‘କବିତା’କୁ ନେଇ ଅନେକ କିଛି କୁହା ଯାଇପାରେ, ଲେଖା ଯାଇପାରେ ଓ ବୁଝାଯାଇ ବି ପାରେ। କବିତା, ସାହିତ୍ୟର ଏକ ଅଦ୍ଭୁତ ମାଧ୍ୟମ ଅଟେ, ଯାହା କବି ଓ ପାଠକ ଉଭୟଙ୍କୁ ଅର୍ଥ, ଧ୍ୱନି ଓ ଭାବ ମାଧ୍ୟମରେ ଏକ ରହସ୍ୟମଧୁର ବିଚିତ୍ର ସଂସାରର ଅନୁଭବ ଦେଇଥାଏ।
ମୁଁ କବିତାକୁ ଯେତିକି ଯେତିକି ବୁଝି ବୁଝିଚାଲିଛି, ସେତିକି ସେତିକି ଅବୁଝା ରହିଯାଉଛି କବିତା ମୋ’ ଭିତରେ। ସତରେ, କିଏ କ’ଣ କେବେ କବିତାର ଗଭୀରତାକୁ ମାପିପାରିଛି?
ଏହା ହିଁ ପ୍ରକୃତ କବିତା, ଏହା ହିଁ ଶ୍ରେଷ୍ଠ, ଏହା ହିଁ ଚରମ ଓ ଏହା ହିଁ ସତ୍ୟ?
ନା, କବିତା ଏମିତି କହିବା ଉଚିତ, ସେମିତି ଲେଖିବା ଅନୁଚିତ ଅଟେ। ନା, ଏହା ହିଁ କବିତାର ପ୍ରକୃତ ଓ ମଧୁର ରଚନାଶୈଳୀ? ଏମିତି ହିଁ ଲେଖିବା ଠିକ୍ ଅଟେ….. ମୋର ଜାଣିବାରେ ପୃଥିବୀରେ ଏମିତି କେହି ବି ନଥିବେ ଯିଏ କହିଛି -ମୁଁ ମୋ’ ଜୀବନର ଶ୍ରେଷ୍ଠ କବିତାକୁ ଲେଖି ଦେଇପାରିଛି… କିମ୍ବା ୟା’ ଠୁ ସୁନ୍ଦର କବିତା ଆଉ ଲେଖା ଯାଇପାରିବନି!
କବିତା, କେବେ ନଈ ଭଳି ବହିଯାଏ ତ’ କେବେ ଆକାଶ ଭଳି ବିସ୍ତାରି ଯାଏ। କେବେ ଲୁହା ଠୁ ବି ଟାଣ ମନେ ହୁଏ ତ’ କେବେ ପବନ ଠୁ ବି ଆହୁରି ହାଲୁକା।
କେବେ ଲୁହ ଝରାଇ ଦିଏ ଆଖିରୁ ତ’ କେବେ ହସ ଖେଳାଇ ଦିଏ ଓଠରେ। କେବେ ଚିନ୍ତା କରିବାକୁ ବାଧ୍ୟ କରାଏ ତ’ କେବେ ମନ-ଆତ୍ମାକୁ ଦେଇଯାଏ ଶାନ୍ତି।
ବେଳେବେଳେ ଲାଗେ କବିତା ତ’ କୁହୁକ। କେଜାଣି କେଉଁ ଯାଦୁ ଅଛି ଯେ’!!
କେଉଁ ଜଣେ କବି କହିଛନ୍ତି – ”ମସ୍ତିଷ୍କର କୌଣସି ବିଶେଷ ଅସୁସ୍ଥତା ବିନା କେହି କେବେ କବି ହୋଇପାରେ ନାହିଁ କିମ୍ବା କବିତାର ଆନନ୍ଦ ନେଇପାରେନାହିଁ।”
କବିମାନେ ପ୍ରାୟତଃ କୋମଳ ମନର ଅଧିକାରୀ ହୋଇଥା’ନ୍ତି। ଜୀବପ୍ରତି ଦୟା ଓ ପ୍ରେମ ତାଙ୍କର ମୂଳସ୍ଵଭାଵ ହୋଇଥାଏ। ଯେଉଁ ମଣିଷ ଭିତରେ ଦୟାଭାବ ନାହିଁ ସେ ବା କବି ହେବ କେମିତି? ପୁଣି, କବିତା ଆଉ କ’ଣ ସବୁ କହେ କି, କ’ଣ ସବୁ କରେ କି? କବିତାର କି ଧର୍ମ, କି ଜାତି…
ଏକା ପ୍ରେମ ତ’? ପ୍ରେମକୁ ବାଦ୍ ଦେଇ କବିତାରେ ଆଉ କିଛି ଥାଏ କି? କବିତା ହେଉଛି ପ୍ରେମର ଏକ ସରଳଭାଷା, ଏକ ସରଳମାଧ୍ୟମ ପୁଣି ଏକ ପ୍ରାର୍ଥନା… ମଣିଷର। ହେଲେ, ସେ ପ୍ରାର୍ଥନା ପୁଣି କାହାକୁ ଯେ’? ଈଶ୍ବରଙ୍କୁ? ନା ପ୍ରକୃତିକୁ? ନା ପବନକୁ? ନା ଆକାଶକୁ? ନା ସାଗରକୁ? କାହାକୁ ପ୍ରାର୍ଥନା କରିଥାଏ କବିତା? ମଣିଷକୁ..!!
ହଁ, ହଁ… ମଣିଷକୁ! ଏଇ ସୁନ୍ଦରସୃଷ୍ଟିକୁ ଆହୁରି ସୁନ୍ଦର କରି ଗଢି ତୋଳିଦେବାକୁ। ଆହୁରି ପ୍ରେମ ପ୍ରସାରି ଦେବାକୁ। ନୁହେଁ କି ??
There are 3 comments
ବହୁତ ଭଲ ଲାଗିଲା କବିତାକୁ ନେଇ କବିଙ୍କ ସୂକ୍ଷ୍ମଦୃଷ୍ଟି
ନମସ୍କାର ସାର୍
ଧନ୍ୟବାଦ ପ୍ରତାପବାବୁ, ଆପଣଙ୍କର ମନ୍ତବ୍ୟ ପାଇଁ।
ଅନେକ ଧନ୍ୟବାଦ ଜଣାଉଛି 🙏!