
ସମସ୍ୟାରେ ପଡ଼ିଛନ୍ତି ଉଦୟ ରାଉତ । ଦି’ ମାସ ପରେ ନିର୍ବାଚନ, ବୋଧହୁଏ ସେ ଟିକେଟ୍ ପାଇଯିବେ। ହେଲେ ସେଥିପାଇଁ ଲାଗିବାକୁ ପଡ଼ିବ। ପ୍ରତିଦିନ ସହର ଯାଇ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଧାରଣା ଦେବାକୁ ପଡ଼ୁଛି। ଏଇ ଅବସ୍ଥାରେ ଏଇ ଗାଁ କଥା ବୁଝିବ କିଏ ? ତାଙ୍କୁ ବେଳ ନିଅଣ୍ଟ। କେଉଁ ଅଡ଼ୁଆ ଲଗ୍ନରେ ଯେ ସେ ଗାଁ ପ୍ରଧାନ ହୋଇଥିଲେ, କେଜାଣି !
ଗାଁରେ ଆଜି ନିଶାପ। ସବୁ ସମସ୍ୟାର ମୀମାଂସା କରିବାକୁ ପଡ଼ିବ। ପଞ୍ଚାୟତର ଅନ୍ୟମାନେ ନାଁ’କୁ ମୁଖିଆ। ସମସ୍ତେ ଜୁଳୁଜୁଳୁ କରି ଅନାଇ ରହିଛନ୍ତି ଉଦୟ ରାଉତଙ୍କ ମୁହଁକୁ। ତାଙ୍କ ମୁହଁରୁ ଯାହା ବାହାରିବ ତାହା ହିଁ ନ୍ୟାୟ, ତାହା ହିଁ ଧର୍ମ, ତାହା ହିଁ ଶେଷ କଥା। ଏଇ ଗାଁର ଲୋକମାନଙ୍କୁ କେବେ ଅଦାଲତ ଯିବାକୁ ପଡ଼ିନି। ହେଲେ ଅନ୍ୟମନସ୍କ, ବିରକ୍ତ ଉଦୟ ଆଜି ଯାହା ବିଚାର କରୁଛନ୍ତି, ତାହା ସେ ନିଜେ ବି ବୁଝିପାରୁ ନାହାନ୍ତି। ତାଙ୍କ ମଥାରେ କେବଳ ଆଗାମୀ ନିର୍ବାଚନର ଚିନ୍ତା। ଟିକେଟ୍ ମିଳିବ କି ନାହିଁ।
ଶେଷ ଦିଇଟା ସମସ୍ୟାରେ ଆସି ଥମ୍କି ଗଲେ ଉଦୟ। କାରଣ, ଦୁଇଟିଯାକ ସମସ୍ୟା ବେଶ୍ ଜଟିଳ। ଗୋଟାଏ ହାତୀ ଆସି ଗାଁମୁଣ୍ଡ ଫସଲକ୍ଷେତରୁ ଫସଲ ଖାଇଯାଉଛି। ନିଆଁ ଦେଖାଇ ହୁରୁଡ଼ାଇବାକୁ ଚେଷ୍ଟା କଲେ ଦଳର ଅନ୍ୟ ହାତୀ ଜଙ୍ଗଲକୁ ପଳାଉଛନ୍ତି। ହେଲେ, ଗୋଟାଏ ହାତୀକୁ ପାରି ହେଉନି। ସେ ନିଆଁକୁ ନ ଡରି ସାମ୍ନାକୁ ମାଡ଼ି ଆସୁଛି। ଲୋକ ପଳାଇ ଆସୁଛନ୍ତି। ଦିନେ ରାତିରେ ଗାଁ ରାସ୍ତାରେ ଏ ମୁଣ୍ଡରୁ ସେ ମୁଣ୍ଡ ବୁଲିଲା। ଆଉ ଦିନେ ଅଗଣିର ପାଟିରେ ସକାଳୁ ସକାଳୁ ସମସ୍ତଙ୍କ ନିଦ ଭାଙ୍ଗିଗଲା। କଥା କ’ଣ । କାଲି ରାତିରେ ସେଇ ଲକ୍ଷ୍ମୀଛଡ଼ା ହାତୀ ଆସି ତା’ ରନ୍ଧାମଦ ସବୁ ପିଇଦେଇ ପଳାଇଛି। ଅଗଣି ମଦ ତିଆରି କରି ଚାରି, ପାଞ୍ଚଟା ଗାଁକୁ ଯୋଗାଇ ଦିଏ । ତା’ ହାଣ୍ଡିକୁଣ୍ଡେଇ ବି ସବୁ ଭାଙ୍ଗି ଦେଇଛି।
