Home » Magazine » ସୁରେଶ କୁମାର ନାୟକ : କବିତା : ବାଲିଯାତ୍ରା

ସୁରେଶ କୁମାର ନାୟକ : କବିତା : ବାଲିଯାତ୍ରା

ଚିହ୍ନରା ଦେଖଣାହାରୀ ମୁଁ

ମସ୍ତାନ ପରି ଟୋ ଟୋ ବୁଲୁଥାଏ

ଜୀବନର ଘୋ ଘୋ ବାଲିଯାତ୍ରାରେ ।

ଭଳିକି ଭଳି ଦୁଃଖଙ୍କ ବିପଣି

ରକମ ରକମ ପୀଡା଼ ଓ କଷଣଙ୍କ ରୋଷଣୀ

ତୁହାକୁ ତୁହା ଯନ୍ତ୍ରଣାର ଡାକବାଜି ଯନ୍ତ୍ରରେ କମ୍ପୁଥାଏ

ମୋ ଦେହର ବାଲିପଡ଼ିଆ ।

ଜୀବନକୁ ନେଇ ମୁଁ ଏତେ ଗମ୍ଭୀର ନୁହେଁ ମ !

ପେଟ ଭରିଥିଲେ ନିଜକୁ ଭାବେ ଗଜପତି

ଲାଗେ, ମୋ ଦୁଇକଡ଼େ ଦି’ଜଣ ଯେମିତି

ମୋ ମଥାପରେ ଟେକି ଧରିଛନ୍ତି ପାଟଛତି ,

ଗୋଡ଼ ହାତ ଚାଲୁଥିଲେ ମୁଁ ଦ୍ରୁତଗତି  ଛତ୍ରପତି

ଓଠରେ ପଦେ ଗୀତ ଗୁଣୁଗୁଣଉଥିଲେ ତ

ମୁଁ ସତସତିକା ଅକ୍ଷୟ ମହାନ୍ତି ।

ଜୀବନ ଆଉ କ’ଣ କି

ସୁଖ ବିକି ଦୁଃଖ କିଣୁଥିବା ଗୋଟେ ମେଳା ତ !

ଆଶା ଆକାଂକ୍ଷାର ରଙ୍ଗୀନ ବେଲୁନ

ଆତ୍ମବଡିମାର ପେଁକାଳି

ଦ୍ବନ୍ଦ୍ବ ଆଶଙ୍କା ଚକ୍ରିଦୋଳିର ମୀନାବଜାର ଭିଡ଼ରେ

ଛଳ ଛଦ୍ରମର ଠୁଙ୍କାପୁରି

କୂଟ କପଟର କୋବି କଷା

ଆରୋପ ଆକ୍ଷେପର ରାଗ ଜହଜହ

ଆଳୁଦମ -ଦହିବରା ପ୍ଳେଟରେ

ଝଲସୁଥାଏ ମୋ ମନର ମେଳଣ ପଡି଼ଆ ।

ଲକ୍ଷ ଲକ୍ଷ ଲୋକଙ୍କ ସମାଗମରେ ବି

ମୁଁ ଭୋଗୁଥାଏ  ମରୁଭୂମିର ଏକ୍ଲାପଣ,

କଡ଼ପଟିଆ ହୋଇ ଖଜୁରୀଗଛଟିଏ ପରି

ନିଜ ଦୀର୍ଘଶ୍ବାସରେ ନିଜେ ସିଝୁଥାଏ ।

କେହିଜଣେ ପଛରୁ କାନ୍ଧରେ ହାତ ଥୋଇ ପଚାରନ୍ତିନି

କେମିତି ଅଛ ସୁରେଶ ?

କେମିତି ଅଛନ୍ତି ତମ ଅନୁପ୍ରିୟା ?

ଆଉ ଛାୟାନ୍ଧକାର ତମ କବିତାର ଭାବଭୂଇଁ ?

କୋଳାହଳ ଭିତରେ ନିଜ ସହ ନିଜେ ବୁଲୁଥିଲାବେଳେ

ମନ ଚାହିଁଛି;

ହେଉ ପଛେ ସ୍ବାମୀ ସନ୍ତାନଙ୍କ ସହିତ

ଥରେ ଦେଖାହୋଇଯାଆନ୍ତେ କି ଅନୁପ୍ରିୟା !

