Home » Magazine » ସୌଭାଗ୍ୟବନ୍ତ ମହାରଣା : କବିତା : ଅନ୍ଧାରର ଅସ୍ମିତା

ସୌଭାଗ୍ୟବନ୍ତ ମହାରଣା : କବିତା : ଅନ୍ଧାରର ଅସ୍ମିତା

ଭାଗ୍ୟର ବିଡ଼ମ୍ବନା ଓ ବିଭ୍ରମ ଭିତରେ

ଅନ୍ଧାରର ଅସ୍ମିତାର ରୂପକଳ୍ପ

ଆଉ କ’ଣ ହୋଇପାରେ

ଯଦି ହାତ ପାପୁଲିରୁ ଉଭେଇଯାଏ

ମୋ ନିରୀହ ପାପର ଦାଗ

ଆଖିରୁ ସରିଯାଏ ଦୃଶ୍ୟବୋଧର ଅଙ୍ଗୀକାର

ମୁଁହର ମୁଖା ଯଦି ଶୋଷିନିଏ

ସୂର୍ଯ୍ୟାସ୍ତର ଶେଷ ରଙ୍ଗର ଇସ୍ତାହାର ?

ଚାଲି ଚାଲି ଥକି ପଡ଼ିବା ବେଳରେ

ରାସ୍ତାକଡ଼ର ଝଙ୍କା ବରଗଛ ହିଁ

ମୋତେ ଅପେକ୍ଷା କରିଥାଏ

ତା’ନିଜ ପ୍ରାଚୀନ କାହାଣୀ ଶୁଣେଇବାକୁ

ମୋ ଭିତରେ ଶୋଇପାଡ଼ିଥିବା

ଅନ୍ଧାରମାନଙ୍କୁ ନିଦରୁ ଉଠେଇ ।

ଅନ୍ଧାରର ଚିକ୍କଣ ଦେହ ପ୍ରତି ମୋ ଅନୁରାଗ ଦେଖି

ଆକାଶ ତା’ ଛାତି ସନ୍ଧିରେ ଲୁଚେଇ ରଖିଥିବା

ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରାଙ୍କୁ

ମୋ ସହ ଖେଳିବାକୁ ଦିଏନି

କାଳେ ସମ୍ପର୍କ ଉଜୁଡ଼ିଯିବାର ଭୟରେ !

ଏ ଅନ୍ଧାରର ମନୋଜ୍ଞ ଉତ୍ସବଟି

ଆଉ କେତେଦିନ ଚାଲିବ ରୂପ ଓ ରାଗ ସାଉଁଟି

ଚେତନାର ଚିତ୍ରପଟରେ ରଙ୍ଗଭରି

ମୋ ଭିତରେ ଲୁଚିଥିବା

ଆଲୁଅର ଭାବଭୂମି ଖୋଜିବାକୁ ।

ବୀଜ ଭିତରେ ଖୁନ୍ଦି ହୋଇଥିବା

ଶାଗୁଆ ସ୍ବପ୍ନ ସାକାର କରିବାକୁ

ମାଟି ଭିତରେ ଆତୁର ଥିବା ଆତ୍ମାଟିର

ଅବୁଝା ଓ ଅଥୟପଣର ଅନ୍ଧାରକୁ

ଟାକି ବସିଛି ଅରଣ୍ୟର ଉଲ୍ଲାସ ।

ଆଲୋକର ଫୁଆରାରେ ଆଲିଙ୍ଗି ନେଉଛି ସେ

ମୋ ଅବଶିଷ୍ଟ ଅନ୍ଧାରୁଆ ଆୟୁଷର

ବିଦ୍ରୋହୀ ଭଗ୍ନାଂଶ

ପାଇବା ଭିତରେ ମୋ ନ ପାଇବାର

ଆଦିମ ଅବଶୋଷ

There are 18 comments

    1. ନିଶ୍ଚିତ ଭାବରେ କବିଙ୍କ କାବ୍ୟଦୃଷ୍ଟି ଅନନ୍ୟ ଓ ପ୍ରଶଂସନୀୟ। ମନ୍ତବ୍ୟ ପାଇଁ ଧନ୍ୟବାଦ ଜଣାଉଛି।

    1. ଚେତନାର ଚିତ୍ରପଟରେ ରଙ୍ଗଭରି
      ମୋ ଭିତରେ ଲୁଚିଥିବା
      ଆଲୁଅର ଭାବଭୂମି ଖୋଜିବାକୁ

      Best line
      କବି ସୌଭାଗ୍ୟବନ୍ତ ସବୁବେଳେ ରହସ୍ୟର କଥା କହନ୍ତି,
      ଆଉ ଏ କବିତା ଆଉ ଟିକିଏ ପାହାଚ ଅତିକ୍ରମ କରିଛି,
      କବିତା ଭିତରେ ଚିତ୍ର ଦୃଶ୍ୟ ହେଉଛି

      କବିତାରେ କିନ୍ତୁ ସାଙ୍ଗୀଚିକତା ଓ ସାବଳୀଳତା ର ଅଭାବ ରହିଛି,
      ଅବସୋସ, ଅବଶୋଷ ନୁହେଁ

      1. ଅଶେଷ ହାର୍ଦ୍ଦିକ କୃତଜ୍ଞତା ଆପଣଙ୍କୁ ସୁଚିନ୍ତିତ ଅଭିମତ ପାଇଁ। ମୋ କବିତା ଭିତରେ ଲାଳିତ୍ଯ ଅଛି।

  1. Last three lines are superb.
    ” Niriha papo” is a new coinage of word and very challenging , very smart for interpretatation.
    “Alingi neichhi’ is another such coinage, very close and dear to heart.
    But I missed the main theme, may be due to my lack of ‘poetic Knowledge”

    However Congratulation, my dear poet.

    1. Your have observed the poem minutely from every corner and commented thereon, which is very much appreciable. Yes Mam, poetry itself creates new coinage of words to express the feelings of its poetic horizon; and poet Maharana is a respectable and renowned poet of our time.

      Thank you very much ma’am.
      🙏🙏🙏

    1. ଆପଣଙ୍କ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଓ ସମ୍ମାନ ସାର୍
      🙏🙏

  2. ଚମତ୍କାର ଲାଗିଲା ସାର୍ ଆପଣଙ୍କ ଅବଶୋଷର ଶବ୍ଦ ଗୁଚ୍ଛ। ପ୍ରଣାମ 🙏

  3. ଆପଣ ତ’ ସବୁବେଳେ ଭଲ ହିଁ ଲେଖନ୍ତି! ଏହା ବି ଗୋଟିଏ।

  4. ବିବିଧଙ୍କ ଗପ, କଵି ସୌଭାଗ୍ୟବନ୍ତଙ୍କ କବିତା ବେଶ ମନକୁ ଛୁଇଁଲା, ସମସ୍ତଙ୍କୁ ଅଭିନନ୍ଦନ, ଡଃ. ସୁରେଶ ଛୋଟରାୟ

Leave a Reply

Your email address will not be published. Required fields are marked *