Home » Magazine » ମଝିରେ କାନ୍ଥ

ମଝିରେ କାନ୍ଥ

ମନଟା ଭାରି ଉଦାସ ଉଦାସ ଲାଗୁଥିଲା ସୁକୁମାରଙ୍କର । ମନ ତଳେ କେତେ ତ କଥା; କାହାକୁ ଧରିବେ, କାହାକୁ ଛାଡିବେ ! ଏବେ ଏତେ କଥାକୁ ବାଁରେଇ, ତାଙ୍କ ମନକୁ କଥାଟେ ଆସିଲା କେମିତି କେଜାଣି ! ସତ କହିଲେ, ସେ ଟିକିଏ ମନ ବଦଳାଇବାକୁ ଚାହିଁଲେ । ଯୋଗକୁ ‘ସ୍ବସ୍ତି’ ନାଟ୍ୟ ସଙ୍ଗଠନ କରୁଥାଏ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ । ସେ ପତ୍ନୀଙ୍କ ପାଖକୁ ଉଠିଗଲେ ଓ କହିଲେ, ଚାଲ ଆଜି ଆମେ ନାଟକ ଦେଖିଯିବା । ଆଜି ‘ସ୍ବସ୍ତି’ର ନିଜର ନାଟକ ଅଛି।

ସୁକୁମାରଙ୍କ ଏମିତି କେତେ କଥାକୁ ଶୁଣୁ ଶୁଣୁ ନା’ କହୁଥିବା ଲୋକ ସିଧା କହିଲେ, ହଁ, ଯିବା । କହିବା ବାହୁଲ୍ୟ, ତାଙ୍କ ମନରେ କିଛି କଥା ଲାଗି ରହିଥିଲା ଓ କିଛି କଥା ଚାଲିଥିଲା ।

ସେଦିନ ନାଟକ ମହୋତ୍ସବକୁ ମନ୍ତ୍ରୀଙ୍କୁ ଆମାନ୍ତ୍ରଣ । ତେଣୁ ସବୁ ଲେଟ୍ । ତାଙ୍କ ଆସିବା ଲେଟ୍ । କେତେ ପଛକୁ ଶେଷ ଭାଷଣ । ସବାଶେଷକୁ ନାଟକ । ଫେରୁଫେରୁ ଅନେକ ରାତି ହେଇଗଲା ।

ସେମାନେ ଆସିବାରୁ କବାଟ ଫିଟିଲା । ସେତିକି ଯାହା ପୁଅ କଲା  । ଉଁ କି ଚୁଁ କିଛି ନକହି କବାଟ ଫିଟେଇଦେଲା, ଭିତରକୁ ପଶିଗଲା ।

ଏମାନେ ଖାଇନଥିଲେ । ଖାଇବାବେଳ ଗଡିଯାଇଥିଲା । ଟିକିଏ ସମୟ ମଝିରେ । ସେଇଭିତରେ ଜାମାଜୋଡ଼ ଓହ୍ଲେଇବା, ହାତ ମୁହଁ ଧୋଇବା । 

ଏଥର ଖାଇବାବେଳ  । ଖାଇବାକୁ ବସିଲେ ସୁକୁମାର  । ବଢା଼ବଢି଼ କରିବାକୁ ହାଣ୍ଡିଶାଳକୁ ଗଲେ ଶୋଭା  ।

ନା…. । ନାହିଁ… କିଛି ବି ନାହିଁ । ଚୂଲି ଜଳିଛି । ରନ୍ଧା ହେଇଛି । ଅଥଚ ହାଣ୍ଡି ଗଡୁଛି ।

ଦେଖିଲାପରେ ଶୋଭାଙ୍କ ମୁହଁରେ ଭାଷା ନାହିଁ । ମନକୁ ସାଙ୍ଗେ ସାଙ୍ଗେ ତାଙ୍କର କେତେ କଥା, ଯୋଉ କଥାକୁ ସେ ସୁକୁମାରଙ୍କୁ କହିପାରିବେ ନାହିଁ । ସେ ନିର୍ବାକହୋଇ ସେଇଠି ସେଇ ଚଟାଣ ଉପରେ ବସିପଡ଼ିଲେ  । ମନରେ ରାଗ । କିଛି କଷ୍ଟ । ସେ ସହିପାରୁ ନଥିଲେ । ଆଖିରେ ଲୁହ ରହିଲାନି, ବହିଗଲା ।