ଲୁହର ଅତଡା ଖାଉଥିବା ଆଖିରେ

ନିରବରେ କୁହନ୍ତେ;

ଏଇ, ନିଜକୁ ଏମିତି ନାରଖାର କରି ରଖିଲେ ନା

ସତ କହୁଚି,

ଦିନେ ମରିଯିବି ତମ ଆଗରୁ, ଜାଣିଥା ।

ବେଲୁନବାଲା ଠାରୁ

ହୃଦୟାକୃତିର ମାଳେ ନାଲିବେଲୁନ  କିଣି

ସ୍ବପ୍ନ ପରି ଉଡ଼େଇଦିଏ

ଅତୀତର ହାଡି଼ଆପଠା ଆଡ଼େ,

ସୋଲ ତିଆରି ବୋଇତରେ ଅବଶିଷ୍ଟ ଯୌବନକୁ ବସେଇ

ଭସେଇଦିଏ

ମନ-ମହାନଦୀର ଅନାସକ୍ତ ନୀଳ ସୁଅରେ ,

ଧୂସର ସମୟ ପରି ପୁଡି଼ଆଏ ଚିନାବାଦାମ ଧରି

ରାସ୍ତାକୁ ଝୁଣ୍ଟିଝୁଣ୍ଟି ଘରକୁ ଫେରେ,

ଓଠ ଗାଉଥାଏ;

ଜିନ୍ଦେଗୀ କା ସଫର ,ହୈ ୟେ କୈସା ସଫର ।

ବାଲିଯାତ୍ରାର କାକରମିଶା ନାଲିଧୂଳିରେ

ମୁଁ ଅଜଣା ଗ୍ରହର ଏଲିୟନଟେ ପରି ଦିଶୁଥାଏ,

ଆଶ୍ବାସନାର ସାବୁନରେ  ସଫାସୁତରା ହୋଇ

ପୁଣି ତା ପରଦିନ ପହଞ୍ଚିଯାଏ ସେ ବିଚିତ୍ରବର୍ଣ୍ଣା ବାଲିଯାତ୍ରାରେ ।

There are 14 comments

  1. A new and absolutely a unique angle to look at as well as to depict Balijatra.
    The loneliness inspite of the huge crowed was found to be quite interesting.
    Words used are strong and characteristic of Balijatra.

    1. Yes, the depiction of Balijatra, in the verse of this poem, singing the psalm of life. Thanks a lot for your beautiful observations.
      🙏🙏

  2. ଚମତ୍କାର….. ବାଲିଯାତ୍ରାର ଅନୁଭୂତି କବିତାର କାହାଣୀ!!!!
    ସତରେ କବି କଣ ତାଙ୍କର ମନର ଯନ୍ତ୍ରଣା ଏବଂ କ୍ଷୋଭ ପ୍ରକାଶ କରିଛନ୍ତି ????
    ଯାହାକୁ ମୁଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ତବ୍ଧ ହୋଇ ଶୁଣୁଥିଲି । ବହୁତ ବହୁତ ଭଲ ଲାଗିଲା ବାଲିଯାତ୍ରାର କବିତା ।
    ଜୟ ଜଗନ୍ନାଥ🙏🌹🙏

    1. ଠିକ୍, ଏକଦମ୍ ଠିକ୍ କହିଛନ୍ତି ଆଜ୍ଞା।
      କବିତାରେ ଜୀବନବୋଧର ଜୀବନାନୁଭବ ଓ ଜୀବନକୁ ଏଭଳି ଭାବବୋଧରେ ଦେଖିବା ଓ ଦେଖେଇପାରିବା ହିଁ କବିଙ୍କର ପୋଖତ କବିକର୍ମର ନିଦର୍ଶନ। ଏଇ ସୁନ୍ଦର ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଆପଣଙ୍କୁ।

  3. ବାଃ ବାଃ
    ସତରେ ହୃଦୟସ୍ପର୍ଶୀ “ବାଲିଯାତ୍ରା”
    ଜୀବନର ବାଲିଯାତ୍ରା କି ସୁନ୍ଦର ଜୀବନ ଦର୍ଶନ
    କି ସୁନ୍ଦର ପରିକଳ୍ପନା
    ଧନ୍ୟବାଦ କବି
    ସାରସ୍ବତ ପ୍ରଣାମ

    1. ନିଶ୍ଚିତ ରୂପେ ଏହା ଏକ ମର୍ମଗ୍ରାହୀ ସଫଳ କବିତା। ଅଶେଷ ଶୁଭେଚ୍ଛା ଓ ସମ୍ମାନ ଏଇ ମନ୍ତବ୍ୟ ପାଇଁ।

