
ପ୍ରତିଦିନ ସେଇ ଷ୍ଟାଫନର୍ସ ମୋ ବେଡ଼ ପାଖକୁ ଆସନ୍ତି । ତାଙ୍କୁ ସମସ୍ତେ ଇନ୍ଦିରା ବୋଲି ଜାଣନ୍ତି । ଡକ୍ଟରଙ୍କ ପ୍ରେସକ୍ରିପସନ୍ ଅନୁଯାୟୀ ମତେ ଇଞ୍ଜେକସନ, ଟାବ୍ଲେଟ କେମିତି ଖାଇବି ବତେଇ ଦିଅନ୍ତି । ମୋ କାମ ସାରିଦେଇ ମୋ ବେଡ଼କଡରେ ତଳେ ବସନ୍ତି । କ’ଣ କରନ୍ତି ମୁଁ ଜାଣିପାରେନି । କାରଣ ମୁଁ ବେଡରୁ ଉଠିପାରେନି । ପ୍ରାୟ ଅଧଘଣ୍ଟା ବସନ୍ତି । ଉଠି କି ଗଲା ବେଳକୁ ମତେ ଟିକେ ଚାହିଁ ହସିଦିଅନ୍ତି । ମୁଁ ଖାଲି ସ୍ମିତ ହସିଦିଏ । ସେ ତାଙ୍କ କାମରେ ଚାଲି ଯାଆନ୍ତି ।
ଦେଖିବାକୁ ଗୋଟିଏ ଚାଉଳରେ ଗଢା । ଅଳତା-ଦୁଧ-ମିଶା ଦେହର ରଙ୍ଗ । ଅପୂର୍ବ ରୂପଲାବଣ୍ୟ ସାଙ୍ଗକୁ ଚାଲି ପୂରା କ୍ୟାଟ ଷ୍ଟାଇଲ । ବେଡରେ ଶୋଇ ଶୋଇ ମୁଁ ଦେଖେ, ଇନ୍ଦିରା ଦିଦି ଆସିଲେ କେମିତି ଗୋଟେ ତରଙ୍ଗ ଖେଳିଯାଏ । ଡାକ୍ତର ତ ଡାକ୍ତର ରୋଗୀ ବି ଫିଦା ତାଙ୍କର ମଦହୋଶୀ ଯୌବନ ଦେଖି ।
ମତେ ଲାଗେ ଇନ୍ଦିରା ଦିଦିଙ୍କୁ ବିଧାତା ଫୁରସତରେ ଗଢିଛି । ଦୁନିଆର ସବୁତକ ସୌନ୍ଦର୍ଯ୍ୟ ଖଞ୍ଜି ଦେଇଛି ତାଙ୍କ ଠାରେ । ମୁଁ ବେଡ଼ ଉପରେ ଶୋଇ ଦେଖିଛି, କିଛି କାରଣ ନଥାଇ ବି ଡକ୍ଟର କେମିତି ଇନ୍ଦିରା ଦିଦିଙ୍କୁ ବିଭିନ୍ନ ବାହାନା କରି କାମରେ ଲଗାନ୍ତି । ଲୋଭିଲା ଲୋଭିଲା ଆଖିରେ ଚାହାନ୍ତି । ମୁଁ ସବୁ ବୁଝି ପାରେ, କିନ୍ତୁ ଚୁପ ରହେ । ଇନ୍ଦିରା ଦିଦି କଣ ବୁଝନ୍ତି କି ନାହିଁ କେଜାଣି ?
ସେ ୱାର୍ଡରେ ତାଙ୍କର ଡିଉଟି କରି ଚାଲିଯାଆନ୍ତି । ଯେଉଁ କେତେ ସମୟ ସେ ମୋ ପାଖରେ ଠିଆ ହୁଅନ୍ତି, ବାପ୍ ରେ କି ବାସ୍ନା ତାଙ୍କ ଦେହ । କି ଅତର ମାଖିଥାନ୍ତି କେଜାଣି ?