ଶୋଭା ବସିବାଠୁ ଉଠିପାରୁନଥିଲେ । ବସିବାଠୁ ଉଠିଆସିଲେ ସୁକୁମାର ।

ଗୋଟେ ମୁହଁରୁ, ଟିକେ ଲୁହରୁ ଗୋଟିଏ ଜୀବନକୁ ସେ ଚିହ୍ନିଗଲେ । ସେଇଠି ତାଙ୍କ ଭିତରେ ନିଜର ହେଇ କିଛି କଷ୍ଟ ।  ଅଥଚ, ନିଜକୁ ସେ ଲୁଚେଇଦେଲେ । କହିଲେ, ଆମ ପାଇଁ କିଛି ନାହିଁ ତ.., ପାଣି ପିଇ ଆଜି ରାତିକ କାଟିଦେବା । ଏତେ ରାତି ହେଲାଣି, ଆଉ କ’ଣ କରିବା  ?

ଶୋଭାଙ୍କ ହୃଦୟଟା ଅଥୟ ହେଇଯାଉଥିଲା । ଉଠିଯାଇ କିଛି ଟିକିଏ କରି ପକେଇବାକୁ ତାଙ୍କ ମନ କହୁଥିଲା ।

ତାଙ୍କ ଭାବନା ସେଇମିତି ଚାଲିଛି, ସୁକୁମାର ତାଙ୍କ ହାତ ଧରି ଉଠାଇଲେ । ତା’ପରେ ସିଧା ବିଛଣାକୁ । ପାଣିମୁନ୍ଦେ ବି ପାଟିକୁ ନେଲେନାହିଁ । ଏଥର ନିରବ ନିଶ୍ଚଳ ସେଇ ଅନ୍ଧାର କୋଳରେ ଦୁଇଟି ଦେହ । ଦେହର ଗଭୀରତାରେ ଦୁଇଟି ଆତ୍ମା । ସେଇ ଆତ୍ମାର ଗଭୀରତାରେ ଜଣେ ଅନ୍ୟକୁ କହିବାର ଇଛା  । ହେଲେ, ତୁଣ୍ଡ ଫିଟୁନାହିଁ । ସୁକୁମାର ପିଠି ଘୁଞ୍ଚେଇ ଲାଗିଆସିଲେ ଶୋଭାଙ୍କ ପାଖକୁ । ଦେହକୁ ଦେହ ଛୁଇଁଗଲା । ଏଥର ଗୋଟଏ ଅନୁଭବ ଦୁଇଟି ଦେହରେ । ଆତ୍ମତଳଟା ସେଇଠି କେମିତି ପୃଥକହୋଇ ରହନ୍ତା  ! ମିଶିଗଲା  ।

ଦେହକୁ ଦେହ ମିଶିଯାଇଛି, ଆଖିରୁ ଲୁହ ବହିଯାଉଛି, ସେଇ ଭିତରେ ରାତି ବଢୁଥିଲା । କେତେ ରାତି ହେବ କେଜାଣି, ସେମାନଙ୍କ ଲୁହଭରା ଆଖିକୁ କେତେବେଳେ ନିଦ ଆସିଗଲା କେଜାଣି, ଆଖି ଫିଟେଇଲା ବେଳକୁ, ସକାଳ ।

ଏବେ ଆଖିକୁ ଚିହ୍ନେଇବା ପାଇଁ ଆଉ ଲୁହ ନାହିଁ । ସେଇ ଲୁହ ବଦଳିଯାଇ ଏବେ ପବନରେ । ସେଇଥିପାଇଁ କି କ’ଣ ଘରଟା ଭାରି ଭାରି ଲାଗୁଥିଲା । ଅଥଚ ଆଶ୍ଚର୍ଯ୍ୟ, ସୁକୁମାରଙ୍କ ଆଖିରେ ଖୁସି ଦିଶୁଛି । ମୁହଁ ଉପରେ ସେଇ ଖୁସିର ଛାଇ । ତାଙ୍କୁ ଦେଖିଲେ ଲାଗିବ, ତାଙ୍କ ଭିତରେ ଗତ ରାତିଟା ଯେମିତି ମରିଯାଇଛି ।