ଜଙ୍ଗଲ ବିଭାଗକୁ ଖବର ଦିଆ ହୋଇଥିଲା। ସେମାନେ ଆସି ତିନିଦିନ କ୍ୟାମ୍ପ୍ କରି ରହିଥିଲେ। ହେଲେ କି ଆଶ୍ଚର୍ଯ୍ୟ କଥା, ସେଇ ତିନିଦିନ କାଳ କିଛି ସୋର ଶବ୍ଦ ନାହିଁ। ହାତୀ ପୂରା ସୁନାପୁଅ। ସତେଅବା ସେ ଏଇ ଗାଁ ରାସ୍ତା କେବେ ଦେଖିନାହିଁ। ସେ ବିଲ୍କୁଲ୍ ଆସିଲାନି। ଜଙ୍ଗଲ ବିଭାଗ ଲୋକସବୁ ମଶା କାମୁଡ଼ା ଖାଇ, ଗାଁ ଲୋକଙ୍କୁ ଗାଳି ଦେଇ ତମ୍ବୁ ଉଠାଇ ଚାଲିଗଲେ ।
ତା’ ପରଦିନ ପୁଣି ଯୋଉ କଥାକୁ ସେଇ କଥା। ହାତୀ ଆସି ଫସଲ ଖାଇଲା। ତିନି ଦିନର ଓପାସ ! ଆଖିରେ ତା’ର ପୁଣି କି କୌତୁକିଆ ଚାହାଣି । ସତେଅବା ଗାଁବାଲାଙ୍କ ସହିତ ତା’ର ଏଇଟା ଗୋଟାଏ ଖେଳ ଚାଲିଛି। ସେ ହାତୀ, ସେ ଖେଳି ପାରେ। ହେଲେ ଗାଁବାଲା ତ ଆଉ ଜଙ୍ଗଲ ବିଭାଗ ସହିତ ଖେଳି ପାରିବେନି। ପୁଣି ଫସଲ ବି କେମିତି ରକ୍ଷା ହେବ ?
ଉଦୟ ରାଉତ ବ୍ୟସ୍ତ ଶୀଘ୍ର ନିଶାପ ସାରିବାକୁ। ସେ କହିଲେ, ‘‘ଯେମିତି ହେଉ ଏଇ ହାତୀକୁ ଅଟକାଇବାକୁ ପଡ଼ିବ। ଜଙ୍ଗଲ ପାଖରେ ଗୋଟିଏ କୁଡ଼ିଆ କରି କାହାକୁ ଜଣେ ରାତି ଭରି ରହିବାକୁ ପଡ଼ିବ।” କିଏ ରହିବ? ସମସ୍ତେ ନିରବ। ବୁଢ଼ାମାନେ ଟୋକାଙ୍କୁ ଦେଖୁଲେ, ଟୋକାସବୁ ତଳକୁ ଅନାଇଲେ ।
ଉଦୟଙ୍କର ଏତେ ସମୟ ନାହିଁ। କହିଲେ, “ଏ ସମସ୍ୟାର ସମାଧାନ ପରେ ହେବ। ଏବେ ଅନ୍ୟ ସମସ୍ୟା ନେଇ ବିଚାର କରାଯାଉ। ନେତ୍ରମଣି କଥା କ’ଣ କରାଯିବ, ସମସ୍ତେ ବିଚାର କର।”
ପାଞ୍ଚହାତିଆ ପାଚିଲାବାଉଁଶ ଠେଙ୍ଗାରେ ଭରାଦେଇ ଉଠି ଛିଡ଼ା ହେଲା ନେତ୍ରମଣି। ଏ ଗାଁର ସବୁଠାରୁ ବୟୋଜ୍ୟେଷ୍ଠା ମଣିଷ। ବୁଢ଼ୀର ବୟସ କେତେ କେହି ଜାଣନ୍ତିନି। ଏ ଗାଁର ବୁଢ଼ାମାନଙ୍କୁ ବି ସେ କହେ ନାତି। ତା’ ବୟସ ପଚାରିଲେ ସେ କହେ, “ଏଇ ପାହାଡ଼ୀ ନଈର ବଅସ ଯେତେ, ସେତିକି।” “ଧେତୁ, ନଈର କ’ଣ ବୟସ ଥାଏ !” ବୁଢ଼ୀ ହସେ ତା’ ପାକୁଆ ପାଟିରେ-
‘“ନାତିରେ, ଜୀବନର ବି କ’ଣ ବଅସ ଥାଏ ?”