ଇନ୍ଦିରା ନର୍ସଙ୍କ ବେଳେ ବେଳେ କ’ଣ ହୁଏ କେଜାଣି, ମୋ ବେଡ଼ ପାଖରେ ଠିଆ ହେଇ ବେଶ ଭଲମନ୍ଦ ପଚାରି ଦିଅନ୍ତି । ତାଙ୍କ ହାବଭାବରୁ ଜଣାଯାଏ, ସେ ଯେମିତି ପ୍ରେମରେ ପଡିଯାଇଛନ୍ତି । ମୁଁ ଭଲରେ କଥା ହେଇ ପାରୁନଥାଏ । ତଥାପି ଖନେଇ ଖନେଇ ପଚାରେ, ଆଉ ବାହାଘର କେବେ ହଉଛି ? ସେ ମୁରୁକି ହସି ଦିଅନ୍ତି । କିଛି ଉତ୍ତର ଦିଅନ୍ତିନି । ତାଙ୍କ ହସରୁ ମୁଁ ଜାଣିପାରେ ସେ ପ୍ରେମରେ ପଡି ଯାଇଛନ୍ତି ବୋଲି । ମୁଁ ବେଶି ଖୋଳିତାଡି ପଚାରେ ନାହିଁ । କାଳେ ଖରାପ ଭାବିବେ ।
ସବୁ ଦିନ ଇନ୍ଦିରାନର୍ସ ମୋ ବେଡ୍ ପାଖକୁ ଆସନ୍ତି । ମୋ କଥା ବୁଝି ସାରି କଡରେ ତଳେ ବସିପଡନ୍ତି । କିଛି ସମୟ ପରେ ଉଠି ଚାଲିଯାଆନ୍ତି ।
ଦିନେ ହଠାତ ମତେ ଆସି ପଚାରିଲେ, ଏଇ ତୁମ ବେଡକଡରେ ତଳେ କାନ୍ଥ ପାଖକୁ ଲାଗି ଯୋଉ ପିଲାଟା ଆଡ଼ମିଟ୍ ହେଇଥିଲା ସେ କୁଆଡେ ଗଲା ? ମୁଁ କହିଲି, ମୁଁ ଦେଖିନି। କିଛି କହି ପାରିବିନାହିଁ । ମତେ ବେଡ ଉପରୁ ତଳ ଦେଖାଯାଏନାହିଁ । ତୁମେ ଆଉ କାହାକୁ ପଚାର ।
ଲୁହ ଛଳ ଛଳ ହେଇଗଲା ଇନ୍ଦିରା ନର୍ସଙ୍କ ଆଖି । ମୁଁ ପଚାରିଲି, କାନ୍ଦୁଛ କାହିଁକି ? ସେ ନୀରବ ରହିଲେ । ତାଙ୍କ ଭାବଭଙ୍ଗୀରୁ ଜାଣିଲି ସେ ସେଇ ଟୋକାକୁ ସମ୍ଭବତଃ ମନ ଦେଇ ଦେଇଛନ୍ତି । ମୁଁ ପଚାରିଲି, ତୁମେ ତା ଆଡ଼ମିଶନ ରେଜିଷ୍ଟରରୁ ଠିକଣାଟା ଦେଖି ଫୋନଫାନ କରୁନ.. !! ରୁମାଲ ରେ ଆଖି ପୋଛି ଦେଲେ ସେ । କହିଲେ, ହଁ ସେ କହିଥିଲା ଘରକୁ ଯିବା ପୂର୍ବରୁ ମତେ ଠିକଣାଟା ଦବ । ଖୁବ୍ ଆର୍ଦ୍ର ଶୁଭୁଥିଲା ଇନ୍ଦିରା ନର୍ସର କଣ୍ଠସ୍ବର ।
ମୁଁ କହିଲି, ତେବେ ଦେଖୁନ ଯଦି କିଛି ଲେଖାଲେଖି ଦେଇଥିବ । ମୋ କଥା ମାନି ଇନ୍ଦିରା ନର୍ସ ମୋ ବେଡ୍ ପାଖ କାନ୍ଥ ପାଖକୁ ଚାରିଆଡ଼େ ଦେଖିଲେ । ଖୁବ୍ ନିରୀକ୍ଷଣ କରି ଦେଖିଲେ, ଗୋଟେ ଜାଗାରେ ରକ୍ତ ଭଳି ରଙ୍ଗରେ ଲେଖା ହେଇଛି…, ମୁଁ ସ୍ବର୍ଗରେ ଅଛି। ପାରୁଛ ଯଦି ଆସ । ସେ ଜାଗାରେ ନା ସପ ଥିଲା, ନା ବେଡସିଟ୍ ଥିଲା, ନା ମେଡିସିନ ଥିଲା.. ! ନୂଆ ନୂଆ କେଇମାସ ହେବ ନର୍ସ ଭାବେ ଯୋଗଦେଇଥିବା ଇନ୍ଦିରା ବୁଝିପାରୁଥିଲେ ଯେ ଏତେ ଦିନ ଧରି ସେବା କରିବା ଆଳରେ ସେ ଯାହାକୁ ମନ ଦେଇଥିଲେ ସେ ଥିଲା ଗୋଟେ ଅଶରୀରୀ । ଭୟରେ ବଡ ପାଟି କରି ସେ ୱାର୍ଡ ବାହାରକୁ ଧାଉଁଥିଲେ । ମୁଁ ବେଡ଼ ଉପରେ ଇନ୍ଦିରା ନର୍ସଙ୍କୁ ତାଟକା ହୋଇ ଚାହିଁ ରହିଥିଲି କେବଳ ।
There are 2 comments
ଲେଖା ଟି ପ୍ରକାଶ କରିଥିବାରୁ ଧନ୍ୟବାଦ। ମୁଁ ଦୁଃଖିତ ଯେ ଆପଣ ଗଳ୍ପ କୁ ଲଘୁକଥା ବୋଲି ସୂଚୀପତ୍ର ରେ ଦର୍ଶାଇଛନ୍ତି।
ଚଉକାଠ ପକ୍ଷରୁ ଆପଣଙ୍କୁ ସ୍ବାଗତ । ସ୍ପଷ୍ଟ ମତାମତ ପାଇଁ ପୁନଃ ଧନ୍ୟବାଦ । ସୂକ୍ଷ୍ମ/କ୍ଷୁଦ୍ରଗଳ୍ପର ପ୍ରତିଶଦ୍ଦ ଲଘୁକଥା ଶୀର୍ଷକରେ ଏହି ବିଭାଗକୁ ନାମିତ କରାଯାଇଛି ମାତ୍ର । ପତ୍ରିକାରେ ସ୍ଥାନିତ ପ୍ରତ୍ୟେକ ଲେଖା ପ୍ରକାଶନ ହେତୁ ସମାନ ଗୁଣାତ୍ମକମାନ ବହନକରେ । ତେବେ, ପାଠକୀୟ ଅଭିମତ ଶିରୋଧାର୍ଯ୍ୟ ।