ଶୋଭା ଚାହିଁଲେ ତାଙ୍କୁ ଗୋଟାଏ ଅନ୍ୟ ଦୃଷ୍ଟିରେ। ରହିପାରିଲେ ନାହିଁ ସେ । ମନ କଥା ପାଟିରୁ ବାହାରି ପଡି଼ଲା, ‘ତୁମେ ସତରେ କୋଉ ପଦାର୍ଥରେ ଗଢା଼  ? ଏତେ ସବୁ ହେଉଛି, ଶେଷକୁ କାଲି ଭୋକରେ ରହିଲ, ହେଲେ ବି ତୁମ ଭିତରେ କିଛି ବି ପଶୁନାହିଁ… ?’ ସୁକୁମାର ହସିଲେ ଭାରି ସାନ ହସଟେ। କହିଲେ, ‘କଥା ମୁଠେଇଥିଲେ କଥା ରହିଥିବ । ମୁଠା ଛାଡି଼ଦେଲେ କଥା ଝଡ଼ିଯିବ ।‘ ଭାରି ଆବେଗିକ ଥିଲା ତାଙ୍କ କଣ୍ଠ  । ଯେମିତି ତୁଣ୍ଡ କଥା କହୁନି, ଆତ୍ମା କଥା କହୁଛି, ‘ସେ ଗତକାଲିର କଥା ହେଉ କି ଆଉ କୋଉ ବି ଦିନର କଥା ହେଉ କୋଉଠି ନା କଉଠି ବୁଝିବାରେ ଭୁଲ୍ ରହିଯାଉଛି ।‘

ଟିକିଏ ରହି ପୁଣି କହିଲେ ସୁକୁମାର, ‘ଆଉ ରହିଲା ମୋ କଥା । ଘଟିଯିବାଠୁ ମୁକୁଳିଯିବାକୁ ମୁଁ ସବୁବେଳେ ନିଜ ସହ ନିଜେ କଥାହୁଏ। ଦେହର କଷ୍ଟକୁ ମନରେ ଶୀତଳାଏ । ତା’ପରେ ଯେତେ କଥା ହେଉ, ସବୁଗୁଡ଼ା ଆପେ ଆପେ ମୋ ଭିତରେ ସାନ ହେଇ ହେଇଯାଏ ଓ ସରୁଥାଏ ବୋଲି ମନରେ ସେସବୁ ମରିଯାଏ ।‘

‘ମୁଁ ପାରୁନାହିଁ  ।  ଆଉ ସହିପାରୁନାହିଁ ।‘ ଶୋଭାଙ୍କ ଆଖିରେ ପୁଣି ଥରେ ଲୁହ।

ଏଥର ସୁକୁମାର ମୁଠେଇ ଧରିଲେ ଶୋଭାଙ୍କ ହାତକୁ । ସେଇଠି ଯେମିତି ଆତ୍ମା ସହ ଆତ୍ମାର ମିଳନ । ଲୁହ ଯେମିତି ସେଇ ମିଳନିକାର ସାକ୍ଷୀ । କହିଲେ, ‘ଆସନା ଆମେ ବହୁତ ବଡ଼ ହେଇଯିବା  । ଏ ଘର ପା’ ଆମର  । ଏ ପିଲାମାନେ ପା’ ଆମର  । ଆମେ ବଡ଼ ହେଇଗଲେ, ଆଉ ସବୁ ଯେତେ ଯାହା ଆପେ ଆମ ପାଖରେ ସାନ ହେଇଯିବ… । ଆମ ସଂସାର ସୁନା ହେଇଯିବ ।‘ ଶୋଭାଙ୍କ ପାଟିରୁ ଆଉକିଛି ବାହାରୁ ନଥିଲା । ତାଙ୍କ ଭିତରଟା ଯେମିତି ଲୁହହେଇ ବହିଯାଉଥିଲା । ଗୋଟାଏ ସମର୍ପଣ, ଗୋଟାଏ ସ୍ବୀକାର ସେଇଠି । ଲୁହ ଯେମିତି ସେଇ ସମର୍ପଣ ଓ ସେଇ ସ୍ବୀକାରର ଭାଷା ।

