆଣ୍ଟି ମୋତେ ମାରିଲେ । ଲୁହ ଲତ୍-ପତ୍ ଉଦାସୀ ଆଖିରେ କୋରେଇହୋଇ କାନ୍ଦି କାନ୍ଦି ପାପାଙ୍କ ପାଖକୁ ଯିବାକୁ ହାତ ପାରିଥିଲି, କିନ୍ତୁ ଡଲିଆଣ୍ଟି ମୋତେ ଯିବାକୁ ଦେଲେନି କି ପାପା ଆଣ୍ଟିଙ୍କ ହାତରୁ ମୋତେ ଛଡ଼େଇ ପାଖକୁ ନେଲେନି । ସେ ମହୂର୍ତ୍ତରେ ଲାଗିଲା, ମୋର ନିଜର ବୋଲି ସେଠି କେହି ନାହିଁ । ଡର ଓ ମାଡ଼ରେ ଅଧୀରହୋଇ ମାମାଙ୍କୁ ଫେରେଇ ଆଣିବାକୁ ପାପାଙ୍କୁ କୋହଭରା କଣ୍ଠରେ ନେହୁରା ହେଲି। ଏତିକିରେ ଡଲିଆଣ୍ଟିଙ୍କ ରାଗ ଚରମରେ ପହଞ୍ଚି ଯାଇଥିଲା । ମୋ ଗାଲରେ ଚାପୁଡ଼ା ପରେ ଚାପୁଡ଼ା ଲଗେଇ ପାପାଙ୍କ ଉପରେ ଗାଳିଗର୍ଜି କହିଲେ, “ଏ’ ଲୋକଟାର କଥାରେ ପଡ଼ି ମୋ ଜୀବନକୁ ମୁଁ ବେକାର କରିଦେଲି । ତା’ ସ୍ତ୍ରୀ ତ’ ମଲାନି, ଏ ପିଲାକୁ ମୋ ବେକରେ ବାନ୍ଧିଦେଇ ମୋ ଜୀବନକୁ ନର୍କକରି ରଖିଦେଲା ।” ସେତେବେଳେ ପାପା ମୋ ଅସହାୟପଣ ଅପେକ୍ଷା ଆଣ୍ଟିଙ୍କୁ ବୁଝେଇ ଶାନ୍ତକରିବାକୁ ଅଧିକ ତତ୍ପର ହୋଇଉଠିଥିଲେ।

ଆଣ୍ଟିଙ୍କ ସେତକ କଥାରେ ତାଙ୍କ ମାଡ଼ ମୋତେ ହଠାତ୍ କାଟିବା ବନ୍ଦ ହୋଇଗଲା । ମୋ କାନ୍ଦ ଠକ୍ କରି ତୁନି ହୋଇଯାଇଥିଲା । ତା’ପରେ କଣ ସବୁ ହେଲା କିଛି ଜାଣିପାରିନଥିଲି……

                           xxx              xxx              xxx

ଷ୍ଟେଜ୍ ଉପରୁ ମାଇକରେ ମୋ ନା’ ଡକା ହେବା ଶୁଣି ପ୍ରକୃତିସ୍ଥ ହେଲି….

ପକେଟରୁ ରୁମାଲ ବାହାରକରି ମୁହଁ ପୋଛିଲି ।  ଚେୟାରରୁ ଉଠି ଟାଏ ଓ ୟୁନିଫର୍ମକୁ ଟିକିଏ ସଜାଡ଼ିନେଇ ବୋର୍ଡିଙ୍ଗ ସ୍କୁଲର ବିଦାୟକାଳୀନ ଉତ୍ସବର ଗୃପ୍-ଫଟୋ-ସୁଟ୍ ସେସନରେ ସାମିଲ ହେବାକୁ ଆଗକୁ ବଢ଼ିଲି……

There are 5 comments

  1. ଚମତ୍କାର ବର୍ଣ୍ଣନା, ପଦ୍ମଶ୍ରୀ ମନୋଜ ଦାସଙ୍କ ଶେଷ ବସନ୍ତର ଚିଠି ଗଳ୍ପ ପଠନ କଲାଭଳି ହୃଦବୋଧ ହେଲା। ଗାଳ୍ପିକଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।

  2. I am very happy and impressed with the writing and presentation of the article by the author. Congratulation and wish all the best.

