ବୁଢ଼ାବଳଙ୍ଗର ମାଝୀ
।। ଶୁଭମ୍ ନାଏକ ।।
ଅନାଦିକାଳରୁ ବହିଯାଉଛି ବୁଢ଼ାବଳଙ୍ଗ ନଦୀ। ଗୋଟିଏ ପଟେ ବାଲେଶ୍ୱର ଓ ଅନ୍ୟ ପଟେ ମୟୂରଭଞ୍ଜ। ଠିକ ଯେମିତି ବୁଢ଼ାବଳଙ୍ଗ ଟାଣିଦେଇଛି ଏକ ସୀମାରେଖା। ନଦୀକୂଳରେ ମାକନ୍ଦା ଗାଁ। ବଂଶୀବୁଢ଼ାର ଜନ୍ମଭୂମି ତଥା କର୍ମଭୂମି।
ଅନେକଦିନ ତଳର କଥା। ବଂଶୀ ସେତେବେଳେ ଏକ ଯୁଆନ୍ ଟୋକା। ସେ ଯାଇଥାଏ ଆରକୂଳରେ ଥିବା ପଦ୍ମପୁର ହାଟ। ଫେରୁ ଫେରୁ ସାମାନ୍ୟ ଡେରି ହୋଇଯାଇଥିଲା। ମାଇସଞ୍ଜ ଡେଇଁ ରାତିର ରାଜୁତି ଆରମ୍ଭ। ଧାରା ଶ୍ରାବଣର ତୁହାକୁ ତୁହା ବର୍ଷା ଲାଗିରହିଥାଏ। ଦୁଇକୂଳ ଖାଇ ବହିଚାଲିଥାଏ ଉନ୍ମନା ବୁଢ଼ାବଳଙ୍ଗ। ନଦୀକୁ ପାଦ ଲମ୍ବେଇବା ସମ୍ଭବ ନୁହେଁ ! ବାଘୁଣୀ ଭଳି ଗର୍ଜନକରୁଛି ଗର୍ଭିଣୀନଈ। ଛାତିରେ ଛନକା ପଶୁଛି। ଗୋଡ଼ ବଢ଼େଇଲେ ପାଦ ତଳୁ ମାଟି ଖସିଯାଇପାରେ, ତା’ପରେ ମୁଣ୍ଡ ଉପରେ ଛିଣ୍ଡିପଡ଼ିବ ଆକାଶ। ପ୍ରଖର ସ୍ରୋତରେ ଭାସିଯିବ ଚାଉଳ, ଡାଲି, ହଳଦୀ ଇତ୍ୟାଦି ସମସ୍ତ ସଉଦା। ବଂଶୀ ଭାବୁଥିଲା, ସଉଦା ଗଲେ ଚଳିବ, ଯଦି ସେ’ ଭାସିଯାଏ ତ ଉଛନ୍ନ ହୋଇଯିବ ତା’ର ସଂସାର।
ପାହାଡ଼ିଆ ନଦୀର ପ୍ରକୃତି ଜାଣିଛି ସେ। ବର୍ଷା ହେଲେ ଫୁଲିଯିବ ଯେମିତି, ବର୍ଷା ପରେ କ୍ଷଣିକେ କମିଯିବ ବି ସେମିତି !
ଆଉ ଅନ୍ୟ ଉପାୟ ନ ଥିଲା। ତେଣୁ ଅପେକ୍ଷା କରିବା ପାଇଁ ସ୍ଥିର କଲା ବଂଶୀ। ଏକ ସୁରକ୍ଷିତ ଆଶ୍ରୟ ରୂପେ ଥିବା ନିକଟସ୍ଥ ବରଗଛ ମୂଳେ ବସିରହିଲା। ରାତି ବଢ଼ୁଥିଲା। ଭୟାବହ ହେଉଥିଲା ପରିବେଶ। ଘୋ’ ଘୋ’ ଗର୍ଜନ କରି ବହିଯାଉଥିଲା ପାଣି। ତା’ ସହ ତାଳଦେଇ ବେଙ୍ଗମାନଙ୍କ କେଁ କଟର ଡାକ, ନିଶାଚରୀମାନଙ୍କ ସମ୍ଭାଷଣ। ସେଥିରେ ପୁଣି ବରଗଛରେ ବସିଥିବା କେଉଁ ଏକ ପକ୍ଷୀର କୁହାଟିବାର ସ୍ୱର “ଯିବୁ କି ଥିବୁ… ଯିବୁ କି ଥିବୁ”… ଛାତି ଥରାଇ ଦେଉଥିଲେ ବି ଡରି ନ ଥିଲା ବଂଶୀ ! ବାଇଶବର୍ଷର ଭେଣ୍ଡିଆ ସେ। ଡରିବ କାହାକୁ..? ରାତିସାରା ବସିରହିଲା ସେଇ ବରଗଛ ତଳେ। ସକାଳର ସୂର୍ଯ୍ୟ ଉଦୟର ସଂକେତ ମିଳୁଥିଲା। ନଦୀର ଉନ୍ମାଦ ବି ପତଳା ପଡ଼ିଯାଇଥିଲା। ଘରକୁ ଆସିଲା ବଂଶୀ।