ନେତ୍ରମଣିର ପୁଅ, ନାତି ସବୁ ମରି ହଜି ଗଲେଣି। ଏବେ ତା’ର ଅଣନାତିଙ୍କ ଯୁଗ। ସେମାନେ ଆଉ ଏ ବୁଢ଼ୀକୁ ବଂଶଲତା ଭିତରେ ମାନିବାକୁ ନାରାଜ। ତା’ ଦାୟିତ୍ବ ସେମାନେ ଆଉ ନେବେ ନାହିଁ। ନେତ୍ରମଣି କଥା ଗାଁ ବୁଝୁ। ସେମାନେ ଆଉ ପାରିବେନି। ଅଣନାତି କୁଆଡ଼େ ପୋଷ୍ୟପୁତ୍ର ହୋଇ ଆସିଥିଲା, ତେଣୁ ବୁଢ଼ୀର ସେ କେହି ନୁହେଁ। ଅପୁତ୍ରିକ ନାତି ପାଇଁ ନେତ୍ରମଣି ଏବେ ଗାଁର ଦାୟିତ୍ବ ।
ଉଦୟ ରାଉତ ରାୟ ଦେଲେ, ଏ ବୟସରେ ବୁଢ଼ୀଟା ଆଉ କୋଉଠିକି ଯିବ? ତାକୁ ପାଳି କରି ସମସ୍ତେ ଦିନେ ଦିନେ ଖାଇବାକୁ ଦେବେ। ତୀକ୍ଷ୍ଣ ଏବଂ ତୀବ୍ର ସ୍ବରରେ ଚିତ୍କାର କରି ଉଠିଲା ନେତ୍ରମଣି, ‘‘କାହିଁକି, ମୁଁ କ’ଣ ଭିକମଗା କି ? ଜୀବନଯାକ ମୁଁ ପରିଶ୍ରମ କରିଛି, ଆଉ ଆଜି ଭିକ ମାଗି ଖାଇବି? ହୁଁ…।”
ଆଜି ପୂର୍ଣିମା। ନେତ୍ରମଣିର ଅଣ୍ଟା ଦରଜ ବହୁତ ବଢ଼ି ଯାଇଛି। ତଥାପି ସେ ମୁଣ୍ଡ ନଇଁଲାନି, କି ଅଣ୍ଟା ଭାଙ୍ଗିଲାନି। କାମ ନ କରି ସେ କାହା ଭାତ ଖାଇ ପାରିବନି। ସେ କ’ଣ ଜାଣିନି କି ଏମିତି ଭିକଭାତ ଖାଇଲେ କୁଜି ବେଙ୍ଗଟିଏ ହୋଇ ପରା ଜନ୍ମ ନେବାକୁ ପଡ଼େ । ଛି… ଛି… । ଗାଁ ଲୋକେ ବୁଝାଇ ଚାଲିଛନ୍ତି, ହେଲେ ତା’ର ସେହି ଏକା ଜିଦ୍। ବୟସ ସହିତ ଜିଦ୍ଟା ବି ଇତିହାସ ପରି ଶକ୍ତିଶାଳୀ ହୋଇଯାଏ ।
କୋଉ କାମ ବା ନେତ୍ରମଣି ପାରିବ, ଆଉ କିଏ ବା ତାକୁ କାମରେ ରଖିବ ? ରାତି ବଢ଼ି ଚାଲିଛି, ଅଥଚ ମୀମାଂସା ହୋଇପାରୁନି। ନେତ୍ରମଣିର ଦୁଇ କୋରଡ଼ରେ ଦୁଇ ଆତ୍ମସମ୍ମାନୀ ଆଖି। ସେ ଆଖିରେ ଆପୋଷ ନାହିଁ।
ଏଇ ସମୟରେ ଉଦୟ ରାଉତଙ୍କ ପୁଅ ଆସି ଖବର ଦେଲା, ସହରର ମୁଖ୍ୟ କାର୍ଯ୍ୟାଳୟରୁ ଦି’ଜଣ ଆସିଛନ୍ତି। ତରବର ହୋଇ ଧୋତି ସମ୍ଭାଳୁ ସମ୍ଭାଳୁ ଉଦୟ କହିଲେ, ‘‘ଠିକ୍ ଅଛି। ମୀମାଂସା ହୋଇଗଲା। ନେତ୍ରମଣି ହେବ ଜଗୁଆଳି। ସେ ପାହାଡ଼ ତଳେ ଗୋଟିଏ କୁଡ଼ିଆରେ ରହି ଏବେଠାରୁ ହାତୀ ଜଗିବ। ମାସ ଶେଷରେ ପଞ୍ଚାୟତ ଅଫିସ୍ରୁ ଆସି ଦରମା ନେଇଯିବ। ପଇସାରେ ନୁହେଁ – ଚାଉଳ, ଗହମ, ଆଉ କିରାସିନିରେ।’’
