Home » Magazine » ପିନାକୀ ମିଶ୍ର : କବିତା : ଚଂଦ୍ରଲେଖା

ପିନାକୀ ମିଶ୍ର : କବିତା : ଚଂଦ୍ରଲେଖା

ପିନାକୀ ମିଶ୍ର : କବିତା : ଚନ୍ଦ୍ରଲେଖା

ରାତି ପାହିଲାଣି ଚଂଦ୍ର ଫେରିନି
ଗୁଜବ ଗଗନପୁରେ
ଅନ୍ଧାର ସତ କହୁନି କାହିଁକି (?)
(ଥିଲା )କାହାସାଥେ ଗୋପନରେ ।

ରାତି ରୂପବତୀ ଓଠ ଚିପିଚିପି ଉନମନା ପାଦଥାପି
ଅଳସା ଗଲା ସେ’ ପ୍ରଣୟଦିଶାରେ ଜ୍ୟୋତ୍ସ୍ନାପରଶ ଲେପି
ଆସିଲା ମାତିବ ବୋଲି
ଫୁଲାଣ  ଶୁଣିଲି  ଖାଲି
ପ୍ରେମପାଗ ଥରେ ଛାତିରେ ଉଠିଲେ
ଫୁଲ କି ମହକ ରଖିପାରେ ,
ରାତି ପାହିଲାଣି ଚଂଦ୍ର ଫେରିନି ………..।

ବୟସର ବାଟ ଯେତେ ସରିଥାଉ ଯେତେଥାଉ କୋଳାହଳ
ପ୍ରୀତିର ତମାଳ ଫୁଟିବହେଉଛି  ଲାଜଢୋକେ ମନତଳ
ଭେଟିବାକୁ ରତରତ
ଅବୁଝାନଈର ଗୀତ
ପଛକୁ ସେ ଚାହୁଁନାହିଁ
ତମସାକୁ ଡର ନାହିଁ
କହ ସାଧବାଣୀ ଚନ୍ଦ୍ରକୁ କିଏ ମେଲାଣିଦଉଛି (?)
ବିଭୋରଫଗୁଣ ତନ୍ଦ୍ରାତୀରେ ,
ରାତି ପାହିଲାଣି  ଚଂଦ୍ର ଫେରିନି ..।

ପ୍ରଥମଦେଖାରେ ଅଳପକଥାରେ କିଏ ଜାଣିଥିଲା ଉଠିବ ଢେଉ
ଢେଉର ତାଳରେ ଝାଉଁର ଗୀତରେ ବାଲିରେ ବାଲିରେ ଝରିଲା ମହୁ
ସେଇ ପଦେଅଧେ କଥା
ରାତ୍ରୀ ମଧୁର ବ୍ୟଥା
ସ୍ନିଗ୍ଧ ଆତୁର ଆଶା
ଗୁମାନରେ ମଦାଳସା ,
ଗଉରୀତନୁର କୁରେଇ ବାସର
ଲାଜୁକି ଓଠର ଅଳତା ବେଢାର ସମ୍ଭ୍ରମ ପ୍ରୀତିଭାଷା ,
ସଂପାଦିଦେଲି ରାତିର ପରବ
ମୁକୁଳାଛାତିର ଯେତେ ଅଭିଯୋଗ
ରଖିଲି ତରୁର ଡାଳେ
କୃଷ୍ଣଚୂଡା ବି ପବନଦୋଳିରେ ଭିଜିଭିଜି ଜୋଛନାରେ
ରାତି ପାହିଲାଣି ଚଂଦ୍ର ଫେରିନି ……।

କାଂଚନପୁରୀ ଚନ୍ଦ୍ରଲେଖା ମୋ’ ଆସିଛି ଗରବେ ଧାଇଁ
ମଧୁରକ୍ଷତର ସ୍ମୃତି ନେଇଯିବ ଆଉ ଯୁଟିବ କି ନାହିଁ
କେତେଯେ’ ବଉଦ କେତେ ଯେ’ ବାରଣ
ଅନୁଢା ଛାତିରେ  ଦକକମ୍ପନ
ନମ୍ରଠାଣିରେ ପାଦଶୃଙ୍ଖଳେ ମିଳନଅଶ୍ରୁ ଢାଳେ ,
ରାତି ପାହିଲାଣି ଚଂଦ୍ର ଫେରିନି……।

