


ସେମାନେ ପ୍ରଥମେ ଆସିବେ
ଆମ ମାନଙ୍କ ପୋଷାକରେ
ଆମ ଭାଷାରେ
ଆମ ବିଶ୍ୱାସରେ
ସେମିତି ହିଁ ସେମାନେ ଆସନ୍ତି
ତୁମ ବାଡ଼ିର ପିଜୁଳି ବାସ୍ନାରେ ଯେମିତି ଆସନ୍ତି
ଦଳ ଦଳ ବାଦୁଡ଼ି
ଅନ୍ଧାରରେ,
ପରିଚୟ ପାଇଁ ସ୍ୱତଃ ଛାଡ଼ିଯାଆନ୍ତି
ଛେଦା ଓ ମଳ
ସେମାନେ ସେତେବେଳେ ଆସନ୍ତି
ଯେତେବେଳେ
କଣ୍ଟାପିଟିବାକୁ
ନିଜ ଘର କାନ୍ଥରୁ ତୁମେ
ଉଖାରି ପକାଅ ପଲସ୍ତରା
ପଙ୍ଗପାଳ ମାରିବା ପାଇଁ
ପୋଡ଼ିଦିଅ ଶସ୍ୟକ୍ଷେତ୍ର
ମା’ର ଲଙ୍ଗଳା ଚିତ୍ର ଆଙ୍କ
ଆଉ ଖୁସି ହୁଅ ଯେ
ତୁମେ ଆଧୁନିକ ଓ ରକ୍ତକ୍ଷରା
ତୁମେ ବୁଝିପାରନି
ମା’ର ଲଜ୍ଜା ଓଟାରିବା ବେଳେ
ତୁମରି ଉଲଗ୍ନ ପ୍ରତିଛବି ଦିଶେ ସଂସାରକୁ
ସେତେବେଳେ ସେମାନେ ଆସନ୍ତି
ଖୁବ ଆସ୍ତେ
ଯେମିତି ତୁମ ନରମ ବିଛଣାକୁ ଯୁଦ୍ଧକ୍ଷେତ୍ର କରି
ଆସେ ଦୁଃସ୍ୱପ୍ନ ଗଭୀର ରାତିରେ
ଏଥର ଆମେ ଘୋଡ଼େଇ ରଖିବୁ
ଆମ ଝିଅଙ୍କୁ
ଆଲୁଅର ଆଖିରୁ
ଆମେ ଆମ ଦେହ ପାଇଁ
ମାଲିକଠୁ ନିରାପତ୍ତା ଚାହିଁବୁ
ଯିଏ ପାଚେରି ଗଢ଼ିବାର ଆରମ୍ଭରେ
ସହିଥିଲା ଆମ ପଦାଘାତ
କ୍ଲାନ୍ତ ହେଇ ନିସ୍ତେଜ ହେବାଯାଏ ଶୋଧିବୁ
ପୁରୁଷଜାତିକୁ
ଯୋଉମାନେ
ଆମକୁ ରକ୍ଷା କରିପାରିବେ ନାହିଁ ବୋଲି
ସ୍ପଷ୍ଟ ଧାରଣା ନେଇ ଆମେ ତଥାପି ସହବାସ କରୁ
ଯେତିକି ଘୃଣା ଆମ /ତୁମ ରକ୍ତରୁ ନଷ୍ଟ କରେ
ଶ୍ୱେତ ରକ୍ତକଣିକା ସେତିକି ପରେ
ଝିଅଟେ ଉଠିବ ଓ
ପୋଛିବ ଆଖି
ଦେଖିବ ତା’ ବାରବର୍ଷର ଦେହ/ ବିଶ୍ୱାସ କରିବ ଯେ
ତା’ଠି ମହୁ ଛଡ଼ା ଆହୁରି କିଛି ଅଛି
ଯାହା ଅନ୍ଧ କରିପାରିବ
ତାଲିବାନିଙ୍କ ଆଖି ….
ଅପେକ୍ଷା କର ।
There is 1 comment
ସେମାନେ ଆସନ୍ତି ଛଳରେ ବାଦୁଡ଼ି ବା ଦୁଃସ୍ଵପ୍ନ ଭଳି, ଯେତେବେଳେ ଆମେ ଅତିୟୁକ୍ତି, ଅଗତ୍ୟା ବା ଆତୁର ସ୍ଥିତିରେ ସ୍ଵୀୟ ଅସ୍ମିତା ସହ ସାଲିସ୍ କରିବସନ୍ତି । ସେସବୁ ବ୍ୟବହାରିକ ବିଚ୍ୟୁତି ଓ ତହିଁର ପରିଣତିକୁ ନେଇ ବେବାକ୍ ବ୍ୟାଖ୍ୟା ଏବଂ ତହୁଁ ଅଧିକ ନିଦାନର ସ୍ୱର !!! କବିତା ପାଇଁ କବିଙ୍କୁ କରଯୋଡ଼ ସମ୍ମାନ ।