Home » Magazine » ପ୍ରହଲ୍ଲାଦ ଶତପଥୀ : କବିତା : ତପସ୍ୱୀ ରାତି

ପ୍ରହଲ୍ଲାଦ ଶତପଥୀ : କବିତା : ତପସ୍ୱୀ ରାତି

ଯଦି ଲେଖିବାକୁ ଇଚ୍ଛା ହେଉଛି ଲେଖି ପକା
ରାତି ଅଧାରୁ ଅଧିକ ହେଲାଣି ତ କ’ଣ ହେଲା ସେଠୁ ?

ସକାଳକୁ ଅପେକ୍ଷା କର୍ ନା,
ରାତିରେ ପରିଷ୍କାର ଦେଖାଯାଆନ୍ତି ଅକ୍ଷରସବୁ କବିତାର ।
ସକାଳ ହେଲା କ୍ଷଣି ଉଭେଇ ଯାଆନ୍ତି ତାରା ପ୍ରାୟେ
ଖୋଲା ଆକାଶଟିଏ ପଡ଼ି ରହିଥାଏ
ଫର୍ଦ୍ଦେ ସଫେଦ୍ କାଗଜ ପରିକା ଖାଲି ଯାହା।

ଆଜି ଶିବଙ୍କ ରାତି,ଉଜାଗର ର ରାତି,
ଚେତନାର ରାତି ।
କପାଳରେ ପାଉଁଶ ଲେପି ,
ସାପକୁ ଗୁଡ଼େଇ ଦେ’ ଗଳାରେ
ଜଟାରୁ ଜନ୍ମ ନେଉ ଭଗିରଥ
ନାଚି ପକା,
ତୋ ତାଣ୍ଡବ ନାଚରେ ଦୋହଲୁ
ଜଳ, ସ୍ଥଳ, ଆକାଶ
ଡମ୍ବରୁର ଶବ୍ଦରେ ମେଦିନୀ କମ୍ପିଯାଉ,
ଭାଜିଯାଉ ଶ୍ମଶାନର ନୀରବତା ।

ତ୍ରିକାଳଦର୍ଶୀ ତୁ, କବି।
ତୋ ଆଖିରେ ଆକାଶ ଠିକ୍ ସେଇମିତି ଦିଶିବ
ଯେମିତି ତୁ ଦେଖିବାକୁ ଚାହୁଁ,
ମନେ ରଖ୍।
ଗୋଟେ ନୀଳଶାଢ଼ୀ ପବନରେ ହଲିଲା ପରି
ଦିଶିପାରେ, ଆକାଶ
ନତୁବା ଦିଶିପାରେ ତୋ ଖାଲି ଆକ୍ଷିକୁ
ଘଡ଼ ଘଡି ଓ ବିଜୁଳୀ ସତ୍ତ୍ୱେ
ଏକ ସ୍ଥିତପ୍ରଜ୍ଞ ୠଷି ସମ ଆକାଶ ।

ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଭିତରେ ଖାଲି ଥିବା
ଜାଗାସବୁରେ, ଯେତେକ ଶୂନ୍ୟତା, ସେତେକ ହିଁ କବିତା,
ଜାଣି ଥା।

ଆକାଶ ଅଛି ମାନେ, ତଳେ କୋଉଠି ନା କୋଉଠି
ମାଟି ଅବଶ୍ୟ ଅଛି
ଚଳପ୍ରଚଳ ପୃଥିବୀଟିଏ ନିଃଶ୍ୱାସ ନେଉଛି,
କାନ ଡେରି ଶୁଣ ନିଃଶ୍ୱାସ ପ୍ରଶ୍ୱାସକୁ ।

ବହି ଯାଉଥିବା ନଦୀର ସୁଅରେ ଭାସି ଯା’
ଯେତେ ଦୂର ଯାଇ ପାରିବୁ ଯା,
ଭାସିବା ହିଁ ଜୀବନ,
କୂଳରେ ଦିନେ ନା ଦିନେ ଲାଗିବୁ
ସଭିଙ୍କ ପାଇଁ କୂଳଟିଏ ସାଇତି ରଖିଥାଏ ସମୁଦ୍ର।