ନିର୍ବାକ୍ ଗ୍ରାମବାସୀଙ୍କୁ ଛାଡ଼ି ଉଦୟ ଚାଲିଗଲେ। ମନେ ମନେ ନିଜ ବୁଦ୍ଧିର ନିଜେ ହିଁ ପ୍ରଶଂସା କଲେ । ହାତୀ ତ ପ୍ରଥମ ରାତିରେ ହିଁ ବୁଢ଼ୀକୁ ମାରିଦେବ, ଆଉ ବୁଢ଼ୀ ମଲେ ଜଙ୍ଗଲ ବିଭାଗ ଲୋକ ପୁଣି ବାଧ୍ୟ ହୋଇଆସିବେ ହାତୀର ସରକାରୀ ବ୍ୟବସ୍ଥା କରିବାକୁ।
ଗାଁବାଲା ନେତ୍ରମଣି ପାଇଁ କୁଡ଼ିଆଟେ ତିଆରି କରିଦେଲେ। କୁଡ଼ିଆ ତ ନୁହେଁ, ସତେ ଯେପରି କବର ଦେଉଛନ୍ତି। ବୁଢ଼ୀକୁ ପଠଉଛନ୍ତି ହାଣ ମୁହଁକୁ । ଏଇ ପ୍ରଥମ ଥର ପାଇଁ ଗ୍ରାମବାସୀ ଗୁଣୁଗୁଣୁ ହେଲେ, ରାଉତେଙ୍କର ଏଇଟା କେମିତି ବିଚାର ହେଲା ? ବୁଢ଼ୀଟାକୁ କଲେ ହାତୀଜଗୁଆଳି ! ଜୀଅନ୍ତା ମଣିଷଟାକୁ ଜୁଇଗାତରେ ପେଲି ଦେବା କଥା !!
କିନ୍ତୁ ନେତ୍ରମଣି ବହୁତ ଖୁସୀ । କାରଣ, ମାସକର ଆଗୁଆ ଦରମା ସହିତ ସେ ପାଇଛି ଗୋଟିଏ ଅପୂର୍ବ ସୁନ୍ଦର ଜିନିଷ। ଗୋଟାଏ ନୂଆ ଲଣ୍ଠନ। ରୂପା ପରି ଚକ୍ ଚକ୍ ତା’ ଦେହ, ଆଉ ଟିକିଏ ବି ଫାଟି ନ ଥିବା ସ୍ୱଚ୍ଛ ସୁନ୍ଦର କାଚ। ସାଥିରେ ପୁଣି କିରାସିନି। ଅନେକ… ଅନେକ ବର୍ଷ ତଳେ, ବାହାଘର ବେଳେ, ନେତ୍ରମଣିର ବହୁତ ଇଚ୍ଛା ଥିଲା ବାପଘରୁ ଲଣ୍ଠନଟେ ନେବ। ହେଲେ ଅଚାନକ ଝଡ଼ରେ ଛପର ଉଡ଼ି ଯାଇଥିବା ଘର ସଜାଡ଼ୁ ସଜାଡ଼ୁ ତା’ର ଅସହାୟ ବାପା ତାକୁ ଏଇ ଦାମୀ ଦୁର୍ଲଭ ଜିନିଷଟି ଦେଇ ପାରି ନ ଥିଲେ। ଚଉଦ ବର୍ଷର କଳା ମଚମଚ ଆଖିର ସ୍ବପ୍ନ ନେଇ ସେ ସ୍ବାମୀକୁ ମାଗିଛି। ସ୍ବାମୀ କଥା ଦେଇଥିଲା ଲଣ୍ଠନଟେ ଆଣିଦେବ। ସେ କଥା ରଖିନି। କଥା ରଖି ନାହାନ୍ତି ତା’ ପୁଅ କିମ୍ବା ନାତି। ତା’ ବୋଲି କ’ଣ ନେତ୍ରମଣିର ଆଖିରୁ ସ୍ବପ୍ନ ଲିଭି ଯାଇଛି !