ଗତରାତିର ହଇରାଣ-ହରକତକୁ ଭୁଲି ପାରୁନଥିଲା ସେ। ସେଦିନ ସେ ସ୍ଥିର କଲା ଡଙ୍ଗାଟିଏ କିଣିବ, ଡଙ୍ଗା ପକେଇବ ନଦୀରେ… ହେଲେ ପୁଞ୍ଜି କାହିଁ ? କାହା ପାଖରେ ହାତ ପତେଇବ..!! ମାଗି ଥାଆନ୍ତା ଯେ’, ଏତେ ବଡ଼ ଦୁନିଆଁ ରେ ଆପଣାର ବୋଲି କିଏ ବା ଅଛି ତା’ର..!! ଭୂମିଷ୍ଠ ହେଉ ହେଉ ମାଆକୁ ଖାଇଲା। ଆଉ ବାଆ’ ଗୋଟେ କନଷ୍ଟ୍ରକସନ କମ୍ପାନୀରେ କାମ କରୁଥିଲା। ମୁଣ୍ଡରେ ଷ୍ଟିଲରଡ଼ ପଡ଼ି ତା’ର ଜୀବନ ଗଲା। ଆଖପାଖର ଲୋକଙ୍କୁ ଠୁଳ କରି ନିଜ ମନକଥା କହିଲା ସେ। ହେଲେ ବଧିରପାଲଟି ଯାଇଥିଲେ ସମସ୍ତେ ! କେହି ଶୁଣିଲେନି ତା’ କଥା। ବଂଶୀକୁ ବୁଦ୍ଧି ଦିଶୁନଥାଏ। ଆଖିପତା ନ ପକଉଣୁ ନିମିଷକେ ସଭିଏଁ କୁଆଡ଼େ ଚାଲିଗଲେ। ଶେଷକୁ କେବଳ ରହିଗଲେ ମାକନ୍ଦାବାସୀଙ୍କ ସୁଖଦୁଃଖର ସାଥୀ ମାଗୁଣି ମଉସା। ମାହାଜନଲୋକ… ଗାଆଁବାସୀଙ୍କ ଭଲମନ୍ଦ କଥା ବୁଝନ୍ତି। ତାଙ୍କୁ ମାଗିବାକୁ ପଡ଼େନି। ସାମ୍ନାଲୋକର ମନକଥା ଜାଣିପକାନ୍ତି ଯେମିତି। ସେ ଆଗ ପ୍ରସ୍ତାବ ରଖନ୍ତି ! ସେଦିନ ବି ବଂଶୀକୁ କହିଥିଲେ ସେଇ ବରଗଛ ମୂଳେ… “ବଂଶୀ ଟଙ୍କା ନବୁଟି..? ନାଆ କିଣିବୁ ନା’…??” ବଂଶୀର ଓଠରେ ଚହଟିଗଲା ଓଠେ ବଉଳିଆ ହସ। ପାଟି ଫିଟାଇ ହଁ’ ନ ଭରିଲେ ବି ମୁଣ୍ଡକୁ ହଲେଇ ସମ୍ମତି ଦେଲା ବଂଶୀ।
ଆଞ୍ଜୁଳିରେ ଆଞ୍ଜୁଳିଏ ପଇସା। ଘରକୁ ଫେରୁ ଫେରୁ ସାରା ଜୀବଜଗତଟା ନିଦରେ ଶଯ୍ୟାଶାୟୀ। ଅପେକ୍ଷା, ସୁନେଲି ସକାଳକୁ। ପହପହରୁ ଗାଧୁଆ ପାଧୁଆ ସାରି ବଂଶୀ ସଜବାଜ ସହର ଯିବା ପାଇଁ… ତା’ ସ୍ବପ୍ନକୁ ଡେଣା ଖଞ୍ଜିବା ପାଇଁ। ଦୀର୍ଘ ତିନିଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ, ସେ’ ସହରରେ ହାଜର। ଆଖି ଆଗରେ ନୂଆ ନୂଆ ଡଙ୍ଗା। ଆଉ ବଂଶୀ ହେଲା ସେ’ ଡଙ୍ଗାର ନାଉରୀ ! ଅକାତକାତ ଜଳରାଶି, ବୁଢ଼ାବଳଙ୍ଗର ମୁଖରିତ ଛାତି ଉପରେ ଚାଲିଛି ନାଆ। ସୁମଧୁର କଣ୍ଠରେ ବଂଶୀ ଗୀତ ଯୋଡୁଛି ।
ହୋଓ.. ହୋ…..