ତପସ୍ୱୀ ପାହାଡ଼ ଟିଏ,
ବସିଛି ଯେ ବସିଛି ଆବହମାନ କାଳରୁ
କୌଣସି ଉର୍ବଶୀ, ମେନକା ଭାଙ୍ଗି ପାରୁନାହାନ୍ତି
ତା’ର ତପସ୍ୟା,
ପାହାଡ଼ ହୋଇ ଯା ତାଳୁରୁ ତଳିପା ଯାଏଁ,
ମଣିଷ ଅପେକ୍ଷା ପାହାଡ଼ ହିଁ ଜୀବନ୍ତ ଏଠି, ପୂଜା ପାଏ !
କଳାକାରଟିଏ ଆକାର ଦେଇ ଜୀବନ୍ୟାସ ଦିଏ
ନିରାକାରକୁ
କବିତା ଲେଖେ କବିଟିଏ, ଅମରତ୍ବ ପାଏ।

ଚେରେଇ ଯା’ ମାଟିରେ
ମାଟିର ଗଭୀରତମ ପ୍ରଦେଶରେ ଘର କର,
ମୃତ ଲୋକଙ୍କ ସହ ବଞ୍ଚି ଶିଖ୍, କବରରେ,
ଢେର୍ ହୋଇଗଲା ବଞ୍ଚିବା ଜୀବନ୍ତ ଲୋକଙ୍କ ସହ ।

ଦେଖିବୁ ତୁ ଦିନେ ପଲ୍ଲବିବୁ, କଅଁଳିବ ସବୁଜ ସବୁଜ ପତ୍ର
ତୋ ଦେହ ସାରା,
ଶାଖା ପ୍ରଶାଖା ମେଲିବୁ
ଚଢ଼େଇ ର ଚିଁ ଚାଁ ଶବ୍ଦ ସବୁ କବିତା ମନେ ହେବେ
ଶବ୍ଦର ଗଭୀରତା ହିଁ କବିତାକୁ ଜନ୍ମ ଦିଏ, ଜାଣିଥା ।
ମାଟିଠୁ ଆକାଶ ଯାଏଁ ଲମ୍ବିଥାଏ
ଉର୍ଦ୍ଧ୍ବମୂଖି ଚେତନାର ଧାଡିସବୁ କେଉଁ ଏକ
ଅଲୌକିକ କବିତାର ।

There are 2 comments

  1. Bhagaban Panda Bhagat
    September 19, 2024 at 4:46 pm
    ” ଅଭିନବ ଚଉକାଠ ” ସେପ୍ଟେମ୍ବର – ୨୪ ସଂଖ୍ୟା ଦେଖିଲି ଓ ପଢ଼ିଲି, ଆହ୍ଲାଦିତ ଓ ବିଭୋର ହେଲି ! ବିଶେଷ ପ୍ରତିବେଦନ ରେ ପୂଜ୍ୟ ୰ ରମେଶ ଚନ୍ଦ୍ର ବେହେରାଙ୍କ ସମ୍ପର୍କରେ ଅନେକ କଥା ଜାଣିହେଲା । ପ୍ରହ୍ଲାଦ ଶତପଥୀଙ୍କ କବିତା ” ତପସ୍ୱୀ ରାତି ” ଏକ ଚମତ୍କାର କବିତା ! ଅନ୍ୟ ଦୁଇଟି କବିତା ବି ଭଲ ଲାଗିଲା । ମହାଶ୍ୱେତା ସାହୁଙ୍କ ଗପ ” ଶବ୍ଦସବୁ ହଜିଯିବା ପରେ ” ଖୁବ୍ ହୃଦୟସ୍ପର୍ଶୀ ହେଇ ପାରିଛି ।
    ଶେଷରେ – ସାହିତ୍ୟ ଓ କବିତା ପାଇଁ ଆପଣଙ୍କର ଅଙ୍ଗୀକାର ବଦ୍ଧତା କୁ ପ୍ରଣାମ କରୁଛି । ତତ୍ ସମ୍ପର୍କରେ ଯେତେ ଯାହା ବଖାଣିଲେ ବି କମ୍ ହେବ ! “ଚଉକାଠ ” ର ବିଶେଷ ପାଠକ ଓ ଦର୍ଶକାଦୃତ କାମନା କରୁଛି । ସମସ୍ତଙ୍କୁ ସାଦର ଶୁଭେଚ୍ଛା ଓ ଅଭିନନ୍ଦନ

    1. ଚମତ୍କାର କବିତା ” ତପସ୍ୱୀ ରାତି”
      ବହୁତ ଭଲ ଲାଗିଲା
      ନମସ୍କାର କବି

Leave a Reply

Your email address will not be published. Required fields are marked *