  4. କୋଳାହଳରେ ଏକାକୀ ଓ ଏକାକୀତ୍ବରେ କୋଳାହଳମୟ ହୋଇ ବଞ୍ଚିବା ବୋଧହୁଏ କବିଟିଏର ଜୀବନ । ଏ ସଂସାର ଏକ ବାଲିଯାତ୍ରା , ରଙ୍ଗ ରୋଷଣୀ ଓ ରେରେକାରର ମେଳନ ପଡିଆରୁ ଆମେ କିଣୁଥାଏ ଖୁଚୁରା ଦୁଃଖମାନଙ୍କୁ ପାଇକାରୀ ଦରରେ । ଆଶା ଆକାଂକ୍ଷା ,ସ୍ବପ୍ନ ସମ୍ମୋହନ , ଆତ୍ମବଡିମା ଓ ଆତ୍ମରତିର ଆତ୍ମଘାତୀ ଦୁଃଖରେ ଆମେ ତଥାପି ଖୁସି ଖୁସି ଭାବ ଦେଖେଇ ବଞ୍ଚିଚାଲୁ । ପୂର୍ଣ୍ଣତାରେ ଶୂନ୍ଯତା ଭଳି ସତରେ ଆମେ ରିକ୍ତ ରକ୍ତାକ୍ତ । ତଥାପି କୋଉ ସଂସାର ଛାଡିଦିଏ କି ? ସେ ଅନ୍ଧମୁହାଣୀର ଡାକରାରେ ଧାବିତ ହେଉଥାଉ ନଦୀଟିଏ ପରି ।
    ବାଲିଯାତ୍ରା” ର ପଂକ୍ତିମାନଙ୍କୁ ଅନୁଶୀଳନ କରି ବରେଣ୍ଯା ସୁପ୍ରିୟା ପଣ୍ଡା ମାମ୍ , ରାଜେନ୍ଦ୍ର ପ୍ରସାଦ ନାୟକ ସାର୍ ଓ ପ୍ରତାପ କୁମାର ପଣ୍ଡା ସାର ସୁଚିନ୍ତିତ ମତାମତ ଦେଇଥିବାରୁ କୃତଜ୍ଞ ।
    “ଚଉକାଠ ” ପରିମିତ କଳେବରରେ ଅପରିମିତ ଭାବପ୍ରକାଶର ଏକ ପରିଚ୍ଛନ୍ନ ଆଇନା । ପ୍ରତିଟି ପୃଷ୍ଠାର ଭାବ ଭାଷା ଓ ବକ୍ତବ୍ଯ ସ୍ପଷ୍ଟ ଓ ସୁଖପାଠ୍ଯ । ସଂପାଦକ ବନ୍ଧୁ ତ୍ରିନାଥ ସିଂହଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ।

    1. ନିଶ୍ଚିତ ରୂପେ କବି… ଏଥିପାଇଁ ସସମ୍ମାନ ଶୁଭେଚ୍ଛା ଓ ଅଭିନନ୍ଦନ ଆପଣଙ୍କୁ। ଏହିପରି ସୁନ୍ଦର କବିତା ଓ ମନନଶୀଳ ଲେଖାର ସୌନ୍ଦର୍ଯ୍ୟ ହିଁ ଚଉକାଠକୁ ସୁନ୍ଦର କରିବ।
      ଅଶେଷ ଧନ୍ୟବାଦ ଆପଣଙ୍କୁ।

  5. କବିତାର ଆବୃତ୍ତି ଓ ଭାବର ଶବ୍ଦରେ ଏମିତି ହଜିଗଲି ସାର୍ କେତେବେଳେ ଆରମ୍ଭ ହୋଇ କେତେବେଳେ ସରିଗଲା ଜାଣି ହେଲାନି। ଜୀବନର ଆଦ୍ରତା ବାଲିଯାତ୍ରା। ପ୍ରଣାମ ସାର୍ 🙏

    1. କବିତା ଉପରେ ସୁନ୍ଦର obsetvation ପାଇଁ ଅଶେଷ ଧନ୍ୟବାଦ ଆପଣଙ୍କୁ।

  6. ଜୀବନକୁ ନିକଟରୁ ବୁଝିବାର ଆଉ ଏକ କବିତା। ଭଲ ଲାଗିଛି 🙏!

  7. ସୁରେଶ ନାୟକଙ୍କ କବିତା ସବୁବେଳେ ପାଠକକୁ ଭସେଇ ନିଏ, ତାଙ୍କ କବିତାରେ ଏକା ଏକା ନାୟକଟିଏ ସବୁବେଳେ ବାଟ କାଟୁଥାଏ କୋଳାହଳ ଭିତରେ

    ବାଲିଯାତ୍ରା କବିତା ଖୁବ୍ ଛୁଇଁଲା, ନିଆରା ,ଗଭୀର, ବିସ୍ତାର
    ଧନ୍ୟବାଦ୍ କବି ଓ ସମ୍ପାଦକଙ୍କୁ

  8. ଜୀବନ ଆଉ କଣ କି,
    ସୁଖ ବିକି ଦୁଃଖ କିଣୁଥିବା ଗୋଟେ ମେଳା ତ !
    ସୁରେଶ ନାୟକଙ୍କ ବାଲିଯାତ୍ରା କବିତାର ଭାବବିନ୍ଯାସ ସୁନ୍ଦର ଓ ଚିତ୍ତାକର୍ଷକ। କବିତାରେ ଚିତ୍ରକଳ୍ପ ଓ ଉପମାର ପ୍ରୟୋଗ ବେଶ୍ ମନୋଜ୍ଞ।
    କବି ସୁରେଶ ନାୟକ ଓ ସଂପାଦକ ତ୍ରିନାଥ ସିଂହଙ୍କୁ ଅଶେଷ ହାର୍ଦ୍ଦିକ ଅଭିନନ୍ଦନ ଓ ସୁମନାସ।

Leave a Reply

Your email address will not be published. Required fields are marked *