ବୁଡ଼ିଗଲା ବେଲ କାଏଁ, ଉଡ଼ିଗଲା ଟିହା..
ଝୁରି ମଲା ରାଧାଗୁରୀ, କୃଷ୍ଣ କଲା ଯାହା..
ବାସି ପଡିଗଲା ଫୁଲର ଦୁଶୁନା…
କାନ୍ଦି କାନ୍ଦି ଆହା, ଆହା… ହୋ….
ଏକାଗ୍ର ଚକ୍ଷୁରେ ଡଙ୍ଗାଗୁଡ଼ିକୁ ଚାହିଁ ରହିଥିଲା ବଂଶୀ… ହଜି ଯାଇଥିଲା ତା’ର ସ୍ବପ୍ନର ରାଇଜରେ। କେତେ କ’ଣ ଭାବି ପକଉଥିଲା ମନକୁ ମନ। ଦୋକାନ ଆଗରେ ବଂଶୀକୁ ମୂର୍ତ୍ତି ସଦୃଶ ଠିଆ ହେଇଥିବା ଦେଖି ଦୋକାନୀ ଟିକିଏ ଚଢ଼ାସ୍ବରରେ ପଚାରିଲା, ହେଇଟି… କ’ଣ ଦରକାର ? ବଂଶୀ ଚମକି ପଡ଼ି ଉତ୍ତର ଦେଲା, ଆଁ… ଡଙ୍ଗା ଶବ୍ଦଟି ପାଟିରୁ ବାହାରୁ ବାହାରୁ ପାଟି ଭିତରେ ହିଁ ସମାଧି ନେଇଗଲା। କହିଲା, ନାଇଁ ନାଇଁ… କିଛି ନାଇଁ… ଏମିତି ଅଟକି ଯାଇଥିଲି ଭାଇ। ସ୍ବପ୍ନଦୁନିଆଁରୁ ବାହାରି ଆସି ବାସ୍ତବତା ଉପରେ ନଜର ପକଉ ପକଉ ଦେଖିଲା, ନାଆଗୁଡ଼ିକର ମୂଲ୍ୟ ସବୁ ଆକାଶ ଛୁଆଁ। ତା’ ଆଞ୍ଜୁଳିଏ ପଇସା ନାଆ ଆଗରେ ନିଅଣ୍ଟ। ବ୍ରସ୍ ନେଇ ନାଆଗୁଡ଼ିକୁ ରଙ୍ଗ କରୁଥିବା ଶିଳ୍ପୀଟି ବେଶ ସ୍ପଷ୍ଟ ଭାବରେ ଲେଖି ଦେଇଥିଲା ପ୍ରତ୍ୟେକଟି ନାଆର ଦାମ, ତା’ ଦେହରେ। ଦୋକାନୀ ସହିତ ମୂଲଚାଲ୍ କରିବା ପାଇଁ ସାହାସ କୁଲେଇ ପାରିଲାନି ବଂଶୀ।
କରିବ ତ କ’ଣ କରିବ ଏବେ ? ମୁହଁ ଶୁଖେଇ ଗାଁ ଅଭିମୁଖେ ବାଟ ଚାଲିବା ଆରମ୍ଭ କଲା । କିଛି ବାଟ ଗଲା ପରେ କଉଠି ଥିଲେ କେଜାଣି ମାଗୁଣି ମଉସା ବଂଶୀ ସାମ୍ନାରେ ଦୃଶ୍ୟମାନ ହେଇଗଲେ। କହିଲେ, ବଂଶୀ ମୁହଁ ଶୁଖେଇଚୁ କ’ଣ ପାଇଁ ? ଆରେ, ନାଆ କାଇଁ, ତୁ ନାଆ କିଣିବାକୁ ଯାଇଥିଲୁଟି..!! ବଂଶୀ ଚୁପଚାପ୍ ଥିଲା, କିଛି ବି କହୁ ନଥିଲା। ମଉସା ପୁଣି କହିଲେ, ତୋର ପାଟି ଫିଟୁନି କାହିଁକି କିରେ..! ଆଉ ଟଙ୍କା ନବୁ ଯଦି ନଉନୁ..!! ବଂଶୀ କିଛି କହି ପାରୁନଥିଲା। ଆରେ ତୁ କିମିତିକା ମଣିଷଟା କିରେ… କିଛି ତ କହ। ବଂଶୀ ବୋଧେ ଆଉ ଅଧିକ ଋଣ ବୋଝ ତଳେ ଚାପିହେବା ପାଇଁ ଚାହୁଁ ନଥିଲା। ବଂଶୀ ଏଥର ଦୀର୍ଘଶ୍ବାସ ଟିଏ ଟାଣି କହିଲା, ନା… ମୁଁ ଫେରୀ କରିବି… ଗାଁ ଗାଁ ବୁଲି ତେଲ, ଲୁଣ, ହଲଦୀ, ମସଲା ବିକ୍ରି କରିବି। ବାଃ… ଇଏ ତ ଖୁବ ଖୁସିର କଥା। ଏତକ କହିବା ପାଇଁ ତତେ ଏତେ ସମୟ ଲାଗୁଛି..!! ଚାଲ, ଏବେ ଚାଲ ମୋ ସାଙ୍ଗରେ ସହରକୁ… ମୁଁ ବି ସହରକୁ ଯାଉଛି । ସେଠାରେ ହୋଲସେଲ ଡିଲରମାନଙ୍କ ସହ ଚିହ୍ନା ପରିଚୟ କରେଇ ଦେବି, ତୁ ତୋର ଯାହା ଦରକାର ଆଣିବୁ। ଠିକ୍ ସମୟକୁ ପଇସାପତ୍ର ପରିଶୋଧ କରିବୁ। ବ୍ୟବସାୟ କରି ଭଲ ଦି ପଇସା ରୋଜଗାର କରିବୁ। ତୋ ସ୍ବପ୍ନମାନଙ୍କୁ ଉଡ଼ାଣ ଦେବୁ ଆକାଶର ଇଗଲ୍ ପରି। ମୋ ସାଇକଲ ପଛପଟେ ବଅ। ମଉସାଙ୍କ ସାଇକେଲ ଚାଲିଲା ତା’ ଗନ୍ତବ୍ୟ ପଥରେ ।
ସେ ଦିନ ସକାଳୁ ଗାଧୁଆ, ଖିଆପିଆ ସାରି ପାଖସାହିରୁ ଫେରୀ ଆରମ୍ଭ କରିଚି ବଂଶୀ। ଡାକ ପକଉଚି ଥରକୁ ଥର “ତେଲ, ଲୁଣ, ମସଲା… ତମ ଗାଆଁକୁ ଆସିଲା… ଏଇଟି ନିଅ, ଯାହା ଇଚ୍ଛା ତାହା ନିଅ । ପ୍ରଥମଦିନର ପରିଶ୍ରମ ବ୍ୟର୍ଥ ଗଲାନି ବଂଶୀର। ବେଶ ଭଲ ଦି’ପଇସା ପାଇଥିଲା ସେ। ଏଣୁ ଏଣିକି ସାହିପଡ଼ିଶାରେ ଗାଁଦାଣ୍ଡରେ ବଂଶୀର ବାଟକୁ ଅନେଇ ବସିଲେ ମାଆ ମାଉସୀ ସମସ୍ତେ। ବଂଶୀର ମସଲା ନ ପଡ଼ିଲେ କା’ ଘରେ ମାଛବେସର ହୁଏନି ତ, ଆଉ କା’ ଘରେ ଚୁନାମାଛ..!! ବଂଶୀ ସାହିଦାଣ୍ଡରେ ଯାଉ ଯାଉ କହି ଦେଇପାରେ ଏଇ ଘର କବାଟଫାଙ୍କ ଦେଇ ଆସୁଥିବା ବିଭୋର କଲା ଭଳି ସ୍ବାଦିଷ୍ଟ ତରକାରୀର ବାସ୍ନା ତା’ ମସଲାର। ବଂଶୀ ସମସ୍ତଙ୍କ ମନରେ ବସା ବାନ୍ଧି ସାରିଲାଣି। ଦିନୁ ଦିନକୁ ବେଶ ରୋଜଗାର କଲାଣି ସେ। ନାଆ କିଣିବା ପାଇଁ ସର୍ମଥ ଏବେ ସେ।