ଇଏ ଏକ ସମୟ, ଏଇ ସମୟ ସହ ଲାଗିଥାଇ ସେମାନଙ୍କ ଅଲକ୍ଷରେ କାନ୍ଥର ଆରପଟରେ ଆଉଜଣେ, ଆଉ ଯୋଡ଼ିଏ ଆଖି ଓ ସେଇ ଆଖରେ ଲୁହ ।

xxxxxxxxxxxx

ମୁଁ ଏ ଗପର ଆଉଜଣେ । ବହୁଦିନ ପରେ ତାଙ୍କ ଘରକୁ ଯାଇଥିଲି। ତାଙ୍କ ପୁଅ ବାହାଘର ବେଳକୁ ମୁଁ ଆସିପାରିନଥିଲି ବୋଲି ଭାରି ମନ କଷ୍ଟ ସୁକୁମାରଙ୍କର । ପହଞ୍ଚିଲି ତ ଖୁସିଟେ ଆମ ଭିତରେ ଖେଳିଗଲା ।

ଆମେ ବସିଛୁ, ବୋହୂଟି ଆସି ମୋ ପାଦ ଛୁଇଁ ପ୍ରଣାମ କଲା । ମତେ ଭାରି ଖୁସି ଲାଗିଲା । ତା’ ପଛକୁ କେତେକଥା ଆମ ଭିତରେ । କହୁ କହୁ ମୁଁ କହିଦେଲି, ‘ଭାଇ, ବୋହୂଟି କ’ଣ କେମିତି ପଡ଼ିଲା  ?’

ସାଙ୍ଗେ ସାଙ୍ଗେ ଚୁପ୍ ହେଇଗଲା ପରିବେଶ । ମୁଁ ଦେଖୁଥିଲି ସୁକୁମାରଙ୍କୁ । ଦେଖିଲି ତାଙ୍କ ଆଖି ଉଠିଯାଉଛି ଶୋଭାଙ୍କ ଉପରକୁ । ସେଇଠି ଟିକେ ମାତ୍ର ସମୟ, ସେଇଠି ଟିକେମାତ୍ର ହସ । କହିଲେ, ‘ତମର ମନେଅଛି ନା କାଶୀଭାଇ, ତିରିଶ ବର୍ଷ ତଳେ ‘କୁନିଝିଅ’ ବୋଲି ଗୋଟେ ଗପ ଲେଖି ନ ଥିଲ ? ସେଇ ଗପର ପ୍ରଥମ ଧାଡ଼ିମାନଙ୍କରେ ଲେଖି ନ ଥିଲ, କୁନିଝିଅ ଚାଲିଗଲେ ଫୁଲ ଫୁଟିଯାଏ ମାଟିରେ, ହସିଦେଲେ ଆଲୁଅ ଚହଲିଯାଏ, ଆଉକଥା କହିଦେଲେ ମିଠା ମିଠା ପାଲଟିଯାଏ ପବନ ।‘ ‘ହଁ’ – ମୁଁ କହିଲି  ।

ସେଉଠୁ ସେ କହିଲେ, “ତୁମର ସେଇ ‘କୁନିଝିଅ’ ଏବେ ମୋ ବୋହୂ ।“

ଏତିକିବେଳେ ବୋହୂଟି ଚା’ ଧରି ପଶି ଆସୁଥିଲା ଭିତରକୁ। ଦେଖିଲି ତା’ ଓଠରେ କୁନି ହସଟେ । ମତେ ଲାଗିଲା, ସେଇ ହସ ଆଲୁଅରେ ଚହଲି ଚହଲି ଛୁଇଁ ଯାଉଥିଲା ମତେ, ସୁକୁମାରଙ୍କୁ ଓ ଶୋଭାଙ୍କୁ ।

ତା’ପରେ ମୁଁ ସେଇ ଯୋଡ଼ିପାଦକୁ ଅନେଇଲି, ଯେଉଁ ପାଦ ଆମ ଆଡ଼କୁ ଆଗେଇ ଆସୁଥିଲା ।

Leave a Reply

Your email address will not be published. Required fields are marked *