ଆଜି ଏତେ ବର୍ଷ ପରେ ପଞ୍ଚାୟତ ଅଫିସ୍ରୁ ଲଣ୍ଠନଟେ ପାଇ ନେତ୍ରମଣିର ସବୁ ଦୁଃଖ ଚାଲିଯାଇଛି। ସତେଅବା ସେ ଆଜି ନୂଆ ଜନ୍ମ ହୋଇଛି, ଆଜି ପୁଣି ନବବଧୂ ହୋଇଛି, ପୁଣି ଆଜି ନୂଆ କରି ସ୍ୱପ୍ନ ଦେଖୁଛି। ଅଥଚ ଗାଁବାଲା ତାକୁ ଜୀବନରୁ ପାଣି ଛଡ଼ାଇଲା ପରି ନେଇ ସେହି କୁଡ଼ିଆରେ ଛାଡ଼ି ଦେଇ ଆସିଲେ। ସେମାନଙ୍କ ଆଖି ଛଳଛଳ, ବୁଢ଼ୀର ଯେ ଆଜି ଶେଷରାତି !
ରାତି ଗଭୀର ହେଲା। ବୁଢ଼ୀ ଚାହିଁଛି। ଲଣ୍ଠନର ଆଲୁଅରେ ତା’ ଘରଟା କି ସୁନ୍ଦର ଦିଶୁଛି! ଏଇ ସମୟରେ ସେ ଆସିଲା। ଯାହା ପାଇଁ ଏତେ ପ୍ରତୀକ୍ଷା। ସେଇ କଳାଘୁମର ପାହାଡ଼, ସେଥିରେ ଦୁଇ ଧଳା ତରୁଣ ଦାନ୍ତ। ନେତ୍ରମଣି ଦେଖିଲା ହାତୀଟାର ବେଶୀ ବୟସ ନୁହେଁ। ସେଇଥିପାଇଁ ବୋଧହୁଏ ସେ ମଣିଷ ସହିତ ଲଗାଇଛି ଏମିତି ନାଟ। ସେ ଗୋଡ଼ ପିଟିପିଟି ବୁଢ଼ୀକୁ ଡରାଇବାକୁ ଚେଷ୍ଟା କଲା। ହେଲେ, ଯାହା ପାଖରେ ଲଣ୍ଠନ ଥାଏ, ତା’ର କୋଉ ଡର ଯେ ! ମୁରୁକି ହସି ନେତ୍ରମଣି ଲଣ୍ଠନ ଧରି ଆଗେଇଗଲା।
ଇୟେ ସେହି ପଦକ୍ଷେପ, ଯେଉଁଥିରେ ସେ ବାପଘରୁ ଆସିଥିଲା। ପାଲିଙ୍କିରୁ ଓହ୍ଲାଇ ଗୋଡ଼ ଦେଇଥିଲା ତା’ ଶାଶୂଘରେ। ଇୟେ ସେହି ପଦକ୍ଷେପ ଯେଉଁଥିରେ ସେ ମୃତ ସ୍ବାମୀକୁ ନେଇ ଶ୍ମଶାନ ଯାଇଥିଲା। ପୁଣି ଦିନେ ବିଧବା ପୁତ୍ରବଧୂର ଥରିଲା ହାତକୁ ମୁଠାଇ ସାହାରା ଦେଇଥିଲା। ତଥାପି ତ ସେସବୁ ଦିନରେ ତା’ର ଲଣ୍ଠନ ନ ଥିଲା, ବଡ଼ ଅନ୍ଧାର ଥିଲା ଦିନଗୁଡ଼ିକ।