ବୁଢ଼ାବଳଙ୍ଗ ବୁକୁରେ ଭାସିଯାଉଛି ବଂଶୀର ଡଙ୍ଗା। ବଂଶୀର ଡଙ୍ଗା ଯୋଡ଼ି ଦେଉଥିଲା ସମସ୍ତଙ୍କ ମନ। ତା ଡଙ୍ଗାରେ ବସି ସ୍କୁଲ ଯାଉଥିଲେ ଛୋଟ ବଡ଼ଛୁଆ। ବାବୁମାନଙ୍କ ପାଇଁ ଅଫିସ ପହଞ୍ଚିବା ଆଉ କଷ୍ଟ ହେଲାନାହିଁ। ମେଳିହୋଇ ବଜାର ଯାଉଥିଲେ ମାଆ ମାଉସୀଙ୍କ ଦଳ। ତା ଡଙ୍ଗାରେ ବସି କେତେ ଯେ ଝିଅ ଶାଶୂଘର ଯାଇଥଲେ ତା’ର ହିସାବ ରଖିନି ବଂଶୀ। ମନରେ ଅସୁମାରୀ ଆଶା ଓ ଆଖିରେ ଆଖିଏ ସ୍ବପ୍ନ ନେଇ କଲେଜ ଯାଉଥିଲେ ଦଳ ଦଳ ପୁଅଝିଅ। ବଂଶୀ ସବୁ ଦେଖୁଥାଏ। କିଏ କାହା ପ୍ରେମରେ ମସଗୁଲ ତ କିଏ ସବୁବେଳେ ଗୁମସୁମ୍। କିନ୍ତୁ ବଂଶୀ ସହ ମନଖୋଲି କଥା ହୁଅନ୍ତି ସମସ୍ତେ।
ବେଳେ ବେଳେ ବଂଶୀ ଏଇ କଲେଜଟୋକାଙ୍କ ଫରମାଇସରେ ଗୀତ ଗାଏ। ଉତ୍ତରା-ପବନ ସାଙ୍ଗରେ ବଂଶୀର କଣ୍ଠରୁ ଶୁଭେ…
ହୋଓ … ହୋ…..
ରାମ ଯେ ଲଏଖନ ଗଲେ ମୁରୁଗ ମାରି
ଯେ, ସୀତାକେ କୁରମା ଥି ଏକ୍ଲା ଛାଡ଼ି କରି
ଯେ, ଦଶାନନ ଆସି ଟେକିନେଲା ମିଥିଲା କୁମାରୀ….
ତା’ ସୁମଧୁର ଗୀତ ଶୁଣି ଟୋକାଏ କହନ୍ତି, ବବା… ତମେ ତ ବଲିଉଡ଼ ନହେଲା ନାଇଁ ଓଲିଉଡରେ ପ୍ଲେବେକ୍ ସିଙ୍ଗର ହେବାର କଥା। ଏଠି କ’ଣ କରୁଚ..!! ବଂଶୀବୁଢ଼ା ହସି ହସି କହେ ମୋ ଭାଗ୍ୟରେ ଏଇଆ ଥିଲା ବାପା, ବୁଢ଼ାବଳଙ୍ଗ ଛାତିରେ ଡଙ୍ଗା ବହିବା…!! ଗୀତ ଶୁଣି ସୀତା କୁହେ, ଅଜା ଏ ତ ମୋ ମାମୁଁ ଘର ଗାଆଁ ଭାଷା। ତମେ ସେ ଭାଷାରେ ବି ଗୀତ ଗାଇପାର ? ବଂଶୀ ଥଟ୍ଟା କରି କୁହେ, ତୋ ମାମୁଁ ପରା ମୋ ମାମୁଁ। ଆଲୋ, ନାତୁଣୀ ମୋ ମାମୁଁ ଘର ସେଇଠି, ଯୋଉଠି ତୋ ମାମୁଁ ଗାଆଁ। ବୁଲବୁଲ ପଚାରେ, ଅଜା ତମେ ଭାରି ସୁନ୍ଦର ରୋମାଣ୍ଟିକ ଗୀତ ବି ଗାଇପାର। ଚୁଲବୁଲି ବବଲି କୌତୁହଳ କରି କହେ, ଅଜା… କେବେ କାହାକୁ ପ୍ରେମ କରିଥିଲ ନା କ’ଣ..!! ସିମରନ୍ କୁହେ, ଅଜା ତମେ କେବେ କାହାକୁ ଭଲପାଇଛ, ପ୍ରେମ କରିଛ, ମନ ଦେଇଛ..!! ବଂଶୀ ହସିଦେଇ କହେ, ଆରେ… ମୋର କ’ଣ ଆଉ ସେ ବୟସ ଅଛି..? ଏବେ ତୁମମାନଙ୍କର ସିନା ସମୟ… ଯୌବନରେ ପାଦ ଦେଉଛ… ଏ ବୁଢ଼ାକୁ କିଏ କାହିଁକି ଆପଣେଇବ… ଯିଏ ଆପଣେଇ ଥିଲା ସେ ତ ଆରପାରିରେ। ବଂଶୀ କାତ ମାରୁ ମାରୁ ଅନ୍ୟମନସ୍କ ହୁଏ। ରୋଜାଲିନ୍ କହେ, କ’ଣ ହେଇଛି ଅଜା ଖୋଲି କି କହୁନ..!! ସେ ପୁରୁଣାକଥାକୁ ମନେପକେଇ ମାଆ ଲାଭ ବା କ’ଣ । ରୋଜାଲିନ୍ ପୁଣି କହିଲା, କହୁ ନ ଅଜା ପ୍ଲିଜ୍ …..ପ୍ଲିଜ୍…… ପ୍ଲିଜ୍।
ତା’ ହେଲେ ଶୁଣ…
ମନ ଦେଇ ନଥିଲି ହାତ ଧରିଥିଲି। ସେ ଥିଲା ମୋର ଜୀବନ, ସପନ, ଆକାଶ, ପୃଥିବୀ… ସବୁ କିଛି। ମୋ ଜୀବନଠୁ ବି ବେଶୀ ଭଲ ପାଉଥିଲି ତାକୁ। ଆଉ କା’ ପାପକୁ ପେଟରେ ନେଇ ଏ ବୁଢ଼ାବଳଙ୍ଗ ତଟରେ ଛିଡ଼ା ହୋଇଥିଲା ଜୀବନ ହାରିବାକୁ। ନାଆ କୂଳରେ ଲଗଉ ଲଗଉ ଉପରକୁ ଯାଇ କହିଲି, ଏ କ’ଣ କରୁଛୁ ? ମୋ ଗୋଡ଼କୁ ଜାବୁଡ଼ି ଧରି କହିଲା ମୁଁ ଏ ଦୁନିଆଁ ପାଇଁ ଅଲୋଡ଼ା। ଘରୁ ତଡ଼ି ଦେଇଛନ୍ତି ବାପାବଉ । ଭାଇ କହିଚି, ଏବର୍ସନ୍ କରିବୁ ଯଦି ଘରେ ଥାଆ, ନହେଲେ ଯାଆ। ମାଆଟିଏ ହୋଇ ମୁଁ କ’ଣ ଏ କାମ କରି ପାରିବି ! ଢଳ ଢଳ ଆଖି ଦୁଇଟିକୁ ଦେଖି ବଂଶୀ କହିଥିଲା, ଗୋଟେ କଥା କହିବି କରିପାରିବୁ..? ଲୁହ ଲୁହ ସ୍ବରରେ ସେ କହିଲା କୁହ… । ମୋ ହାତ ଧରିବୁ, ମୋ ପାଦରେ ପାଦ ମିଶେଇ ବାଟ ଚାଲିବୁ . ବାକିତକ ଜୀବନ ଏଇମିତି କଟିଯିବ ସୁଖରେ ଦୁଃଖରେ। ଯାହା ମିଳିବ ମିଳିମିଶି ଖାଇବା। ଏ ନଈ କୂଳରେ ଛୋଟ କୁଡ଼ିଆଟେ ତୋଳି ରହିବା। ମୋ ହଁ ରେ ହଁ ମିଶେଇ ସେ ସାଥୀ ହୋଇଗଲା ମୋର। କେଉଁ ଡାହାଣୀର ନଜର ପଡ଼ିଗଲା କେଜାଣି ମୋ ସଂସାର ଉପରେ, ପୁଅକୁ ଜନ୍ମ ଦେଲା ପରେ ଆଖି ମୁଜି ଦେଇଥିଲା ସେ। ପ୍ରମୋଦ କହିଲା, ବାବା ଏବେ ଆପଣଙ୍କ ପୁଅ ତ ବାହାସାହା ହୋଇ ସାରିଥିବ, ଆପଣଙ୍କ ନାତି ନାତୁଣୀ କେତୋଟି ? ଘରେ ସବୁ କିଏ କିଏ ଅଛନ୍ତି ….
