ମୋଟେ ଛିଡ଼ୁନଥିବା
ଗୋଟେ ପ୍ରେମ
ପଛରୁ ହାତଧରି ଭିଡ଼ିଧରେ !
ଏଇଠୁ ବିଦାୟ ବୋଲି
କହିହୁଏନା କେବେ।
ରକ୍ତରେ ନିଆଁଲାଗେ
ଢେର ଢେର ନିବାରଣ, ନିରାକରଣ ସତ୍ତ୍ୱେ;
ଜଙ୍ଗଲୀ ନିଆଁ ପରି
ଚରି ଚରି ଯାଏ ଚମତଳେ !
ଶିଶୁଟିଏ ପରି ଏ ବର୍ଦ୍ଧନ
ଗଛଟିଏ ପରି ଏ ବର୍ଦ୍ଧନ
ସମୁଦ୍ରଟିଏ ପରି ଏ ବର୍ଦ୍ଧନ
ଦୁହିଁଙ୍କ ଅଳିନ୍ଦ ଭିତରେ,
ବହୁଥିବା ଯେମିତି ମୁନ୍ଦେଅମ୍ଳଜାନ !
ଖରାର ଖୁରାମାଡ଼
ତାନାମରା ତିତିକ୍ଷା ଅନ୍ଧାରର
ଅସୂୟାର ଆଁଚୁଡ଼ା ଦାଗ
ଇର୍ଷାର ଉଲୁଗୁଣା ସହି
ପଳେଇହୁଏ କି,
ଆଲୁଅର ହିଡ଼ବାଡ଼ ଡେଇଁ ?
ଆହୁରି ପାଖକୁ ଆ’ ଆ’ ବୋଲି
ଡାକଟିଏ ପଛରୁ ଗୋଡ଼ାଇଥାଏ
ସବୁବେଳେ
ଅଦେଖା ଆଖିମାନଙ୍କର
ଅମଡ଼ା ମାଡ଼େ
ଫୁଟପାଥରେ ନିଶାସକ୍ତ ଗାଡ଼ିଟିଏ
ଯେମିତି ଘଷିଘୁଷୁରି ହୋଇ ବାରବାର,
ପ୍ରବଞ୍ଚନାଭରା ଜୀବନକୁ ଫେରେ !!
ଛୁଇଁନପାରି ଅନ୍ତସ୍ଥଳ
ଥରକୁ ଥର ରଫୁହୁଏ
ସ୍ବପ୍ନ ଓ ଜୀବନ ।
ରାସ୍ତାସାରା ସିଏ
ପଛକାମୁଡ଼ାର ପ୍ରପଞ୍ଚ ପ୍ରତିବେଶୀଟିଏ ପରି
ପ୍ରତିଯୋଗିତାରେ ଦୌଡୁଥାଏ
ସମାନ୍ତରାଳରେ !
ତା ‘ ଅଜସ୍ର ଆଦିମ ଭୋକିଲାଡାକ
ପ୍ରତିଧ୍ଵନି ହୋଇ ଫେରିଆସେ…
କେଉଁଠି, କେମିତି ଓ
କାହିଁକିର ପ୍ରତ୍ୟୁତ୍ତରର ସମତାଳରେ !
ତା’ ଓ ମୋ ଭିତରେ ମୁଣ୍ଡଟେକିଥାଏ…
ଗୋଟେ ଅଦୃଶ୍ୟ ଅସହାୟତା;
ମୁଁ ସୁନ୍ଦର ନୁହେଁ କି,
ସିଏ ସୁନ୍ଦରୀ ନୁହଁ
ତଥାପି, ସିଏ ମୋ ପାଇଁ ଜରୁରୀ ଓ
ମୁଁ ତା’ ପାଇଁ ଜରୁରୀ ଲାଗେ,
ଲିଭି ଲିଭି ଆସୁଥିବା ଅଙ୍ଗାରକୁଢ଼ର ନିଆଁଟିକକୁ ଜଳେଇରଖିବା ପାଇଁ !!
There are 4 comments
ନମସ୍କାର ସାର୍
ଏକ ସୁନ୍ଦର କବିତା ପାଇଁ ଅନ୍ତରରୁ ଅଶେଷ ଅଶେଷ ଧନ୍ୟବାଦ
🙏🙏
ଭାବରେ ଉବୁଟୁବୁ ହେଲା ବେଳକୁ ପୁଣି ଅସହାୟତା ବୋଧର ଯନ୍ତ୍ରଣା କବିତାକୁ ଆହୁରି ଭାବପୂର୍ଣ୍ଣ କରୁଛି….. ପ୍ରଣାମ ସାର୍ 🙏💐💐
କିଛି ଆବେଗ ଜରୁରୀ ଜୀବନ ପାଇଁ। ସୁନ୍ଦର କବିତା।
କବିତା ଯେମିତି ଜୀବନ କବିଙ୍କ ପାଇଁ। ଭାବିଲେ କବିତା ପ୍ରେମିକା, ଭାବିଲେ କବିତା ଛାତିତଳ ନିଆଁ। ସେ ସୁନ୍ଦରୀ ହେଉକି ସୁନ୍ଦରୀ, ତାକୁ କିଏ ଦେଖୁ କି ନ ଦେଖୁ, ସେ ହିଁ କବିଙ୍କ ପ୍ରଶ୍ୱାସ, ଯାହା ବିନା କବି ବଞ୍ଚି ପାରେ ନାହିଁ ।
ଭାରି ଭଲ ଲାଗିଲା କବିତାର ଆତ୍ମକଥା।