  3. ବର୍ତ୍ତମାନ ସମାଜରେ ଯେଉଁଭଳି ସାଂସାରିକ ବ୍ୟବସ୍ଥା ଚାଲିଛି ତାହାର ଏକ ବାସ୍ତବ ଛବି ଗାଳ୍ପିକ ଏଠାରେ ଉପସ୍ଥାପନ କରିଛନ୍ତି । ଜଣେ ବ୍ୟକ୍ତି କିପରି ଅତୀତ ଏବଂ ମମତାକୁ ଭୁଲିଯାଇ ବର୍ତ୍ତମାନର ସୁଖ ସହ ସାଲିସକରି ନିଜର ଜନ୍ମିତ ଶିଶୁ ପ୍ରତି ବାତ୍ସଲ୍ୟ ସ୍ନେହ ପ୍ରଦାନ କରିବାରେ କୁଣ୍ଠା ପ୍ରକାଶ କରେ, ତାହାର ନିଛକ ଚିତ୍ର ଏହି ଗଳ୍ପରେ ଚିତ୍ରଣ ହୋଇଛି । ସେହିପରି, ଅବହେଳିତ ମା’ଛେଉଣ୍ଡ ଜଣକ ନିଜ ମାଆର ହଜିଲା ମମତାକୁ ପାଥେୟକରି ଜୀବନ ସଂଘର୍ଷରେ ସଫଳତାର ପାହାଚ ଅତିକ୍ରମ କରିବାକୁ ଆଗଭର ହେବାଭଳି ସଙ୍କଳ୍ପ ପ୍ରତି ପ୍ରତିକାତ୍ମକ ଆଭାସ ବି ଅଛି ।
    ବହୁତ ବହୁତ ଭଲ ଲାଗିଲା ।
    ସବୁଠାରୁ ଅଧିକ ଭଲ ଲାଗିଲା “ମା”ର ମମତା ଜୀବନର ଶେଷ ଯାଏଁ ମନ ଭିତରେ ଅତୁଟ ରହିଥାଏ।
    ଆଜି ମୁଁ ମା ପାଇଁ ବ୍ୟାକୁଳ !!!!!
    🙏👌🙏

  4. କ୍ଷୁଦ୍ରଗଳ୍ପ “ମାମା”ରେ ତିନିଟି ଚରିତ୍ର – ବାପା , ଡଲି ଆଣ୍ଟି ଓ ନିଜ ମାଆକୁ ହରେଇ ଥିବା ଛୋଟ ବାଳକ ।
    ବାପା ନିଜ ସୁଖ ତଥା ଏକମାତ୍ର ପୁଅର ସୁଖ ସୁବିଧା ପାଇଁ ଡଲି ଆଣ୍ଟିଙ୍କ ସହଯୋଗ ନେଇଛନ୍ତି ।
    ଡଲି ଆଣ୍ଟି ଏହି ଘଡିସନ୍ଧି ସମୟରେ ନିଜ ଭବିଷ୍ୟତ ସୁରକ୍ଷିତ କରିବାକୁ ଚେଷ୍ଟା କରିଛନ୍ତି ।
    ଅବୋଧ ବାଳକ ସମୟର କରାଳ ଚକ୍ରରେ ନିଜକୁ ଅସହାୟ ଭାବେ ଆବିଷ୍କାର କରି ଚାଲିଛି …..

    ଆଜିକାଲିର ସ୍ୱାର୍ଥପର ଦୁନିଆଁରେ ଲେଖକ ଚରିତ୍ର ତିନିଟିକୁ ଉଚିତ୍ ନ୍ୟାୟ ଦେବାକୁ ଚେଷ୍ଟା କରିଛନ୍ତି ।
    କ୍ଷୁଦ୍ର ଗଳ୍ପଟି ବହୁତ ସୁନ୍ଦର ହେଇଛି । ପଢିଲା ବେଳକୁ ନିଜର ଅତିପ୍ରିୟଜନ କାହାକୁ ହରେଇଲା ହରେଇଲା ପରି ଲାଗୁଛି ।

  5. ମାମା ଗଲ୍ପଟି ପଢ଼ିଲି । ଅତି ଚମତ୍କାର ଚରିତ୍ର ଚିତ୍ରଣ । ପଢ଼ିବା ପରେ ମନଟା ବିଷାଦପୂର୍ଣ୍ଣ ହୋଇଗଲା ପିଲାଟିର କଥା ଭାବି । ବାସ୍ତବ ଜୀବନରେ ଏଇମିତି ଅନେକ ଚରିତ୍ର ସହ ଦେଖା ହୋଇଥାଏ ଆମର । ଦ୍ବିତୀୟ ବିବାହ ପୂର୍ବରୁ ଲୋକମାନେ ସନ୍ତାନମାନଙ୍କର କଥା ନିହାତି ଚିନ୍ତା କରିବା କଥା ।

Leave a Reply

Your email address will not be published. Required fields are marked *