ପୁଅ କଥା କ’ଣ କହିବି ରେ ବାପା ତା’ କଥା ନ’ କହିବା ଭଲ। କାହିଁକି…? ଏଇ ନଦୀ ଆରପାରିରେ ଯୋଉ ଗାଆଁ ଦେଖାଯାଉନି, ସେଇ ଗାଁର ଗୋଟେ ଝିଅକୁ ନେଇ ପଳେଇଲା। ଆଉ ମୋ ପାଖକୁ କେବେ ଆସେନି। ଆବଶ୍ୟକତା ବି ନାଇଁ ତା’ର, କୁଳାଙ୍ଗାର କୋଉଠିକାର । ଓ….ସୋ ସେଡ୍ ବାବା..! ଘରେ ତା’ ହେଲେ ତମେ ଏକା..?? ହଁ ବାବା ମୁଁ ଏକା।
ରୋଜାଲିନ୍ କହିଲା, ଅଜା ତମେ ପ୍ରଥମରୁ ନାଆ ଚଲଉ ଥିଲ ନା କେମିତି ? ନାଇଁ ରେ ମାଆ, ଅଧା ବୟସ ବେଉସା କଲି, ଟଙ୍କା ହେବାରୁ ଡଙ୍ଗା କିଣିଲି। ପ୍ରମୋଦ କହିଲା, ବାବା ଆଉ କେତେ ଦିନ ଏ କାତ ଧରି ବ ଯେ..? ରୁହ, ଦେଖିବ ଦିନେ ମୁଁ କଲେକ୍ଟର ହେବି, ଆଉ କଲେକ୍ଟର ହେଲେ ଏଇ ନଦୀରେ ପ୍ରଥମେ ପୋଲ ବନେଇବି ! ହୋ’ ହୋ’ ହୋଇ ହସିଦେଲେ ସମସ୍ତେ ! ଏଇ ଦେଖରେ ଆମ କଲେକ୍ଟର… କୁହାକୁହି ହୋଇ ହସୁଥିବା ସମସ୍ତଙ୍କୁ ଆକଟ କରେ ବଂଶୀ! କହେ, ତୁ ଶୀଘ୍ର କଲେକ୍ଟର ହଅ ବାପା ! ପୋଲ କରିକି ମୋତେ ଏ କାମରୁ ମୁକ୍ତି ଦେ !
ବଂଶୀର କଥା ସତ ହୋଇଥିଲା ! ଏମ.ଏ ପରେ ୟୁପିଏସସି ପାଇ ନିଜ ସ୍ବପ୍ନକୁ ସାକାର କରିଥିଲା ପ୍ରମୋଦ। କିନ୍ତୁ ଖୁବ ଦୂର ଜାଗାରେ ପୋଷ୍ଟିଙ୍ଗ ହୋଇଥିଲା ତା’ର। ଏକ ଅଲଗାରାଜ୍ୟରେ ! ବର୍ଷକ ବାରମାସ। ବର୍ଷା ଚାରିମାସ ସିନା ନଦୀରେ ଅକାତକାତ ପାଣି, ଯେ ବଂଶୀବୁଢ଼ାର ଡଙ୍ଗା ଚାଲେ। ବାକି ସମୟରେ ଡଙ୍ଗାର ଆବଶ୍ୟକତା ନଥାଏ ! ପାଣିଧାରରେ ପଶି ଚାଲି ଚାଲି ନଦୀ ପାର ହୁଅନ୍ତି ଲୋକେ !
କିନ୍ତୁ ସେଥିରେ ବି ଅସୁବିଧା ଅନେକ ! ଲୋକଙ୍କ ଅସୁବିଧାକୁ ଦେଖି ମନରେ କଷ୍ଟ ହୁଏ ବଂଶୀର ! ହେଲେ ସେ’ ଭାବେ ସେ’ ବା ଏକା କ’ଣ କରିପାରିବ? ହେଲେ, ଦିନେ ନଦୀ ପାରି ହେଉଥିବା ଦି’ଜଣ ଛୁଆଙ୍କ ଗୋଡ଼ରେ ପଥର ବାଜି ରକ୍ତ ଝରିବା ଦେଖି ଉପାୟ ଚିନ୍ତାକଲା ସେ ! ନିଜେ ବିଶ୍ୱକର୍ମା ସାଜି ବାନ୍ଧିଦେଲା ଏକ ବାଉଁଶ ପୋଲ ! ବାସ୍ ଏବେ ସୁବିଧା ହୋଇଗଲା ସମସ୍ତଙ୍କୁ ! ଗାଁ ଲୋକଙ୍କୁ ଆଉ ସ୍କୁଲ ଡାକ୍ତରଖାନା ଯିବା ପାଇଁ ଅସୁବିଧା ରହିଲା ନାହିଁ ! ସବୁବେଳେ କାମରେ ଆସିଲା ବଂଶୀ ବୁଢ଼ାର ବାଉଁଶ ପୋଲ!