ସେ ହାତୀ ପାଖରେ ପହଞ୍ଚିଲା। ଆଲୁଅ ଉଞ୍ଚାଇ ଦେଖିଲା ତା’ର ତରୁଣ ମୁହଁ, ଛୋଟ ଛୋଟ କୌତୁକିଆ ଆଖି। ଆଜି ସେଠି କାହିଁକି କେଜାଣି ଟିକିଏ ଅବୁଝା ଡର। ବୁଢ଼ୀ କହିଲା ନରମ ସ୍ବରରେ, ‘‘ଯା’ରେ କଳାପାହାଡ଼, ଘରକୁ ଯା’। ଚୋରି ତିଅଣରେ କାହା ପେଟ କେବେ ପୂରିଲାଣି !” ହାତୀ କାନ ପିଟି ହେଲା। ବୁଢ଼ୀ ଏବେ ଆଉ ଲାଠିରେ ଭରା ଦେଇ ନୁହେଁ, ବହୁତ କଷ୍ଟରେ ଅଣ୍ଟା ସଳଖି ଠିଆ ହେଲା। ତା’ପରେ ବରଫ ଶୀତଳ କଣ୍ଠରେ କହିଲା, “ଫେରି ଯା’ ହାତୀପୁଅ। ଲଣ୍ଠନଟା ତେଲ କମିବାରୁ ଦପ୍ଦପ୍ ହେଲା। ନେତ୍ରମଣି ଓ ହାତୀ ଦୁହେଁ ଦୁହିଁଙ୍କୁ ଅନାଇ ରହିଲେ। ସ୍ଥିର, ତୀବ୍ର ଚାହାଣି। ନେତ୍ରମଣିର ପଲକ ପଡ଼ିଲାନି। ହାତୀ ଦେଖିଲା ବୁଢ଼ୀର ସେହି ଦୁଇ ଆଖି ଯେଉଁଠି ଜୀବନ ଓ ମୃତ୍ୟୁର ସୀମାରେଖା ହଜି ଯାଇଛି। ଆସ୍ତେ ମୁହଁ ବୁଲାଇ ସେ ଚାଲିଗଲା।
ସକାଳୁ ଗାଁବାଲା ଆସିଲେ ବୁଢ଼ୀର ଶବ ଉଠାଇବାକୁ। ଦେଖିଲେ ବଡ଼ ନିଶ୍ଚିନ୍ତରେ ସେ ଶୋଇଛି। ବାହାରେ ହାତୀର ପାଦଚିହ୍ନ, ଗଛର ଡାଳ ଭଙ୍ଗା। ହାତୀ ଆସିଥିଲା ଏବଂ ଫେରିଯାଇଛି। ନଷ୍ଟ ହୋଇନି ଫସଲ। ସଫଳ ଜଗୁଆଳି ନେଉଛି ବିଶ୍ରାମ। ଆଶ୍ଚର୍ଯ୍ୟ ହୋଇ ଗାଁବାଲା ଭାବିଲେ ବୁଢ଼ୀ ନିଶ୍ଚୟ କିମିଆ ଜାଣିଛି।
କିମିଆ ବୋଧହୁଏ, ସତରେ କିଛି ଗୋଟିଏ ହୋଇଥିଲା। ଯଦିଓ ସେଇଟା ବୁଢ଼ୀ ବା ହାତୀ କେହି କରି ନ ଥିଲେ। ଏ କିମିଆଟା ପରା ଆପେ ଆପେ ହୁଏ । ସେଥିପାଇଁ ରାତିରେ ପୁଣି ସେ ଆସିଲା। ଆଜି ଆଉ ଫସଲରେ ମୁହଁ ନ ମାରି ଆସି ବସିଲା ବୁଢ଼ୀ ଓ ଲଣ୍ଠନ ପାଖରେ । ସେ ବି ଆଗରୁ ନିଆହୁଳା ଦେଖିଥିଲା। ହେଲେ, ଲଣ୍ଠନ ଦେଖିବା ଏଇ ପ୍ରଥମ। ବୁଢ଼ୀ ତା’ ଦେହରୁ ଧୂଳି ଝାଡ଼ି ଦେଇ କହିଲା, “ଏମିତି ବାତରା କାହିଁ ହେଉଥିଲୁ ? ଫସଲ ଚୋରି କଲେ ଲୋକେ କ’ଣ କହିବେ କହିଲୁ ?”
ତା’ ପରଠାରୁ ରାତି ସବୁ ବିତିଗଲା ଏମିତି ।
ପ୍ରତି ମାସରେ ପାହାଡ଼ରୁ ଓହ୍ଲାଇ ନେତ୍ରମଣି ଯେତେବେଳେ ପଞ୍ଚାୟତ ଅଫିସ୍ ଆସେ ତାର ଖୋରାକି ନେବାପାଇଁ, ଲୋକେ ସେତେବେଳେ ମନେ ପକାନ୍ତି, ଆରେ, ଆରେ ହାତୀବୁଢ଼ୀ ବଞ୍ଚିଛି ! ମା’ମାନେ ରାତିରେ ପିଲାଙ୍କୁ ଶୋଇଲା ବେଳେ ଗପ କହନ୍ତି… ‘ସେଇ ଯେ ପାହାଡ଼ ପାଖ ଅଗନାଅଗନି ବନସ୍ତ। ସେଇଠି ଥାଏ ଗୋଟିଏ ହାତୀ ବୁଢ଼ୀ। ଜଙ୍ଗଲର ହାତୀ ସବୁ ତାକୁ ଶୁଣ୍ଢରେ ଟେକି ସ୍ୱର୍ଗ ବୁଲାଇ ଆଣନ୍ତି। ତା’ ଲଣ୍ଠନରେ ହାଲୋଳ ଦିଶେ ସ୍ୱର୍ଗର ରାସ୍ତା।”
ନେତ୍ରମଣି ଏଇପରି ମଣିଷରୁ ଉପକଥା ପାଲଟି ଯାଏ। ଉପକଥାର ମୃତ୍ୟୁ ନାହିଁ, ହେଲେ ମଣିଷର ଅଛି। ବୁଢ଼ୀ ଆଉ ପଞ୍ଚାୟତ ଅଫିସ୍ ନ ଆସିବାରୁ ଲୋକେ ତା’ କୁଡ଼ିଆକୁ ଯାଇ ଦେଖିଲେ, ନେତ୍ରମଣି ଆଉ ନାହିଁ। ମଣିଷ ପାଇଁ ଅପେକ୍ଷା ନ କରି ମାଟି ହିଁ ତା’ର ସତ୍କାର କରିସାରିଛି। ତା’ ଆଦିମ ଦେହଟା ଏବେ କେବଳ କିଛି ଗେରୁଆ ମାଟି। କିନ୍ତୁ କୁଡ଼ିଆରେ ତା’ର ଲଣ୍ଠନଟା ନାହିଁ ।
ଦିନେ ବନ ବିଭାଗର ଲୋକସବୁ ଜଙ୍ଗଲ ପରିଦର୍ଶନରେ ଯାଇ ଦେଖିଲେ, ଦୂର ପାହାଡ଼ ଉପରେ ଗୋଟିଏ ହାତୀ ଛିଡ଼ା ହୋଇଛି। ତା’ ଶୁଣ୍ଢରେ ଗୋଟିଏ ଲଣ୍ଠନ। ସେ ବୋଧହୁଏ ଭାବୁଥିଲା ଏଇ ମଣିଷ ଭିତରୁ ଯଦି କେହି ତା’ ଲଣ୍ଠନଟା ଜାଳି ଦେଇଥାନ୍ତେ ! ହେଲେ ସେ ତ ଜାଣେନା ଯେ ସବୁ ମଣିଷ ନେତ୍ରମଣି ନୁହଁନ୍ତି କିମ୍ବା ସବୁ ଲଣ୍ଠନ କେବଳ କିରାସିନିରେ ଜଳେନା।
There are 11 comments
Whats app ରେ ପହଞ୍ଚିଛି ଏହି ମନ୍ତବ୍ୟ। ରବିନାରାୟଣ ବାବୁଙ୍କୁ ଆନ୍ତରିକ ଧନ୍ୟବାଦ ସହ ଶୁଭେଚ୍ଛା।
………………………….