ବେପଥୁଛନ୍ଦେ ଫୁଲର ଗନ୍ଧେ ସମ୍ଭ୍ରମ ରଖୁରଖୁ
ଚନ୍ଦ୍ରଲେଖାର ପ୍ରଣୟକୁ ନେଇ ରାତ୍ରୀ କବିତା ଲେଖୁ
ପୂର୍ଣ୍ଣମାସୀର ଦେବୀ
ସୁନାସକାଳର ସୋରିଷଫୁଲର
କୁହୁଡିଖୋଜାର ଶିରିପବନର
ବାଲିହରିଣୀର ବଧୂଲୀ ଅଧର ଛବି
ଚପଳା ନୁହେଁ ଗୋ ଚନ୍ଦ୍ରମା ଚାରୁ  ନିରିମାଖି ତୁମେ ସହୀ
ଦିନରେ ନୁହେଁ ଗୋ ସଂଜ ନଇଁଲେ
କେହି ତ ତୁମକୁ ଝୁରେ
ମୁଁ କି ସେଇ ବିଜନରେ  !
ରାତି ପାହିଲାଣି ଚନ୍ଦ୍ର ଫେରିନି ଗୁଜବ ଗଗନପୁରେ  ।।

There are 7 comments

  1. କବିତା ଖୁବ୍ ଭଲ ଲାଗିଲା ସାର୍।
    ଗହନ କଥାରେ ଲାଳିତ୍ୟ ଭରା ଶବ୍ଦ
    ବେଶ୍ ଛୁଇଁଲା। ଅଭିନନ୍ଦନ ଆପଣଙ୍କୁ 💐💐🙏

    1. ନିହାତି ସୁନ୍ଦର ଓ ଜୀବନ୍ତ ଏଇ କବିତା। କବିଙ୍କୁ ଶୁଭେଚ୍ଛା ଓ ଆପଣଙ୍କୁ ମତାମତ ପାଇଁ ଅଶେଷ ଧନ୍ୟବାଦ ସହ ସମ୍ମାନ।

    2. ଆନ୍ତରିକ ଧନ୍ୟବାଦ ରଶ୍ମୀ , ଏ ଗୋଟେ ମିଠା ଅନୁରାଗର କବିତା

  2. ବାଃ ଭାଇ ବାଃ
    ବହୁତ ସୁନ୍ଦର ଚନ୍ଦ୍ରଲେଖାର ଚିତ୍ରକଳା
    ନମସ୍କାର ଭାଇ
    ଜୟ ଜଗନ୍ନାଥ

    1. ବହୁତ ସ୍ନେହ ଓ ଆଦର ପ୍ରତାପ , ଖୁସି ହେଲି ତୁମେ କବିତା ପ୍ରାଣ

  3. ଚନ୍ଦ୍ରଲେଖାର ଚିତ୍ରକଳା ଓ ତା’ର କାବ୍ୟିକ ଅବତାରଣା ଖୁବ୍ ସୁନ୍ଦର୍ ନିଶ୍ଚୟ। ଆପଣଙ୍କ ମନ୍ତବ୍ୟ ତହୁଁ ହୃଦଗ୍ରାହୀ। ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା ସହ ସମ୍ମାନ

    1. ଓଡ଼ିଶାର ଯଶସ୍ବୀ କବି ତ୍ରିନାଥ ସିଂହ
      ଏ କବିତାଟିକୁ ସାଦରେ ରଖିଛନ୍ତି ,
      ଚଉକାଠ
      ଆଗରୁ , ଆଜିବି ପ୍ରଜ୍ଜ୍ବଳ
      ସଂପାଦନା ବଳିଷ୍ଠ
      ଅନୁଷ୍ଠାନର ସମସ୍ତଙ୍କୁ ମୋର ଆଦର

Leave a Reply

Your email address will not be published. Required fields are marked *