ପ୍ରତିବର୍ଷ ବର୍ଷା ଆସିଲେ, ନଦୀ ଧୋଇ ନେଇଯାଏ ବାଉଁଶ ପୋଲକୁ। କିନ୍ତୁ ଧୋଇପାରେନି ବଂଶୀ ବୁଢ଼ାର ସାହସ ଆଉ ଇଚ୍ଛାଶକ୍ତିକୁ ! ବର୍ଷା ପରେ ବଂଶୀ ପୁଣି ବାନ୍ଧିଦିଏ ବାଉଁଶ ! ଦୁଇ-ଚାରିଦିନର ପରିଶ୍ରମରେ ପୁଣି ଠିଆହୋଇଯାଏ ବାଉଁଶପୋଲ। ଯୋଡ଼ିଦିଏ ଦୁଇ ଜିଲ୍ଲାକୁ !ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ରୂପେ। ଅନେକଦିନ ପରେ ପ୍ରମୋଦ ଆସୁଥିଲା ଗାଁକୁ। ବାଉଁଶ ପୋଲକୁ ଦେଖି ମନେ ମନେ ଖୁସି ହେଉଥିଲା ସେ’ ! ଭାବୁଥିଲା ଯା’ହେଉ ଗାଁ ବହୁତ ଉନ୍ନତି କଲାଣି। ଅସ୍ଥାୟୀ ହେଉ ପଛେ ପୋଲଟିଏ ବି ହେଲାଣି।
ଠିକ ପୋଲ ଆରମ୍ଭରେ ଭେଟି ପକାଇଲା ବଂଶୀବୁଢ଼ାକୁ ! ତା’ ପୋଲ ନିକଟରେ ତା’ର କୁଡ଼ିଆ। ବୟସର ଅପରାହ୍ନରେ ପହଞ୍ଚିଯାଇଛି ବଂଶୀ। ଲୋଚାକୋଚା ଚର୍ମ, ସ୍ପଷ୍ଟ ଗଣି ହେଉଛି ତା’ ପଞ୍ଜରା ସବୁ। ଦିନେ ଯିଏ ଏ ଆଖପାଖ ବାରଖଣ୍ଡ ମୌଜାର ଲୋକଙ୍କ ପାଇଁ ଦେବତା ଥିଲା, ହଜାର ହଜାର ଲୋକଙ୍କୁ ନାଆରେ ବସେଇ ପହଞ୍ଚେଇ ଦେଉଥିଲା ତାଙ୍କ ଲକ୍ଷ୍ୟସ୍ଥଳରେ, ସେ ଆଜି ରାସ୍ତାର ଟେକାଟିଏ। ସମସ୍ତଙ୍କ ପାଇଁ ଅଲୋଡ଼ା । ବେଳେ ବେଳେ ଗଞ୍ଜେଇ ଟାଣେ ବୁଢ଼ା। କିଏ କେମିତି କାଁ ଭାଁ ତା’ ପାଖକୁ ଆସିଲେ ଆସନ୍ତି ନହେଲେ ନାଇଁ। ପ୍ରମୋଦ ଚିହ୍ନି ପାରୁନଥିଲା ବୋଧେ ! ବୁଢ଼ା ପ୍ରମୋଦକୁ ଦେଖି, ନିଜେ ନିଜ ପରିଚୟ ଦେଲା, “ବାବା… ମୁଁ ସେଇ ବଂଶୀଅଜା, ଯା ଡଙ୍ଗାରେ ତମେ ବସି କଲେଜ ଯାଉଥିଲ। ହଁ.. ହଁ.. ବାବା ଚିହ୍ନିପାରିଲି। ଉଜ୍ଜ୍ଵଳ ଦିଶିଲା ବୁଢ଼ାର ମୁହଁ। ମନେ ପଡ଼ିଗଲା ପୋଲ ପାଇଁ ପ୍ରମୋଦ ଦେଇଥିବା ପ୍ରତିଶ୍ରୁତି। ଭାବିଲା, ଏବେ ସାର୍ଥକ ହେବ ଏ ନଦୀ ଉପରେ ସବୁଦିନିଆ ପୋଲର ସ୍ବପ୍ନ ! ବଂଶୀ ଗମ୍ଭୀର ସ୍ବରରେ କହିଲା ବାବୁ ପୋଲ କଥା କ’ଣ ବୁଝିଲ ? ସେ କହିଲା, ନାଇଁ ବା, ଏତେ କାମର ପ୍ରେସର ଯେ ଏ ସବୁ ଧ୍ୟାନ ଦେଇ ହଉନି। ହଁ ଆଗକୁ ଚିନ୍ତା କରିବି ନିଶ୍ଚୟ ।
ସମୟ କ୍ରମେ ବଦଳିଯାଆନ୍ତି ପ୍ରମୋଦମାନେ। କିନ୍ତୁ ବଂଶୀବୁଢ଼ାମାନେ ସେଇମିତି ବରଗଛ ଭଳି ଠିଆ ହୋଇଥାଆନ୍ତି। ପୃଥିବୀକୁ ଦେଖୁଆଥାନ୍ତି। ଦେଶ ସାଙ୍ଗରେ ଚାଲୁଥାଆନ୍ତି। ସେଇଥିପାଇଁ ତ ଗର୍ଭିଣୀ ନଈମାନଙ୍କରେ ଆଜି ନାଆଚାଲୁଛି । ଗାଁ ଚାଲୁଛି। ସହର ଚାଲୁଛି। ସଭ୍ୟତା ଚାଲୁଛି।
ତସଲାଡିହି, ସୁନ୍ଦରଗଡ଼