ରଜସଂଖ୍ୟା ଚଉକାଠ ବହୁତ ଭଲ ଲାଗିଲା। ଚମତ୍କାର ଗପ ହାତୀ ଓ ଲଣ୍ଠନ। ଗଳ୍ପ ପଠନର ଶୈଳୀ ଓ ସ୍ଵର ମନ୍ତ୍ରମୁଗ୍ଧ କରୁଛି। ଉଚିତ ଭାବର ଉପସ୍ଥାପନା ଗଳ୍ପଶ୍ରୋତାଙ୍କୁ ମୁଗ୍ଧ କରୁଛି। କବିତା ସବୁ ବି ଭଲ ହେଇଛି। ସତ୍ୟରଞ୍ଜନ ପ୍ରହରାଜଙ୍କ
କବିତା superb. ମଧୁରମ୍ ମଧୁରମ୍… ଅତୁଳନୀୟ 👌👌👌।
ସମ୍ପାଦକୀୟ nice…।
ରବିନାରାୟଣ ପାଣିଗ୍ରାହୀ
ଚେରୁଆପଡ଼ା, ସମ୍ବଲପୁର
ହାତୀ ଓ ଲଣ୍ଠନ ଗଳ୍ପ ଉପରେ ଆପଣଙ୍କର ଏଇ ସୁନ୍ଦର ପ୍ରତିକ୍ରିୟା ସହ ଚଉକାଠ ରଜସଂଖ୍ୟା ଉପରେ ସଂକ୍ଷିପ୍ତ ଅଥଚ ସାମଗ୍ରିକ ଆକଳନ ଆମକୁ ଉତ୍ସାହିତ ଓ ଅନୁପ୍ରେରୀତ କରିଛି। ଏଣୁ ଅଶେଷ ଧନ୍ୟବାଦ ଜାଣିବେ। ରଜ ଅଭିନନ୍ଦନ ବି। ଏହି ମନ୍ତବ୍ୟ ଗାଳ୍ପିକାଙ୍କୁ ଜଣାଇ ଦେଉଛୁ।🙏🌹🙏
Beautiful writing.
ସଟରେ, ଭାରି ବଢ଼ିଆ ଲାଗିଲା.
Something हटके।
ବହୁତ ଭଲ ଲାଗିଲା ଗପଟି
ଗାଳ୍ପିକାଙ୍କୁ ଅନ୍ତରରୁ ଧନ୍ୟବାଦ ସହ ପ୍ରଣାମ
ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ୍। ଏହା ଲେଖକ ଓ ପତ୍ରିକା ଉଭୟଙ୍କୁ ଅନୁପ୍ରେରିତ କରିବ।
ଅଶେଷ ଧନ୍ୟବାଦ୍। ଏହି ମନ୍ତବ୍ୟ ଆମେ ଗଳ୍ପିକାଙ୍କୁ ଜଣାଇଦେଉଛୁ।
🙏🙏🙏
ଏହି ମନ୍ତବ୍ୟ ଭୁବନେଶ୍ୱରରୁ ଦେଇଛନ୍ତି ଶ୍ରୀ ପାରେଶ୍ୱର ଦାସ…
———————–
ପ୍ରକାଶିତ ଲେଖାମାନ ଭଲ, ପଠନ ଆହୁରି ଭଲ । ହାତୀ ଓ ଲଣ୍ଠନ ଗଳ୍ପରେ ନେତ୍ରମଣିଙ୍କ ସମୟର ସମାଜ ଓ ସେ ସମୟରେ ଲଣ୍ଠନର ମୂଲ୍ୟ….ଅନେକ ଭାବପ୍ରବଣତାର କଥା କହେ…ବଢିଆ.. ଗାଳ୍ପିକା ଙ୍କୁ ଧନ୍ୟବାଦ।
ସ୍ନେହ ଓ ପ୍ରେମରେ ବନ୍ଧା ସାରା ସଂସାର । ପଶୁ ଓ ମଣିଷ ଭିତରେ ଭାବଗତ ସମ୍ପର୍କର ଅନନ୍ୟ ଗଳ୍ପ। ହାତୀ ଓ ଲଣ୍ଠନ ଗଳ୍ପ ପାଇଁ ଗାଳ୍ପିକାଙ୍କୁ ଅନେକ ଧନ୍ୟବାଦ।
ଖୁବ ସୁନ୍ଦର ଗଳ୍ପ l ଉପସ୍ଥାପନା ଶୈଳୀ ବି ଚମତ୍କାର l ଧନ୍ୟବାଦ ମାଡାମ 🙏
super, unique story.
so powerful message. very much impressed by this story. My favorite writer Supriya mam.
Thanks Trinath babu for giving us a chance to read such a b
eautiful story.
‘ହାତୀ ଓ ଲଣ୍ଠନ ‘ ମତେ ମୁଗ୍ଧ କଲା। ପଶୁ କି ମଣିଷ ଭଲ ପାଇବା ନିକଟରେ କେତେ ସୁନ୍ଦର ସତେ!
ସମ୍ପର୍କର ଏ ପ୍ରିୟ ପ୍ରକାଶ ମୋର ଅନେକ ଦିନ ଯାଏ ମନେ ରହିବ।