Home » Magazine » କବିତା : ଦେଶ

କବିତା : ଦେଶ

।। ସୁଧୀର ମେହେର ।।

କେତେ ସ୍ବପ୍ନ

ଦେଖି ନଥିଲା ସତେ– ଏଇ ଆଖି ।

ଛମ୍ ଛମ୍ ପାଉଁଜି ପିନ୍ଧି

ଝରଣା ସବୁ

ଓହ୍ଲେଇ ଆସିବେ ଗାଁ ଦାଣ୍ଡକୁ,

ପିଲାଏ

ଭଳିକି ଭଳି ଡଙ୍ଗା ଭସେଇ

ନାଚୁଥିବେ ତାଳିମାରି ।

ନୀଳ ଆକାଶରେ

ଭାସିଯାଉଥିବ ଥଲ୍କା ଥଲ୍କା ମେଘ,

ପିଲାଏ  

ପହଁରୁଥିବେ ହଳେ ହଳେ ଡେଣା ବାନ୍ଧି ।

କିଚିରି ମିଚିରି ଶବ୍ଦରେ

ଫର୍ଚ୍ଚା ହୋଇ ଆସୁଥିବ ସକାଳ,

ଶୁଦ୍ଧପୁତ ପିଲାଙ୍କ କଣ୍ଠରୁ ଭାସିଆସୁଥିବ

ସଂଜୀବନୀ ମନ୍ତ୍ର– ଓଁକାର ।।

କିଛି ବି ହେଲାନି,

କାହାର ନଜର ପଡି଼ଲା କେଜାଣି…

ପିଲାଏ

ଝୁମି ଉଠିଲେ ଦମକାଏ ମତୁଆଲା ପଶ୍ଚିମା ହାଓ୍ବାରେ,

ଭୁଲିଗଲେ ନିଜ ନିଜର ସୁର-ଲୟ-ତାଳ

ଛାତିକୁ ମୁକୁଳାକରି

ଦେହସାରା ଚିତ୍ରେଇହେଲେ ନାନା ରଙ୍ଗର ଟାଟୁଜ୍

ଓଠରେ ନାଇଲେ ପ୍ରବଞ୍ଚନା,

ଛାତିରେ ବହଳେ କପଟ ।।

ବାସ୍,

ଏଥର ଓହ୍ଲେଇ ଆସିଲେ ରାଜରାସ୍ତାକୁ,

ଚାଲିଲା– ଦଙ୍ଗା ଫସାଦ୍,

ଲୁଟ୍ ତରାଜ୍, ଚୋରି-ଡକାୟତି, ଲୁଣ୍ଠନ–ଧର୍ଷଣ ।।

ଆଉ ଆମେ ସବୁ…. ?

ଜଣେ ଜଣେ ନିର୍ବାକ୍ ଦର୍ଶକ ।।

ବେଶ୍ ସମୟ ପରେ –

ଆମ ଭିତରୁ ପୁଞ୍ଜାଏ ଆସି – ଟାୟାର ଜାଳନ୍ତି,

ଝଣ୍ଡା ଉଠେଇ, ନାରା ଲଗେଇ

ପ୍ରତିବାଦ କରନ୍ତି କଣ୍ଠ ଫଟେଇ…

ପୁଞ୍ଜାଏ –

ମଉନରେ ଲୁହ ଝରାନ୍ତି ।

ମହମବତୀ ଜାଳି, ଫୁଲ ତୋଡ଼ା ଦେଇ

ବଳି ପଡ଼ିଥିବା ଆତ୍ମାକୁ ସତ୍ ଗତି ଦେଖାନ୍ତି…

ଶେଷ ପୁଞ୍ଜାକ –

ବଡ଼ବଡ଼ ଚଷମାତଳୁ ଚଉଷଠି ବର୍ଷ ତଳର

ପୁରୁଣା ମାଦଳା ଖୋଲି

ଜଳକା ପାଲଟି ଶୂନ୍ୟକୁ ହାତ ଟେକି ଦେଇ

ଲଥ୍ ହୋଇ ବସିପଡ଼ନ୍ତି ନିଜ ନିଜ ଚଉକିକୁ

ଜାବୁଡ଼ିଧରି….

ସତରେ….

ଏଇ କ’ଣ ମୋର ସେଇ ଦେଶ ?

ଯା’କୁ ମୁଁ ନିତିନିତି ସ୍ବପ୍ନରେ ଦେଖୁଥିଲି ?

ନା, ନା

ଇଏ ମୋର ସେଇ ଦେଶ ନୁହଁ ।

ଦିଅ,

ଫେରାଇ ଦିଅ,

ଫେରାଇ ଦିଅ ମୋର ସ୍ବପ୍ନର ଦେଶ ।।

There is 1 comment

  1. ଖୁବ୍ ସୁନ୍ଦର କବିତା। ଦେଶ କୁ ନେଇ ଅନେକ ସୁନେଲୀ ସ୍ଵପ୍ନ।
    ଗତକାଲି ଆଜି ଆଉ ଆସନ୍ତା କାଲି ପରିବର୍ତ୍ତନ ନିଶ୍ଚୟ ହେବ ଏଇ ଆଶା ସହ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

Leave a Reply

Your email address will not be published. Required fields are marked *